Unknown

 

 

 

 

 

 

 

 

 

 

 

ପ୍ରେମପଥେ

ଗୋଦାବରୀଶ ମହାପାତ୍ର

 

ମୂଳକଥା

 

ମଫସଲର ‘‘କନକ’’ ସହିତ ସ୍କୁଲ ଛାତ୍ର ‘‘ହରିଚରଣ’’ଙ୍କର ଯେତେବେଳେ ପ୍ରଥମେ ନିର୍ବନ୍ଧ ହୁଏ, ‘‘ପ୍ରେମପଥେ’’ର ଜନ୍ମ ସେତିକି ବେଳେ । ଘଟଣାଟି ସତ୍ୟମୂଳକ । ଦୁଇଟି ତରୁଣ ତରୁଣୀ ଯୌବନ ପଥରେ ଯେପରି ଭାବରେ ଗତି କରିଛନ୍ତି, ଏଥିରେ ତାହାରି ଛାୟା ପଡ଼ିଛି । ଚାରିଅଣାର ବିଷୟ ବାଦ ଦେଲେ ବାକି ବାରଅଣା ସତ୍ୟ କଥା ।

 

ଯେଉଁ ହତାଶ-ପ୍ରମିକଙ୍କ ବ୍ୟଥିତ ହୃଦୟର ଛାୟା ଏଥିରେ ପଡ଼ିଛି, ତାଙ୍କ ପାଖେ ଏ ଲେଖକ କୃତଜ୍ଞ । ଲେଖକକୁ ସେ ନାନା ଭାବରେ ବ୍ୟବହାର, ଇଙ୍ଗିତ ଓ କଥାବାର୍ତ୍ତାରେ ଉପାଦାନ ଯୋଗାଇଛନ୍ତି ।

 

ଦୁଇଟି ଜୀବନର ଭବିଷ୍ୟତକୁ ଏଥିରେ ସ୍ଥାନ ଦିଆଯାଇ ପାରିଲା ନାହିଁ । କେବଳ ଯୌବନ-ପଥର ଏକ ଘାଟ ଏଥିରେ ଶେଷ ହେଲା । ତା’ପରେ କିଏ କହିବ ସେ ଦୁର୍ଗମ ପଥର କଥା ? ପାଠକଙ୍କୁ ହୁଏତ ନିପଟ କଳ୍ପନାରେ ବୁଲିବାକୁ ହେବ ।

 

ଲେଖକ

★★★

 

ପ୍ରିୟ ରମେଶ,

 

ବହୁ ଦିନରୁ ତୁମ ସହିତ ମୋର ଦେଖା ସାକ୍ଷାତ ନାହିଁ । ଯେଉଁ ଦିନ ତୁମେ ସତ୍ୟବାଦୀର ବକୁଳ କୁଞ୍ଜ ଭିତରେ ଅଶ୍ରୁସିକ୍ତ ବଦନରେ ବିଦାୟ ନେଇ ଯାଇଥିଲ, ସେ ଆଜିକି ଦଶ ବର୍ଷ ତଳର କଥା । ସେହି ଦିନୁ ସେ ବକୁଳ କୁଞ୍ଜ ଭିତରୁ କେତେ ଫୁଲ ଝଡ଼ିଲାଣି, କେତେ ପୁଣି ନୂଆ ଫୁଲ ଫୁଟିଲାଣି, ମଧୁର କୋଳାହଳମୟ କୁଞ୍ଜବନ ଜନଶୂନ୍ୟ ହୋଇ ପଡ଼ିଲାଣି; କିନ୍ତୁ ତୁମର ଛବି ମୋ ହୃଦୟ-ନିକୁଞ୍ଜରେ ଏକାପରି ଫୁଟି ରହିଛି । ଏ ଜୀବନରେ ତ ତାହା ଭୁଲିପାରିବି ନାହିଁ; ଯଦି ପର ଜନ୍ମ ଥାଏ, ତେବେ ମଧ୍ୟ ସେଠାରେ ଭୁଲିବା ଅସମ୍ଭବ ।

 

କେଉଁ ସୁଦୂର ରେଙ୍ଗୁନ ରାଜ୍ୟରେ ତୁମେ ଯାଇ ରହିଲ, ଜୀବନରେ ତ ଦେଖା ସାକ୍ଷାତ ହେଲା ନାହିଁ, ଚିଠିପତ୍ର ମଧ୍ୟ ବନ୍ଦ ହୋଇଗଲା । ଭାବିଥିଲି, ଏ ଦୂରର ବନ୍ଧୁକୁ ମନରୁ ପୋଛି ଦେଇଥିବ । ଏବେ ଏତେ ବର୍ଷ ପରେ ତୁମ ପାଖରୁ ଖଣ୍ଡିଏ ଚିଠି ପାଇ ହଠାତ୍‍ ଚମକି ଉଠୁଛି । ଏତେ ଦିନ ମୋର ଦୀର୍ଘ ଦଶ ବର୍ଷର ଇତିହାସ ତୁମକୁ ଜଣାଇବା ପାଇଁ ଲେଖିଛ । ଏହାଦ୍ୱାରା ମୋତେ ମହା ଧନ୍ଦାରେ ପକାଇଲ । ମୋ ଜୀବନର ସେ ଇତିହାସ ଏକ ରହସ୍ୟମୟ ସ୍ୱପ୍ନଲୋକର ମାୟାପୁରୀ । ସେ ମାୟାପୁରୀରେ ମୁଁ କେତେ ବୁଲିଛି, କେତେ ଫୁଲ ତୋଳିଛି, କେତେ ଗୀତ ଗାଇଛି । ସେସବୁ କଥା ଏବେ ମନେପକାଇଲେ ଏ ମୋର ଯୌବନ ଅଙ୍ଗରେ ରୋମ ଟାଙ୍କୁରି ଉଠୁଛି । ସେ କଥା ଭାବି ହସ ଲାଗୁଛି, ବେଳେବେଳେ କାନ୍ଦ ମଧ୍ୟ ଲାଗୁଛି । କିନ୍ତୁ ତୁମପରି ବନ୍ଧୁଙ୍କର ଏ ଅନୁରୋଧ ଏଡ଼ିପାରୁ ନାହିଁ ।

 

ସତ୍ୟବାଦୀର ବକୁଳ ଛୁରିଅନା କୁଞ୍ଜ ଭିତରୁ ବାହାରି, ସମାଜର ନାନା ଦୁର୍ଗମ ପଥରେ ବୁଲି ବୁଲି ବହୁତ ସୁଖ ଦୁଃଖର ଚିତ୍ର ଏ ହୃଦୟରେ ରହିଛି । ମୁଁ ଏ ଗତ ଦଶ ବର୍ଷ ଭିତରେ ଗୋଲାପଫୁଲ ତୋଳିଛି, ମହାକାଳ ଫଳ ମଧ୍ୟ ତୋଳିଛି, କାଳିଦାସଙ୍କ ଯକ୍ଷର ଅଳକାପୁରୀରେ ଭ୍ରମିଛି, ରାଜପୁତନାର ଚାରଣକବିଙ୍କ ମରୁସ୍ଥଳୀରେ ବୁଲିଛି ଏବଂ ମରାଳମାଳିନୀ ନୀଳାମ୍ବୁ ଚିଲିକାରେ ଖେଳିଛି । ଦିନ ନାହିଁ, ରାତି ନାହିଁ, ମୁଁ କାନ୍ଦିଛି, କନ୍ଦାଇଛି; ହସିଛି, ହସାଇଛି । ଏ ଜୀବନର ସବୁଠାରୁ ମଧୁମୟ ଭାବରେ ଯେ ଝଡ଼ ତୋଫାନ ବହି ଯାଇଛି, ତାହା ବଡ଼ ବିଚିତ୍ର । ଏ ହୃଦୟର ଅନ୍ତର ଦେଶରେ ଯେ ଗୁରୁ ଆଘାତ ଲାଗିଛି, ତାହା ବଡ଼ ମଧୁମୟ । ତୁମପାଖକୁ ଏହିପରି କେତେଗୁଡ଼ିଏ କଥା ଲେଖିବାକୁ ବସିଛି । ମୋ ଜୀବନର ଏସବୁ ନିରାଟ ସତ୍ୟ କଥା ।

 

ମୁଁ ଯୌବନର ପ୍ରଥମ ସ୍ୱପ୍ନ ଦେଖିଲି ସତ୍ୟବାଦୀରେ । ମୋର ତଳ ତଳ ଗୌର ଅଙ୍ଗରେ ଯୌବନ ବସନ୍ତର ରକ୍ତାଭ ଶୋଭା ପ୍ରଥମେ ସେହି ଦରଫୁଟା ବକୁଳ ଫୁଲ ଗହଳରେ ଦେଖାଦେଲା । କୋକିଳର କୁହୁତାନ ଆମ ଗାଁ ଗିରିସଂକୁଳ ବିଲପ୍ରାନ୍ତରର ସମ୍ବାଦ ଢାଳିଲା । କେଉଁ ଅଜଣା ଅରଣ୍ୟର ବିଜନ ନଦୀପଠା ଉପରେ ଫୁଟିଥିବା କେତକୀର ମଧୁର ସୌରଭ ଜୀବନ ମନ ଅଥୟ କଲା । ମୁଁ ଜାଣିପାରିଲି ନାହିଁ, କାହାପାଇଁ ମୋ ହୃଦୟଟା ବ୍ୟାକୁଳ ହୋଇ ଉଠୁଥାଏ । ବେଳେବେଳେ କି ଏକ ସ୍ୱପ୍ନପୁରୀର ଛାୟା ମୋ ମନରେ ପଡ଼ିଯାଏ । ଅଧୀର ଭାବରେ ମୁଁ ତାହା ଅନୁଭବ କରେ । ସେତେବେଳକୁ ବର୍ଷେ ହେଲା ଗାଁକୁ ଯାଇନଥାଏ । ଗାଁରୁ ଆସୁଥିବା ସବୁ ଚିଠିପତ୍ର ଭିତରେ ମାଆର ସ୍ନେହ ଆଶ୍ୱାସନା ମିଶି ରହିଲା ପରି ଲାଗୁଥାଏ । ଭାଇର ସ୍ନେହ, ବନ୍ଧୁମାନଙ୍କ ଆଶୀର୍ବାଦ ସେ ଚିଠିପତ୍ରରୁ ଝରିପଡ଼ୁଥାଏ । ଏହିପରି କେତେ ଚିଠି ପାଇଥିବି, ତା’ର ସଂଖ୍ୟା ନାହିଁ ।

 

ଥରେ ଖଣ୍ଡିଏ ଚିଠିରେ ଗୋଟିଏ ନୂଆ କଥା ପାଇଲି । ତାହା ହେଉଛି–ମୋର ବିବାହ ପ୍ରସ୍ତାବ । ସେ ଥର ସେ ଚିଠିଟାକୁ ଥର ଥର କରି ଦଶଥର ପଢ଼ିଲେ ମଧ୍ୟ ପ୍ରତିଥର ମୋତେ ସମ୍ପୂର୍ଣ୍ଣ ନୂଆ ଲାଗିଲା । ମୋର ସଫା ମନେଅଛି, ସେ ସମ୍ବାଦ ପାଇ ମୁଁ କେତେଦିନ କିପରି ଅନ୍ୟମନସ୍କ ହୋଇପଡ଼ିଲି । ସେଥିପାଇଁ ଆଚାର୍ଯ୍ୟ ମହାଶୟଙ୍କ ପାଖରୁ ତାଡ଼ନା ସହିବାକୁ ପଡ଼ିଲା । ତଥାପି ମନ ମୋର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ହେଲା ନାହିଁ । ସେତେବେଳେ ପଣ୍ଡିତ ନୀଳକଣ୍ଠଙ୍କ ଭୀମକାନ୍ତ ଉପଦେଶ କିମ୍ବା ପଣ୍ଡିତ ଗୋଦାବରୀଶଙ୍କ କାନ୍ତକୋମଳ ପଦାବଳୀ ମୋ ମନର ଭାବକୁ ବଦଳାଇପାରି ନଥିଲା ।

 

ଭଉଣୀ,

 

ଆଜି ତୁ ମୋତେ ଚିହ୍ନିପାରିବୁ କି ନାହିଁ, ସନ୍ଦେହ । ଯେତେବେଳେ ସାଇ ପିଲା ଗହଳିରେ ଆମେ ଦିହେଁ ଗୋଟିଏ ଡେମ୍ଫରେ ଦୁଇଟି ଫୁଲପରି ହସି ହସି ସମସ୍ତଙ୍କୁ ହସାଉଥିଲେ ସେକଥା ତୋର ମନେଥିବ କି ନାହିଁ ଜାଣେନା । ସେ ବଉଳ ନାହିଁ କି ସେ ଆମ୍ବକଷି ନାହିଁ; ସେ ସରଗଫଳ କୁଆଡ଼େ ଗଲାଣି । ଯାହା ହାଣ୍ଡିରେ ଯିଏ ଚାଉଳ ପକାଇଥିଲା ସେ ତା’ ଘରକୁ ଯାଇ ଯେଝା ସୁଖ ଦୁଃଖରେ ରହିଛନ୍ତି । ଏକଥା ଆଉ କିଏ ମନେପକାଉଛି ? ମୁଁ ତୋ କଥା ସବୁବେଳେ ଶୁଣେ । ତୁ ବଡ଼ ଘର ପାଇଛୁ, ଭଲ ବର ପାଇଛୁ, ସୁଖରେ ଅଛୁ; ଶୁଣି ଭାବେ, ତୋ ପାଖେ ହେଲେ ଯାଇ ସେହି ପିଲାଦିନର ଖେଳସାଥୀ, ଏ ବଉଳ, ଓଳି ତଳେ ମୁଣ୍ଡ ଗୁଞ୍ଜି ରହି ପାରନ୍ତା ପରା । ଭାବିଲେ କ’ଣ ହେବ, ମନ ସଫା ଡାକେ ନାହିଁ; କିଏ ଯେପରି ବୁକୁ ଭିତରେ ଧକ୍‌କା ମାରେ । କାନ୍ଦି ବୋବେଇ, କେତେ କଥା ଭାବି, ଆଖିଲୁହ ପଣତ କାନିରେ ପୋଛି ପୋଛି ତୁନି ହୋଇ ରହେ । ସତେ କ’ଣ, ଭଉଣୀ, ମୋ କଥା ତୁ ମନେ ରଖିଥିଲୁ ? ଚିଠିରେ ତୁ କେତୋଟି କଥା ମାତ୍ର ଲେଖି ତୋ କଥା ସାରି ଦେଇଛୁ; ମାତ୍ର ମୁଁ କି ମୋ କଥା ଖଣ୍ଡିଏ ଚିଠିରେ ଲେଖିପାରିବି ? ମୋ କାହାଣୀ ତୁ ଶୁଣିବାକୁ ହେଲେ ଦିନ ଦିନ ହୋଇ କେତେଦିନ କଟିଯିବ । ତେତିକି ତୋର ମନ ଟାଣ ଥିଲେ ମୋ ଦୁଃଖର କାହାଣୀ ଶୁଣିବୁ ।

 

ଭଉଣୀ, ଆଜି ଦଶ ବର୍ଷ ତଳର କଥା ସବୁ ମନେପକାଇଲେ ଆଖିରେ ଲୁହ ଆସୁଛି । ପୁନିଅଁ ରାତିରେ ପିଠଉ ପାଣି ପରି ଚନ୍ଦ୍ର ଆଲୁଅ ପଡ଼ିଥାଏ, ତୁମ ଅଗଣାରେ ଦିହେଁ ବସି କେତେ କେତେ କଥା ହେଉଥିଲେ, ତୋର ମନେ ଅଛିଟିକି ? ରଜାପୁଅ କିମିତି କନକବତୀ କନ୍ୟାକୁ ବିଭାହେଲା, ଅସୁରୁଣୀ ବୁଢ଼ୀର ଫରୁଆ ଭିତରୁ ରଜାପୁଅକୁ ରଜାଝିଅ କିମିତି ଉଦ୍ଧାର କଲା, ଏହିପରି ତୁ କେତେ କେତେ କଥା କହୁଥାଉ । କେତେ ହସାଉଥାଉ, କେତେ ନଚାଉଥାଉ, କେତେ କୋଉ ସପନପୁରୀରେ ନେଇ ଭସାଉଥାଉ–ହାତ ଶଙ୍ଖା ଦର୍ପଣ ପରି ସେସବୁ କଥା ମନ ଭିତରେ କେଡ଼େ ବେଗେ ନାଚିଯାଉଛି । ଏବେ ତୁ କୋଉ ରଜାପୁଅର ଫରୁଆ ଭିତରେ ଅଛୁ, ଟିକିଏ ହେଲେ ମନ ପକାଉ ନାହୁଁ ?

 

ମୋ କପାଳ ପରି କପାଳ ସଂସାରରେ ଆଉ କାହାର ନଥିବ ଲୋ ଭଉଣୀ । ଇମିତି ହୀନିମାନ କପାଳ ଦେଇ ସଂସାରକୁ ମତେ କିଏ କାହିଁକି ପଠାଇଥିଲା, ଜାଣିପାରେ ନାହିଁ । ଫଟା କପାଳରେ ଏତେ ଦଶା ଥିଲା ! ଏତେ ମନସ୍ତାପ କରିବାକୁ ବିହି ଲେଖିଥିଲା ! କ’ଣ କହିବି ? ଯାହା କହିବାର ଦଶ ବର୍ଷ ହେଲା ମନକୁ ମନ କହି ଆସିଛି । ଧନୀଘରେ ଜନ୍ମହୋଇ ସୁଦ୍ଧା ମୁଁ ସଂସାରଯାକର ହୀନସ୍ତା ଭୋଗି ସାରିଛି । ଏବେ ବୁଝୁଛି ଧନ ନୁହେଁ କି ଜନ ନୁହେଁ, କେହି କାହାର ନୁହନ୍ତି ଲୋ ଭଉଣୀ । ବଡ଼ ପୁରୁଷେ ପରା କହିଛନ୍ତି–

 

‘‘ଯେଣେ ଉଛା ତେଣେ ଯା,

କର୍ମ ଘେନି ବୁଲୁ ଥା ।’’

 

ମୁଁ କର୍ମ ଘେନି ବୁଲିଲି କେତେ ବର୍ଷ । ବର୍ଷ ବର୍ଷ କାଳ ମୁଁ ଲୁହ ନ କାନ୍ଦି ରକତ କାନ୍ଦିଲି-। ସେକଥା ମନେପକାଇଲେ ଏବେ ମୋ ମନ ଭିତରଟା କ’ଣ ହୋଇଯାଉଛି । ଅନୁଭବୀ ବିନା ସେ କଥା କିଏ ବୁଝିବ ? ଯେ ବୁଝିବ, ସେ ନ କାନ୍ଦି ରହିପାରିବ ?

 

ସେଇ ପିଲାଦିନେ–ଦିନେ ରାତିରେ ବାପା ବୋଉ କ’ଣ ତୁନି ତୁନି କଥା ହେଲେ । ସେ କଥା ସ୍ୱପ୍ନପରି ଲାଗୁଛି; ମାତ୍ର ମନରୁ ଲିଭୁନାହିଁ । ଆଉ ସେ ଲିଭିବ ନାହିଁ । ମୁଗୁନି ପଥରରେ ଗାର ପଡ଼ିଲେ କି ଲିଭେ ? ହୃଦୟ ମୋର ମୁଗୁନି ପଥରରୁ ବଳି ଟାଣ ହୋଇଛି, ଆଉ, ସେଥିରେ ବର୍ଷ ବର୍ଷକର କଥା ଗୋଟି ଗୋଟି ହୋଇ ଲେଖାଅଛି । ଆଉ କାହା ଆଗେ ହୃଦୟ ଖୋଲିବାକୁ ଲାଜ ଲାଗୁଛି । ଛାଡ଼ ସେ କଥା, ସେଦିନ ସକାଳେ ପଡ଼ିଶାଘରର କେତକୀ ଭାଉଜ ଆସି ମୋତେ ଥଟ୍ଟାକରି କହିଦେଇଗଲେ ‘ଆମ ଝୁଅର ଏଥର ଦି’ହାତକ ଚାରି ହାତ ହବ ।’ ମୁ୍ଁ ସେଦିନ ତାଙ୍କ କଥାଟି ଭଲକରି ବୁଝିନପାରି ଟିକିଏ ହସି ଦେଇଥିଲି । କିନ୍ତୁ ସେ ହସ ପଛେ ପଛେ ଯେ କାନ୍ଦିବାକୁ ହେବ, ଜାଣିନଥିଲି ।

 

ପ୍ରିୟ ରମେଶ,

 

ଆଗରୁ କହିଛି, ସେହି ବକୁଳ-କୁଞ୍ଜ ଭିତରେ ମୋର ବିବାହ ପ୍ରସ୍ତାବ ପତ୍ରଖଣ୍ଡି ପାଇଲି । ସେତେବେଳକୁ ‘କଳିକା’ ବହି ଖଣ୍ଡିକ ମୋ ହାତରେ । ବହିଖଣ୍ଡି ନୂଆ ବାହାରିଥାଏ, ମୁଁ ତାକୁ ବଡ଼ ଆଗ୍ରହରେ ପଢ଼ୁଥାଏ । ଖାଲି ଆଗ୍ରହରେ ନୁହେଁ, ଭାବର ଉତ୍ତେଜନାରେ ବେଳେବେଳେ ମୋତେ ନିଜକୁ ଭୁଲିଯିବାକୁ ପଡ଼ୁଥାଏ । ସେ ଚିଠିଟା ପାଇ, କିଛି ସମୟ ବହି ପଢ଼ା ଛାଡ଼ି ତାକୁ ତିନି ଚାରି ଥର ପଢ଼ିଗଲି । ମନଟା କିପରି ଅଜ୍ଞାତ ଭାବରେ ମାତି ଉଠିଲା । ମୋ କ୍ଷୁଦ୍ରଜୀବନ–ଜଗତରେ କିପରି ଏକ ନୂତନତ୍ୱ ଅନୁଭବ କଲି ସେ ସବୁର ଜୀବନ୍ତ ସ୍ମୃତି ଏବେ ମଧ୍ୟ ମୋ ହୃଦୟରେ ଜାଗି ରହିଛି ।

 

ପତ୍ରଖଣ୍ଡି ପଢ଼ିସାରି ‘କଳିକା’ର ‘ପତ୍ନୀ’ ଗୀତଟି ପଢ଼ି ବସିଲି । ତାହା ପଢ଼ିଲାବେଳେ ସେ ସମୟରେ ପ୍ରାରମ୍ଭ ଯୌବନର ଉଦ୍ଦାମ ଭାବ ନେଇ ମୁଁ ଯେ କ’ଣ ହୋଇଥିଲି ଆଜି ଏ ସାମାନ୍ୟ କଲମ ମୁନରେ ତାହା ବର୍ଣ୍ଣନା କରିବା ମୋ ପକ୍ଷରେ ଅସମ୍ଭବ । ଏହି କଲମ ମୁନରେ କେତେଥର ‘ପତ୍ନୀ’ ଶବ୍ଦ ଲେଖିଛି, କେତେ କାହା ମୁହଁରୁ ଏ ଶବ୍ଦ ଶୁଣିଛି; କିନ୍ତୁ ସେଦିନ କବିଙ୍କର ସେ ଗୀତଟା ପଢ଼ି ମୋ ପ୍ରାଣରେ କି ଏକ ଅନିର୍ବଚନୀୟ ମଧୁମୟ ସ୍ପନ୍ଦନ ଆସିଲା ! ପଢ଼ିଲି :–

 

‘‘ନୟନେ ଦେଇଛ ମୋର ସୁଧା ଦରଶନ,

ଶ୍ରବଣ ଯୁଗଳେ ମଧୁ ସରଗ ନିସ୍ୱନ,

ହୃଦୟେ ଯେ ଭରିଦେଲ ସେନେହ ମମତା

ପରାଣେ ରୋପିଲ ଆଶା ସଉରଭ ଲତା ।’’

 

ବାସ୍ତବିକ, ନିକୁଞ୍ଜ କାନନର ସେ ସମୀରଣ ସଙ୍ଗେ କି ସୌରଭ ବହିଲା, ସେ ଫୁଲ ମୋତେ ନୀରବରେ କି କଥା କହିଲା, ସେଠାରେ କୋକିଳ ମୋତେ କେଉଁ ଦେଶର କି ବାରତା ଆଣି ଦେଲା, ତାକୁ ଭାବି ବସିଲେ ଏବେ ମଧ୍ୟ ମୋର ଜୀବନ ଯନ୍ତ୍ର ଥରିଉଠୁଛି । ଭାବିଲି, ସତେ କ’ଣ କବିଙ୍କର ଗୀତର ‘ପତ୍ନୀ’ ମାନବ ଜଗତରେ ସମ୍ଭବ ? ‘କଳିକା’ର ଏ ଭାବମୟୀ ପତ୍ନୀ କ’ଣ ଦାସ୍ତବ ସଂସାରରେ ମୋହିନୀ ମୂର୍ତ୍ତିରୂପେ ଦେଖାଦେଇପାରେ ?

 

କେତେଦିନ ଗଲା , ଏ ସମ୍ବାଦ କ୍ରମେ ମୋର ସହପାଠୀ ଜାଣିଲେ । କିଏ କେତେ ଥଟ୍ଟା କଲେ, କିଏ କେତେ ପ୍ରକାରେ ଭୋଜି ଦାବିକରି ବସିଲେ । କାହା ମନରେ କେତେ ନିବିଡ଼ ସ୍ୱଚ୍ଛ ମଧୁର ଭାବ ମୋ ଉଦ୍ଦେଶ୍ୟରେ ଝରିପଡ଼ିଲା । ମୁଁ ଏକପ୍ରକାର ସେମାନଙ୍କର ଗୋଟିଏ ଜୀବନ୍ତ ଖେଳନା ଜିନିଷ ହୋଇପଡ଼ିଲି ।

 

ଏ ସାମାନ୍ୟ ଚିଠି ଖଣ୍ଡେ ପାଇବା ଫଳରେ ସେହି ମୁହୂର୍ତ୍ତରୁ କାହା ସହିତ କି ଏକ ଅଚ୍ଛେଦ୍ୟ ବନ୍ଧନରେ ବାନ୍ଧିହେଲି ଜାଣିପାରିଲି ନାହିଁ । ଦିନରେ ସେହି କଥା ଭାବିଲି, ବହି ଧରି ପଢ଼ିବାକୁ ବସି ବହି ମୁଦିଦେଇ ସେହି କଥା ଚିନ୍ତାକଲି । ଶୋଇବାବେଳେ ସ୍ୱପ୍ନ ରୂପରେ ସେହି ଚିନ୍ତା ମୋତେ ଘାରିଲା । ରାତି ପାହାନ୍ତିଆରୁ ପଢ଼ିବା ପାଇଁ ଉଠି ଅର୍ଦ୍ଧସୁପ୍ତ ହୃଦୟର ଗୋଟିଏ କୋଣରେ ସେହି ଚିନ୍ତାକୁ ଘେନି ମୁଁ ନୀରବ ସୁଖରେ ମୁଣ୍ଡପୋତି ବସିରହିଲି–ମୋଟାମୋଟି କହିବାକୁ ଗଲେ ମୁଁ ସମ୍ପୂର୍ଣ୍ଣ ବଦଳିଗଲି ।

 

କି ବିଚିତ୍ର ଏ ରହସ୍ୟ ! ଦେଖା ନାହିଁ କି ଚିହ୍ନା ପରିଚୟ ନାହିଁ, କେଉଁ ଦୂରଦେଶର କେଉଁ ଦୂରଯାତ୍ରୀ ସେ; ତା’ ଦେଶର ପାହାଡ଼ ପର୍ବତ, ବଣ ନଦୀ, ବିଲ ସଙ୍ଗେ ମୋର ତିଳେସୁଦ୍ଧା ସମ୍ବନ୍ଧ ନାହିଁ, ତଥାପି ସ୍ୱପ୍ନପୁରୀର ମାୟାବିନୀ ପରି ମୋ ହୃଦୟ ମନ ସେ ବରାବର ଅଧିକାର କରି ବସିଲା-। ମୋର ସୁଢଳ ସୁଠାମ ଅଙ୍ଗକୁ ସେ ଆହୁରି ଢଳ ଢଳ କରି ନଚାଇ ଦେଲା, ମୋର ଯୌବନଫୁଲକୁ ଆହୁରି ଛନ ଛନ କରି ହସାଇ ଦେଲା । କେଉଁ ଅଜଣା, ବନ ପ୍ରଦେଶର କ୍ଷୁଦ୍ର କଳିକାଟିଏ ସେ, ହଠାତ୍‌ ମୋର ଶ୍ୟାମଳ ହୃଦୟ–କା ନନରେ ହସିବାକୁ ଆରମ୍ଭକଲା ।

 

ପୁଣି ଦିନେ ଆଉ ଏକ ଚିଠି ପାଇଲି । ତାକୁ ହଠାତ୍‌ ପଢ଼ିବା ପାଇଁ ମୋର ସାହସ ହେଲା ନାହିଁ; କେଜାଣି ଅବା ସେ ଭିତରେ କୋଣାର୍କର ଚୁମ୍ବକ ଥିବ, ମୋର ମନ-ଜାହାଜକୁ ହଠାତ୍‌ ଟାଣିନେବ; ବାହାର ଜଗତରେ ହଲଚଲ ହେବାକୁ ସୁଦ୍ଧା ମୋର କର୍ତ୍ତବ୍ୟ ରହିବ ନାହିଁ । ସନ୍ଦେହ, ଉତ୍ସାହ, ଉତ୍ତେଜନା, ଆଶଙ୍କାରେ ପଢ଼ା ଆରମ୍ଭକଲି, ଦେଖିଲି, ସେ ଭିତରେ ନାନା କଥାମଧ୍ୟରେ ଲେଖାଅଛି ମୋର ସେହି ସ୍ୱପ୍ନପୁରୀର ମାୟାବିନୀଟିର ନା୍ଁ ହେଉଛି ‘କନକଲତା ।’

 

‘କନକଲତା !’ ମୁଁ ଏପର୍ଯ୍ୟନ୍ତ ଯେତେ ବହି ପଢ଼ିଥିଲି, ଯେତେ କଥା ଶୁଣିଥିଲି, ସେ ସବୁଭିତରେ ଯେତେ ଯେତେ ଶବ୍ଦ ଥିଲା ସେସବୁ ଶବ୍ଦଠାରୁ ଏ ଶବ୍ଦଟି ମୋତେ ବେଶି ମଧୁମୟ, ରସମୟ, ରହସ୍ୟମୟ ଓ ହାସ୍ୟମୟ ଜଣାପଡ଼ିଲା ! ପଢ଼ି ମୁଁ ମୁହୂର୍ତ୍ତେ ବିଚଳିତ ହୋଇପଡ଼ିଲି ।

 

ଭଉଣୀ,

 

ଲାଜରେ ସେଦିନ ମୋର ମୁଣ୍ଡ ପୋତି ହୋଇଗଲା । ମୁଁ କି ଜାଣେ ଏତେ ଭିତିରି କଥା-? ବିଭା ନା ବିଭା । ତାକୁ ପୁଣି କହନ୍ତି ‘ଦି ହାତକ ଚାରି ହାତ’ ‘ଦି ଆଖିକ ଚାରି ଆଖି ।’ ଏତେ ଭିତରେ କିଏ ପଶିଥିଲା ଲୋ ଭଉଣୀ ! ପିଲା ହୋଇଥିଲି, ବୁଦ୍ଧି ଥିଲା ଖେଳରେ । କେତକୀ ଭାଉଜ ମୁହଁରୁ କଥା ଶୁଣି ମୁଁ ପ୍ରଥମେ ଭାବିଥିଲି ଯେ ମତେ ସେ କ’ଣ ଚିଡ଼େଇ କରି କହି ଯାଇଛି-। ମାତ୍ର ସତ କଥା ସିଏ । ସେ କଥା ଶୁଣିଲା ମୁହୂର୍ତ୍ତରୁ ମୁଁ ଗୁଡ଼େଇ ତୁଡ଼େଇ ହୋଇ ଯାଇ ତା’ପାଖେ ବସିଲି । ପଚାରିଲି, ‘‘ଭାଉଜ, କ’ଣ କହିଲ ? ଦି’ହାତକ ଚାରି ହାତ କ’ଣ କି ?’’

 

ମୋର ଏଇ ପଦକ କଥା ଶୁଣି ସେ ତ ହସି ହସି ଘର ଫଟେଇ ଦେଲେ । ସେ ହସ ଶୁଣି ମୋର ହାଲୁକା ଶୁଖିଗଲା । ଭୟ ହେଲା ମୁଁ ଗୋଟେ କ’ଣ ଅସୁନ୍ଦର କଥା କହିଦେଲି ଯେ ଭାଉଜ ଏପରି ହସୁଛନ୍ତି । ତାଙ୍କ ହସ ଶୁଣି ସେ ଘରେ ଆଉ କିଏ ଆସି ପହଞ୍ଚିଯିବ, ମୋର ଓଲିପଣିଆ ଜାଣି ଦେବ, ଏଥିପାଇଁ କ’ଣ କରିବି ବୁଦ୍ଧିବାଟ ଦିଶିଲା ନାହିଁ । ତରତରରେ ପିନ୍ଧିଲା ଲୁଗାର କାନିଟି ମେଞ୍ଚାକରି ତାଙ୍କ ମୁହଁରେ ମାଡ଼ିଦେଇ କହିଲି, ‘‘ଭାଉଜ, ଭାଉଜ, ମୋ’ରାଣ, ହସ ନା, ହସ ନା ।’’

 

ଭାଉଜଟି ମତେ ବଡ଼ ଭଲ ପାଉଥାନ୍ତି, ମୋର ଏ କାକୁତି ଅବସ୍ଥା ଦେଖି ମୋତେ କୋଳକୁ ଟାଣିନେଇ ଯାକି ପକାଇ କହିଲେ, ‘‘କନ, ତୁମେ କ’ଣ ବାୟାଣୀ ହେଲ କି ? ଏଡ଼େ ବଡ଼ ଝୁଅ ହେଲଣି, ଦି’ହାତକ ଚାରି ହାତ କ’ଣ ବୋଲି ପଚାରି ବସିଛ ? କିଏ ଶୁଣିଲେ କ’ଣ କହିବ ? ଯାହାଙ୍କ ପାଇଁ ଏତେ କଥା, ସେ ତୁମର ଇମିତି କଥା ଶୁଣିଲେ ଆଉ ନେବେ ଟିକି ? ଇମିତି କଥା ଆଉ କାହାକୁ ପଚାରିବ ନାଇଁ, ଲୋକେ ହସିବେ ।’’

 

ଏହି ଶେଷ କଥାର ଅର୍ଥ ମଧ୍ୟ ମୁ୍ଁ ସେତେବେଳେ ଠିକ୍‌ ବୁଝିପାରିନଥିଲି । ପ୍ରଥମେ ଭାବିଲି, ମୁଁ କି ଦୋଷ କରିଛି ଯେ ମତେ କାହିଁକି କିଏ କୁଆଡ଼େ ନେବ ? ଘରେ ସମସ୍ତିଙ୍କି ଛାଡ଼ି ମୁଁ କାହିଁକି କୁଆଡ଼େ ଯିବି ? କିଛି ଦିନ ପରେ ସାଙ୍ଗସରିସାଙ୍ଗ ତୁଲେ ମିଶି କଥାକୁ ଟିକିଏ ଟିକିଏ ବୁଝିଲି । ଏହାପରେ ହସ କଉତୁକ ସମୟରେ ଏ କଥା କେବେ ପଡ଼ିଲାବେଳେ ମୋ ମୁହଁରେ ଲାଜମିଶା ହସ ଦେଖି ଥରେ ଭାଉଜ କହିଥିଲେ, ‘‘ତୁମେ ପରା ବିଭା ହେବ, କନ; ତୁମର ଦି’ହାତ, ଆଉ ଯାହାଙ୍କୁ ବିଭାହେବ ତାଙ୍କର ଦି’ହାତ, ସବୁ ମିଶି ଚାରି ହାତ ହେଲା ନାହିଁ ?’’

 

ବୁଝିଲି, ମୋର ବିଭାଘର ତ ହବ । ବେଳେବେଳେ ସେ କଥା ଶୁଣି ଭାଉଜଙ୍କ ମୁହଁକୁ ଖାଲି ବଲ ବଲ ଚାହିଁରହେ । କାହିଁକି ଯେ ଚାହିଁ ରହୁଥିଲି ଏବେ କହିପାରିବି ନାହିଁ । ଏ ଆଖି କୋଣରୁ ସେ ଚାହାଣି ଲୁଚିଯାଇଛି, ଏ ହୃଦୟ କୋଣରୁ ସେତେବେଳର ଗୋପନ ଚିତ୍ର କୁଆଡ଼େ ଗୋପନରେ ରହିଲାଣି । କେବଳ ସେସବୁ କଥା ବେଳେବେଳେ ଦୂରରୁ ବୁଢ଼ିଆଣୀ ଜାଲ ପରି ଆଖି ଆଗେ ଖେଳିଯାଉଛି ମାତ୍ର । ମୋର ସେତେବେଳର ଅବସ୍ଥା ଦେଖି ଭାଉଜ ଥରେ ପରିହାସରେ କହିଥିଲେ, ‘‘ଯିବ ଯେ କନ, ମନେପକାଉଥିବ ।’’ ଏବେ ସେ ପଦକ ମନରୁ ପାସୋରି ଯାଇନାହିଁ, ଭାଉଜଙ୍କ ପରିହାସ ଶୁଣି ହସ ବଦଳରେ ଗୋଟାଏ ଦୀର୍ଘଶ୍ୱାସ ଆସୁଥିଲା । ‘‘ବିଭା ହେବି ? ଗାଁର କମଳା, ରମା, ଚମ୍ପା, ହୀରା ବାପା ମା’ ଭାଇ ଭାଇଜଙ୍କୁ ଛାଡ଼ିଗଲା ପରି ମୁଁ କୁଆଡ଼େ ଯିବି ?’’ ଏ କଥା ଭାବିଦେଇ ମୋର ଆଖି ଦୁଇଟି ଲୁହ ଛଳ ଛଳ ହୋଇ ଆସୁଥିଲା । ସେତେବେଳେ ମନ ହେଉଥିଲା ବିଭା ହେବି ନାହିଁ, କି ଆମ ଘରଦ୍ୱାର, ବାପ ମା’, ଆମ କାଞ୍ଚି ବିଲେଇ, କଲରାମନ୍ଦା, ଲେଉଟିଆ ଶାଗ କିଆରି, କାଳୀଗାଈ କାହାକୁ ହେଲେ ଛାଡ଼ି କରି କୁଆଡ଼େ ହେଲେ ଯିବି ନାହିଁ । କେବଳ ଯାଉଥିବି ଇସ୍କୁଲକୁ, ଆସୁଥିବି ଘରକୁ ଏବଂ ଖେଳୁଥିବି ସାଙ୍ଗସାଥୀ ପିଲାଙ୍କ ସଙ୍ଗେ ।

 

ଦିନେ ଭାଉଜ ହସି ହସି ମତେ କହିଦେଇ ଗଲେ, ‘‘ଜାଣିଲ କନ, ତାଙ୍କ ନାଁଟି ହେଉଛି ‘ହରିଚରଣ’ ।’’ କଥାଟା ମୋ ଉପରେ ଫୁଲ ବିଞ୍ଚିଲାପରି ଲାଗିଲା ।

 

ମୋର କିଶୋରୀ ଜୀବନ ହସିଉଠୁଥିଲା । ଦରଫୁଟା ପଦ୍ମଫୁଲର ରୂପବାସ ଚହଟି ପଡ଼ୁଥିଲା । ପିଲା ଖେଳରୁ ମନ ଖସି ଆସୁଥିଲା । ଚାଲିଲା ବେଳେ କେଜାଣି କାହିଁକି କେହି କୁଆଡ଼େ ନ ଥିଲେ ମଧ୍ୟ ଦେହଟା ଶୀତେଇ ଉଠୁଥିଲା ।

 

ଭାଉଜ କହିଦେଇ ଗଲେ ଗୋଟିଏ ପଦ, ‘ହରିଚରଣ’ । ଏହି ପଦକ କ୍ରମେ ମୋ ପାଖେ ସାତ ଖଣ୍ଡ ରାମାୟଣ ପୋଥି ପରି ହେଲା । ବୁଝେ ବା ନ ବୁଝେ ସବୁବେଳେ ୟାକୁ ଘୋଷିଲି, ସବୁବେଳେ ଏହି କଥା ଭାବି ବସିଲି, ତଥାପି ସରିଲା ନାହିଁ କି ସେଥିରୁ ମନ ଭାଜିଲା ନାହିଁ । ଇସୁକୁଲରେ ବହି ଧରି ପଢ଼ିଲେ ଏହି ପଦଟି ବେଳେବେଳେ ମନେପଡ଼େ । କେଜାଣି କାହିଁକି ବହିର ଛାପା ଅକ୍ଷର ଗହଳିରେ ଏହି ପଦକ ମଧ୍ୟ ଛାପା ହେଲାପରି ଆଖିକୁ ଦିଶିଯାଏ । ସାଙ୍ଗସରିସା ମେଳରେ ସିଲଟରେ ଏହି ନାଁଟି ଲେଖିଦେଇ ହସ କଉତୁକରେ ପୁଣି ଲିଭାଇଦିଏ । ସେହି ଖେଳ, ସେହି ରହସ୍ୟ, ସେହି ଜୀବନ କଥା ସବୁ ଗୋଟି ଗୋଟି ଏବେ ମନେପଡ଼ୁଛି । ମନେପଡ଼ୁଛି, ଦିନ ଯେତିକି ଗଡ଼ିଲା, ସେହି ‘ହରିଚରଣ’ ପଦକ ଗୁଣି, ଚାହାଣି ମୋର ସେତିକି ଆନତ ଓ ବାଙ୍କ ହୋଇ ପଡ଼ିଲା । ଅଳ୍ପଦିନ ମଧ୍ୟରେ ମୋର କଥାବାର୍ତ୍ତା, ଢଙ୍ଗଢାଙ୍ଗ ସବୁ ବଦଳି ଆସିଲା । ସବୁ ବିଷୟରେ ମୁଁ ଓଲଟ ପାଲଟ ହୋଇପଡ଼ିଲି ।

 

ପ୍ରିୟ ରମେଶ,

 

ଆଶାରେ ଯେ କେତେ ଆନନ୍ଦ, ମୁଁ ଏହି ଘଟଣାରେ ପ୍ରଥମେ ବୁଝିଲି । ମାୟାମୟୀ ଆଶା ମୋତେ ଅମୃତ ଚଖାଇ ପାଗଳ କରିଦେଲା । ମୁଁ ଆଶା-ମନ୍ଦାକିନୀରେ ଭାସି ଭାସି ଅମରାବତୀରେ ଯାଇ ପହଞ୍ଚିଲି । ସେଠାରେ କବିଙ୍କର କେତେ ପାରିଜାତ ଦେଖିଲି, କେତେ କଳ୍ପଳତା ଦେଖିଲି, ମାତ୍ର କନକଲତାର ଭେଟ ପାଇଲି ନାହିଁ । ତାକୁ ଭେଟିଥିଲେ ହୁଏତ ମୋ ଆନନ୍ଦର ସେହିଠାରେ ପରିଣତି ଘଟିଥାନ୍ତା, ମାତ୍ର ତାହା ହେଲା ନାହିଁ । ମୁଁ ଭାବିଲି, ବୁଲିଲି, ବ୍ୟାକୁଳ ଭାବରେ କେତେ କୁଆଡ଼େ ଖୋଜିଲି । ତାକୁ ମୁଁ ବହି ପଢ଼ାରେ ପାଇଲି ନାହିଁ, କୋକିଳ ସଙ୍ଗୀତରେ ପାଇଲି ନାହିଁ କି ଏ ମୋର ପ୍ରଶସ୍ତ ହୃଦୟ ରାଜ୍ୟରେ ମଧ୍ୟ ଖୋଜି ଖୋଜି ପାଇଲି ନାହିଁ-। ସବୁ ମଧୁମୟ ବୋଧ ହେଲା, ସବୁ ଅପୂର୍ଣ୍ଣ ଲାଗିଲା । ମନୁଷ୍ୟ ଚିନ୍ତାର ଗତି କି ବିଚିତ୍ର-!

 

ଲେଖୁ ଲେଖୁ ଏସବୁ କଥା ଲେଖି ଯାଉଛି, କ୍ଷମା ଦେବ । ମାଟ୍ରିକୁଲେଶନ ପରୀକ୍ଷା ଆଉ ଅଳ୍ପଦିନ ମାତ୍ର ବାକି ଥାଏ, ମୋ ମନର ଗତି ଏପରି ଅବସ୍ଥାରେ ଆସି ପହଞ୍ଚିଲା । ମୁଁ ଗୁରୁତର ସନ୍ଧି ସ୍ଥାନରେ ଆସି ପଡ଼ିଲି । ପରୀକ୍ଷାଟା ଯେକୌଣସି ପ୍ରକାରେ ଦେଇ ଦେଲେ ରକ୍ଷା, ଭାବି ମନକୁ ଖୁବ୍‌ ଦୃଢ଼ କରି ବେଳେବେଳେ ପଢ଼ାପଢ଼ିରେ ଲାଗିଯାଏ । କିନ୍ତୁ କିପରି କାହିଁକି ଯେ ସେହି ସ୍ୱପ୍ନ-ପ୍ରତିମା ଚଟ୍‌କରି ମୋ ମନ ଅଧିକାର କରି ବସେ, ଜାଣିପାରେ ନାହିଁ ।

 

ମହାକବି ଭଞ୍ଜଙ୍କର ପଦେ ଗୀତ ମନେପଡ଼ିଲା । ଭାବିଲି ସବୁ ପଢ଼ା କରିସାରି କନକ ପ୍ରତିମା କଥା ମନେପକାଇବି । ତାହା ହେଲା ନାହିଁ । ସକାଳୁ ଗାଧୋଇ ଯାଏ, ପୋଖରୀରେ ଦରଫୁଟା ପଦ୍ମଫୁଲ ଦେଖି ଘଡ଼ିଏ ଚାହିଁ ବସେ । ଭାବେ, କନକର ମୁହଁଟି ଠିକ୍‌ ଏହାପରି ବା ଏହାଠାରୁ ଆଉ ଟିକିଏ ସୁନ୍ଦର ହୋଇଥିବ । ମୁଁ ଫୁଲକୁ ଚାହିଁ ବସିଲେ ସାଙ୍ଗ ପିଲେ ମୋର ଚାହାଣି ଦେଖି ହସନ୍ତି, ଆଉ କେହି କେହି ବା ମୋତେ ‘କବି’ ଆଖ୍ୟା ଦେଇ ତାଳି ମାରି ବ୍ୟତିବ୍ୟସ୍ତ କରିପକାନ୍ତି । ସୁନ୍ଦର ସୁଠାମ ପିଲାମାନଙ୍କ ମଧ୍ୟରେ ମୁଁ ଯେ ଆସନ ପାଇବାକୁ ଯୋଗ୍ୟଥିଲି, ଏବେ ମଧ୍ୟ ଗର୍ବର ସହିତ କହିପାରିବି । ତେଣୁ ସମସ୍ତେ ମୋତେ ଦେଖିଲେ, ମୋ କଥା ଶୁଣିଲେ ଖୁସି ହୁଅନ୍ତି । ବାସ୍ତବିକ୍‌ ସୌନ୍ଦର୍ଯ୍ୟର ଗୋଟିଏ ଅପରିହାର୍ଯ୍ୟ ମୋହ ଅଛି । ନ ହେଲେ କି କବି ଗାଇଥାନ୍ତେ–

 

‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ ।’

 

କ୍ରମେ ପରୀକ୍ଷା ପାଖଇ ଆସିଲା । ମନ କ୍ରମେ ଚଞ୍ଚଳ ହେଲା । ସମୟକୁ ବାଣ୍ଟି ଦେଲି, ଅମୁକ ସମୟରେ ପାଠ ପଢ଼ିବି, ବାକି ଅମୁକ ସମୟରେ ଅନ୍ୟାନ୍ୟ କଥା ଭାବିବି–ଅର୍ଥାତ୍‌ ମୋର ବିବାହ କଥା, ସତ କହିବାକୁ ଗଲେ, ମୋ କଳ୍ପନା-ରାଜ୍ୟର ରାଣୀ ସେହି କନକଲତା କଥା । ଏହିପରି ଭାଗ ଭାଗ କରି ମଧ୍ୟ ପଢ଼ିବା ସମୟରେ କିଛି ଅଂଶ ଅନ୍ୟ ଚିନ୍ତାରେ ଥାଏ । ଏଥିରୁ ମୋ ମନର ସେତେବେଳର ସାଂଘାତିକ ଅବସ୍ଥା ବେଶ୍‌ ବୁଝିପାରୁଥିବ ।

 

ଭଉଣୀ,

 

ତୁନି ତୁନି କରି ‘ହରିଚରଣ’ ଏହି ନାଁଟିକୁ ମନକୁ ମନ କେତେଥର କହିଲି । ଦିନକୁ ଦିନ ମନ ଉଛନ ହେଲା । କେତେ କେତେ ନୂଆ ଭାବ ଆସିଲା । ସାଙ୍ଗସାଥୀ ସାଇପଡ଼ିଶା ପିଲାଏ କାନରେ କେତେ କଥା ଆସି ଫୋଡ଼ିଲେ । ପଡ଼ିଶାଘରର ଭାଉଜ ଥଟ୍ଟାରେ କେତେ କଥା କହିଲେ-। ସବୁ ଶୁଣୁଥାଏ ଲୋ ଭଉଣୀ, ଆଗପରି ଆଉ ଓଠ ମେଲେଇ ହସୁନଥାଏ କି ପାଟିକରି କିଛି ଜବାବ ଦେଉନଥାଏ । ଜବାବ ଦେବାକୁ କି ସେତେବେଳେ ଆଉ ଦମ୍ଭ ଥାଏ ?

 

ଦିନକୁ ଦିନ ମୋର ଶୁଖିଲା ଦେହ ଚିକଣିଆ ହୋଇଆସିଲା । ଖେଳ କଉତୁକରେ ଆଉ ବେଶି ମନ ଲାଗିଲା ନାହିଁ । ସେତେବେଳ ଭାବି ବସେ, ସେ ଯାଇ କୋଉ ଦୂର ଦେଶରେ ଅଛନ୍ତି; ସେ କିମିତି ? ତାଙ୍କ ଚାଲି କିମିତି ? ତାଙ୍କ କଥା କିମିତି ? ମନକୁ ମନ ତୁଳେ, ସେ କ’ଣ ମୋ’ପରି ଇମିତି ମଳି ଲୁଗା ପିନ୍ଧିଥିବେ, ଇମିତି ଚାଳଘରେ ରହୁଥିବେ । ମନରେ ସତେ କେତେ କଥା ଭାବିହୁଏ ଲୋ ଭଉଣୀ ! ମୁଁ ତ ଭାବି ନ ପାରି ମୁହୂର୍ତ୍ତେ ରହିପାରି ନ ଥିଲି । ଭାବି ଭାବି କେତେ ଖେଳିଲି, କେତେ ହସିଲି, କେତେ କାନ୍ଦିଲି, ସେ କଥା ଆଉ କ’ଣ ଲେଖିବି ?

 

ଦିନକର କୁଆଁର ପୁନିଅ ପଡ଼ିଲା । ସାଇପିଲେ ପୂଜାପୂଜି ବାଢ଼ି, ଗୀତ ବୋଲି ଖେଳି ବସିଲେ । ମୋତେ ଗୀତ ବୋଲିବାକୁ ଭଲ ଲାଗିଲା ନାହିଁ । ଲାଜ ମୋ ମୁହଁକୁ ମୁଦ ପକାଇଲା ପରି ରଖିଲା । କୁମାରୀଏ ବର ପାଇଁ ପ୍ରାର୍ଥନା କଲେ । ମୁଁ କ’ଣ ପାଇଁ ପ୍ରାର୍ଥନା କରନ୍ତି ? ଭାଉଜ ବତାଇଥାନ୍ତି ‘ଗୋଟିଏ ବର ହେଲା; ଆଉ ଗୋଟିଏ ବର କଥା ମନରେ ଭାବିଲେ ସେ ଆଉ ତୁମକୁ ନେବେ ନାହିଁ ।’ ଏଇ କେତୋଟି କଥା ମୋ ମନରେ ଲାଖ ମାଇଲା ପରି ଥାଏ । ଭାବୁଥାଏ ମୋ ପାଖରେ ଏ ପୂଜାପୂଜି, ଏ ଗୀତ ନାଟ ସବୁ ମିଛ, କେବଳ ସେହି ‘ହରିଚରଣ’ ସତ । ସେହି ମୋର କୁଆଁର ପୁନିଅଁ, ସେହି ଗୀତ ନାଟ, ସେହି ମୋର ଜୀବନର ଅଧିକରୁ ବେଶି ।

 

ଉପରେ–କେତେ ଉପରେ ଆକାଶରେ ଚନ୍ଦ୍ର ହସୁଥାଏ, ଆଉ ତଳେ ଆମ ଅଗଣାରେ ପିଲାମାନେ ହସି ଖେଳି ଘର ଫଟାଇ ଦେଇଥାନ୍ତି; ମୁଁ କେବଳ ପିଣ୍ଡାରେ ବସି ତାହା ଦେଖୁଥାଏ । ଉପରେ ଚନ୍ଦ୍ର ଆଡ଼କୁ କୁଆଡ଼ୁ ଖଣ୍ଡେ ଧଳା ମେଘ ଭାସି ଆସିବାର ଦେଖିଲେ ଭାବେ, ‘ସେ ମେଘ ଉପରେ ହେଲେ ମୁଁ ଥାନ୍ତି । ମେଘ ମତେ ଭସେଇ ନେଇ ନେଇ କୁଆଡ଼େ ଚାଲିଯାନ୍ତା, ମୁଁ ତା’ ଉପରେ ବିକଳ ହୋଇ କାନ୍ଦୁଥାନ୍ତି । ସେତିକି ବେଳେ ରଜା ଝିଅକୁ ରଜା ପୁଅ ଉଦ୍ଧାର କଲା ପରି ହରିଚରଣ କୁଆଡ଼ୁ ଧାଇଁ ଆସି ମୋତେ ହାତ ଧରି ଓହ୍ଲାଇ ଆଣନ୍ତେ–ଆଖିରେ ନିଦ ନାହିଁ, ଭାବୁ ଭାବୁ ଆଖି ମୁଦି ହୋଇଯାଏ । ସେତିକିବେଳେ କିଏ ଜଣେ ପିଲା ଆସି ମୋ ପିଠିରେ ଲାଉ ହୋଇପଡ଼ିଲେ ଚମକି ଚାହେଁ,–ମୁଁ ପିଣ୍ଡା ଉପରେ ବସିଛି, ମେଘ ଛାଏଁ ମେଘ କୁଆଡ଼େ ଭାସି ଯାଇଚି । ଏ କ’ଣ ? ପିଲାଦିନର ସେ ବିଚିତ୍ର ଖେଳ ଏବେ ତ ଆଉ ଆଖି ଆଗରେ ପଡ଼ୁ ନାହିଁ । ସେତେବେଳେ ମୁଁ ଦିନରାତି ସବୁବେଳେ ସପନ ରାଇଜରେ ଭାସୁଥିଲି ଲୋ ଭଉଣୀ !

 

ଏତେ ଏତେ କଥା ସେ କିଶୋରୀ ଜୀବନରେ କିଏ ଶିଖାଇଲା ମୁଁ ଜାଣିଲି ନାହିଁ । ମନହେଲା, ସବୁବେଳେ ନଳଚରିତ୍ର, ରାମାୟଣ, ମହାଭାରତ ଧରି ପଢ଼ିବି, ସୀତା ହେବି, ସାବିତ୍ରୀ ହେବି, ଦମୟନ୍ତୀ ହେବି, ଦରକାର ହେଲେ ପତିଙ୍କ ପାଇଁ ବଣରେ ଯାଇ ପଶିବି । ସେ ମୋତେ ଫୁଲ ତୋଳି ଦେବେ, ମୁଁ ତାଙ୍କୁ ସୁନାର ହରିଣ ଧରି ଆଣି ଦେବାକୁ କହିବି । ସେ ଆଖି ବୁଜି ଅଚେତା ହୋଇପଡ଼ିଲେ ମୁଁ ତାଙ୍କ ପାଇଁ ଯମ ଦେବତା ଆଗେ ଗୁହାରି କରିବି, ସେ ଅନାଥ ପରି ଦେଶେ ଦେଶେ ବୁଲିଲେ ମୁଁ ଅନାଥିନୀ ହୋଇ ତାଙ୍କ ପାଇଁ ଭିକ ମାଗିବି । ଆହା ସେ ସପନ ମୋର ଏ ହୃଦୟର କେଉଁ କୋଣରେ ଲୁଚି ରହିଲା ! ସେଦିନ କୁଆଡ଼େ ଗଲା !!

 

ପ୍ରିୟ ରମେଶ,

 

ପରୀକ୍ଷା ହେଲା । ପରୀକ୍ଷା ଦେବା ଆଗରୁ ତ ଯେପରି ପଢ଼ାପଢ଼ି କରୁଥିଲି ଜଣାଇଛି । ମନଟା କିପରି ପାଠଠାରୁ କରଛଡ଼ା ଦେଲାପରି ରହିଥିଲା, ପରୀକ୍ଷା ହଲରେ ଗୀତାରୁ ପଦେ ମୋର ମନେପଡ଼ିଗଲା–

 

‘‘ମା’ ଫଳେଷୁ କଦାଚନ ।’’ ବୁଝେ ବା ନ ବୁଝେ ଏକପ୍ରକାର ଅର୍ଥ କରି ନେଲି । ଏତିକି ବେଳେ ଏହା ମୋର ବେଶି ଦରକାରରେ ଆସିଲା । ପରୀକ୍ଷାର ଫଳ ପ୍ରତି ବେଶି ଲୋଭ ବଳିଲା ନାହିଁ । କାରଣ, ଆଖି ଆଗରେ ଅନବରତ ସ୍ୱପ୍ନପୁରୀର ଯେଉଁ ସ୍ୱର୍ଣ୍ଣଫଳଟି ଝୁଲୁଥିଲା, ତାକୁଇ ପାଇବା ପାଇଁ ପ୍ରାଣର ବ୍ୟାକୁଳତା ବେଶି ବଢ଼ିଲା । ପ୍ରଦୋଷକାଳୀନ ପକ୍ଷୀ ପରି ମନଟା ଖାଲି ଗାଁ ଆଡ଼କୁ ଧାଇଁଲା । ଯେକୌଣସି ପ୍ରକାରେ ପରୀକ୍ଷାଟା ଦେଇ ଘରକୁ ଫେରିଲି ।

 

ସବୁ ଥର ଗାଁକୁ ଆସିଲେ ଯେପରି ଆସେ, ଏଥର ସେପରି ଆସିବାକୁ ମନ କାହିଁକି ଡାକିଲା ନାହିଁ । ମନହେଲା, ମୁଁ ମାଟ୍ରିକ୍ୟୁଲେଶନ ଦୁର୍ଗ ଜୟ କରିବାକୁ ସାହସ କରିଛି ବୋଲି ଲୋକେ ପଛକେ ନ ଜାଣନ୍ତୁ , ମୁଁ ଯେ ହୃଦୟରେ ସକଳ ବାସନା ଦେଇ କୌଣସି ଏକ ମୋହିନୀ ମୂର୍ତ୍ତିର ଯୌବନ-ଦୁର୍ଗ ଜୟ କରିବାକୁ ସବୁ ଯୋଗାଡ଼ କରୁଛି, ଏହା ଚାରିଆଡ଼େ ଲୋକମୁଖରେ ଘୋଷିତ ହେଉ ।

 

ଗାଡ଼ିରେ ଚଢ଼ିଲି, ଗାଡ଼ିରୁ ଓହ୍ଲାଇଲି, ବାଟ ଚାଲିଲି, ଗାଁରେ ପହଞ୍ଚିଲି; ମାତ୍ର ଏସବୁ ଭିତରେ ମୁଁ ସେହି ଦୁର୍ଗଜୟ କଥା ଛଡ଼ା ଆଉ କିଛି ବିଚାରି ପାରିଲି ନାହିଁ । ଷ୍ଟେସନରୁ ବାହାରି ଘର ମୁହାଁମୁହିଁ ହେବା ପର୍ଯ୍ୟନ୍ତ ଯେତେ ଯେତେ ଲୋକଙ୍କୁ ନମସ୍କାର ହେଲି, ସମସ୍ତେ ପ୍ରାୟ ଏକାପରି ପଚାରିଲେ, ‘‘ସବୁ ଭଲ ତ, ବାବୁ ?’’ ଭାବିଲି, ବୋଧହୁଏ ସମ୍ବାଦଟା ମୁଁ ଆସିବା ଆଗରୁ ଏ ଅଞ୍ଚଳରେ ଅନେକ ଲୋକ ଜାଣିଯାଇଛନ୍ତି । ନ ହେଲେ ସଭିଏଁ କିଆଁ ଏକାପରି ପଚାରନ୍ତେ ? ମୋର ପରୀକ୍ଷା ଫଳାଫଳ ବା ଅନ୍ୟ କୌଣସି ବିଷୟ ନେଇ ଯେ ଲୋକେ ଏପରି ପ୍ରଶ୍ନ କରିପାରନ୍ତି, ସେତେବେଳେ ଏ କଥା ମନରେ ଆଦୌ ସ୍ଥାନ ପାଇଲା ନାହିଁ । ମୁଁ ପରା ସେ ସମୟରେ ଆମ ଜ୍ଞାତି କୁଟୁମ୍ବ ଗ୍ରାମ ମଧ୍ୟରେ ଶିବରାତ୍ରିର ମହାଦେବଙ୍କ ଦେଉଳର ଜାଗର ଦୀପ ପରି ନିରବଚ୍ଛିନ୍ନ ଭାବରେ କ୍ଷୁଦ୍ର ଶିଖା ଟେକି ଜଳି ଉଠୁଥିଲି । ମୋତେ ତ ଲୋକେ ଏପରି ପ୍ରଶ୍ନ ପଚାରିବା କଥା !

 

ବାଟରେ କାହାକୁ କାହାକୁ ଅତି ଆପଣାର ଲୋକ ଦେଖି ପଚାରେ, ‘‘ଆଉ ଏଠାର ହାଲଚାଲ କ’ଣ ?’’ ପୁଣି ସଙ୍ଗେ ସଙ୍ଗେ ପ୍ରଶ୍ନ କରେ, ‘‘ଆମ ଘରର ହାଲଚାଲ କିଛି ଜାଣ ?’’

 

ପ୍ରଥମ ପ୍ରଶ୍ନର ଉତ୍ତର ମୁଁ ଆଦୌ ଆଶା କରୁ ନ ଥାଏ । ଲକ୍ଷ୍ୟ ଥାଏ, ଦ୍ୱିତୀୟ ପ୍ରଶ୍ନର ଉତ୍ତରରେ । ବଡ଼ ବ୍ୟାକୁଳ ଭାବରେ ଉତ୍ତର ଆଶା କରୁଥାଏ, କେହି କହିଦେବେ ପରା, ‘‘ବିଭାଘର ତ ଆଉ ଅଳ୍ପ ଦିନ ବାକି ରହିଲା !’’

 

ମାତ୍ର ସେ ବ୍ୟକ୍ତି ଯେତେବେଳେ କେବଳ ପ୍ରଥମ ପ୍ରଶ୍ନର ଉତ୍ତରଟି ଦେଇ ତୁନି ହୋଇ ରହିଯାଏ, ରାଗରେ ମୋ ମନଟା ପାଚି ଉଠେ । ମନରାଗ ମନରେ ମାରି, ଖୁବ୍‌ ବିରକ୍ତ ହୋଇ ଆଗକୁ ପାଦ କାଢ଼ି କାଢ଼ି କହେ, ‘‘ହଉ, କୁଆଡ଼େ ଯିବେ ଯାଅନ୍ତୁ । ବହୁତ ସମୟ ମୋର ନଷ୍ଟ ହେଲାଣି । ଚଞ୍ଚଳ ଘରେ ପହଞ୍ଚିବା ଦରକାର ।’’ ସେ କଥା ମନେପଡ଼ିଲେ ଆଜି ନିଜ ପ୍ରତି ନିଜର ରାଗ ଆସୁଛି । ସେସବୁ ପଲ୍ଲୀର ଅର୍ଦ୍ଧଶିକ୍ଷିତ, ପୂର୍ଣ୍ଣ ଅଶିକ୍ଷିତ ଗୁରୁସ୍ଥାନୀୟ ସରଳପ୍ରାଣ ବ୍ୟକ୍ତିଗଣ ମୋ ମୁହଁରୁ ଦୂର ପ୍ରବାସର କେତେ କେତେ ବିଚିତ୍ର କଥା ଶୁଣିବା ପାଇଁ ଆଶା କରି ପାଖରେ ଆସି ଠିଆ ହୁଅନ୍ତି । ମୁଁ ସେମାନଙ୍କୁ ମୋର ବିଭବ ଧକ୍‌କାରେ ଦୂରକୁ ଠେଲିଦିଏ ! ବିଦ୍ୟା ଗୌରବରେ ମୁଁ ସେତେବେଳେ ପଥ-ପାର୍ଶ୍ୱର ବୃକ୍ଷମାନଙ୍କଠାରୁ ଆହୁରି ଉଚ୍ଚ ବୋଲି ମନେ କରୁଥାଏ ।

 

ଏହିପରି କେତେ କଥା ଲେଖିବି, ରମେଶ । ଏସବୁ ମୋର ଅଙ୍ଗେ ଲିଭାଇବା କଥା । ଦିନେ ନୁହେଁ, ମାସେ ନୁହେଁ, ବର୍ଷେ ନୁହେଁ, କେତେ ବର୍ଷ କେତେ କେତେ କଥା ଏହିପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିଥିଲି । ଯୁବକ ଜୀବନରେ ଏପରି କେତେ ଯେ ଅଧୀର ବ୍ୟାକୁଳତା, ଅନ୍ଧ ଚପଳତା, ଅସୀମ ବ୍ୟଗ୍ରତା ଘଟୁଥିବ, ଏବେ ମୁଁ ବୁଝିପାରୁଛି । ବୁଝୁଛି ସମସ୍ତଙ୍କ ଜୀବନରେ ଏହିପରି କିଛି ନା କିଛି ସନ୍ଧିକ୍ଷଣ ଆସି ପହୁଞ୍ଚିଥିବ । ଯୌବନ ରାଜ୍ୟରେ ଏହିପରି ତୁମୂଳ ଝଞ୍ଜା ବହୁଥିବ । ଏବେ ମନେହେଇଛି, ସେ ଝଞ୍ଜାମୟ ଜଗତକୁ ଆଉଥରେ ହେଲେ ଫେରିଯାଇ ଭୁଲ୍‍ ବାଟଟାକୁ ସଂଶୋଧନ କରିପକାନ୍ତି । ଆଉଥରେହେଲେ ଜଗତକୁ ନନ୍ଦନବନ ଧ୍ୟାନରେ ବନ ଗିରି ନଦୀ ବିଲ ପ୍ରାନ୍ତର ସର୍ବତ୍ର ଅମୃତର ଛବି ଦେଖନ୍ତି । ପୁଣି ଥରେ ସେ ଝଞ୍ଜା ଭିତରେ ମୁଣ୍ଡ ଟେକି ସଗର୍ବରେ ଠିଆ ହୁଅନ୍ତି । ଆରକ୍ତ ଉଷାର ଅଧର ଦେଶରେ ହାସ କଳ୍ପନା କରି ଅନନ୍ତଭାବରେ ମୁହୂର୍ତ୍ତେ ବୁଡ଼ି ରହନ୍ତି; ଭାବନାର ଝଞ୍ଜାଘାତରେ ନିଜକୁ ଦୋହଲାଇ ଦିଅନ୍ତି । କିନ୍ତୁ ସେ ସବୁ ଆଶା ବୃଥା । ଜୀବନରେ–ଆଖି ପଲକରେ ଥରେ ଯାହା ଯାଏ, ଆଉ ତାହା ସେହି ବେଶରେ ସେହିଠାକୁ ଫେରିଆସେ ନାହିଁ । ନଦୀର ପ୍ରତି ବୁଦ୍‌ବୁଦ୍ ପାଇଁ ପ୍ରତିମୁହୂର୍ତ୍ତ ନିର୍ଦ୍ଦିଷ୍ଟ ଅଛି । ଫୁଲ ଫୁଟିବା ସ୍ଥାନରେ ଆଉ ଫୁଲ ଫୁଟୁନାହିଁ । ଏକର ଅଧିକାର ସମୟରେ ଅନ୍ୟର ସେଠାରେ ସ୍ଥାନ ନାହିଁ । ମୁଁ ଜୀବନ-ନଦୀରେ ଭାସି ଭାସି ଏଠି ଅର୍ଦ୍ଧ ଯୌବନ ପଥରେ ଆସି ପହଞ୍ଚିଛି । ଜନନୀ କୋଳରୁ ଆସି କତେ ଦୁର୍ଗମ ଗିରି ମରୁ ପ୍ରାନ୍ତର ଲଙ୍ଘିଛି । ସେ ସବୁକୁ ପୁଣି ଲଙ୍ଘି ଫେରିଯିବା ମୋ ପକ୍ଷରେ ଅସମ୍ଭବ ବ୍ୟାପାର । କେବଳ ସେ ସବୁର ସ୍ମୃତ, ବିସ୍ମୃତ ସକଳ ଚିତ୍ର ବେଳେବେଳେ ଇନ୍ଦ୍ରଜାଲ ମାୟା ପରି ମୋ ମନରେ ଭାସି ଉଠୁଛି । ସେ ରହସ୍ୟ ଚିରକାଳ ରହସ୍ୟ ରୂପରେ ହିଁ ଥିବ ।

 

ଭଉଣୀ,

 

ଯୌବନ ମୋତେ ଛୁଇଁଲା–ଏ ଛୋଟିଆ ମାଳତୀ ଲତାଟି ଛନ ଛନ ହୋଇ ହସି ଉଠିଲା । ମୋତେ ଏତେ କଥା କିଏ ଆଣି ଦେଲା ? ମୋ ଚାହାଣି, ମୋ ଚାଲି, ମୋ କର୍ଥାବାର୍ତ୍ତା ସବୁଥିରେ ମୁଁ ବିଚଳିତ ହୋଇପଡ଼ିଲି । ଆଗେ ଯାହାକୁ ମୁଣ୍ଡ ଟେକି ସରଳଭାବରେ ଚାହୁଁଥିଲି, ଏବେ ତାକୁ ଚାହିଁଲା ବେଳକୁ ଲଜ୍ଜା ସରମରେ ବୁଡ଼ିବାକୁ ପଡ଼ିଲା । ଚାଲି ଅଳସ ହେଲା, କଥା ଅସ୍ଫୁଟ ହେଲା, ମାତ୍ର ମନ କାହିଁକି ବଣୁଆ ପକ୍ଷୀପରି ସାମାନ୍ୟ ଶବ୍ଦରେ, ସାମାନ୍ୟ କଥାରେ ଚମକି ଉଠିଲା । ଏବେ ବୁଝିଛି, ସୁନାର ପଞ୍ଜୁରୀ ହେଲେ ମଧ୍ୟ ପକ୍ଷୀ କାହିଁକି ରହିବାକୁ ଭଲପାଏ ନାହିଁ । ସେ ଖୋଜି ବସେ ତା’ର ସାଙ୍ଗ ଆଉ କାହା ସାଙ୍ଗେ ଉଡ଼ି ଯିବାକୁ । କ’ଣ ଲେଖିବି ଭଉଣୀ, ମୋ ମନ ଠିକ୍‌ ଏହିପରି ହେଲା । ଉଡ଼ି ଉଡ଼ି କୁଆଡ଼େ ଉଭେଇ ଯିବାକୁ କାମନା କରି ବସିଲି । ଏସବୁ କ’ଣ ସମସ୍ତଙ୍କ ଜୀବନରେ ହୁଏ, ନା ଷଠୀବୁଢ଼ୀ ମୋତେ ନଚାଇବା ପାଇଁ ଏତେ ଏତେ କଥା ଘଟାଇଲା !

 

ଅଳପ ପାଟଛିଟ ଲୁଗାରେ ଚଳୁଥିଲି । ଏବେ ମୋର ଯୌବନ ଅଙ୍ଗକୁ ଘୋଡ଼ାଇବା ପାଇଁ କେତେ କ’ଣ ଲୋଡ଼ା ହେଲା । ମହା ଅଡ଼ୁଆରେ ପଡ଼ିଲି । ସାଇ ବୁଲି ବାହାରିଲା ବେଳେ ଆଗ ହାତ ଗୋଡ଼ ଦେହ ମୁଣ୍ଡ ସବୁ ଆଡ଼କୁ ଚାହେଁ । ଦେଖେ ଲୁଗାକାନିଟା କିମିତି ଅଛି, ଗୋଡ଼ର ଅଳତା କେଉଁଠି କିମିତି ବାଙ୍କ ହୋଇଛି, କପାଳରେ ସିନ୍ଦୂର ବିନ୍ଦୁଟି ଅଛି କି ନାହିଁ, ବେଣୀର ରେଶମୀ କନାଫୁଲ ତୋରା ଦିଶୁଛି କି ନାହିଁ । ଏହିପରି କେତେ କଥା ଲେଖିବି ଲୋ ଭଉଣୀ ! ସବୁ ମତେ ନଖରୁ ଶିଖ ଯାଏ ନିଖେଇ ନିଖେଇ ଦେଖିବାକୁ ପଡ଼େ । ବେଳେବେଳେ ୟାକୁ ଦେଖୁ ଦେଖୁ ମୋର ବେଳ ଯାଏ, ଆଉ ବୁଲିଯିବା ହୁଏ ନାହିଁ । ମୋର ଏସବୁ ବେଶବାସ ସଜବାଜ ଦେଖି ଭାଉଜ ବେଳେବେଳେ ହସି ହସି ଥଟ୍ଟା କରନ୍ତି । ତାଙ୍କର ସବୁ ପରିହାସ ବାଣୀ ମୋ ହୃଦୟରେ ଚନ୍ଦନମାଳା ପରି ଲାଗି ରହେ । କେବଳ ବାହାରେ ମୁହଁଟାକୁ ଫଣ ଫଣ କରି ନାକ କାନ ଛିଞ୍ଚାଡ଼ି ତାଙ୍କୁ ଦି’ପଦ ଟାଣ ଟାଣ କରି ଶୁଣାଇଦିଏ । ହେଲେ, ବାହାରେ କଥାଟାକୁ ଯେତେ ଟାଣ କଲେ ମଧ୍ୟ ଭିତର ତ ଆଉ ଟାଣ ହୁଏ ନାହିଁ । ତା’ ଭିତରେ ଫୁଲମାଳା ସଜା ଯାଇଥାଏ, ତା’ ଭିତରେ ମଳୟ ପବନ ବହୁଥାଏ । ସେଥିରୁ କି ଟାଣୁଆ କଥା ବାହାରିବା ସମ୍ଭବ ? କେବଳ ପର ଜାଣିବାକୁ ଟାଣୁଆ କଥା କହେ ଏବଂ ସଙ୍ଗେ ସଙ୍ଗେ ଓଠ କୋଣରେ ଲଜ୍ଜା ସରମର ହାସ ରେଖା ଫୁଟାଇଦିଏ-। ମୋର ଏସବୁ ଭାବ ଭାଉଜଙ୍କୁ ଅଛପା ରହେ ନାହିଁ । ସେ ମୋ ହାତ ଚିପି ଧରି, ମୁଣ୍ଡକୁ ବେକ ପାଖରେ ଜାକିପକାଇ ମୁଚୁ ମୁଚୁ ହସି ଢଗ ମାରନ୍ତି । ସତେ ଲୋ ଭଉଣୀ, ମନ ଭିତରର ଭାବଟାକୁ ମୁହଁରେ କେଭେଁ ହେଲେ ଲୁଚାଇ ହୁଏ ନାହିଁ । କଥାରେ ହେଉ ବା ହସରେ ହେଉ ବା ଚାହାଣିରେ ହେଉ, ଅଥବା କିଛି ନ ହେଲେ ତୁନି ହୋଇ ରହିବାରେ ମଧ୍ୟ ତାହା କିମିତି କେଜାଣି ଫୁଟି ଉଠେ ।

 

ମୁଁ ବାୟାଣୀ ପରି ହେଲି ଲୋ ଭଉଣୀ, ବାୟାଣୀ ପରି ହେଲି । ହରିଚରଣ ମୋ ମନକୁ ନଚାଇ ଦେଲେ । ଆଖିରେ ଦେଖିଲି ନାହିଁ, ମୁହଁରୁ ଶୁଣିଲି ନାହିଁ, ତେବେକେ ହେଲେ କେବଳ ସେଇ ନାଁ ପଦକ ଶୁଣି ଭାବିଲି ସେ ମୋର ସବୁ ଆପଣାରଠାରୁ ବେଶି ଆପଣାର । ତାଙ୍କୁ ପାଇପାରିଲେ ମୋ ଜୀବନରେ ଆଉ ଦୁଃଖ ଶୋକ ରହିବ ନାହିଁ, ଆଖିରେ ଲୁହ ଦେଖା ଦେବ ନାହିଁ ।

 

ମାତ୍ର ଭଉଣୀ, କାନ୍ଦିବାକୁ ଯା’ର କପାଳରେ ଥିବ, ସେ କି ନ କାନ୍ଦି ରହିପାରେ ?

 

ପ୍ରିୟ ରମେଶ,

 

କଥାରେ କହନ୍ତି, ‘‘ଦୂର ପରବତ ସୁନ୍ଦର ।’’ ଏ କଥାକୁ ମୁଁ ଘରେ ଆସି ବେଶ୍‍ ଅନୁଭବ କଲି । ସତ୍ୟବାଦୀରେ ଥିବାବେଳେ ଭାବୁଥିଲି, ବିବାହ ବିଷୟ ନେଇ ମୋ ମନରେ ଯେତେ ଆନ୍ଦୋଳନ ଚାଲିଛି, ଘରେ ତହିଁରୁ ମାତ୍ରା କିଛି କମ୍ ନ ଥିବ । ଘରର ଦଶ ପାଞ୍ଚ ମନ ଏକାଠି ହୋଇ ପରିବାର ଭିତରେ ଏକ ସମୁଦ୍ର ମନ୍ଥନ ଆରମ୍ଭ ହୋଇଥିବ । ଏହି ମନ୍ଥନ ଫଳରେ ଯାହା ବିଷ ବାହାରିବ ପଛକେ ଯେଉଁ ଅମୃତ ବାହାରିବ, ସେ ଯେ ମୋର ‘କନକଲତା’, ଏଥିରେ କିଛି ସନ୍ଦେହ ନାହିଁ । ଭାବୁଥିଲି, ଭାଇ ଭାଉଜ ମାଆ ସମସ୍ତେ ମୋରି ବିବାହ ଚିନ୍ତାରେ ଦିନ କାଟୁଥିବେ–ନାନା ଆୟୋଜନରେ ବ୍ୟସ୍ତ ଥିବେ ।

 

ଏ ଭାବନା ମୋର ସମ୍ପୂର୍ଣ୍ଣ ଅମୂଳକ ହେଲା । ସେମାନେ ମୋରି ସମ୍ପର୍କରେ ଭାବୁଥିଲେ ସତ; କିନ୍ତୁ ବିବାହ ବିଷୟରେ ନୁହେଁ । ପରୀକ୍ଷାରେ କ’ଣ ହେବ ସେହି ସମ୍ପର୍କରେ କାହାରି କାହାରି ମନରେ ଉଦ୍ବେଗ ବଢ଼ିଥିଲା । ମୁଣ୍ଡଝାଳ ତୁଣ୍ଡରେ ମାରି, ଖରା ବର୍ଷା ଶୀତରେ ବିଲରେ ପଡ଼ି ସେମାନେ ଯେଉଁ କଷ୍ଟାର୍ଜିତ ଧନ ମୋ’ପାଇଁ ଖର୍ଚ୍ଚ କରୁଥିଲେ, ସେଥିର ଫଳାଫଳ ବିଷୟରେ ଭାବିବା ସେମାନଙ୍କର ଅଧିକାର ଥିଲା । ମୁଁ ଘରକୁ ଆସି କିଛି ଚାକିରି ସମ୍ବାଦ ଶୁଣାଇବି, ପଚିଶି ନୁହେଁ, ତିରିଶ ନୁହେଁ, ଏକାବେଳକେ ପଚାଶ ଦରମା ଉପରକୁ ପାଇବି, ଗଡ଼ଜାତରେ ଦେବାନ ହେବି, ଥାନାରେ ଦାରୋଗା ହେବି, କଚିରିରେ ଓକିଲ ହେବି ବା ସ୍କୁଲରେ ମାଷ୍ଟର ହେବି ଇତ୍ୟାଦି କେତେ କେତେ କଥା ସେମାନଙ୍କର ମନ ବଚନକୁ ଏକସମୟରେ ଅଧିକାର କରିଥିଲା ।

 

କିନ୍ତୁ ରମେଶ, ଏଥିର ଠିକ୍ ବିପରୀତ ଭାବନା ପୋଷି ମୁଁ ଘରକୁ ଆସିଥିଲି । ଭାବିଥିଲି, ପରୀକ୍ଷାଟାରେ କି ଲାଭ ? ଚାକିରିଟା ମନୁଷ୍ୟ ଉପରେ ଏକ ଭାର–ପରାଧୀନତା ସ୍ୱୀକାର । ବାପା ଗୋସେଇଁ ବାପା କ’ଣ ଚାକିରି କରୁଥିଲେ ? ସେମାନେ ହିଡ଼ମାଟି ହିଡ଼ରେ ଦେଇ ଶାଗ ପେଜ ଖାଇ ଧନୁର୍ଦ୍ଧର ବୀର ହୋଇଥିଲେ । ପରମ ଶାନ୍ତିରେ ପରିବାର ଗଢ଼ି ପଲ୍ଲୀ ଜୀବନକୁ ପବିତ୍ର କରିଥିଲେ । ମୋ ବିବାହ ପ୍ରସ୍ତାବ ଶୁଣିଲା ଦିନରୁ ଠିକ୍ ଏହିପରି ଭାବିଥିଲି–ବିଭା ହେବି, କନକଲତାକୁ ଧରି ମୋ ଜୀବନ ଏବଂ ପଲ୍ଲୀ ଜୀବନକୁ ମଧୁମୟ କରିବି । ହିଡ଼ ମାଟିକୁ ହିଡ଼ରେ ଲଦି ସୁଖ ଶାନ୍ତିରେ ଚଳିବି । ଇଂରେଜ କବି ଗୋଲ୍‌ଡ ସ୍ମିଥ୍‌ଙ୍କ Deserted Village ବା ‘ବିଜନପଲ୍ଲୀ’ କବିତା ପଢ଼ି ପଲ୍ଲୀକୁ ମୋ ପରିବାର ନେଇ–ବିଶେଷରେ କନକଲତାକୁ ନେଇ ସ୍ୱର୍ଗପୁରୀ ପରି ପୁନର୍ଗଠନ କରିବି ବୋଲି ବିଚାରିଲି । କାରଣ, ସେତେବେଳକୁ ଅସହଯଯୋଗ ଗ୍ରାମସଂଗଠନ କାର୍ଯ୍ୟ ପ୍ରବଳ ଭାବରେ ଚାଲିଥାଏ । ସଭା ସମିତି, ବକ୍ତୃତା, ଖବରକାଗଜରେ ସବୁଆଡ଼େ ପଲ୍ଲୀକଥାର ଆଲୋଚନା ହେଉଥାଏ । ପଣ୍ଡିତ ଗୋପବନ୍ଧୁ ଗ୍ରାମେ ଗ୍ରାମେ ବୁଲି ଲୋକଙ୍କୁ ପଲ୍ଲୀର ଦୁର୍ଦ୍ଦଶାକଥା ବୁଝାଉଥାନ୍ତି ।

 

ସେଦିନ ଗାଁକୁ ଯାଇ ଦେଖିଲି, ଗାଁଟା ନିତାନ୍ତ ନୀରସ, ଶୁଷ୍କ, ରୁକ୍ଷ । ସେଠାରେ ସରସତାର କ୍ରୋଟନ୍ ଗଛ ନାହିଁ, କି ସୌରଭର ହୋସେନ୍ ହେନା ନାହିଁ । କୌଣସିଠାରେ ମୋହନ ଗୋସେଇଁଙ୍କ ଗ୍ରାମ୍ଫୋନ ରେକର୍ଡର ‘‘ଘନବରନ ମଦନ ମୋହନଙ୍କୁ ତରତର ହୋଇ ଚାହିଁବାର’’ ଗୀତ ଶୁଭୁ ନାହିଁ, କି ଗାଁ ରମଣୀଙ୍କ କଣ୍ଠରେ ମୋ କଳ୍ପନାମୟୀ କନକଲତାର ସ୍ୱରସମ୍ବନ୍ଧର ଗନ୍ଧ ନାହିଁ । ବାଡ଼ିବଗିଚାର ମୁରୁକୁଟିଆ ଫୁଲ ଦେଖିଲେ ମନରେ କଷ୍ଟ ହେଉଛି । ଲୋକେ ନିର୍ଜୀବ, ନିସ୍ତେଜ ଭାବରେ ଚାଲିଛନ୍ତି ତ ଚାଲିଛନ୍ତି, ବସିଛନ୍ତି ତ ବସିଛନ୍ତି । ପ୍ରଜାପତି ପରି ହସି ଖେଳି ବୁଲିବାର କୌଣସି ପିଲାକୁ ଦେଖିଲି ନାହିଁ । ମନେମନେ ଭାବିଲି, ବିଭା ହୋଇ କନକକୁ ଆଣିଲା ପରେ କ’ଣ ଗାଁର ଅବସ୍ଥା ଏପରି ରହିବ ? ପଞ୍ଚାଏତ ବସାଇ ବାଟଘାଟ ସଫାକରିଦେବି, ଲୋକଙ୍କୁ ମାଲେରିଆ ମଶାର ମାରାତ୍ମକତା ବୁଝାଇ ଗାଁ ମୁଣ୍ଡ ଗିରିଗୋବର୍ଦ୍ଧନ ରୂପ ଖତଗଦାକୁ ନିର୍ମୂଳ କରିଦେବି । ଗାଁର ଭଙ୍ଗା ସଡ଼କକୁ ନୂଆ କରିବି । ଗାଁମୁଣ୍ଡ ଢିପ ଜାଗାରେ ବସନ୍ତ-ନିବାସ ତୋଳିବି ଏବଂ ନାନା ଆବର୍ଜନା ବିନ୍ଦୁମିଶ୍ରିତ ବିନ୍ଦୁ ସରୋବରର ପଲ୍ଲୀ ସଂସ୍କରଣ ପୁଷ୍କରିଣୀ ଖଣ୍ଡିକୁ କନିକାରାଜାଙ୍କ କଟକ ପୁଷ୍କରିଣୀ ପରି ସ୍ୱଚ୍ଛ ସୁନ୍ଦର କରିଦେବି । ଏସବୁ ମୋ ମନର ଭାବନା ହେଲା ସତ; କିନ୍ତୁ ବାହାରେ ଏ ବିଷୟରେ ପଦେ ହେଲେ ଉତ୍ସାହବାଣୀ କାହାଠାରୁ ପାଇଲି ନାହିଁ । ଭାଇ କହିଲେ ବିଲକୁ ଯା, ମା’ କହିଲେ ଅପାଘରକୁ ଯା । କେହି କହିଲେ ନାହିଁ କନକ ଘରକୁ ଯିବାକୁ । ଏତିକି ଆଶାର କଥା ଶୁଣିଲି ଯେ ବିବାହଟା ନିକଟରେ ହେଉ ବା ବିଳମ୍ବରେ ହେଉ, ହେବ । ମୋ ହୃଦୟରେ ଯେଉଁ ଉତ୍ତାଳ ତରଳ ଭାବ-ଲହରୀ କୂଳ ଭାଙ୍ଗି ଅନନ୍ତ ବିଶ୍ୱରେ ଭାସିଯିବାକୁ ଚେଷ୍ଟା କରୁଥିଲା, ତା’ ଆଗରେ ବାଲି ମୁଠାଏ ପରି ଏତିକି ସମ୍ବାଦ କି ଯଥେଷ୍ଟ ? ଏ ସମ୍ବାଦ ପାଇ ମନୁଷ୍ୟ ସମାଜ ମୋତେ ବଡ଼ ନିର୍ଦ୍ଦୟ ନିଷ୍ଠୁର ବୋଧ ହେଲା । ପଥରଗୁଡ଼ାକ ଆହୁରି କଠୋର ଜଣାପଡ଼ିଲେ । ଆକାଶରେ ତରଳ ମେଘଗୁଡ଼ାକ ଭାସିଗଲାବେଳେ ମନେକଲି ନିର୍ଦ୍ଦୟ ଭାବରେ ମୋରି ମୁଣ୍ଡ ଉପରେ ସେସବୁ ମୋତେ ଥଟ୍ଟାକରି ବୁଲୁଛନ୍ତି ପରା ! ସତ୍ୟବାଦୀର ଚିର ଶ୍ୟାମଚ୍ଛବି କ୍ରମେ ଆଖି ଆଗରୁ ଲୁଚିଯାଇ ଜଗତ ଶୂନ୍ୟ ବୋଧହେଲା । ମୁଁ ଆସିଥିଲି ଯାହା ପାଇଁ ତାହା ପାଇଲି ନାହିଁ । ପଢ଼ି ବସିଲି ନଭେଲ୍‍ । ରାଧାନାଥଙ୍କ ‘ଯଯାତି କେଶରୀ’, ‘କେଦାର ଗୌରୀ’ ପଢ଼ିଲି । ତେରଶଅ ବର୍ଷ ତଳର କୁମାର ଯଯାତିଙ୍କ ଜୀବନ ମୋତେ ନିତାନ୍ତ ଆଜିକାଲିର ଆପଣାର ପରି ଜଣାପଡ଼ିଲା । ମୁଁ ତାଙ୍କରି କଥାରେ ଭାବିଲି, ଏବେ–

 

‘‘କି ଶ୍ରେୟେ ଗୁନ୍ଥିବି ଦୁରାଶାର ସୂତ୍ରେ

ଆକାଶ କୁସୁମମାଳା ।’’

 

ବର୍ଷାଦିନେ ଆକାଶରେ ସୂର୍ଯ୍ୟ ଥିବାବେଳେ ବଜ୍ର ପଡ଼ିବା ସଙ୍ଗେ ସଙ୍ଗେ ଇନ୍ଦ୍ରଧନୁ ଯେପରି ହସୁଥାଏ, ଆଶା ନିରାଶା ମଧ୍ୟରେ ଘାଣ୍ଟିହୋଇ ମୋର ଅଧେ ହୃଦୟରେ ବଜ୍ର ପଡ଼ୁଥାଏ, ଅଧକରେ ଇନ୍ଦ୍ରଧନୁ ହସୁଥାଏ । ଯୌବନ ଜୀବନର ସେ ରହସ୍ୟପୂର୍ଣ୍ଣ ସନ୍ଧିସ୍ଥଳରେ ବସି ବିଚାରୁଥାଏ, କେଦାର ଗୌରୀଙ୍କ ନିଷ୍ଠୁର ପିତାମାତାଙ୍କ ପରି ଏ ଯୁଗରେ ମଧ୍ୟ ନିଷ୍ଠୁର ଲୋକ ଅଛନ୍ତି । ମୋ’ପାଇଁ କାହାର ମନଧ୍ୟାନ ରହୁନାହିଁ । ଛି ! ଏ ସଂସାର ! ଛି ! ଏ ସମାଜ !

 

ଭଉଣୀ,

 

ଗୀତଟିଏ ମନେପଡ଼ୁଛି । ଉଦୁଉଦିଆ ଖରାବେଳେ ମାଆଙ୍କୁ ନ କହି ସାଙ୍ଗ ହୋଇ ବାଡ଼ିପଟ ବୁଢ଼ା କଇଁଆ ଗଛମୂଳେ ହସ କଉତୁକ ହେଲାବେଳେ ତୁ ଗାଉଥାଉ;–

 

‘‘ମନ ଲୋ ମନ

ଏତେ କିଆଁ ହେଉ ତୁ ଛନ ଛନ

ବାଟ ଚାଲୁଥିବେ କାହିଁ ଲୋ ସଙ୍ଗାତ

ଦୂରେ ମୋ ଜୀବନଧନ ।’’

 

ଇମିତି କେତେ ଖରାବେଳ ଗଲା; ମାତ୍ର ମନ ଛନଛନ ଗଲା ନାହିଁ । ତୁ ତ ନ ଥିଲୁ ଗୀତ କିଏ ବୋଲନ୍ତା ? ବାଡ଼ିପଟ ପାହାଚ ଉପରେ ଏକୁଟିଆଟି ବସି ଦୂରକୁ ଚାହିଁଥାଏ । ବିଲ ପରେ ବିଲ, ଧାନ ନାହିଁ, ଗଛପତ୍ର ନାହିଁ,–ସାଇଁ ସାଇଁ ତତଲା ପବନ ବହିଆସୁଥାଏ । ତାକୁ ମୁହୂର୍ତ୍ତେ ଚାହିଁଦେଲେ ଆଖିକୁ ଜୁଳୁଜୁଳୁଆ ପୋକ ଦେଖାଦିଏ । ଦୂରରେ ଅର୍ଘାସୁର ପରି ବିଲମାଳା ଖାଲି ପେଟ ଦେଖାଇ ଶୋଇଥାନ୍ତି । ମୁଁ ଘଡ଼ିଏ ଦି’ଘଡ଼ି ଚାହିଁ ରହି ଗାଏ,

 

‘‘ବାଟ ଚାଲୁଥିବେ କାହିଁଲୋ ସଙ୍ଗାତ

ଦୂରେ ମୋ ଜୀବନ ଧନ ।’’

 

ମୋ ଉପରେ ସେତେବେଳକୁ ବାଡ଼ୁଅପାଣି ପଡ଼ି ନ ଥାଏ । ସେତେବେଳର ମନର ଅବସ୍ଥା ଇମିତି ଥିଲା ବୋଲି ଦୋଷିବୁ ନାହିଁ । ବାଡ଼ୁଅପାଣି ସିନା ପଡ଼ି ନଥିଲା; ମାତ୍ର ନିର୍ବୁଦ୍ଧିଆ ପଣ ନ ଥିଲା । ବହି ପଢ଼ୁଥିଲି, ଗୀତ ବୋଲୁଥିଲି । ଖାଲି ପୁରାଣ ପଢ଼ୁ ନ ଥିଲି; ଦେଶକଥା, କୋଇଲି ବନ୍ଦୀର ଆତ୍ମକଥା, ଆଲେଖିକା, ସମାଜ ଖବରକାଗଜ ସବୁ ପଢ଼ୁଥିଲି । କେତେ ଥାନର କେତେ କଥା ଜାଣୁଥିଲି ।

 

ସବୁ କୁମାରୀଏ କ’ଣ ଇମିତି ହେଉନଥିବେ ଭଉଣୀ ! ଯାହା ପାଖରେ ମନ ଜୀବନ ବିକା ହେବା କଥା ହେଲା ତା’ କଥା ଭାବିଲେ ଦୋଷ କ’ଣ ? ସତ କହୁଛି, ସେହି ବୟସରେ ମୋତେ ତାଙ୍କ କଥା ଭାବିବାକୁ କିଏ କିଛି ଶିଖାଇ ନଥିଲା; ମାତ୍ର କେଜାଣି କାହିଁକି ମନ ତାଙ୍କରି ପାଖକୁ ଧାଉଁଥିଲା । କେତେ କଥା ଭାବୁଥିଲି,–ଜୀବନଟାକୁ କେତେ ସୁଖରେ କଟାଇବି, ପରକୁ ଆପଣାର ବୋଲି ଭାବିବି, ପରଦୁଃଖକୁ ନିଜ ଦୁଃଖ ବୋଲି ମନେକରିବି । ପୁରାଣ ଶାସ୍ତ୍ରରେ ଯାହା ଲେଖାଅଛି, ତାହା ପଦେ ପଦେ ପାଳିବି । ଶାସ୍ତ୍ର କ’ଣ ମିଛ ? ସୀତା କ’ଣ ବିଭା ହେବା ଆଗରୁ ମିଥିଳା ଦାଣ୍ଡରେ ରାମଙ୍କୁ ଦେଖି ତାଙ୍କ କଥା ଭାବୁ ନ ଥିଲେ ? ଅର୍ଜ୍ଜୁନ ଧନୁଶର ଧରି ମାଛ ଆଖିକୁ ବିନ୍ଧିଲାବେଳେ କ’ଣ ଦ୍ରୌପଦୀ ତାଙ୍କ କଥା ମନକୁ ନେଇ ନ ଥିବେ ? ନଳ ମହାରାଜାଙ୍କ କଥା କ’ଣ ଦମୟନ୍ତୀଙ୍କୁ ଆଗରୁ ଜଣା ନ ଥିଲା ? ଆଉ ସବୁ କଥା ଛାଡ଼, ଶକୁନ୍ତଳା ବଣରେ ରହି ଥରେ ମାତ୍ର ଦୁଷ୍ମନ୍ତଙ୍କୁ ଦେଖି କ’ଣ ନ ହେଲେ ? ସେତେବେଳେ ସତେ ଆମ ଦେଶ କ’ଣ ଥିଲା ଲୋ ଭଉଣୀ ! ହେଇଟି କେତେ ଶହ ବର୍ଷ ତଳେ ସଂଯୁକ୍ତା ପରା ବର ବାଛି ବିଭା ହୋଇଥିଲେ । ଆମ ବିନ ଭାଇ କହନ୍ତି, ଆମ ଦେଶ ଆଗେ ଏପରି ନଥିଲା । ବିଭା ନାଁ ଶୁଣି ଆମେ ଯେପରି ଲାଜରେ ସଢ଼ିଯାଏଁ ଆଗେ ଏକଥା ସ୍ୱପ୍ନ ଥିଲା । ଆଗେ ଆମ ଦେଶର କୁମାରୀଏ ବର ଦେଖି ବିଭା ହେଉଥିଲେ । ଆଲୋ, ଏବେ ପରା ବର ନାଁ ଧଇଲେ ସାତ ଥର ଜିଭ କାମୁଡ଼ିବାକୁ ପଡ଼େ ?

 

ଗଛରେ ଫୁଲଟିଏ ଫୁଟିଛି, ଫୁଲ ଦେହରେ ସୁବାସ ଚହଟୁଛି । ଯୌବନ-ଫୁଲ ଫୁଟିଲେ ତା’ର ସୁବାସ ଚହଟିବ; ସ୍ନେହ, ଭକ୍ତି, ପ୍ରୀତି ନେଇ ପରଠାରେ ଦୟା, ସ୍ୱାମୀଙ୍କଠାରେ ପ୍ରୀତି ନଥିଲେ ଏ ଯୌବନର ମୂଲ୍ୟ କ’ଣ ?

 

ମୁଁ ଏହିପରି ମୂଲ୍ୟ ଦେଇ ମୋ ଯୌବନ-ଫୁଲକୁ ନିତି ନିତି ସଜାଉଥିଲି ତାଙ୍କରି ପାଇଁ । ତାଙ୍କ ଆଖି ମୋ ଉପରେ ପଡ଼ିବ ପଡ଼ିବ ବୋଲି ଭୋକ ଶୋଷ ଗଲା, ଆଖିରୁ ପାଣି ମଲା । ମୁଁ ଯେତିକି ଆକୁଳ ହେଲି ଆଶା ସେତିକି ପଛକୁ ଘୁଞ୍ଚିଲା ।

 

ପ୍ରିୟ ରମେଶ,

 

ଏବେ ଜଗତରେ ପ୍ରେମର ପ୍ରକୃତି କ୍ରମେ ସାଦା ସିଧା ହୋଇ ଉଠୁଛି । ଏ ନବଯୁଗର ଯୁବକ ଜୀବନରେ ଢଳ ଢଳ ପ୍ରେମର ଗୌରବ ବେଶି ବଢ଼ିଛି । ଏ ଦେଶର ଦମୟନ୍ତୀ ପ୍ରେମ ଲାଗି ଆପେ ଗୋପନରେ ହଂସ ସଙ୍ଗେ କଥା ହୋଇଥିଲେ । ଏ ଦେଶର ଯକ୍ଷ କେଉଁ ଅଜଣା ଗିରିଶିଖରରେ ବସି ବିରହତପ୍ତ ହୃଦୟରେ ଧୂମଜ୍ୟୋତିସଲିଳବାୟୁ ରଚିତ ମେଘଦ୍ୱାରା ପ୍ରିୟ ପାଖକୁ ସନ୍ଦେଶ ପଠାଇବାକୁ ଚେଷ୍ଟା କରିଥିଲେ । ସେ ଯୁଗ ବଦଳିଛି । ପ୍ରେମର ପରିସର ମଧ୍ୟ ପ୍ରଶସ୍ତ ହୋଇପଡ଼ିଛି । ତେଣୁ ପ୍ରେମ ଲୀଳାର ପୁରାଣପ୍ରସିଦ୍ଧ ଦେଶରେ ଜନ୍ମ ହୋଇ ମୋ’ପରି ଯୁବକ ପ୍ରିୟା ପାଖକୁ ସମ୍ୱାଦ ପଠାଇବା କଥା ଶୁଣି ହସିବ ନାହିଁ ବା ଆଶ୍ଚର୍ଯ୍ୟ ହେବ ନାହିଁ । ମୁଁ କିନ୍ତୁ ବିରହୀ ଯକ୍ଷ, ଅବଳା ଦମୟନ୍ତୀଙ୍କଠାରୁ ଅଧିକା ପାଦେ ଆଗକୁ ବଳି ଯାଇଛି । ସେମାନେ ଦୂତଦ୍ୱାରା ସମ୍ୱାଦ ପଠାଇଥିଲେ, ମୁଁ ନିଜେ ପ୍ରେମିକ ଓ ଦୂତ ହେଲି । ଏବେ ସେ କଥା ମନେପକାଇଲେ ମତେ ହସ ଲାଗୁଛି ।

ମୋର ମନ ମୁତାବକ ଚହଳ ଘରେ ନ ପାଇ ବଡ଼ ବିଚଳିତ ହୋଇପଡ଼ିଲି । ଦିନରେ ତ ସୁଖ ଲାଗିଲା ନାହିଁ, ରାତିରେ ମଧ୍ୟ ସେ କଥା ଭାବି ଭାବି ଆଖି ପଲକ ପଡ଼ିଲା ନାହିଁ । କାହିଁକି ମୋର ଏ ପରିବର୍ତ୍ତନ ହେଲା, ସେ ବିଷୟ ମନସ୍ତତ୍ତ୍ୱବିଦ୍‌ମାନେ ଭବିଷ୍ୟତ୍‌ ବଂଶଧରଙ୍କ ଆଗରେ ବୁଝାଇ ପାରନ୍ତି । ବର୍ତ୍ତମାନ ମୋ କଥା ମୁଁ କହୁଛି । ଘରେ ବସି ଭବିଷ୍ୟତପାଇଁ ଯେତେ ଯେତେ ମଧୁର ଚିନ୍ତା କଲେ ମଧ୍ୟ ସେ ସବୁ ଯଥେଷ୍ଟ ହେଲା ନାହିଁ । ସକଳ ପ୍ରକାର ଚିନ୍ତା ମଧ୍ୟରେ କିଛି ଗୋଟାଏ ଖାଲି ସ୍ଥାନ ରହିଲାପରି ଜଣାପଡ଼ିଲା । କେବଳ କନକଲତା ଛଡ଼ା ସେହି ଖାଲି ସ୍ଥାନ ପୂର୍ଣ୍ଣ ହେବାର ସମ୍ଭାବନା ମଧ୍ୟ ଦେଖିଲି ନାହିଁ ।

ବେଳେବେଳେ ବ୍ୟତିବ୍ୟସ୍ତ ହୋଇ ଗାଁମୁଣ୍ଡ ବିଲ ପାଖକୁ ଚାଲିଯାଏ । ସେଠାରେ ଥିବା ଖଣ୍ଡେ ଢିପଜାଗାକୁ ପାଦରେ ମାପିପକାଇ ମନେମନେ ଠିକ୍‌ କରି ନିଏ,–ଏଠି ଘର ହେବ, ଘରର ସେ ଦିଗରେ ଦୁଆର ଏ ଦିଗରେ ଝରକା, ସେ ପାଖରେ କୂଅ,–ସୁବିଧା ହେଲେ ଗୋଟାଏ ପାଣିକଳ, ତା’ ପାଖକୁ ଲାଗି ଫୁଲ ବଗିଚା । ଏସବୁ କେବେ ହେବ ? ମନକୁ ମନ ଏ ପ୍ରଶ୍ନର ଉତ୍ତରରେ ଯେତେବେଳେ ଚେତନା ଆସେ ‘ବିବାହ ହେଲେ’, ସେତେବେଳେ ମୋର ଧୈର୍ଯ୍ୟଚ୍ୟୁତି ହୁଏ । ବୁକୁ ଭିତରୁ ଦୀର୍ଘଶ୍ୱାସ ଛାଡ଼ି ସେହି ପଡ଼ିଆ ଭୂଇଁରେ କେତେ କ’ଣ କଥା ଭାବି ବସିପଡ଼େ ।

ହଠାତ୍‌ ରାତିରେ ଥରେ ମୋ ମୁଣ୍ଡକୁ ଏକ ବୁଦ୍ଧି ଆସିଲା । ଠିକ୍‌ କଲି, ଛଦ୍ମବେଶରେ କନକକୁ ଦେଖିବାକୁ ଯିବି । ଯଦି ପାରେ, ତା’ ସହିତ ପଦେ ଅଧେ କଥା ହୋଇ ଆସିବି । ତେବେ ଯାଇ ଏ ପ୍ରାଣର ତରୁଣ ପିପାସା ମେଣ୍ଟିବ–ସକଳ କଳ୍ପନା ସାର୍ଥକ ହେବ ।

ଏ ବୁଦ୍ଧିଟା ମନରେ ଥାନ ପାଇବା ସଙ୍ଗେ ସଙ୍ଗେ ମୁଁ ସୁଖ କଳ୍ପନାରେ ଭାସିଗଲି । କି ରହସ୍ୟ ଲୋକର ରହସ୍ୟଲୀଳା ସେ କଳ୍ପନା ସ୍ରୋତ ! –ତରଙ୍ଗ ପରେ ତରଙ୍ଗ, ସେଥିରେ ମୁଁ ହସି ହସି ଭାସି ଭାସି ଯାଉଥାଏ । କେବେ ସେ କୂଳରେ ମଧୁ ନିକୁଞ୍ଜରେ ବୁଲୁଥାଏ, ଲତା କୁଞ୍ଜରେ ଝୁଲୁଥାଏ, କେବେ ବା କନକକୁ ବାହୁବନ୍ଧନରେ ଧରି ସଂସାରର ଦୁଃଖଯନ୍ତ୍ରଣା-ରୋଗଶୋକ-ପରିଧି ପାର ହୋଇ ମନ ଆମୋଦରେ ଅନନ୍ତ ଅସୀମ ପଥ ଚାଲିଥାଏ । ରମେଶ, ସେ ସବୁ ଥିଲା ମୋ ଯୌବନର କଳ୍ପନା । ସେ ଅସାର ହେଉ ପଛକେ ଆଉଥରେ ଏ ଜୀବନରେ ତାହା ଅନୁଭବ କରିପାରନ୍ତି କି ? ସେ କଳ୍ପନା ସ୍ରୋତରେ ଭାସି ଭାସି ଯାଇ ଏ ସଂସାରରକୁ ଆଉ ନ ଫେରନ୍ତି କି-? ମନେହୁଏ, ମନୁଷ୍ୟର ହିଂସା କରିବା ପ୍ରବୃତ୍ତି ଏପରି କିଛି ଜିନିଷ ନ ପାଇ ପ୍ରଥମେ ପ୍ରାଣରେ ସ୍ଥାନ ପାଇଛି–ସେଠି କେତେଦିନ ମୋର ଏହାହିଁ ଘଟିଥିଲା ।

 

ସକାଳୁ ଉଠିଲି । ମାଆଙ୍କୁ କହିଲି, ମତେ ଆଜି ସତ୍ୟବାଦୀ ଯିବାକୁ ପଡ଼ିବ । ମାଆ ଏହି ପ୍ରସ୍ତାବରେ ମଙ୍ଗିଲେ ନାହିଁ । ଭାଇ କାରଣ ପଚାରି ବସିଲେ । ତାଙ୍କୁ ବୁଝାଇ କହିଲି, ‘‘ପରୀକ୍ଷା ଫଳ ନିଜେ ଯାଇ ଶୁଣିବା ପାଇଁ ଏବେ ନୂଆ ନିୟମ ହୋଇଛି । ତୁମେ ମଫସଳରେ ରହି ସେ ସବୁ କଥା କ’ଣ ବୁଝିବ ? ମୋତେ ନିଶ୍ଚୟ ଯିବାକୁ ହେବ । ତା’ର ତାରିଖ କାଲି ।’’

 

ପରୀକ୍ଷା ଫଳ ! –ତା’ ଅର୍ଥ ଚାକିରି !–ତା’ ଅର୍ଥ ଟଙ୍କା ! –ଏକଥା ବିଚାରି ସେମାନଙ୍କର ମୁଖ ବନ୍ଦ ହେଲା । ପରୀକ୍ଷା ଫଳ ଶୁଣି ଆସିବା ସଙ୍ଗେ ସଙ୍ଗେ ମୁଁ ଯେ ଟଙ୍କା ଫଳେଇ ପାରିବାର ଶକ୍ତି ଅର୍ଜିବି ଏକଥା ଆଗରୁ ବୁଝାଇ ଦେଇଥିଲି ।

 

ସକାଳ ହେଲା । ଖଣ୍ଡିଏ କମିଜ ପିନ୍ଧି, ହାତରେ ଖଣ୍ଡିଏ ବହି ଧରି ଘରୁ ଅନୁକୂଳ କରି ବାହାରି ପଡ଼ିଲି । ଆଶା, ଉତ୍ସାହ, ଉତ୍ତେଜନା ମୋତେ ଆଗକୁ ଆଗକୁ ଠେଲି ନେଲା ।

 

ଷ୍ଟେସନରେ ଗାଡ଼ିରୁ ଓହ୍ଲାଇଲା ବେଳକୁ ଦିନ ନଅଟା । ଖରା ଚାଇଁ ଚାଇଁ ମାରି ସାରିଲାଣି । ସକାଳୁ ତ ଗାଧୋଇ ନ ଥିଲି, ସେ ପ୍ରସ୍ତାବ ସେ ଦିନକ ପାଇଁ ବନ୍ଦ କରି ମୁହଁ ହାତ ଭଲ କରି ଧୋଇନେଲି । ତା’ପରେ ମୁସାଫିର୍‌ଖାନାକୁ ଗଲି । ଆଜି ମୋର ଭାରି ସ୍ଫୂର୍ତ୍ତି ! ଚଞ୍ଚଳ ଖାଇବା ଯୋଗାଡ଼ରେ ଲାଗିଗଲି । ପନ୍ଦର ମିନିଟ କାଳ ଲାଗି ମିଠେଇ ଦୋକାନୀକୁ ସବୁ ଜିନିଷର ମୂଲ୍ୟ ପଚାରି ବୁଝିଲି । ଗୋଟାଏ ପ୍ରକାରର ଜିନିଷ ଧରେ, ସେଟାକୁ ରଖିଦେଇ ଆଉ ଗୋଟାଏ ଧରେ । ପୁଣି ସେଟାର ମୂଲ୍ୟ, ସ୍ୱାଦ ଅସ୍ୱାଦ କଥା ବିଚାରି ତାକୁ ବି ଛାଡ଼େ । ମୋର ସେ ପ୍ରହସନ ଦେଖି ସେତେବେଳେ ପାଖରେ ଥିବା କେତେକ ଲୋକ ହସି ଉଠିଥିଲେ । ସେ ହସର ଜବାବ ଦେବା ପାଇଁ ମୋତେ ଫୁର୍‌ସତ୍‌ ନ ଥିଲା । ପ୍ରେମ ମିଠା କି ମିଠେଇ ମିଠା ତୁଳିବାରେ ମୁଁ ବ୍ୟସ୍ତ ଥିଲି ।

 

କଳ୍ପନାରେ ଯେ ପ୍ରେମ ଚାଖୁଥିଲି ତା’ ଆଗରେ ମିଠେଇଗୁଡ଼ାକ ନିତାନ୍ତ ପାଣିଚିଆ ବୋଧ ହେଲା । ସାମାନ୍ୟ କିଛି ଦୁଇ ଚାରିଟା ଖାଇ ଦଶଟା ବେଳେ ଷ୍ଟେସନରୁ ବାହାରି ପଡ଼ିଲି । ଆଗରେ ଦୀର୍ଘ ସାତ ମାଇଲ ପଥ–କିନ୍ତୁ ସେ ଦୀର୍ଘପଥ ଶେଷରେ ମୋ ନିତ୍ୟ କଳ୍ପନା-କୁଞ୍ଜର ରହସ୍ୟମୟୀ ଅପ୍‌ସରୀ ! –ମୋତେ ବାଟ ଜଣାପଡ଼ିଲା ନାହିଁ । ଆଣ୍ଠୁଯାଏ ଧୂଳି ଉଡ଼ୁଥାଏ, ଥୋଡ଼ି ଶୁଖି ଯାଉଥାଏ, ଦେହରୁ ଗମ୍‌ ଗମ୍‌ ଝାଳ ବାହାରୁଥାଏ ଏବଂ ତା’ ସଙ୍ଗେ ସଙ୍ଗେ ସେହି ଶୁଷ୍କ ଓଷ୍ଠ, ଶୁଷ୍କ କଣ୍ଠ ଭେଦ କରି ନିର୍ଜନ ନିସ୍ତବ୍‌ଧ ଗୁମୁଗୁମିଆ ଖରାବେଳେ ହୃଦୟରୁ ପଦେ ପଦେ ଗୀତ ବାହାରୁଥାଏ ।

 

‘‘ରାଧା ଧରି ସଖୀ କର,

ବୋଲନ୍ତି ଆକଟ ଆଉ ନ କର ଗୋ,

ଲାଜ ଭୟ ଛାଡ଼ିଲି ନିକର, ସଜନୀ ଗୋ ।’’

 

ବାଟରେ ଯେଉଁଠି ପାଣି ମୁନ୍ଦିଏ ଦେଖେ, ସେଠି ମୁହଁହାତ ଧୋଇ ଆଗ ସତେଜ ହୋଇଯାଏ । ଛଦ୍ମ ବେଶରେ ଗଲାବେଳେ ମନ ପ୍ରଫୁଲ୍ଲ ଥିବା ଦରକାର–ଏହା ଭାବି ଯେତେ ଦୂର ପାରେ ଖୁସିରେ କେଶବ ରାମାୟଣରୁ ପଦ ଛାଡ଼ୁଥାଏ–

 

‘‘ମୁଣ୍ଡରେ ପାନିଆ କରଇ ଛାନିଆ,

ସର୍ବେ ଅମାନିଆ, ସହିରେ ।’’

 

ଏବଂ ଖଦଡ ରୁମାଲରେ ମୁହଁଟାକୁ ପୋଛି ପୋଛି ରକ୍ତବୁହା ପାଖାପାଖି ରଙ୍ଗ ପକାଇ ଦେଇଥାଏ ।

 

ମୋ କଳ୍ପନା କୁଞ୍ଜର ସୀମାରେ ପହଞ୍ଚିଲି–ସହରକୁ ଗଲି । ଦେଖିଲି ଘରୁ ବାହାରିଲା ବେଳେ ଯେତେ ଧୈର୍ଯ୍ୟଧରି ଆସିଥିଲି, ସେଇଠି ତହିଁରୁ ଅଧେ ଖସିଗଲା । ଚୋରଙ୍କ ହୃଦୟ ପରି ହୃଦୟଟା ସଙ୍କୁଚିତ ହୋଇ ଆସିଲା । ଦରହସା ମୁହଁରେ ସହରର ଗଳିରେ ପଶିଲି ।

 

ରମେଶ, ଆଉ ବେଶି ଫିଟାଇ କରି ବା କ’ଣ ଲେଖିବି ? ଯେଉଁଠି ମୋର କଳ୍ପନା-କୁଞ୍ଜର ନବସାରିକା ଥିବା ସମ୍ଭବ କରିଥିଲି, ସେଠାରୁ କେତେଟା ଘର ଛାଡ଼ି ଗୋଟାଏ ପାନ ଦୋକାନ । ସେଇଠି ଯାଇ ହାଜର ହେଲି । ମୋର ଚଙ୍ଗଚଙ୍ଗ ଚାଲିଚଳନ ଏବଂ ଚଞ୍ଚଳ ଚାହାଣି ଦେଖି ପାନବାଲୀ ବୋଧହୁଏ ସନ୍ଦେହ କରି ରହି ରହି ପ୍ରଶ୍ନ କଲା, ‘‘ପାନ ନବ ?’’

 

ମନଟାକୁ ଖୁବ୍‌ ସାବଧାନରେ ଅନ୍ୟ ଆଡ଼ୁ ଫେରାଇ ଆଣି ଉତ୍ତର ଦେଲି ‘‘ହଁ, ଦି’ ପଇସାରେ ଦିଅ ।’’ ସେ ଚାରିଖଣ୍ଡି ପାନ ଭାଙ୍ଗି ମୋ ହାତକୁ ବଢ଼ାଇଦେଲା । ପଇସା ଦେଇ ତାକୁ ଧଇଲି, ତା’ପରେ କ’ଣ କରିବି ?

 

ଏହିଠାରେ ହଠାତ୍‌ ମୋ ରହସ୍ୟର ଯବନିକା ପତନ ହେଲା । ମୋତେ ସେଠି କିଏ ଚିହ୍ନିଥିବ ବୋଲି ଆଗରୁ ଜାଣି ନ ଥିଲି । ଆଗଦୁଆରୀ ପିଣ୍ଡାରେ ଜଣେ କିଏ ଯୁବକ ବସିଥିଲେ । ସେ ହଠାତ୍‌ ଠୋ’ ଠୋ’ ହସି ଉଠିଲେ । ଠିକ୍‌ ଏହି ସମୟକୁ ଆଉ ଏକ ଘରୁ ଗୋଟିଏ ବାଳିକା ପାନ ଦୋକାନ ଆଡ଼କୁ ଆସୁଥିଲା । ମୋତେ ଦେଖି ଓ ଯୁବକର ହସ ଶୁଣି ସେ ଫର୍‌କରି ବୁଲିପଡ଼ି ଘର ଭିତରକୁ ପଶିଗଲା ।–ମୋ ବୁକୁଟା ଧଡ୍‌କରି ହୋଇଗଲା ।

 

ଅନିଚ୍ଛାସତ୍ତ୍ୱେ ସେଠୁ ପାଦ କାଢ଼ି ନାକସିଧା ଚାଲି ଆସିଲି । ଆଜି ସେ ସବୁ କଥା ସ୍ୱପ୍ନ ପରି ଲାଗୁଛି । ଭାବି ବସିଲେ ହସ ସମ୍ଭାଳି ହେଉ ନାହିଁ ।

 

ଭଉଣୀ,

 

ଯିଏ ଯୋଉଥିକି ଡରୁଥାଏ, ସିଏ ସେଥିରେ ଆସି ପଡ଼େ । ମୋ ସୁଖ ଦୁଃଖରେ ମୋ କଥା ଭାବି ମୁଁ ଘରେ ଥାଏ । କେତେଦିନ ହେଲା ଦାଣ୍ଡକୁ ଯିବାକୁ ଆଦୌ ମନ ବଳୁ ନ ଥାଏ । ସେତେବେଳର ମନର ଅବସ୍ଥା ଏବେ ସଫା ମନେପଡ଼ୁ ନାହିଁ । ଦିନେ ବିନଭାଇ ଆସି ମାଆ ଆଗରେ କହିଲେ, ‘‘ଆଠଦିନ ମଧ୍ୟରେ ହରିଚରଣ ବାବୁ ଆସି ପାରନ୍ତି ।’’ ଏହା ଶୁଣିଲା ମୁହୂର୍ତ୍ତରୁ ମୋ ମନଟା ଦାଣ୍ଡ ଆଡ଼କୁ ବରାବର ଟାଣି ହେଉଥାଏ; କିନ୍ତୁ ଗୋଡ଼ ଚଳୁ ନ ଥାଏ ।

 

ଆଗେ ଆମ ଦାଣ୍ଡଦୁଆରେ କିଏ ଡାକିଲେ ମୁଁ ଧାଇଁଯାଇ ଦୁଆର ଫିଟାଉଥାଏ । ବିନଭାଇ ସେ କଥା କହିଲା ଦିନୁ ମୋ ମନ ଦାଣ୍ଡଆଡ଼ୁ ବାହାରେ କରଛଡ଼ା ଦେଲା; ମାତ୍ର ଭିତରେ ଭିତରେ ମୋ ମନ-ମିରିଗ ଆଉ ଏକ ଗହନ କାନ୍ତାର ଖୋଜିବୁଲି ଛଟପଟ ହେବାକୁ ଲାଗିଲା । ତେଣିକି କିଏ ଦାଣ୍ଡପଟେ ଡାକିଲେ ମୁଁ ଲସିଲା ପରି ରହିଯାଏ, ଦୁଆର ଫିଟାଇବାକୁ ନ ଯାଇ ବାଡ଼ିଆଡ଼କୁ ଚାଲିଯାଏ । ସେତେବେଳେ ଭାବୁଥାଏ, ‘ସେ ଆସିଛନ୍ତି କି ?’ ସେ ସମୟର ମନର ଉଦ୍ବେଗ ଏବେ ଆଉ ସାରା ଜୀବନରେ କେତେବେଳେ ହେଲେ ଘଟୁ ନାହିଁ । ମନ ସେତେବେଳେ ବିଜୁଳି ପରି ଚଞ୍ଚଳ ଥିଲା । ନିଜେ ନିଜକୁ ଚିହ୍ନିବାକୁ ଅବସର ନ ଥିଲା । ବେଳେବେଳେ ଦିନରାତି ମଧ୍ୟ ଜଣାପଡ଼ୁ ନ ଥିଲା । ଦିନର ଫୁଲ, ରାତିର ତାରା ମୋ ମନକୁ ନଚାଉ ଥିଲେ । ଫୁଲ ପରି ସବୁବେଳେ ହସୁଥିଲି, ତାରାପରି କାହିଁ କେଉଁ ଅଜଣା ରାଇଜରେ ଯାଇ ମନେମନେ ବୁଲି ଆସୁଥିଲି ।

 

ଭଉଣୀ ଲୋ, ଥରେ ମତେ ବଡ଼ ଲୋକହସା ହେବାକୁ ଥିଲା । ସେଦିନ ଉଦଉଦିଆ ଦି’ପହର, ବରଡାଳରେ କାପତା କାପତି ବସି ଗୁମୁରୁ ଗୁମୁରୁ ବୋବୋଉଥିଲେ । ଦୂର ପାହାଡ଼ ତଳର ଶୁଖିଲା ପବନ ବାଜି ହସିଲା ଲୋକ ମୁହଁର ପାଣି ଶୁଖି ଯାଉଥିଲା । ସାଇରେ ଗହଳ ଚହଳ କିଛି ନ ଥିଲା । ଘରଟା ଭିତରେ ମୁଁ ଅଳସରେ ଶେଯରେ ପଡ଼ି ‘ଦାର୍ଢ଼୍ୟତାଭକ୍ତି’ ପଢ଼ୁଥିଲି । ମୋର ସେତେବେଳେକୁ ଇସ୍କୁଲକୁ ଯିବା ବନ୍ଦ ହୋଇ ସାରିଥିଲା, କେବଳ ଘରେ ବସି ବାଜେ ବହି ପଢ଼ୁଥାଏ, ସାଙ୍ଗସାଥୀଙ୍କ ପାଖକୁ କେବେ କିମିତି ଖଣ୍ଡେ ଅଧେ ଚିଠି ଲେଖି ଦିନ କଟାଉଥାଏ । ଦୁଇ ଦିନ ହେଲା ‘ଦାର୍ଢ଼୍ୟତାଭକ୍ତି’ ଆରମ୍ଭ କରିଥିଲି । ‘ରଘୁ ଅରକ୍ଷିତ’ କଥା ଭାବି ତା’ର ପ୍ରଣୟିନୀ କ’ଣ ଭାବୁଥିଲା ସେ କଥା ମୁଁ ଥରକୁଥର ଘୋଷୁଥିଲି–

 

‘‘କୁମାରୀ ବୋଲେ ଶୁଣ ତାତ

ଯିବି ମୁଁ ସ୍ୱାମୀର ସଙ୍ଗତ ।

ସେ ଯୋଗୀ ମୁଁ ତାହାର ଥାଳ

ମୋତେ ରଖିଲେ ଅମଙ୍ଗଳ ।

କେବଳ ନିର୍ମଳ ମନରେ

ଡାକିଲେ ଲକ୍ଷ ଯୋଜନରେ ।

ପାଖେ ରଖିଲା ପ୍ରାୟେ ମଣି

ତାକୁ ରଖନ୍ତି ଚକ୍ରପାଣି ।’’

 

କଥାଟି ମତେ ଭାରି ଭଲ ଲାଗୁଥାଏ । ମନ ଯାଇ କୁଆଡ଼େ ଉଡ଼ୁଥାଏ ।

 

ଏପରି ସମୟରେ ଭାଉଜ ଆସି କହିଲେ, ‘‘କନ, ଗଲ, ଭଙ୍ଗାପାନ ଖିଲି ପଇସାଟାକର ଆଣି ଦବ ।’’

 

ମୁଁ କାହୁଁ ଜାଣିବି ଲୋ ତାଙ୍କ ମନ କଥା ! ସେ ମୁଚୁମୁଚୁ ହସୁଥିଲେ । ମୁଁ ମୋର ସାଲୁରୁ ବାଲୁରୁ ଲୁଗାଟାକୁ ଦେହରେ ଘୋଡ଼ାଇ ଦେଇ ଦାଣ୍ଡକୁ ବାହାରି ପଡ଼ିଲି । ପାହାଚରୁ ଓହ୍ଲାଇ ଚାରି ଛ ପାହୁଣ୍ଡ ଯାଇଛି, ଠୋ’ ଠୋ’ ହସ ଶୁଭିଲା । ଚମକି ମୁହଁ ଫେରାଇ ଚାହିଁଦିଏ ତ, ପିଣ୍ଡାରେ ଜଣେ କିଏ ମୁହଁରେ ଲୁଗା ଦେଇ ହସୁଛି । ଆଉ, ପାନ ଦୋକାନ ପାଖରେ ଜଣେ କିଏ ନୂଆ ଲୋକ କାମିଜଟିଏ ଲଗାଇ ମୋ ଆଡ଼କୁ ଏକଦୃଷ୍ଟିରେ ଚାହିଁ ଠିଆ ହୋଇଛି । ଲାଜରେ ମୋ ମନ କ’ଣ ହୋଇଗଲା ଲୋ ଭଉଣୀ, ମୁଣ୍ଡ ଛିଡ଼ିଗଲା ପରି ଲାଗିଲା । ଆଗକୁ ପାଦ ଘୁଞ୍ଚିଲା ନାହିଁ । ସେଉଠୁ ଘରକୁ ଫେରି ଅଇଲି । ଭାଉଜ ଦୁଆର କୋଣରେ ଠିଆହୋଇ ମୁହଁରେ କାନି ଦେଇ ହସୁଥିଲେ । ମତେ ଦେଖି ହସରେ ଭାଜି ପଡ଼ି କହିଲେ, ‘‘ହରିଚରଣକୁ ଦେଖିବାକୁ ଯାଇଥିଲ କି ଗୋ ? ଏଡ଼େ ଚଞ୍ଚଳ ଏତେ ପ୍ରେମ ! ଆମକୁ କାହାକୁ କୁହାପୋଛା ନାଇଁ, ଇମିତି କିମିତି ତୁନି ହୋଇ ପଳଉଥିଲମ-?’’

 

କଥା ଶୁଣି ଲାଜରେ ମୋ କାନମୁଣ୍ଡା ତାତିଗଲା । କାନ୍ଦାରୀ ପରି ଇଆଡ଼ୁ ସିଆଡ଼ୁ ଚାରିପଦ କହି ତାଙ୍କୁ ଚାରି ବିଧା ମାଇଲି । ସେତେବେଳେ ମୋର ମନ ହେଉଥାଏ, ଭାଉଜ ମତେ ସବୁବେଳେ ଏପରି ପରିହାସ କରୁଥାନ୍ତେ କି ! ଆଜି ଚିତ୍ରପଟ ପରି ସେ କଥା ଜଳ ଜଳ ଦିଶୁଛି । ସେ ହସ ଠୋ’ ଠୋ’ ହୋଇ କାନ ପାଖରେ ଶବ୍ଦ ହେଉଛି ।

 

ମାତ୍ର ସେଦିନ ଯାଇଛି, ସେ ବୟସ ଏବେ ଖସିଛି ।

 

ପ୍ରିୟ ରମେଶ,

 

ମୁଁ ସେଦିନ ଯେତେ ସୁଖ ଅନୁଭବ କରି ଘରକୁ ଫେରିଲି, ବୋଧହୁଏ ମହାରଣା ପ୍ରତାପସିଂହ ହଳଦୀଘାଟ ଯୁଦ୍ଧରେ ଜୟଲାଭ କରିଥିଲେ ସେତେ ସୁଖ ଅନୁଭବ କରି ନ ଥାନ୍ତେ । ମୁଁ କେବଳ ସମାଜର ନୀତି-ପ୍ରାଚୀର ବନ୍ଧା ଲୌକିକ ପ୍ରଥାରୂପ ଦୁର୍ଗ ଜୟ କରି ସେଠାରୁ ଫେରିଲି ନାହିଁ; ଭାବିଲି, ନିଶ୍ଚୟ ମୋର ଭାବୀ ପ୍ରଣୟିନୀର ଅନ୍ତରତମ ପ୍ରଦେଶରେ ସଗର୍ବରେ ପଶି ଯୌବନ-ପାରିଜାତର ଦର ପ୍ରସ୍ଫୁଟିତ ପ୍ରେମସ୍ନିଗ୍‌ଧ ଦେବଭୋଗ୍ୟ ସୌରଭ ଟିକକ ଲାଭ କରିବାକୁ ସମର୍ଥ ହୋଇଛି ! ମନ କାମନା କେତେକ ଅଂଶରେ ପୂର୍ଣ୍ଣ ହେଲା; ଚକ୍ଷୁର ଲାଳସା ଅନେକ ପରିମାଣରେ କମି ଆସିଲା, ମାତ୍ର ଭାବରେ ଏତେ ଛନ୍ଦାଛନ୍ଦି ହୋଇ ଭାରାକ୍ରାନ୍ତ ହୋଇପଡ଼ିଲି ଯେ ସେଠି କେତେଦିନ ମୋତେ ବରାବର ଶେଯରେ ଶୋଇ କଳ୍ପନା ଜଗତର ଗୌରୀଶଙ୍କର ଶୃଙ୍ଗରେ ଯାଇ ବସିବାକୁ ପଡ଼ିଲା । କତୋଟି ବଛା ବଛା ଉପନ୍ୟାସ-ବଣରେ ବାଟ ହରାଇବାକୁ ହେଲା ।

 

କେତେଦିନ ପରେ ଏ ସବୁରେ ମନ ପୂର୍ଣ୍ଣରୂପେ ଲାଗିଲା ନାହିଁ । ପୁରୁଣା ଚିନ୍ତାକୁ ନୂଆ ରସରେ ରଞ୍ଜାଇ ଦେବାପାଇଁ ମୋର ଧୈର୍ଯ୍ୟ ରହିଲା ନାହିଁ । ମନକୁ ସରସ କରିବା ପାଇଁ ଦିନେ କାଗଜ କଲମ ଧରି କନକ ପାଖକୁ ଚିଠି ଲେଖି ବସିଲି । କିପରି କଣ ଲେଖିଲେ ମୋ ମନର ଭାବ ସମ୍ପୂର୍ଣ୍ଣ ବ୍ୟକ୍ତ ହୋଇ ପାରିବ, ହୃଦୟ ଭିତରେ ଯେଉଁ ପ୍ରେମଝରଣା ବହୁଛି, ତାହା କିପରି ଏଣିକି ଅନ୍ତଃସଲିଳା ସରସ୍ୱତୀ ପରି ନହୋଇ ତଟବପ୍ଳାବିନୀ ମହାନଦୀ ପରି ପୁଣ୍ୟଭୂମି ଉତ୍କଳକୁ ଭସାଇ ନଚାଇ ବହିବ, ଠିକ୍‌ କରୁ କରୁ ଓଳିଏ ଗଲା । କ’ଣ ବୋଲି ସମ୍ବୋଧନ କରିବି କିଛି ସ୍ଥିର କରିପାରିଲି ନାହିଁ । ଲେଖିଲି, ‘ପ୍ରାଣପ୍ରିୟେ’–ମନ ପାଇଲା ନାହିଁ, କାଗଜ ଖଣ୍ଡକ ଚିରିଲି । ପୁଣି ଲେଖିଲି, ‘ପ୍ରିୟବତି !’ ଦେଖିଲି ଏ ପଦଟା ମୋ ପ୍ରାଣର ଠିକ୍‌ ଭାବ ବ୍ୟକ୍ତ କରିପାରୁ ନାହିଁ । ସେ ଖଣ୍ଡକ ଚିରି ଆଉ ଖଣ୍ଡେ କାଗଜ ଧରି, ଖୁବ୍‌ ସାବଧାନରେ ଗୋଲ ଗୋଲ ଅକ୍ଷର କରିବାକୁ ଚେଷ୍ଟା କରି ଲେଖିଲି, ‘‘ଏଣୀନୟନେ !’’ ଛି ! ଏଗୁଡ଼ାକ ସବୁ ପୁରୁଣାକାଳିଆ ଅନ୍ଧକାରମୟ ଯୁଗର ଉପମା-। ପୁଣି ଥରେ ଆରମ୍ଭ କଲି, ‘‘ଗୌରାଙ୍ଗି !’’ –ଏଟା ବି ମନକୁ ପାଇଲା ନାହିଁ । ଏହିପରି କେତେ ଲେଖିଲି–‘ହୃଦୟହାରିଣି’ ! ‘କୁନ୍ଦହାସିନି’, ‘କରୀନ୍ଦ୍ରଗମନା’, ‘ମାନସମୋହିନି’ ବୋଲି ! ସେ ସବୁକୁ ଏଠାରେ ବର୍ଣ୍ଣନା କରିପାରୁ ନାହିଁ । ଶେଷକୁ ନବ୍ୟଯୁଗର ହାଲ ଫେସନ କାଇଦାରେ ପ୍ରାଣର ଅନ୍ତର୍ନିହିତ ଧୂମାୟମାନ ପ୍ରେମାଗ୍ନିକୁ ପ୍ରଜ୍ୱଳିତ କରିବାକୁ ଯାଇ ଲେଖନୀ ଚାଳନ କଲି, ‘ପ୍ରାଣର କନକ !’ ବେଶ୍‌ ମନକୁ ଘେନିଲା ଯେପରି ଲୁହାକୁ ଚୁମ୍ୱକ; ଆଖିକୁ ଦୁଇଟା ପଦ ଚକ୍‍ ଚକ୍‌ ଦେଖାଗଲା । କାଗଜର ଏକଡ଼ ସେକଡ଼ ଓଲଟପାଲଟ କରି ଚାହିଁଗଲି, ଲେଖାଟା ସିଧା ହୋଇଛି କି ବଙ୍କା ହୋଇଛି । ମନରେ ଅପାର ସନ୍ତୋଷ ଆସିଲା ।

 

ପ୍ରେମପତ୍ର ଲେଖିବା ମୋ ଜୀବନରେ ଏହି ପ୍ରଥମ । ପ୍ରେମରେ ବାତୁଳ ହୋଇ ଭାବୀ ପ୍ରଣୟିନୀକୁ ପ୍ରାଣର ଜିନିଷ ବୋଲି କାଗଜ କଲମରେ ସମ୍ୱୋଧନ କରିବା ମୋର ଏହିଠାରେ ଆରମ୍ଭ । ସେ ସମୟଟା ମୋ ଜୀବନରେ ବାତୁଳ ହବାର ସମୟ ଥିଲା । ଜାଣି ନ ଜାଣିଲା ପରି, ବୁଝି ନ ବୁଝିଲାପରି, ଶୁଣି ନ ଶୁଣିଲା ପରି, ମୁଁ କେତେ କେତେ କଥା କରିଗଲି । ଏବେ ସେ ସବୁ କଥା ଭୁଲିବାକୁ ଚେଷ୍ଟା କରି ସୁଦ୍ଧା ଭୁଲିପାରୁ ନାହିଁ ।

 

ଏହାପରେ ଚିଠିରେ କ’ଣ ଲେଖିଥିଲି ଠିକ୍‌ ମନେପଡ଼ୁନାହିଁ । ଦୀର୍ଘ ଚାରିପୃଷ୍ଠାର ଚିଠି ଭିତରେ ଏହି କେତୋଟା ପଦ ଥିବାର ମନେଅଛି–‘‘ତୁମେ ମୋର ସବୁ–ନୟନର ତାରା–ହୃଦୟର ହାରା । ତୁମକୁ ଭୁଲିପାରିବି ନାହିଁ, ଭୁଲିପାରିବି ନାହିଁ । ସୁଖରେ ଥାଏ ଦୁଃଖରେ ଥାଏ ଘରେ ଥାଏ ବାହାରେ ଥାଏ, ଯେଣେ ଇଚ୍ଛା ତେଣେ ଯାଏ ମୋ ମନ ତୁମ ପାଖେ ପାଖେ, କନକ ! ମୋ ଆଖିରେ ତୁମେ ନାଚୁଚ, ମୋ ହୃଦୟରେ ତୁମେ ହସୁଚ; ପ୍ରତି ସକାଳେ ସନ୍ଧ୍ୟାରେ ଫୁଲେ ଫୁଲେ ତୁମେ ଆସୁଚ ! କନକ ! କନକ ! ଭଲରେ ରହ, ସୁଖରେ ରହ, ଶାନ୍ତିରେ ରହ, ଏହି ମୋର ଆଶୀର୍ବାଦ । ଯେତେ ଚଞ୍ଚଳ ପାରେ ବିଭାଘର ପାଇଁ ଯୋଗାଡ଼ ଲଗାଇବି । କଲେଜରେ ପଢ଼ିବାକୁ ଯାଉଛି । ପୁଣି ଦେଖାହେବ କେତେଥର ଦେଖାହେବ ।’’ ଏହି ଢଙ୍ଗର କେତୋଟି କଥାରେ ହୃଦୟର ଗାଢ଼ ଭାବକୁ ତରଳ କରି ବୁହାଇବାକୁ ଚେଷ୍ଟା କରିଥିଲି । ଶେଷରେ ମହାକବି ଉପେନ୍ଦ୍ରଭଞ୍ଜଙ୍କ ଅମର ଲେଖାର ଦୁଇ ଚାରିଧାଡ଼ି ବସାଇ ଦେଇଥିଲି ।

 

‘ଦୂରେ ଥିଲେ ପାଶେ ଅଛି ଏହା ଥିବୁ ଘେନି

କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀ

ପ୍ରୀତି ଅଭେଦ ତାଙ୍କର

ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର ।

ଯେତେ ଦୂରେ ପତ୍ର ପଡ଼ିଥିଲେରେ ନବୀନା

ଚିହ୍ନି କି ନୁହଇ ଆନେ ବୃକ୍ଷ ନାମ ବିନା

ବନ୍ଧୁ ତେମନ୍ତ ମୁଁ ତୋର,

ସବୁଠାରେ କୁହାଉଛି ସୁନ୍ଦରୀ-କୋୟର ।’’

 

ଆଉ ବେଶୀ କିଛି ମନେପଡ଼ୁ ନାହିଁ ।

 

ଭଉଣୀ,

 

ୟା ପରେ, ମୁଁ ଯାହା ଭାବି ନ ଥିଲି ତାହା ଘଟିଲା । ଦିନେ ବେଳ ବୁଡ଼ି ଆସୁଥିବା ବେଳକୁ ବିନଭାଇ ଖଣ୍ଡିଏ ଚିଠିଆଣି ମୋ ହାତରେ ଦେଲେ । ମୁଁ ତ କିଛି ଛନ୍ଦ କପଟ ଜାଣେ ନାହିଁ ଲୋ ଭଉଣୀ, ମୋ ଭାଉଜ ସଭିଏଁ ଥିଲେ, ଚିଠିଟି ଫିଟାଇ ପଢ଼ି ବସିଲି । ଚିଠି ଖଣ୍ଡିକ ଦେଇଥିଲେ ହରିଚରଣ । ମୁଁ କିଆଁ ସେତେ କଥା ମନକୁ ଆଣିବି ? ଧାଡ଼ିଏ ଦି’ଧାଡ଼ି ପଢ଼ିଛି, ହଠାତ୍‌ ମୋ ମନକୁ ମୁଁ ଚମକି ପଡ଼ିଲି । ଚିଠିଟାକୁ ବୁକୁ ଉପରେ ଜାକି ଧରି ଗମ୍ଭୀରି ଘର ଭିତରକୁ ଧାଇଁ ପଶିଗଲି । ଭାଉଜ ଥଟ୍ଟାକଲେ, ମା’ ମୁଚୁ ମୁଚୁ ହସି କିଛି କହିଲେ ନାହିଁ । ଚିଠି ଖଣ୍ଡିକ ଦେଇ ମତେ ସେ ବଡ଼ ଅସୁବିଧାରେ ପକାଇ ଦେଲେ, ଲୋକହସା କଲେ ।

 

ସାଇଯାକରେ ଚହଳ ପଡ଼ିଗଲା । ଲାଜରେ ମୁଁ ମୁଣ୍ଡ ପୋତି ଚାଲିଲି । ସାଙ୍ଗ ସରିସା ପିଲାଏ ମୋତେ କାଉ ବାଉ କରିପକାଇଲେ । ସେଠି କେତେଦିନ, ଦିନକ ଯୁଗକ ପରି ଲାଗିଲା ।

 

ସେ ରାତିରେ ଦୀପ ଆଲୁଅରେ ଚିଠି ଖଣ୍ଡିକ ପଢ଼ି ବସିଲି । ଏତେ କଥା ସିଏ କିମିତି ଜାଣିଥିଲେ ଲୋ ଭଉଣୀ ! ମୋର ଚାଲି, ମୋର ଚାହାଣି, ମୋର ଢଙ୍ଗ ଢାଙ୍ଗ, ମୋର ମନକଥା ସବୁ ଜାଣିଲା ପରି ଲେଖିଥିଲେ । ସେହି ଚିଠିଖଣ୍ଡ ମୁଁ ଜୀବନର ସାଥୀ କରି କେତେଦିନ ବୁକୁ ପାଖରେ ରଖିଥିଲି । ଏବେ ମଧ୍ୟ ମୋର ହାତ ଟ୍ରଙ୍କରେ ସେଟିକୁ ରଜାପୁଅକୁ ରଜାଝୁଅ ଲୁଚାଇ ରଖିଲାପରି ରଖିଛି ।

 

ଭାବିଲି, ସେ ମୋର ସାରା ଜୀବନର ଚିଠି । ସେହି ଚିଠି ଖଣ୍ଡିକ ଉପରେ ମୋ ଜୀବନ ଇତିହାସର କେତେ କେତେ କଥା ଘଟିଥିଲା । ସେହି ଚିଠି ମୋ ମନରେ ଆଶା ଢାଳିଲା । ସାଙ୍ଗେ ସାଙ୍ଗେ ନିରାଶା ନିଆଁରେ ପୋଡ଼ି ପକାଇଲା । ସେହି ଚିଠି ଦେଖି ମୁଁ କାନ୍ଦିଛି, ହସିଛି । ଏବେ ସଂସାରରେ କାହା ମୁହଁରୁ ଚିଠି ନାଁ ଶୁଣିଲେ ସେହି ଚିଠିକଥା ମୋର ମନେପଡ଼ିଯାଏ । ଭାବେ, ସତେ କ’ଣ ମୋରି ପରି ସମସ୍ତେ ଚିଠି ପାଉଥିବେ ?

 

ଚିଠିରେ ଲେଖାଥିଲା,–ତୁମକୁ ଭଲକରି ଦେଖିପାରିଲି ନାହିଁ; କଥା ପଦେ ହୋଇପାରିଲି ନାହିଁ । ମତେ ମୁହଁ ମୋଡ଼ି ଦେଇ ଚାଲିଗଲ; ତଥାପି ମୁଁ ତୁମକୁ ଭୁଲିପାରିବି ନାହିଁ । ମୁଁ ଘରେ ଆଉ ଅଳ୍ପ ଦିନ ଅଛି । ଏହାପରେ କଟକ କଲେଜକୁ ପଢ଼ିବାକୁ ଯିବି । ଯେତେ ଚଞ୍ଚଳ ପାରେ ବିଭାଘର ପାଇଁ ଯୋଗାଡ଼ ଲଗାଇବି । ତା’ପରେ ଦେଖା ସାକ୍ଷାତ୍‌, କଥାବାର୍ତ୍ତା । ତୁମେ କ’ଣ ମୂର୍ଖଟିଏ ହୋଇଥିବ ? ନା, ନା, ପାଠ ପଢ଼ । ମାଇନର ଖଣ୍ଡିକ ପାସ୍‍କରି ସଂସାରର କଥା କ’ଣ ଜାଣିବ ? ଆହୁରି ଟିକିଏ ଉପରକୁ ପଢ଼ । ପୁଣି ଦେଖାହେବ; କେତେଥର ଦେଖାହେବ । ତୁମେ ମୋର ନୟନର ତାରା–ହୃଦୟର ହାରା–ତୁମକୁ ମୁଁ ଭୁଲିପାରିବି ନାହିଁ । ଫୁଲ ହସିଲେ ତୁମେ ହସ, ପବନ ବହିଲେ ତୁମେ ଆସ ବୋଲି ମତେ ଜଣାପଡ଼େ । ଇମିତି କେତେ କେତେ କଥା ଲେଖି ଶେଷକୁ ଗୀତଟିଏ ଲେଖିଥିଲେ । ଗୀତରେ ଲେଖିଥିଲେ–‘‘ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର-।’’

 

ପୁରୁଷ ଲୋକେ ଇମିତି କଥା ସବୁ କିମିତି କହନ୍ତି ଲୋ ଭଉଣୀ ! ଆଉ ଗୋଟିଏ କଥା, ସେମାନେ ଭାବନ୍ତି କେବଳ ତାଙ୍କରି ଜୀବନ ଅଛି, ବାକି ସ୍ତ୍ରୀ କୁଳ ମାଟି ପଥରଠାରୁ ନିଦା । ମାଇପୀମାନେ କ’ଣ ଖାଲି ଦୁଃଖ ଅନୁତାପ ପାଇଁ ଜନ୍ମ, ଆଉ ସେମାନେ ଠକିବା ପାଇଁ, ଭୁଲେଇବା ପାଇଁ, ଛଳନା କରିବା ପାଇଁ ଥାନ୍ତି ? ଛି ଲୋ ଭଉଣୀ, ମୋ ଜୀବନରେ କେତେଦିନ ପୁରୁଷ ଲୋକଙ୍କ ନାଁ ଶୁଣିବା ମାତ୍ରେ କମ୍ପ ଆସିଥିଲା । ତାଙ୍କ ନାଁ ଶୁଣିଲେ କାନରେ ହାତ ଦେଉଥିଲି । ମୁଁ ଜାଣିଲି ସେମାନେ ସମ୍ପଦର ସାଥୀ, ବିପଦର ନୁହନ୍ତି । ବୁକୁ ଚିରି ସେମାନେ ରକ୍ତ ନେଇ ପାରନ୍ତି, ରକ୍ତ ଦେଇ ପାରନ୍ତି ନାହିଁ । ସେମାନେ କନ୍ଦାଇ ପାରନ୍ତି, କାନ୍ଦି ପାରନ୍ତି ନାହିଁ । ସେମାନଙ୍କ ଲୁହରେ ଛଳନା, କପଟତା ମିଶି ରହିଛି । ବାହାରେ ହସିବା ସେମାନଙ୍କର ବ୍ୟବସାୟ, ପରକୁ ଭୁଲେଇବା ସେମାନଙ୍କର ଜୀବିକା । ମୋ ଭାଗ୍ୟରେ ଇମିତି କେତେ କେତେ କଥା ସେଠି କେତେଦିନ ଘଟିଥିଲା ବୋଲି ୟା ଲେଖି ବସୁଛି । ମୁଁ ପୁରୁଷ ଲୋକର କଠୋର ଧକ୍‌କା ସହିଛି ବୋଲି ଏତକ ଶିଖିଛି ।

 

ପ୍ରିୟ ରମେଶ,

 

କବି ଗାଇଛନ୍ତି–

 

‘‘କିଏ ନ ଜାଣଇ ସୁଖଠାରୁ ସୁଖ

ଆଶାରେ ସୁଖ ଅଧିକ ?’’

 

ଏହି ସୁଖ ଅଶାରେ, କଳ୍ପନାର ପାରିଜାତ-କୁଞ୍ଜରେ ମୋର ଯୁବକ ପ୍ରାଣ ଦିନକୁଦିନ ଭୋଳ ହୋଇ ଉଠିଲା । ଘର ଘୋର ବର୍ଷାକାଳରେ କଳାହାଣ୍ଡିଆ ମେଘମାଳା ମଧ୍ୟରେ ବେଳେବେଳେ ଯେପରି ସପ୍ତବର୍ଣ୍ଣ ରଞ୍ଜିତ ଇନ୍ଦ୍ରଧନୁ ଦିବ୍ୟ ଶୋଭା ଘେନି ଫୁଟିଉଠେ ମୋର ମନ-ଗଗନରେ ସେହିପରି ଗୃହ ପରିବାରର ସକଳ ଦୈନ୍ୟ ଦୁରାଶା, ପରୀକ୍ଷାଫଳ, କ୍ଷେତମରୁଡ଼ି, ଋଣଭାବନା ପ୍ରଭୃତି ଅନ୍ଧକାରମୟ ନିବିଡ଼ ଯବନିକା ଭେଦ କରି କନକଲତା ଛବିଟି କେବଳ କନକରେ ନୁହେଁ, ହୀରା, ନୀଳା, ମୋତି ମାଣିକ୍ୟରେ ସୁସଜ୍ଜିତ ହୋଇ ହସି ଉଠେ । ସତ କହିବାକୁ ଗଲେ, ସେଦିନ ପାନଦୋକାନ ପାଖରେ ମୁଁ ତାକୁ ମିନିଟିଏ ଖଣ୍ଡେ ଦେଖିଛି କି ନାହିଁ ସନ୍ଦେହ, ସେଠୁ ଆସିଲା ପରେ ପ୍ରଣୟର ଦିବ୍ୟ ନେତ୍ରରେ ଅପ୍‌ସରା ପୁରୀର ଅଞ୍ଜନ ଘେନି ପୁଣି ତାକୁ ଦେଖିଗଲି । ସେ ସେତେବେଳେ ଲୁଗା ପିନ୍ଧିଥିଲା, କିନ୍ତୁ ଭାବିଲି; ମୋର ସେଟା ସେତେବେଳର ଆଖିର ଦୋଷ; ନିଶ୍ଚୟ ସେ ବ୍ରହ୍ମପୁରିଆ ଡେରାବୁଣା ପାଟ ପିନ୍ଧିଥିବ । ସେ ଚଟ୍‌କରି ବୁଲିପଡ଼ି ବିଜୁଳି ପରି ଘରଭିତରକୁ ପଶି ଯାଇଥିଲା; ମୁଁ ତାକୁ କଳ୍ପନା କଲି, ସେ ନିଶ୍ଚୟ ମରାଳ କିମ୍ୱା କରୀନ୍ଦ୍ର ଗମନରେ ଯାଇଥିବ । ସେ ପାନ ଦୋକାନକୁ ପାନ ନେବାପାଇଁ ଆସୁଥିଲା; ମୋର ମନେହେଲା, ନା, ସେ ପାନ ପାଇଁ ଆସୁ ନ ଥିଲା, ଆସୁଥିଲା ତା’ର ଅପାଙ୍ଗ ଚାହାଣିରେ ମୋର ପ୍ରେମୋର୍ବର ହୃଦୟକୁ ଆହୁରି ସରସ କରି ପାରିଜାତ ଫୁଟାଇ ଦେଇ ଯିବାପାଇଁ । ଏହିପରି କେତେ କଥା ଲେଖିବି, ରମେଶ ! ମୋଟାମୋଟି କହିବାକୁ ଗଲେ, ପାନ ଦୋକାନରୁ ଫେରିଲା ପରେ ମୋତେ ବାସ୍ତବ ସଂସାରଟା ଆଉ ଭଲ ଲାଗିଲା ନାହିଁ । ଯେଉଁ ଦିନ ପରୀକ୍ଷା ଫଳ ଖବରକାଗଜ ମୁଖରେ ଦେଶ ବିଦେଶରେ ଘୋଷିତ ହେଲା, ରେଜିଷ୍ଟ୍ରାରଙ୍କ ନାଁରେ ଠିକ୍‌ ଉପରକୁ ମୋ ନାଁଟା ଚକ୍‌ ଚକ୍‌ କଳା-ସାଇରେ ନୀରନ୍ଧ୍ର ଅଦିନ କଳାମେଘ ପରି ଶୋଭା ପାଇଲା, ମୋତେ ତାହା ଦିଶିଲା ସତେ ଯେପରି ତା’ ମଧ୍ୟରେ କନକର କୁଞ୍ଚିତ କୁନ୍ତଳରାଶି ଖେଳିଯାଇଛି !

 

ବାସ୍ତବ ଜଗତରେ ସଂସାର ଚିନ୍ତା ନେଇ ବୁଲିବାକୁ ମୋତେ ଆଦୌ ଭଲ ଲାଗିଲା ନାହିଁ-। କୃଷ୍ଣ ରାଧାଙ୍କୁ ଗଛ ପତ୍ର ଫୁଲଫଳରେ ଦେଖିଲା ପରି ମୁଁ କନକକୁ ସବୁଆଡ଼େ ଦେଖିବା ପାଇଁ ଚେଷ୍ଟା କଲି । ଏହାଦ୍ୱାରା ରୋଗୀ ହେଲି କି ନୀରୋଗ ହେଲି ନିଜେ ନିଦାନ କରିପାରିବା ଶକ୍ତି ରହିଲା ନାହିଁ । କାହାକୁ କହିବି ମନର କଥା ? ଶେଯରେ ପଡ଼ିରହିଲି, ଗଛମୂଳେ ବସି ରହିଲି-। ଫୁଲକୁ ଚାହିଁ ଚାହିଁରହିଲି, ବିଦଗ୍‌ଧ ଚିନ୍ତାମଣିରୁ ଗୀତ ମଧ୍ୟ ବୋଇଲି । ଭାବନା ବଢ଼ିଲା ସିନା କମିଲା ନାହିଁ । ମୁଁ ଅଭାଗା ଗୀତ ଲେଖିବାକୁ ବସିଲେ ତର ତରରେ ପଦ ପକାଇବାକୁ ବେଳହେଲା ନାହିଁ; ପଦ ପଡ଼ିଲେ, ଭାବଟା ଛନ୍ଦା ଛନ୍ଦି ଗୋଳମାଳିଆ ହୋଇ ପ୍ରକାଶ ହୋଇପାରିଲା ନାହିଁ । ଏହିପରି ଅନେକ ଅସୁବିଧା ତରୁଣ ଜୀବନରେ ବୋଧହୁଏ ଊଣା ଅଧିକେ ଘଟୁଥିବ ।

 

ଶେଷରେ ମୁଁ କଳ୍ପନା ରାଜ୍ୟର ପଥିକ ହେଲି । କେତେବେଳେ କନକ ମୋର ହାତ ଧରି ରାଜ୍ୟ ବୁଲାଇ ଦେଖାଇଲା । ମୁଁ କେବେ କେବେ ତା’ର ସାମାଜିକ କୁସଂସ୍କାର ଭ୍ରାନ୍ତ ଧାରଣାକୁ ଦୂର କରାଇଲି । ମୁଁ ଗୀତ ଗାଇଲେ ସେ ତାନ ଧଇଲା, ମୁଁ କାନ୍ଦି ଉଠିଲେ ସେ ଲୁହ ପୋଛିଲା, ମୁଁ ଧାଇଁ ଚାଲିଗଲେ ସେ ମୋ ସାଙ୍ଗ ଛାଡ଼ିଲା ନାହିଁ । ଧାଉଁ ଧାଉଁ କେବେ କେବେ ମୁଁ ସେହି ବିଚିତ୍ର ଭୂମି ଶଯ୍ୟାରେ ପଡ଼ିଯାଏ–ମୋର ମୋହ ଭାଜିଯାଏ । ଦେଖେ, ମୁଁ ଆମ ଗାଁରେ,–ଚାରିପାଖରେ ଖତଗଦା, ଗୋଳିଆ ଗାଡ଼ିଆ, ଅପନ୍ତରା ବିଲ ପଡ଼ିଆ, ରୁକ୍ଷ ଗଛପତ୍ର, ମୂର୍ଖ ଅର୍ଦ୍ଧଶିକ୍ଷିତ ଜନ ସମାଜ; କନକ ଏ ସୀମାର ଶତକ୍ରୋଶ ଦୂରରେ ସୁଦ୍ଧା ନାହିଁ । କେବଳ ମୁଁ ମୁହଁ ମାଡ଼ି ପଡ଼ି କାତର ଭାବରେ କାହାର ଆଶ୍ରୟ ଲୋଡ଼ୁଛି । ସ୍ୱେଚ୍ଛାରେ କାହାପାଖରେ ମୋ ହୃଦୟ ଚାବିଟାକୁ ଦେଇ ଦେବା ପାଇଁ ଅଣ୍ଡାଳୁଛି ।

 

ଏପରି ସୁଖ ଶୈଳରୁ ଖସି ଯେତେବେଳେ ଏପରି ଗଭୀର କୂପରେ ଆସି ପଡ଼େ, ମୋ ମନରେ ଭଗବାନଙ୍କ ପ୍ରତି ଘୃଣା, ଅବିଶ୍ୱାସ ଜାତ ହୁଏ । ଭାବେ, ଏପରି ସାମାଜିକ ପରିସର ମଧ୍ୟରେ ମୋ’ପରି ନବଯୁଗର କଳ୍ପନାପ୍ରିୟ ମୂର୍ତ୍ତିମାନ ଯୁବକକୁ ଜନ୍ମ ଦେବାଟା ତାଙ୍କ ସୃଷ୍ଟି ରଚନାରେ କଳ୍ପନା-କୌଶଳ-ଅଭାବର ପରିଚୟ ଦେଉଛି ।

 

ଭଉଣୀ,

 

ଢଗ ପରା ଗାଉ ଥାଉ–

 

‘‘ମା’ପରି କିଏ ହେବ ଲୋ ଆଉ,

ମା’ ଖୋଉଥିଲେ ଖିରି ଖିରିଷା,

ଆଉ ଖୋଉଥିଲେ ଜାଉ ।’’

 

ସତ ଲୋ ସତ, ମୁଁ ସବୁ ଦେଖିଗଲି, ସବୁ ଏ ଅଙ୍ଗରେ ଲିଭେଇଗଲି । ଆଖିରୁ ଲୁହ ମଲା ନାହିଁ, ମନରୁ କୋହ ଗଲା ନାହିଁ । ମୋ ଆଗରେ ଆଖି ବୁଜି ଦେଇ ମା’ କୁଆଡ଼େ ଚାଲିଗଲେ-। ଭଉଣୀ, ତେଣିକି ମୋ ଦୁଃଖର ଆଉ ସୀମା ରହିଲା ନାହିଁ । କୁଆଡ଼ୁ ଆସିଲା ହଇଜା ଯେ ସାଇରୁ ଅଧେ ଲୋକ ନେଇଗଲା । ମା’ ସଙ୍ଗରେ ମୁଁ ଯାଇଥିଲେ ମତେ ଆଉ ଏ ସଂସାରରେ ଇମିତି ହୀନିମାନ ହେବାକୁ ପଡ଼ିନଥାନ୍ତା ।

 

ମା’ ଆଖି ବୁଝିଲା ବାସି ମୋ ଦୁଃଖ ବଢ଼ିଲା । ଦୁଃଖ କାହା ଆଗରେ କହିବାକୁ, ସୁଖରେ କାହା ଆଗେ ବସିବାକୁ ମୋର କିଏ ରହିଲେ ନାହିଁ । ମା’ପରି ସଂସାରରେ ନିଜର ହୋଇ ଆଉ କିଏ ? ମନେଥିବ ଲୋ ଭଉଣୀ, ଯେତେବେଳେ ପିଲାଦିନେ ଥରେ ମତେ ଜର ହୋଇଥିଲା, ବଞ୍ଚିବାର ଆଶା ବାପା ଛାଡ଼ିଦେଇଥିଲେ, ସେତେବେଳେ ମା’ ମୋର ବିଷ ଖାଇ ମରିଯିବାକୁ ବସିଥିଲେ । ମୋ’ପରି ଅଭାଗିନୀକୁ ସେ ଇମିତି ଭଲପାଉଥିଲେ ଲୋ ଭଉଣୀ, କାହିଁକି ଯେ ଭଲପାଉଥିଲେ–ଆହା ! ମା’ ପରା ସେ । ତାଙ୍କୁ ମୁଁ କିମିତି ପାସୋରିବି ? ରୋଗ ବଇରାଗରେ ସେ, ସୁଖ ଦୁଃଖରେ ସେ, ଅନ୍ଧାର ରାତିରେ ସେ, ପୁନିଅଁ ଜହ୍ନତଳେ ସେ–ସବୁବେଳେ ସେ ମୋର, ମୁଁ ତାଙ୍କର । ଏବେ ମୁଁ ତାଙ୍କର ନୁହେଁ, ସେ ମୋର, ସେ ମୋତେ ଛାଡ଼ିଯାଇଛନ୍ତି, ମୁଁ ତାଙ୍କୁ ଛାଡ଼ିପାରୁନାହିଁ । ସଂସାରରେ କ’ଣ ମା’କୁ ସତେ ଭୁଲି ହେବ ? ସେ ଗଲା ଦିନୁ ମୋର ସୁଖର ସଂସାରଟି ଛାରଖାର ହୋଇଗଲା–ସଂସାର ଭିତରେ ମୋର ଆପଣାର ହୋଇ ରହିଲେ କେବଳ ହରିଚରଣ । ତାଙ୍କ ସଙ୍ଗେ ମୋର ଚିହ୍ନା ନଥିଲା କି କଥା ନଥିଲା, କେବଳ ଥରେ ଅଜଣାଭାବରେ ଆଖିପିଛୁଳାକେ ଦେଖିଥିଲି ମାତ୍ର । ତେବେକେ ହେଲେ ମୋ ଜୀବନରେ ମା’ ପାଖକୁ ସେ ଆପଣାର ହୋଇ ରହିଥିଲେ । ଗମ୍ଭୀରି ଘରେ ଶୋଇଥାଏ, ମା’ କଥା ଭାବି ଭାବି ଆଖିରୁ ଲୁହ ଝର ଝର ବୋହି ଯାଉଥାଏ ସେତେବେଳେ ବୁକୁ ଉପରେ ତାଙ୍କରି ସେହି ଛିଠ ଖଣ୍ଡିକ ଥୋଇ ମୁହୂର୍ତ୍ତେ କେତେ କଥା ଭାବିଯାଏ, ଉଠି ପଢ଼ି ବସେ; ଥରେ ପଢ଼େ ପୁଣି ପଢ଼େ, ଆହୁରି ଥରେ ପଢ଼େ, ଆହୁରି ଥରେ ପଢ଼େ,–କେତେଥର ପଢ଼େ, କହିପାରିବି ନାହିଁ । ସବୁ ଥର ସେହି ଏକା କଥା ଲେଖାଥାଏ–‘ମୁଁ ତତେ ଭୁଲିପାରିବି ନାହିଁ, ଭୁଲିପାରିବି ନାହିଁ ।’ କାନ ଭାଁ ଭାଁ ହେଲେ ଯେପରି ଗୋଟାଏ କୁଆଡ଼ୁ ଅଜଣା ଶବ୍ଦ ଶୁଭି ମୁହୂର୍ତ୍ତକେ ଉଭେଇଯାଏ, ସେହି କେତୋଟି ପଦ କେତେ ସମୟ ପାଇଁ ମୋ କାନରେ ସାଇଁ ସାଇଁ ହୋଇ ଗର୍ଜିଉଠେ; ଚକିତ ସଜଳ ନେତ୍ରରେ ଚିଠିଟାକୁ ଚୁମ୍ୱ ଦେଇ ଦେଇ ମୁହଁ ମାଡ଼ି ସେହିଠାରେ ପଡ଼ିଯାଏ । ମୋତେ ସଂସାର ଅନ୍ଧାର ଦିଶେ, ବୁକୁ ଭିତର ଦାଉଁଦାଉଁ ଉଠେ, ପଡ଼େ ।

 

ଲୋକ କହନ୍ତି, ‘ଭାବିଲେ ହୁଏ ପରାପତ ।’ ମୁଁ ଭାବିଛି, କାନ୍ଦି କାନ୍ଦି, ଭାବିଛି, ଲୁହ ନ କାନ୍ଦି ରକ୍ତ କାନ୍ଦି ଭାବିଛି; ମାତ୍ର କେବଳ ଛାୟା ଦେଖିଛି । ସେ ଛାୟା ମୋତେ ନଚାଇଛି, ସେ ଛାୟା ମୋତେ ହସାଇଛି, ମାତ୍ର ଧରା ଦେଇ ନାହିଁ । ଏହା କି ସଂସାରର ନିୟମ, ଶାସ୍ତ୍ରର ବିଧି, ଦଇବର ସର୍ଜ୍ଜନା ! ମିଛ–ମିଛ–ସବୁ ମିଛ; ସବୁ ଭୁଲ୍‍, ଛଳନାର ଇନ୍ଦ୍ରଜାଲ ! ମୋ’ପରି କିଏ ଭୁଲିଛି ? ମୋ’ପରି କିଏ କାନ୍ଦିଛି ? ମୋ କଥାର ଅର୍ଥ ବୁଝିବ କିଏ ?

 

ଛାଡ଼ ସେ କଥା, ଆଉ କହିଲେ କ’ଣ ହେବ ? ଏହାପରେ ଘରକୁ ପଡ଼ିଲା ବିପଦ । ବାପା କେବେ ବେଙ୍କରୁ ଟଙ୍କା କରଜ ଆଣିଥିଲେ । ଟଙ୍କେ ଦୁଇ ଟଙ୍କା ନୁହେଁ, କେତେ ହଜାର ଟଙ୍କା-। ଦିନେ କୋରଖ ଆସି ଘରୁ ସବୁ ବୁହାହେଲା । ଜମିବାଡ଼ି ଗଲା, ପଦର ପଙ୍କାଳ ଗଲା-। ଖାଲି ରହିଲା, ଆମେ ରହିବା ଘରଖଣ୍ଡିକ । ସେତେବେଳେ ମୁଁ ଦେଖିଛି, ବାପା ଆଉ ଭାଇ ସବୁବେଳେ ମୁଣ୍ଡରେ ହାତଦେଇ ବସିଥାନ୍ତି । ଚିନ୍ତା ଭାରରେ ମୁହଁ ଶୁଖିଯାଇଥାଏ । ଦୁଃଖର ସଂସାର ତ ଗଢ଼ିଥିଲେ ଲୋ ଭଉଣୀ, ସୁଖ ପାଆନ୍ତେ କୁଆଡ଼ୁ ? ଦିନେ ବାପା ଭାଇଙ୍କୁ କହିବାର ମୁଁ ଶୁଣିଲି, ‘‘କନ’କୁ ହେଲେ ବିଭା କରାଇ ସାରିଥାନ୍ତି, ତାକୁ ହେଲେ ସବୁ ଦେଇ ପକାଇଥାନ୍ତି’’–ଏହା କହି ଗୋଟାଏ ଦୀର୍ଘନିଃଶ୍ୱାସ ଛାଡ଼ିଲେ । ମୁଁ ପାଖରେ ଥାଇ ଚମକିଲା ପରି ହୋଇଗଲି । ଫେର୍‍ କହିଲେ, ‘‘ଏବେ ସେ ଯେବେ ଆଗପଛ ହେବେ ତେବେ ଉପାୟ କ’ଣ ?’’

 

ଏହି ଶେଷ ପଦକ ଶୁଣି ମୁଁ କିପରି କ’ଣ ହୋଇ କିମିତି ଯେ ଗମ୍ଭୀରି ଘରେ ଆସି ପଡ଼ିଗଲି, ଅନୁଭବ ନ କରିବା ଲୋକ ଜାଣିପାରିବ ନାହିଁ । ମାଆ ମରିବା ଚିନ୍ତା କ୍ରମେ ମନରୁ ଯାଇ ଆଉ ଏକ ଚିନ୍ତା ଘୋଟିଆସିଲା । ଓହୋ ସେଦିନର କଥା ମନେପଡ଼ିଲେ ଏବେ ମୋର ବୁକୁ ଭିତରଟା କ’ଣ ହୋଇଯାଉଛି ।

 

ପ୍ରିୟ ରମେଶ,

 

ଅଦମ୍ୟ ଉତ୍ସାହରେ ବି.ଏ. ପାସ୍‌କୁ ଧ୍ରୁବ ଲକ୍ଷ୍ୟ ରଖି କଟକ କଲେଜର ଭର୍ତ୍ତି ହେଲି । ଆଦର୍ଶ ଯୁବକ, ଆଦର୍ଶ ପତି, ଆଦର୍ଶ ପ୍ରେମିକ ହେବା ମୋର ସେଥି ସହିତ କେତେଗୁଡ଼ିଏ ଆନୁସଙ୍ଗିକ ଲକ୍ଷ୍ୟ ରହିଲା । କଲେଜର ପାଞ୍ଚ ସାତ ଶହ ଯୁବକଙ୍କ ମଧ୍ୟରେ ମୋର କିଛି ଗୋଟାଏ ସ୍ୱାତନ୍ତ୍ର୍ୟ ଅଛି କି ନାହିଁ, ପ୍ରଥମେ ମୋତେ ଛଅ ମାସ କାଳ ଅନୁସନ୍ଧାନ କରିବାକୁ ପଡ଼ିଲା । ମୋର ଚାଲିକୁ ଏକ ଅଭିନବ କଳ୍ପନାପ୍ରସୂତ ସଭ୍ୟଧରଣ ଚାଲିସଙ୍ଗେ ଜଡ଼ିତ କଲି, କଥାବାର୍ତ୍ତାରେ ସରସତା ରଖିବାକୁ ବରାବର ଚେଷ୍ଟା କରି କରି ସହାସ୍ୟ ମୁଖ ଦେଖିାଇବାକୁ ଅଭ୍ୟସ୍ତ ହୋଇପଡ଼ିଲି-। ଏବେ ବୁଝୁଛି, ଅନେକ ଯୁବକ ଜୀବନର ପ୍ରାରମ୍ଭ ଯୁଗର ଊଣା ଅଧିକେ ଏପରି କୃତ୍ରିମ ଭାବଭଙ୍ଗୀ କଥାବାର୍ତ୍ତା ହାସ୍ୟ ଆଳାପକୁ ଅକୃତ୍ରିମ ରୂପରେ ବାହାରକୁ ଦେଖାଇବାକୁ ଯାଇ ସହଜ ସରଳ ସ୍ୱାଭାବସୁନ୍ଦର ଜୀବନଟାକୁ ବିକୃତ କରିଦେଇଥାନ୍ତି ! ଏ କି ମୋହ ।

 

ସତ୍ୟବାଦୀରେ ଥିଲାବେଳେ କଳ୍ପନାର ଯେ କ୍ଷୁଦ୍ର ରୂପ ଦେଖୁଥିଲି, କଲେଜକୁ ଆସି ତହିଁର ବିଶ୍ୱରୂପ ଦର୍ଶନ କଲି । ଏ ବିଶ୍ୱରୂପ ଶ୍ରୀକୃଷ୍ଣ ମୁଖନିଃସୃତ ଗୀତାର ବିଶ୍ୱରୂପ ନୁହେଁ । ଏହା ପ୍ରେମ ଜଗତର ବିଶ୍ୱରୂପ । ଅଳ୍ପଦିନ ମଧ୍ୟରେ ଆଶାର ନାଏଗ୍ରା ପ୍ରପାତରେ ମୁଁ ଲମ୍ଫଦେଲି, କଳ୍ପନାର କୋଣାର୍କ, ପିରାମିଡ୍‍ ତୋଳିଲି, ପ୍ରେମର ନଭଶ୍ଚୁମ୍ୱୀ ତାଜମହଲ ଭେଦକରି ତା’ ମଧ୍ୟରେ ଜଗତର ଅପୂର୍ବ ଅଦୃଷ୍ଟ ପ୍ରଣୟିନୀର କାନ୍ତ କୋମଳ ମୁଖାରବିନ୍ଦକୁ ସତୃଷ୍ଣ ନିର୍ନିମେଷ ଲୋଚନରେ ନିର୍ବାକ୍‍ ଭାବରେ ଚାହିଁରହିଲି ।

 

କେତେ ମାସ ଗଲା । ଦିନେ ହଠାତ୍‌ ମୁଁ ଆଶ୍ଚର୍ଯ୍ୟ ହେଲି । କଳ୍ପନା ଚକ୍ଷୁରେ କନକ କାହିଁକି ମୋତେ ସାମନ୍ୟ ଜାଲୁଜାଲୁଆ ଦେଖାଗଲା । ଭାବିଲି ଏଟା ମୋର ଚକ୍ଷୁର ଦୋଷ । ପୁଣି ଦେଖାଗଲା, ପୁଣି ସେହି ସାନ୍ତ୍ୱନା ନେଇ ଦିନ କାଟିଲି । ଦିନ ଯେତିକି ଗଡ଼ିଲା, କନକ ମୋ’ଠାରୁ ସେତିକି ଦୂର ଦୂର ଜଣାପାଡ଼ିଲା । ମୁଁ ଏଥିର କାରଣ ଖୋଜି ବସିଲି ।

 

ସେତେବେଳେ ମୁଁ ବାବୁ ଜୀବନର ଯୌବନର ଭୋଗ କରୁଥିଲି । ସତ୍ୟବାଦୀରେ ଥିଲାବେଳେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରଭାବରେ ଖଦଡ଼ ପିନ୍ଧିଥିଲି, କଲେଜରେ ଗୋଡ଼ ଦେବା ମାତ୍ରେ ଯେତେ ଶୀଘ୍ର ପାରେ ସେ ସବୁକୁ ବିଦାୟ ଦେଲି । ମୋ ଖଦଡ଼ପିନ୍ଧା ସହାଧ୍ୟାୟୀମାନେ ମୋତେ ଏ ବିଷୟରେ ବ୍ୟତିବ୍ୟସ୍ତ କରନ୍ତି । ମୁଁ ସେ ସବୁକୁ ଗାମ୍ଭୀର୍ଯ୍ୟ ଗୌରବରେ ଖାତିରି କରେ ନାହିଁ । ଖାଲି ସେତିକି ନୁହେଁ, ଅଳ୍ପଦିନ ମଧ୍ୟରେ ଇଂଲିଶ୍‌ ଟୁଇଲ କାମିଜ୍‌ ବନ୍ଧୁକ ମାର୍କା ଧୋତି, ବିଲାତୀ ମୋଜା, ଜୋତା ମୋର ଶ୍ରୀଅଙ୍ଗର ଯଥାସ୍ଥାନକୁ ମଣ୍ଡନକଲେ । ପାନ ଛାଡ଼ିଥିଲି, ପାନ ଖାଇଲି, ଗୀତ ଗାଇବାର ଅଭ୍ୟାସ ନଥିଲା, ସେଟାକୁ ଅଭ୍ୟାସ କରିନେଲି । ଆଖିରେ ଚଷମା ଦେବାଟା ନିତାନ୍ତ ଦରକାର ମନେକରି ସେଥିରୁ ଯୋଡ଼ାଏ କିଣି ଲଗାଇଲି । ମଣିବନ୍ଧରେ ରିଷ୍ଟଓ୍ୱାଚ୍‍କୁ ସ୍ଥାନ ଦେଲି । ଦିନରେ ପାଞ୍ଚ ଥର ମୁଣ୍ଡ କୁଣ୍ଡାଇବାକୁ ପଡ଼ିଲା । ନୀତିଦୀର୍ଘ କେଶଦାମ ଉପରେ ଶତାଧିକ ଥର କରପଲ୍ଲବ ସଂଚାଳନ କରିବାକୁ ହେଲା । ଏହାଛଡ଼ା ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ପାଞ୍ଚ ସାତ ଥର ଗୁଡ଼ାଖୁରେ ଦାନ୍ତ ଘଷିବାକୁ ପଡ଼ିଲା ।

 

ଏପରି ନବ୍ୟଯୁଗର ସଭ୍ୟ ବାବୁ ମୁଁ ହରିଚରଣ କେଉଁଠି, ପୁଣି, ଦୂର ମଫସଲର ଆନତବଦନା, ମନ୍ଦଗମନା, ହରିଦ୍ରା-ଶୋଭନା କନକଲତା କେଉଁଠି ? ଏ ତ ଆକାଶ ପାତାଳ ପ୍ରଭେଦ ! ହିମାଳୟ ସଙ୍ଗେ ପୁଣି କ୍ଷୁଦ୍ର ବରୁଣେଇ ପାହାଡ଼ର ତୁଳନା ! ଯେତେବେଳେ ମୁଁ ଅଭିମାନ-ଗୌରବ-ତୁଷାରମଣ୍ଡିତ ହୋଇ ସ୍ତରୀକୃତ ମୁଣ୍ଡ ଟେକିଦିଏ, ସେତେବେଳେ ମନଶ୍ଚକ୍ଷୁରେ ଦେଖେ ଖୋରଧାର ଦିଗନ୍ତବ୍ୟାପୀ ଟାଙ୍ଗୀ ଉପରେ ବରୁଣେଇ ପାହାଡ଼ ପରି କନକ ରସହୀନ ଗ୍ରାମ୍ୟ ଜୀବନଟାକୁ ନେଇ ସକୌତୁକ ଖେଳ ରଚିବାକୁ ଯୋଗାଡ଼ କରୁଛି ! ଏହିପରି ଅବସ୍ଥାରେ ପଡ଼ି ମୋ ମନର ଗତି ଧକ୍‌କା ଖାଇଲା; କି ସୂକ୍ଷ୍ମ ଅଜ୍ଞାତ ଅବଜ୍ଞା ନେଇ ସେ ଦିଗରୁ ମୁଖ ଫେରାଇବାକୁ ଇଚ୍ଛା ହେଲା ! ବେଳେବେଳେ ସେ କଥା ବିଚାରିବାକୁ ମନରେ କାହିଁକି ଆଗ୍ରହ ଜନ୍ମିଲା ନାହିଁ ।

 

ମୁଁ ନଭେଲ୍‍ ପଢ଼ିବାକୁ ଯାଇ ଦରପଢ଼ା କରି ଢୋଳେଇ ପଡ଼ିଲାବେଳେ କିମ୍ୱା ପଦେ ଦୁଇ ପଦ ଫିଟ୍‌ଫାଟ୍‌ ଠକ୍‌ଠାକ୍‌ କରି କହିଲାବେଳେ କଳ୍ପନାରେ ଦେଖେ କନକ ମୋ’ପରି ସରସ ହୃଦୟର ନିକଟତର ସ୍ଥାନରେ ଆଦୌ ରହିପାରୁ ନାହିଁ । ଭାବେ, ଆହା, ସେ ମୋ’ପରି ନଭେଲ୍‍ ପଢ଼ି ପାରୁଥିଲେ, ପଢ଼ୁ ପଢ଼ୁ ଢୋଳେଇ ପଡ଼ୁଥିଲେ, ସେ ସମୟର ଦୃଶ୍ୟଟା କି ମଧୁମୟ ନ ହୁଅନ୍ତା-! ପଲ୍ଲିଗ୍ରାମ,–ବାହାରେ ଯେତେ ଆବର୍ଜ୍ଜନା ଥାଉ ପଛକେ, ସେ ମଧ୍ୟରେ ମୋର ସ୍ୱଚ୍ଛ ସୁନ୍ଦର ‘‘ଷ୍ଟଡିରୁମ୍‌’’, ସେ ଭିତରେ ଚନ୍ଦ୍ରକରନିଭ ପଲଙ୍କ–ଶଯ୍ୟା, କିମ୍ୱା ଖଟ, ଅବା ଅତି କମରେ ଗୋଟାଏ କାନଭାସ୍‌ ଖଟ ଅଥବା ସେସବୁ କିଛି ନ ମିଳିଲେ ଖାଲି ତଳେ ସୁନ୍ଦର ଶଯ୍ୟା ସଜା ହୋଇଥାନ୍ତା-! ସେଠି ମାଣ୍ଡି ଉପରେ ମୁଣ୍ଡକୁ ରଖି, ଦେହ ଭାରକୁ ଗୋଟାଏ ଆଡ଼କୁ ଅଳସ ଭାବରେ ଝୁଲାଇ ଦେଇ, କନକ ଯେତେବେଳେ ଅର୍ଦ୍ଧସୁପ୍ତ ପଲକ ଦୁଇଟିକୁ ଜାଗ୍ରତ କୌତୁକରେ ନଚାଇ ନଭେଲ୍‌ ଉପରେ ହାତଦେଇ ପଡ଼ିଥାନ୍ତା, ସେତେବେଳର ତା’ ମୁହଁଟି ମୋତେ ଦିଶନ୍ତା ଠିକ୍‌ ଯେପରି ପ୍ରଭାତର ସୂର୍ଯ୍ୟକରୋଜ୍ଜ୍ୱଳ ଦରଫୁଟା ପଦ୍ମକଢ଼ି କିମ୍ୱା ଇରାନ୍‌ ଦେଶର ପ୍ରେମିକ କବି ଓମାର ଖୈୟାମ୍‌ଙ୍କ କଳ୍ପିତ ବସୋରା ଗୋଲାପ ଫୁଲ ! କି ଚମତ୍କାର ସେ ଦୃଶ୍ୟ ନ ହୁଅନ୍ତା ! ସେ ଦୃଶ୍ୟ ଦେଖିବାପାଇଁ ଯୁଗେ ଯୁଗେ, ଦେଶେ ଦେଶେ କବିଙ୍କର ଆବିର୍ଭାବ । ସେହିପରି କିଛି ମୁଖପଦ୍ମ ଦେଖିବାପାଇଁ ସଂସାରରେ କେତେ କବି ପାଗଳ ହୋଇଛନ୍ତି । କେତେ ଜୀବନ କୂଳ ନ ପାଇ ଅକୂଳସାଗରରେ ଭାସିଛି । କେତେ ଉପେନ୍ଦ୍ର ଆସିଛନ୍ତି, କେତେ ଜୟଦେବ ଗାଇଛନ୍ତି, କିନ୍ତୁ ସେ ମୁଖର ବର୍ଣ୍ଣନା ସରିନାହିଁ କି ସରିବ ନାହିଁ । ଏକଥା ଭାବୁ ଭାବୁ ମୋର ମୂକ କଣ୍ଠରେ ମା’ ସରସ୍ୱତୀ ଆସି ନିର୍ବିବାଦରେ ଆସନ ମାଡ଼ି ବସନ୍ତି–

 

‘‘ମୋର, ବ୍ୟଗ୍ର ବ୍ୟଥିତ ଓଠ କମ୍ପନେ

ଆଗ୍ନେୟଗିରି ଉଠେ ଗୋ,

ତରୁଣର ଏଇ ଅରୁଣିତ ହୃଦପଟେ ଗୋ

ତୁମରି ଅଧର ମଧୁର ହାସ୍ୟ

ଚଞ୍ଚଳ ଚାରୁ ତରଳ ଲାସ୍ୟ

ବିଗଳିତ କରେ ଉପଳିତ ଏଇ–

ନିର୍ମ୍ମମ ଧରା–ବାଟେ ଗୋ ।’’

 

କିନ୍ତୁ କନକ ଯେ ନଭେଲ୍‍ ପଢ଼ିବ, ଚେୟାରରେ ବସିବ, ନବ୍ୟ ଧରଣରେ ହସିବ, ପରିଚିତ ଅପରିଚିତ ବନ୍ଧୁ ନିର୍ବିଶେଷରେ ଭରସିକରି ଆସିବ, ମୋର ବିଶ୍ୱାସ ହୁଏ ନାହିଁ । ଏହି ଅବିଶ୍ୱାସ କ୍ରମେ କ୍ରମେ ମୋ ହୃଦୟରେ ବିଷାଗ୍ନି ଜାଳିଦେଲା ।

 

ଭଉଣୀ,

 

ମା’ ଗଲାଦିନୁ ଆଖିରୁ ଲୁହ ତ ଶୁଖିଲା ନାହିଁ, ତା’ ଉପରେ ପୁଣି ରକତ କାନ୍ଦିବାକୁ ପଡ଼ିଲା । ସେଦିନ ବାପା କହିଲେ, ‘‘ସେ ଯେବେ ଆଗ ପଛ ହେବ ତେବେ ଉପାୟ କ’ଣ ?’’ ଏ ପଦକ ମୋ କାନରେ ପଡ଼ିଥିଲା । ମୋ ଦିହରୁ ଜିଅ ଛାଡ଼ିଲା ପରି ହୋଇଗଲା । କିଏ ସେ ଆଗପଛ ହେବ ବୁଝିବାକୁ ବାକି ରହିଲା ନାହିଁ । ହେଲେ, ମୋ ମନକଥା କାହାକୁ ଫିଟାଇ କହିବି ? ସେଦିନ ଦେଖିଥିଲି–ଦିନେ–ଦଣ୍ଡକ ପାଇଁ ମାତ୍ର ସେଦିନ ପାଇଥିଲି ଖଣ୍ଡିଏ–ଚିଠି–ସେହି ଖଣ୍ଡିକ କେବଳ । ଏତିକି ତାଙ୍କ ସହିତ ମୋର ସମ୍ପର୍କ । ଏହାଛଡ଼ା ବିଧାତା ଆଉ କି ଭାବରେ ତାଙ୍କ ସଙ୍ଗେ ମୋତେ ବାନ୍ଧିଥିଲା ଯେ ମୋ ମନ ବଚନ କର୍ତ୍ତବ୍ୟ ପ୍ରତି–ଆଖି ପଲକରେ ତାଙ୍କ ଆଡ଼କୁ ଟାଣିଦେଲା । ଭାବିଲି, ମରିଗଲେ ଅବା ଏ ସମ୍ୱନ୍ଧ ଛିଡ଼ିବ ନ ହେଲେ ଏହା ସମ୍ଭବ ନୁହେଁ ।

 

ଭାଉଜ ଆସି କହିଲେ, ‘‘କନ, ଏତେ କିଆଁ ମନ ମାରି ଦେଇ ବସୁଚ ମ ? ଯାହା ତ ହେବାର ହେଲାଣି, ବାପା ଭାଇ ତ ଯାହା କରିବେ, ତୁମେ ଇମିତି ହେଲେ ଦେହ ଆଉ ରହିବଟି କି-? ଭାବି ଭାବି ସୁନା ଦେହକୁ ତ ଚୂନା କରି ସାରିଲଣି ! ଆଉ କେତେ ଭାବିବ ?’’

 

ସେ କିଆଁ ବୁଝିବେ ମୋ ମନ କଥା ? କଥା ଶୁଣି ମୋ ଆଖିରୁ ଦୁଇ ଟୋପା ତତଲା ଲୁହ ଗଡ଼ିଗଲା । ମୁଁ ତାଙ୍କ କାନି ପଣତରେ ମୁହଁ ଲୁଚାଇ ଦେଲି । ସେ ମୋତେ ଜାକି ପକାଇ କହିଲେ, ‘‘କାଲି ତ ମୋ କନ ଘରୁ ବାହାରିଯିବ; ଆଉ ଏ ଘରକୁ ମୋର ପାଦ ପକାଇବାକୁ ମନ ହେବ ନାହିଁ । ଆହା, କନ ମୋର, ଧନ ମୋର, ଆଉ ଇମିତି ହୁଅନା ।’’

 

ମୋର କୋହ ଉଠିଲା । ଭାବିଲି, ପରମନ ଯେବେ ଜାଣି ହେଉଥାନ୍ତା ମଣିଷ ଏ ସଂସାରରେ କିମିତି ରହୁଥାନ୍ତେ କେଜାଣି ? ଲାଜରେ ତ ମୁଣ୍ଡ ସଡ଼ି ଯାଉଥାନ୍ତା । ଭୟରେ ଦେହ ଥରି ଉଠୁଥାନ୍ତା । ମୁଁ ତ ଏବେ ଭାଉଜଙ୍କ ବୁକୁ ପାଖରେ ମୁଣ୍ଡ ଗୁଞ୍ଜି ମନେମନେ କେତେ କଥା ଭାବୁଛି । କାଇଁ, ଭାଉଜ ତ ତିଳେହେଲେ ମୋ ମନକଥା କହିପାରୁ ନାହାନ୍ତି । ମୋ ହୃଦୟ ଭିତରେ ଯେ ହାହାକାର ଉଠୁଛି, ସେ କଥା ତ ସେ କିଛିହେଲେ ଜାଣିପାରୁ ନାହାନ୍ତି । ତେବେ, ହରିଚରଣଙ୍କ ମନରେ ଏଠାରୁ କେତେ କୋଶ ଦୂରରେ କ’ଣ ଖେଳୁଥିବ ମୁଁ କେମିତି ଜାଣିବି ? ବାପା, ଭାଇ କିମିତି ଜାଣିବେ ? ଉଡ଼ା ଖବରରେ, ଅନୁମାନରେ କ’ଣ ମନ କଥା ବୁଝିହେବ ? ମୁଁ ସିନା ଭାବୁଛି, ଆମର ଧନଦରବ, ମାନ ମହତ୍ତ୍ୱ କିଛି ରହିଲା ନାହିଁ ବୋଲି ସେ ମୋତେ ପାଦରେ ଠେଲି ଦେବେ; ମାତ୍ର ସେ ଯେବେ ତେଣେ କଲେଜ ଘରେ ବସି ଭାବୁଥିବେ–ଧନ ଦରବ ନାହିଁ ? ନ ଥାଉ ମୁଁ ମୋ କନକକୁ ହୃଦୟ ଭିତରକୁ ଟାଣି ନେଇ ଅମୂଲ୍ୟ ଧନରତ୍ନ ଦେବି । ଧନ କ’ଣ ମନକୁ ବଡ଼ କରେ ? ବଡ଼ କରେ ସ୍ନେହ, ସୁଖ, ପ୍ରୀତି । ଏହା ସେ ନ ବୁଝୁଥିବେ ବା କିଆଁ ? ପାଠ ପଢ଼ିଛନ୍ତି, ଜାଣିବାର ବୋଲେଇଛନ୍ତି । ଛି, ମୁଁ ଘର କୋଣରେ ବସି ଏତେ ଏତେ ସନ୍ଦେହ କରିବି କିଆଁ ମ ? ସେ ତ ଲେଖି ପଠାଇଛନ୍ତି, ‘ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର ।’ ସେ କ’ଣ ମୋର ନୁହନ୍ତି କି ?

ଭଉଜ ମୋ ମୁଣ୍ଡକୁ ଧୀରେ ଧୀର ବୁକୁସନ୍ଧିରୁ କାଢ଼ି, ମୁହଁରେ ଗୋଟିଏ କଅଁଳିଆ ଚୁମ୍ୱ ଦେଇ କହିଲେ, ‘ଥିର ହୁଅ ମା’, ଥିର ହୁଅ ।’

ଭାଉଜଙ୍କର ଏ ପଦଟି ମୋତେ ସମ୍ପୂର୍ଣ୍ଣ ନୂଆ ଲାଗିଲା । ମା’ ମଲା ପରେ ଏପରି ‘ମା’ ଡାକ ମୁଁ କାହାଠାରୁ ଶୁଣି ନଥିଲି । ପଣତ କାନିରେ ନ ଜାଣିଲା ପରି ଆଖି ମୁହଁ ପୋଛି ପକାଇ ହସିବାକୁ ଚେଷ୍ଟା କରି କହିଲି ।

‘‘ନାଇଁ, ଭାଉଜ, ମୁଁ ତ ମନ ଦୁଃଖ କରୁ ନାହିଁ ।’’

 

ସେ ମୋ ହସ ଦେଖି କହିଲେ, ‘‘ନାହିଁ ଗୋ କନ, ତୁମେ ଦୁଃଖ କରିବ କିଆଁ ? ସେ କ’ଣ ଆଉଥରେ ପାନ କିଣି ଆସିବେ ନାଇଁ କି ?’’

 

ଲାଜରେ ମୁଁ ମୁଣ୍ଡ ପୋତି ଦେଲି ।

 

ପ୍ରିୟ ରମେଶ,

 

ମୋ ହୃଦୟରେ ବିଷ ସଞ୍ଚରିଲା–ଦିନେ ଦୁଇ ଦିନରେ ନୁହେଁ, ମାସ ମାସ ବର୍ଷ ବର୍ଷ କଟିଗଲା । କେତେ ଛୁଟି ଗଲା, ଗାଁକୁ ଗଲି, କଲେଜକୁ ଫେରିଲି । ପୁରୀ, କପିଳାସ, ମହେନ୍ଦ୍ର, ମେଘାସନ, ବାଲେଶ୍ୱର, ପାରଳାଖେମୁଣ୍ଡି ବୁଲିଲି । ଏ ଭିତରେ ଜୀବନର ପ୍ରତି ମୁହୂର୍ତ୍ତ ଗଣି ଗଣି କେତେ କେତେ କଥା ଘଟିଗଲା । ଘଟନାସଂକୁଳ ଜୀବନଟା କ୍ରମେ ମୋତେ ରହସ୍ୟମୟ ବୋଧହେଲା । ସତ୍ୟବାଦୀର ଶ୍ୟାମାୟମାନ ନିକୁଞ୍ଜ କ୍ରମେ ମାନସ-ଚକ୍ଷୁରେ ନିଷ୍ପ୍ରଭ ଦିଶିଲା, କନକ ପିତଳ ଉକୁଟିଲା, ସେ ସେ ପାନ ଦୋକାନ ପାଖ ସ୍ମୃତି ହୃଦୟକୁ ଛୁଞ୍ଚି ମାଇଲା ପରି ବିନ୍ଧିଲା, ଲଜ୍ଜା ସରମରେ ଦଗ୍‌ଧ କଲା ।

 

ଘରୁ ତାଗିଦ୍‌ ଚିଠିମାନ ଆସିଲା–ଚଞ୍ଚଳ ବିବାହ ଶେଷ କରିବାକୁ ହେବ ।–ରୁ ନାନା ସୂତ୍ରରେ ଚିଠି ପାଇଲି ଯେ, ଶ୍ୱଶୁର ଘରର ଅବସ୍ଥା ବଡ଼ ଶୋଚନୀୟ । ଏଇ ଦୁଇ ଦିଗର ମୂଲ୍ୟ ଏବଂ ମୋର ସେ ସମୟର ଅବସ୍ଥାର ମୂଲ୍ୟକୁ (ଆଇ.ଏ. ପାସ୍‍କରି ବି.ଏ.ରେ ଗୋଡ଼ ଦେଇଥାଏ) ନିକିତରେ ତୁଳିବାକୁ ହେଲା । ଯେତେ ବୁଝିବିଚାରି ଓଲଟ ପାଲଟ କରି ଦେଖିଲେ ମଧ୍ୟ ମୋର ମୁଲ୍ୟଟା ସେ ଦୁଇ ମୂଲ୍ୟଠାରୁ ଢେର ବେଶି ହେଲା । ସମଗ୍ର କନକକୁ ଏକ ପାଖରେ ପକାଇ ମଧ୍ୟ ମୋର ଭ୍ରମ ଦୂର ହେଲା ନାହିଁ ।

 

ସମୁଦ୍ରରେ ଜୁଆର ଯୋଗେ ନଦୀବକ୍ଷ ଫୁଲି ଉଠିଥାଏ, ଭଟ୍ଟାହେଲେ ପୁଣି ତାହା ଖାଲି ପଡ଼ିଯାଏ । ମୋ ହୃଦୟ ସେହିପରି ହେଲା । ଜୁଆରପରି ମୋ ହୃଦୟ-ନଦୀରେ କନକ ପ୍ରତି ଯେ ଅସମ୍ଭବ ବ୍ୟାକୁଳତା ଜାଗି ଉଠିଥିଲା, ଭଟ୍ଟା ଆରମ୍ଭ ହୋଇ ତାହା ନିଃଶେଷ ହେବାକୁ ଲାଗିଲା । କେତେ ମାସ ତଳର ଅତଳ ହୃଦୟ-ନଦୀଟା ନିଦାଘ ତପ୍ତ ମହାନଦୀ ପରି କଙ୍କାଳ ବକ୍ଷ ମେଲାଇ ଦେଇ ଶୂନ୍ୟକୁ ଚାହିଁ ଖାଲି ହାହାକାର କଲା । ଗତ ସ୍ମୃତିଗୁଡ଼ାକ ମନରେ ରଖିବାକୁ ଇଚ୍ଛା ହେଉ ନ ଥିଲା, ପୁଣି ନ ରଖିବାକୁ ଶକ୍ତି ନ ଥିଲା । ମହାନଦୀର ତପ୍ତ ବାଲୁକା ପରି ସେ ଭାବନା ମୋର ଶୂନ୍ୟ ହୃଦୟଟିକୁ ଉତ୍ତପ୍ତ କରିଦେଇଥିଲା । ହୃଦୟଟା ଶୂନ୍ୟ ରହି ତୃପ୍ତ ହେଲା ନାହିଁ । ଆଉ ଏକ ଜୁଆର ପ୍ରତୀକ୍ଷାରେ ରହିଲା । ଏହା କିନ୍ତୁ କନକ ଉଦ୍ଦେଶ୍ୟରେ ନୁହେଁ । ଆଉ କେଉଁ ଅଜ୍ଞାତ ମୂର୍ତ୍ତିର ଉଦ୍ଦେଶ୍ୟରେ ।

Unknown

 

ଭାବି ବସିଲି Love ଜିନିଷଟା କ’ଣ ? ଏଟା ହୃଦୟ ସହିତ ହୃଦୟର ମିଳନ, ଅନିର୍ବଚନୀୟ ଦୁଇଟି ହୃଦୟର ମହାଭାବର ଏକତ୍ର ସମାବେଶ ନା ଅସମାନ ଦୁଇଟା ପ୍ରାଣ ଏକତ୍ର ମିଳିବାର ବିଫଳ ପ୍ରାୟାସ ? Love ଶାଶ୍ୱତ, ନିତ୍ୟ, ସବୁ ଦେଶ ସବୁ କାଳରେ ସମାନ । ସେ କାଳର ତପସ୍ୱିନୀ, ବନବାସିନୀ, ଏକାକିନୀ ଶକୁନ୍ତଳାଙ୍କ Love ଏବଂ ଏ କାଳର ଲକ୍ଷ୍ମୀସ୍ୱରୂପିଣୀ, ବୀଣା ପୁସ୍ତକଧାରିଣୀ, ଚଟିଚଶମାଶାଳିନୀ, କୁଞ୍ଚିତକୁନ୍ତଳିନୀ ବାଳିକାଙ୍କ Love ଭିତରେ ପ୍ରଭେଦ ତ କିଛି ନାହିଁ । ଯାହା କିଛି ପ୍ରଭେଦ ବାହାରେ । କୁମାରୀ ଶକୁନ୍ତଳା ଲୁଗାକାନି କଣ୍ଟାବୁଦାରେ ଲଗାଇ, ମୁହଁରୁ ଭଅଁର ଉଡ଼ାଇ Loveରେ ଆଭାସ ଦେଖାଇଥିଲେ, ଏମାନେ ଉନ୍ମୁକ୍ତ ଗଗନ ତଳେ ହସ ହସ ମୁହଁରେ ବନ୍ଧୁ ସମ୍ୱର୍ଦ୍ଧନା କରି, ସିନେମା ହଲରେ ପ୍ରତ୍ୟକ୍ଷ ସାକ୍ଷାତ ଦେଇ କିମ୍ୱା ରାଜରାସ୍ତାରେ ରୁମାଲ ପକାଇ ଦେଇ Loveର ଆଭାସ ଦେଖାଉଛନ୍ତି । ଏଠାରେ ଲୁଚା ଚୋରା କିଛି ନାହିଁ । ଲଭ୍‌ ଜିନିଷଟା ବିକୃତ ହେବାର ନୁହେଁ । ତାହା ଦଶ ହଜାର ବର୍ଷ ତଳେ ହୃଦୟରେ ଫୁଟିଥିଲା, ଏବେ ମଧ୍ୟ ହୃଦୟରେ ଫୁଟୁଛି । ଆବରଣ ଭିତରେ ପ୍ରକୃତ ଆତ୍ମା ରହିଛି । ଯୁଗେ ଯୁଗେ କେବଳ ଏ ଆବରଣ ବଦଳିଛି, ବଦଳିବ । କିନ୍ତୁ ଆତ୍ମା ଅଜର ଅମର । ଶତ ସହସ୍ର ଯୁଗର କଙ୍କାଳସାର ସମାଜ ମୁହଁରେ ଏହାର କଦର୍ଥ ହୋଇ ଯାହା କିଛି ବ୍ୟତିକ୍ରମ ଘଟୁଛି ମାତ୍ର । ସେମାନେ ସମାନର ମିଳନ ପାଇଁ ତ ଜଗତରେ ନିତ୍ୟ ଚହଳ ପଡ଼ିଛି । ସମୁଜ୍ଜ୍ୱଳ ବିଦ୍ୟୁତ୍‌ ସଙ୍ଗେ ଭୀଷଣ ବଜ୍ର, ବିଶ୍ୱନଟ ଶ୍ରୀକୃଷ୍ଣଙ୍କ ସଙ୍ଗେ ଭାବମୟୀ ରାଧା, ପରମ ତପସ୍ୱୀ ଶିବଙ୍କ ପାଖେ ତପସ୍ୱିନୀ ପାର୍ବତୀ ଥିବା କଥା କିଏ ନ ଜାଣେ ? ସମାଜ କ’ଣ ଏ କଥା ମାନିବାକୁ ନାରାଜ ? ଭାବିଲି, ପ୍ରକୃତି ଲଭ୍‌ ସ୍ରୋତରେ ଭାସି ଭାସି ହସୁଛି । ମନୁସନ୍ତାନ ପ୍ରକୃତିରୁ ଅନ୍ତର ନୁହେଁ । ଆଜି କନକ ଓ ମୋ ମଧ୍ୟରେ ଯେ ମିଳନଚେଷ୍ଟା ହାତଗଢ଼ା ସମାଜ ନିୟମରେ ହେବାକୁ ଚାଲିଛି ସେପରି ଅସମାନ ମିଳନ ତ ପ୍ରକୃତିରେ ନାହିଁ । ଜଗତରେ କେତେ ଧାତୁ ନାହିଁ; କିନ୍ତୁ ଚୁମ୍ୱକ ଲୁହାକୁ ଟାଣେ-। ମୋ ହୃଦୟ-ଚୁମ୍ୱକ ଯେ କାହାକୁ ଟାଣିବ ଏଥିପାଇଁ ସମାଜ ଏତେ ବ୍ୟସ୍ତ କିଆଁ ? ଉପଯୁକ୍ତ ଉପଯୁକ୍ତର ମିଳନ ସିନା ଜଗତରେ ସମ୍ଭବ ! ତା’ ନହେଲେ ଜଗତଟା ଭାଜିରୁଜି ଗୁଣ୍ଡା ହୋଇ ଯାଆନ୍ତା ।

 

ଭାବି ଭାବି ଖଟ ଉପରେ ଚିତ୍‌ ହୋଇ ପଡ଼ିଗଲି । ବୁକୁ ଭିତରୁ ଗୋଟାଏ ଦୀର୍ଘନିଃଶ୍ୱାସ ବାହାରି ସେ କ୍ଷୁଦ୍ର କୋଠରୀଟାରେ ଖେଳେଇ ହୋଇଗଲା । ହୃଦୟ ଭିତରେ ଆଉ କନକର ସ୍ଥାନ ଦେଖିଲି ନାହିଁ; ଆଉ କିଏ ଯେ କେତେବେଳେ ଆସିବ ତା’ର ଆଭାସ ଅସ୍ପଷ୍ଟ ଛାୟା ପରି ଜଣାପଡ଼ିଲା । ହୃଦୟ ଶୂନ୍ୟ, ଘରଟା ଶୂନ୍ୟ, ଜଗତଟା ଶୂନ୍ୟ ବୋଧ କଲି ।

 

ମୋ ଚାରିପାଖରେ ଧଳା ଧଳା କାନ୍ଥ ଚାରିଟା, ଚେପ୍‌ଟା ଧଳା ଛାତଟା ଘେରି ରହିଥିଲେ । ଭାବିଲି, ମୋତେ ସେହିମାନେହିଁ ଲଭ୍‍ କରି ରହିଛନ୍ତି । ନ ହେଲେ ସେମାନେ ପଡ଼ିଯାଆନ୍ତେ । ମୁଁ ଗଲାପରେ ଆଉ ଏ ଘରେ ଯିଏ ରହିବ, ତାକୁ ମଧ୍ୟ ଏମାନେ ଲଭ୍‌ କରି ରହିବେ । ଲଭ୍‌ର ଜାତି ବିଚାର ନାହିଁ । ଯେଉଁ ଦିନ ଏ ଘରେ ଛାତ୍ରର ଅଭାବ ହେବ, ଏ କଲେଜ ହତା ଜନଶୂନ୍ୟ ହୋଇପଡ଼ିବ, ସେଦିନ ଏ ଘରର ସାର୍ଥକତା, କଲେଜର ସାର୍ଥକତା ଯିବ ସତ, ଏସବୁ ଗୁଣ୍ଡା ହୋଇ ତଳେ ପଡ଼ିଯିବ ସତ, ତଥାପି ଲଭ୍‌ ଅମର; ଲୋକେ ଏ ସ୍ଥାନର ସ୍ମୃତିକୁ ପୂଜା କରିବେ–ଭୁଲି ପାରିବେ ନାହିଁ । ମୋ’ପରି ସାତ ସହ ଛାତ୍ରଙ୍କ ପ୍ରତି ଏସବୁ ଘରର ଲଭ୍‌ ଅଛି ଏହା ଭାବି କାନ୍ଥର ଚୂନଇଟାକୁ ନିବିଡ଼ ଆଲିଙ୍ଗନରେ ଆପଣାର କରି ଧଇଲା ପରି ପାଖରେ ଥିବା ଖଣ୍ଡେ ବହିକୁ ବୁକୁରେ ଧରି, ଖୁବ୍‌ ଜାକିପକାଇ କହିଲି, ବେଶ୍‌ ବେଶ୍‌ ବେଶ୍‌, ଏ ବହିକୁ ମଧ୍ୟ ମୁଁ ଲଭ୍‌ କରୁଛି ।

 

ବାହାରର ଦୀର୍ଘ କୃଶ ପଞ୍ଜରର ପିଞ୍ଜରାକାଠି ଭେଦ କରି କାହାର ଶୀତଳ ନିଃଶ୍ୱାସ ଘନ ଘନ ବହିଆସୁଥିଲା । ଦୂର ଦିଗ୍‌ବଳୟ ସୀମାରେ ଖଣ୍ଡେ କଳାମେଘ ତଳେ ଦୁଇଚାରିଟି ତାରା କ୍ଷଣେ ମୁହଁ ଲୁଚାଇ ପରକ୍ଷଣରେ ହସି ଉଠୁଥିଲେ;–ଘଣ୍ଟା ବାଜିଲା, ଠଣ୍‌ ଠଣ୍‌ ଠଣ୍‌, ଚମକି ପଡ଼ିଲି । ପଢ଼ିବାକୁ ବହି ଧଇଲି, ମାତ୍ର ପଢ଼ିବି କ’ଣ ? ଏତେ ଦିନ ସତ୍ୟବାଦୀର ବକୁଳ ନିକୁଞ୍ଜରୁ ଆରମ୍ଭ କରି କଲେଜର ଧଳା ମେଘନାଦ ପାଚିରି ଡେଇଁଲା ପାଖାପାଖି ଯାହାକୁ ପଢ଼ିବାକୁ ଚେଷ୍ଟାକରି କେତେକ ପରିମାଣରେ କୃତକାର୍ଯ୍ୟ ହୋଇଥିଲି, ଆଜି ତାହା ପ୍ରେତଛାୟା ପରି ମୋତେ ବୋଧ ହେଉଛି, ବାଷ୍ପ ପରି ମୁହୂର୍ତ୍ତେ ଦେଖା ଦେଇ କୁଆଡ଼େ ଉଭେଇଯାଉଛି । ଯାହାକୁ ଅଭ୍ରାନ୍ତ ସତ୍ୟ ବୋଲି ଭାବିଥିଲି, ଆଜି ଦେଖୁଛି ସେ ଉତ୍ତପ୍ତ ବୈଶାଖର ମଧ୍ୟାହ୍ନ ମରୀଚିକା । ଅବସ୍ତୁରେ ବସ୍ତୁ ଜ୍ଞାନ କରି ମୁଁ କନକ ପଛରେ ଗୋଡ଼େଇଥିଲି । ମୋ ଲଭ୍‌ କନକ ପରି ଅଯତ୍ନପାଳିତା ବାଳିକା ପ୍ରାଣରେ ସମ୍ଭାଇବା ଅସମ୍ଭବ !

 

ଭାବନାର ଏ ଘଣ୍ଟାଚକଟା ସନ୍ଧିକ୍ଷଣରେ ମୋତେ କିଏ ଉଦ୍ଧାର କରିବ ? ବ୍ୟଥିତ ଜୀବନକୁ ଆହୁରି ଚହଲାଇ ଦେଇ ନୈରାଶ୍ୟର ମହାକାଳ ଛାୟା ହୃଦୟକୁ ଘୋଡ଼ାଇ ଦେଲା । ପଞ୍ଜରର ଦୁଇଟା ପଞ୍ଜରା ହାଡ଼କୁ ଧରି ବାହାରକୁ–ନିବିଡ଼ଅନ୍ଧକାର ରାଜ୍ୟକୁ ଆଖି ଫେରାଇଲି । ସେ ଘନ ତମସାବୃତ ଧରଣୀର ନିର୍ବେଦ ଆହ୍ୱାନ ଯେପରି ମୋ ପ୍ରାଣର ପ୍ରତି ଅଣୁ ପରମାଣୁ ଚମକାଇ ଭେଦ କଲା । କବି ରବୀନ୍ଦ୍ରଙ୍କ ପଦେ ଗୀତ ମନେପଡ଼ିଲା :–

 

‘‘ଡାକ, ଡାକ, ଡାକ ଆମାରେ

ତୋମାର ସ୍ନିଗ୍‍ଧ ଶୀତଳ ମଧୁର ପବିତ୍ର ଆଁଧାରେ

ଦେଖା ଦିକ୍‌ ମମ ଅନ୍ତରତମ

ଅଖଣ୍ଡ ଆକାରେ ।’’

 

ଏହି ଅଖଣ୍ଡ ଆକାର କନକର କି ଆଉ କାହାର, କିମ୍ୱା ସେହି ଅନାଦି ପୁରୁଷଙ୍କର, ସେତେବେଳର ସେହି ସୁସ୍ପଷ୍ଟ ଧାରଣା ଏତେବେଳେ ନାହିଁ ।

 

ଏହିପରି କେତେ ଚିନ୍ତା ଯେ ଦିନକୁ ଦିନ ମୋ ପ୍ରାଣକୁ ଘାରି ପକାଇଲା ସେ ସବୁର କେବଳ ବିକ୍ଷିପ୍ତ ଅଂଶ ଏ ପତ୍ରରେ ଲେଖିବସିଲେ ପୁଣି ଅଠର ପର୍ବ ମହାଭାରତ ରଚନା କରାଯାଇ ପାରିବ । ମୋର ପଢ଼ାପଢ଼ି ଗଲା, ଘର ଚିନ୍ତା ଗଲା, ଦେଶ ଭାବନା ଗଲା–କ୍ରମେ କ୍ରମେ କନକ ଚିନ୍ତା ଗଲା,–ସେ ସ୍ଥାନରେ କି ଏକ ଅନିନ୍ଦ୍ୟ ସୁନ୍ଦର ମୋହିନୀ ମୂର୍ତ୍ତିର ଜ୍ୟୋତ୍ସ୍ନାପୁଲକିତ ତନୁ କଳା ମେଘ ଭିତରେ ପୂର୍ଣ୍ଣ ଚନ୍ଦ୍ରର କ୍ଷୀଣ ଆଭାସ ପରି ଅଚିହ୍ନା ଅଜଣା ଭାବରେ ହୃଦୟ ଗଗନରେ ଦେଖାଦେଲା । ସେ ଛବିକୁ ମୁଁ ଚିହ୍ନିପାରିଲି ନାହିଁ । ଧରିବାକୁ ଚେଷ୍ଟା କରି ଧରିପାରିଲି ନାହିଁ–କପାଳରେ ହାତ ଦେଇ ବସିପଡ଼ିଲି । ଲଭ୍‌ ! ଲଭ୍‌ ! ଲଭ୍‌ ! ଭାବିଲି, ମୋ ପ୍ରାଣକୁ ଲଭ୍‌ ନଚାଉଛି, ଜଗତକୁ ଲଭ୍‌ ନଚାଉଛି, ଏହା ବ୍ୟତୀତ ଜଗତ ଅସମ୍ଭବ–ମୁଁ–କି ଛାର !

 

ଭଉଣୀ,

 

ଯାହା କହନ୍ତି, ‘‘ତୁଣ୍ଡବାଦ୍ୟ ସହସ୍ର କୋଶ’’–ସତକୁ ସତ ସେଇ କଥା କେତେ ଲୋକଙ୍କ ମୁହଁରୁ ଶୁଣାଗଲା । କଥା ଯେତିକି ଶୁଣାଗଲା, ଦିନ ଯେତିକି ଗଡ଼ିଲା, ମୋ ମନରେ ସେତିକି ସନ୍ଦେହ ବଢ଼ିଲା । ପାଞ୍ଚଲୋକ ଏକାଠି ବସି କଥାହେଲେ ଭାବେ, ମୋରି କଥା ପକାଇଛନ୍ତି କି ? ବାପା, ଭାଇ ତୁନି ତୁନି କ’ଣ କଥା ହୋଇ ବସିଲେ ମୋ ମନକୁ ସେଇ କଥା ଛୁଏଁ । ନ ଖାଇ ନ ପିଇ ମୁଁ କଣ୍ଟାପରି ହୋଇଗଲି । ମନ ଦମ୍ଭରେ ସବୁ ଶୁଣୁଥାଏ; ବେଳେବେଳେ ଭାବୁଥାଏ, ‘‘କଥାଟା ସତ ହୋଇ ନ ଥିବ ପରା !’’

 

ମୋର ଏପରି ସମୟ ନ ଥିଲା, ଯେତେବେଳେ କି ତାଙ୍କରି କଥା ଭାବୁ ନ ଥିଲି । ପହିଲି ଆଷାଢ଼ ରାତିରେ ଥରେ ବାଡ଼ିଦୁଆରେ ବାହାରକୁ ଚାହିଁ ମୁଣ୍ଡରେ ହାତ ଦେଇ ବସିଥିଲି । ବାପା ଭାଇ ଖାଇସାରି ଦାଣ୍ଡକୁ ଯାଇଥିଲେ । ଭାଉଜ ସବୁ ରାତିରେ ଆସି ମୋ ସଙ୍ଗେ କଣହେଲେ ଦି’ପଦ କଥା ହୋଇଯାନ୍ତି, ସେ ରାତିରେ ସେ ଆସି ନ ଥିଲେ । ମୁଁ ଏକୁଟିଆ ହୋଇ କେତେ କଥା ଭାବି ଯାଉଥିଲି, ତେଣେ ବରୁଣେଇ ପାହାଡ଼ର ମୁଣ୍ଡ ଉପରକୁ କଳାହାଣ୍ଡିଆ ମେଘ ଘୋଟି ଆସୁଥିଲା । ଆକାଶରେ ଯେତେ ତାରା ହସୁଥିଲେ, ସବୁ କୁଆଡ଼େ ଲୁଚିଗଲେ । ଘିଡ଼ି ଘିଡ଼ି ରବରେ ମେଘ ଗର୍ଜଉଠିଲା । ବିଜୁଳି ଚମକରେ ମୋ ବେଶ ଦେଖି ମୁଁ ଚମକି ପଡ଼ିଲି । ଲୁଗାପଟାକୁ ଦେହରେ ଭଲକରି ଜଡ଼ାଇ ଦେଇ, ବାଳକୁ ମୁହଁ ଉପରକୁ ଆଡ଼େଇ ଦେଇ ପୁଣି ଗାଲରେ ହାତ ଦେଇ ବସିଲି । ସେ କିଟିମିଟି ଅନ୍ଧାର ରାଜ୍ୟରେ କେବଳ ତାଙ୍କରି ରୂପଟି ମୋ ଆଖିକୁ ଦିଶୁଥାଏ । ଜଗତ ସଂସାର ସବୁଆଡ଼ ଅନ୍ଧାର, କେବଳ ମୋ ଆଗରେ ଗୋଟିଏ ମାତ୍ର ଉଜ୍ଜ୍ୱଳ ମୂର୍ତ୍ତି–ସେ ମୂର୍ତ୍ତିକୁ ମୁଁ କେବେ ପାସୋରି ପାରିଲି ନାହିଁ ଲୋ ଭଉଣୀ !

 

ସେହି ଅନ୍ଧାର ସଂସାରକୁ ଚାହିଁ ମୋର ଚେତା ବୁଡ଼ିଗଲା । ସେହି ମୁହୂର୍ତ୍ତରେ ମୋତେ ଦିଶିଲା–ବରଯାତ୍ରୀ ଚାଲିଛନ୍ତି, ଆଲୁଅ ମାଳ ମାଳ ହୋଇ ଆକାଶରେ ତାରାପରି ଫୁଟି ଅନ୍ଧାର ରାଜ୍ୟକୁ ଆଲୋକିତ କରୁଛନ୍ତି । ବାଣଫୁଟା ଶବ୍ଦରେ ବଜ୍ରଶବ୍ଦ ଶୁଭୁ ନାହିଁ । ହୁଳହୁଳି, ଶଙ୍ଖଧ୍ୱନିରେ ପବନ ଥରିଉଠୁଛି । ଏସବୁ ପଟୁଆର ଆମରି ଦୁଆରେ ଆସି ଉଭା । ....ଘରୁ ମୋତେ ଭାଉଜ ଧରିନେଲେ, ଲୁଗା ଘୋଡ଼େଇଦେଲେ, ବେଦୀରେ ବସାଇଦେଲେ । ମୋ ଗଳାରେ କର୍ପୂର ଚନ୍ଦନମାଳା ଦିଆହେଲା, ବେଣୀରେ ବଉଳମାଳା ଓହଳାଇ ଦିଆଗଲା, ପାଦର ଅଳତା ରଙ୍ଗରେ ଚାଲିବା ବାଟ ପାଦ ପାଦ ରଙ୍ଗହୋଇ ଉଠିଲା । ବେଦୀରେ ବସିଲି । କିଏ କ’ଣ ଗାଇଲା, ‘‘ଯଥା ନଳସ୍ୟ ଦମୟନ୍ତୀ ।’’ କାହାର ଉଷ୍ଣ କର ପଲ୍ଲବଟିଏ ମୋର ଥର ଥର ଶୀର୍ଣ୍ଣ ହାତ ଉପରେ ଥୁଆହେଲା ! –ବିଜୁଳି ଖେଳିଲା ପରି ମୋର ସର୍ବାଙ୍ଗ କମ୍ପି ଉଠିଲା ! ମୁଁ ଚମକିପଡ଼ି ଦେଖିଲି, ସବୁ ମିଛ । –ମୁଁ ସେହି ପାରିଜାତ ଖେଳାରୁ ଖସି ରସାତଳରେ ପଡ଼ିଛି । ପାଖରେ କେହି କେଉଁଠି ନଥିଲେ । କେବଳ ସେତେବେଳେ ଖେଳୁଥିଲେ ଆକାଶରେ ବିଦ୍ୟୁତ୍‌ ଓ କଳାମେଘ ଏବଂ ଆମ ବାଡ଼ିଦୁଆରେ ମୁଁ ଏକାକିନୀ ତାହା ଦେଖୁଥିଲି । ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ ସେଠାରେ ମୁଁ ଲେସି ହେଲାପରି ବସି ରହିଲି ।

 

ଏତିକିବେଳେ କାହାର ଗୋଟିଏ ହାତ ମୋର କପାଳ ଦେଶରେ ବାଜିଲା । ଭାଉଜଙ୍କ ମୁହଁର କଥା ଧୀରେ ଧୀରେ ଶୁଭିଲା–‘‘କନ, ବସିଚ ?’’

 

ମୁଁ ଚମକିଲା ପରି ହୋଇ ତାଙ୍କ ଉପରକୁ ଆଉଜି ପଡ଼ିଲି । ସେ ମୋ ମୁଣ୍ଡଟିକୁ କିଛି ସମୟ ଆଉଁସି ଆଉଁସି କହିଲେ, ‘‘ରାତି ବେଶି ହେଲାଣି, ଶୋଇପଡ଼ କନ !’’

 

ସେତେବେଳେ ତାଙ୍କର ସେ କଥାରେ ମୋର ମନ ନଥିଲା । ମୁଁ ଭାବୁଥିଲି ସେହି ସ୍ୱପ୍ନ କଥା । ମୋ ମନରେ ଘନ ଘନ ନାଚୁଥିଲା–

 

‘‘ନ ଛାଡ଼ିଲେ ଆଉ ଗତି ନାହିଁ

ଛାଡ଼ିଲେ ତ ଛାଡ଼ି ହେଲା ନାହିଁ

ଚୁଚୁନ୍ଦ୍ରାକୁ ନାଗ ଧଇଲା ଦୁର୍ଯୋଗ

ଦଇବ ସମ୍ପାଦିଥିଲା କାହିଁ

ଆଗୋ ପ୍ରାଣସହି !’’

ଏ କ’ଣ ସେହିପରି କଥା ନୁହେଁ କି ଭଉଣୀ !

 

ପ୍ରିୟ ରମେଶ,

 

କଲେଜର ପଶ୍ଚିମପଟ ବ୍ଳକ୍‌ର ଦକ୍ଷିଣ ଦିଗକୁ ପ୍ରକାଣ୍ଡ ପଡ଼ିଆ; ସେ ମଧ୍ୟରେ ଦୁଇ ଚାରିଟା ବ୍ରହ୍ମ ରାକ୍ଷସ ପରି ମୁଣ୍ଡ ଟେକି ଉଠିଛନ୍ତି । ରାତି ପ୍ରାୟ ନଅଟା ହେବ, ଆମେ ଚାରି ଛଅ ଜଣ ଯୁବକ ପ୍ରେତଯାତ୍ରୀ ପରି ପଡ଼ିଆର ଏକ କୋଣରେ ବସି ଗପ କରୁଥିଲୁ । ବିବାହ ଧର୍ମ ସମ୍ୱନ୍ଧରେ ଆଲୋଚନା ଚାଲିଥିଲା । ଦୁଇ ଘଣ୍ଟା କାଳ ତର୍କ ବିତର୍କ ବିତଣ୍ଡା ପରେ ବୟୋବୃଦ୍ଧ ଜ୍ଞାନବୃଦ୍ଧ ଏମ୍‌.ଏ. ପରୀକ୍ଷାର୍ଥୀ କିଶୋର ବାବୁ ଚଷମାଟାକୁ ଆଖିରୁ କାଢ଼ି ହାତରେ ଧରି କହିଲେ, ‘‘ମୋର ଯେତେ ଦୂର ବିଶ୍ୱାସ ବିବାହ ସହିତ ସମ୍ଭୋଗର କିଛି ସମ୍ୱନ୍ଧ ନାହିଁ । ବିବାହ କିଛି ନୁହେଁ, କେବଳ ଗୋଟାଏ ପାରମ୍ପରିକ ସାମାଜିକ ନୀତିର ବନ୍ଧନ । ସେ ବନ୍ଧନର ଦୃଢ଼ତା ଓ ଶିଥିଳତା ମାପକାଠି ଉପରେ ଶାସ୍ତ୍ର ଲୋକକୁ ଉଚ୍ଚ ନୀଚ୍ଚ ଆସନ ଦେଉଛି । ବିବାହ ଯେ ଦୁଇଟ ଅପୂର୍ଣ୍ଣ ପ୍ରାଣର ଅନନ୍ତ ପରିପୂର୍ଣ୍ଣତା ପାଇଁ, ଏହା ଆଉ ଆଜିକାଲି ଲକ୍ଷ୍ୟ ନାହିଁ–ଲୋକେ ମଧ୍ୟ ଏହା ବୁଝିପାରନ୍ତି ନାହିଁ । ସମାଜ ସେ ଲକ୍ଷ୍ୟ ଭୁଲିଛି । ଓହୋ, ଈଶ୍ୱରଦତ୍ତ ହୃଦ୍‌ଗତ ଭାବକୁ ସୀମାବଦ୍ଧ କରିବା ପାଇଁ ପୂର୍ବ ଶାସ୍ତ୍ରକାରଗଣ କି କଠୋର ପ୍ରୟାସ ବା କରି ନ ଥିଲେ ? ପ୍ରେମ ବାନ୍ଧି ରଖିବା ପାଇଁ ବିବାହକୁ ଗଢ଼ିଥିଲେ; କିନ୍ତୁ ମୋର ଧାରଣା, ପ୍ରେମ ଜିନିଷଟାକୁ ବାନ୍ଧି ରଖିବାକୁ ଚେଷ୍ଟା କରିବା ଋଷି-ଯୁଗର ଶାସ୍ତ୍ରକାରମାନଙ୍କର ଏକ ମସ୍ତବଡ଼ ଭୁଲ୍‌ । ପ୍ରେମଟା ବିନା ବିବାହରେ ମଧ୍ୟ ପବିତ୍ରତମ ଅବସ୍ଥା ପାଇପାରେ । ଫୁଲ ସଙ୍ଗେ ଫୁଲକୁ ଗୁନ୍ଥିଲେ ତାକୁ ଫୁଲମାଳ କୁହାଯାଇ ପାରିବ; ମାତ୍ର ଫୁଲ ସଙ୍ଗେ ଯେବେ ପଥର ଗୁନ୍ଥାଯିବ ତେବେ ତାକୁ ଫୁଲମାଳା କୁହାଯିବ କିପରି ? ଆମର ଏବ ସମାଜ ପ୍ରେମକୁ ବର୍ତ୍ତମାନର ବିକୃତ ବିବାହ ସଙ୍ଗେ ଏପରି ପଥର ମିଶା ଫୁଲମାଳା କରିବାକୁ ଚେଷ୍ଟା କରୁଛି । ଆଜିକାଲି ବିବାହକୁ ପ୍ରଣୟ-ମିଳନ କୁହାଯାଇ ପାରିବ ନାହିଁ । ଏହା ପ୍ରଣୟର ଅତ୍ୟାଚାର, ସମ୍ଭୋଗର ଅନ୍ଧକୂପ ! ଜଣେ ସନ୍ତରଣପଟୁ ବ୍ୟକ୍ତିର ଗଳାରେ ଏକ ଗୁରୁଭାରବିଶିଷ୍ଟ ଜଡ଼ବସ୍ତୁ ବାନ୍ଧି ଛାଡ଼ିଦେଲେ ସେ ଯେପରି ମଝି ସମୁଦ୍ରରେ ବୁଡ଼ି ମରିବା ସମ୍ଭବ, ଆମ ସମାଜର ବିବାହ ଧର୍ମରେ ସଂସାର-ସମୁଦ୍ର ପାରି ହେବାପାଇଁ ପାତ୍ର ବେକରେ ଏହିପରି ଏକ ଜଡ଼ ପାତ୍ରୀ ବନ୍ଧା ଯାଇ ଜୀବନବ୍ୟାପୀ ଅଶାନ୍ତି ଆବାହନ କରାଯାଉଛି, ପାତ୍ରୀ ଯଦି ପହଁରି ପାରୁଥାନ୍ତା ତେବେ ଦୁଇଟ ଯାତ୍ରୀ ଅନନ୍ତ ସମୁଦ୍ର ପାରିହୋଇ ଲକ୍ଷ୍ୟ ଦିଗରେ ପହଞ୍ଚି ପାରୁଥାନ୍ତେ । ତାହା ହେଉ ନାହିଁ, ଜଣକ ପାଇଁ ଦୁଇ ଜଣ ବୁଡ଼ି ମରୁଛନ୍ତି । ନୀତିଟାକୁ ମନୁଷ୍ୟ ଗଢ଼ିଛି, ଆଉ କେହି ନୁହେଁ । ଶାସ୍ତ୍ରଟା ଅପଟୁ ହସ୍ତର ଲେଖା ବୋଲି କହିବାକୁ ଯେପରି ସଂକୋଚ ବୋଧ ହେଉଛି, ସୁପଟୁ ହସ୍ତର ଲେଖା ବୋଲି କହିବାକୁ ସେପରି ଇଚ୍ଛା ମଧ୍ୟ ବଳୁ ନାହିଁ । ସେ ଭିତରେ କିଛି ନା କିଛି ଗଲ୍‌ତି ଅଛି । ତାହା ସବୁ ଯୁଗକୁ ସମାନ ଖାପ ଖାଉ ନାହିଁ । ତେଣୁ ଯୁଗ ପରିବର୍ତ୍ତନ ସଙ୍ଗେ ସେଟାର ପରିବର୍ତ୍ତନ ଦରକାର । ଜୀବନର ଖାଇବା, ପିଇବା, ବସିବା, ହସିବା ପରି ସମ୍ଭୋଗେଚ୍ଛା ମଧ୍ୟ ଏକ ପ୍ରବୃତ୍ତି । ତେଣୁ ମୁଁ କହେ, ନାରୀଗୌରବର ସମ୍ମାନକୁ ଯେଉଁମାନେ ପ୍ରେମରେ ସ୍ଥାନ ନ ଦିଅନ୍ତି ସେମାନେ ନାରୀକୁ ଚିହ୍ନନ୍ତି ନାହିଁ । ଯୁବକ ଯଦି ଏ ରହସ୍ୟ ଯବନିକାର ଅନ୍ତରାଳ ଭେଦ ନ କରିବ ତେବେ କ’ଣ ବୃଦ୍ଧ କରିବେ ? ଜୀବନର ଚୁମ୍ୱନାସକ୍ତ ଅଧର ଦେଇ ଯଦି ଯୁବକ ଏ ରହସ୍ୟ ଗୀତି ନ ଗାଇବ, ତେବେ ଏଥିର ଭୁଲ୍‍ ଭ୍ରାନ୍ତି ବୁଝାଯିବ କିପରି ? ଜୀବନକୁ ଏ ବିଷୟରେ ସରଳ ସୁନ୍ଦର ରହସ୍ୟମୟ କରି ଗଢ଼ିବାକୁ ହେବ, ସକଳ ବନ୍ଧନରୁ ମୁକ୍ତ କରିବାକୁ ହେବ, ସଂକୋଚ ସଂକୀର୍ଣ୍ଣତା ଦିଗରୁ ଫେରାଇ ଆଣି ଦିଗ୍‌ଭ୍ରାନ୍ତ ତ୍ରସ୍ତ ସାମଜର ଜଡ଼ତା ଘୁଞ୍ଚାଇବାକୁ ହେବ, ରହସ୍ୟର ବିଜୟ ସାଫଲ୍ୟରେ ମହିମାନ୍ୱିତ ହେବାକୁ ହେବ ।’’

 

ଏକା ଦମକେ କିଶୋର ବାବୁ ଏ ବକ୍ତୃତା ଶେଷ କରି ଚଷମଟାକୁ ପୁଣି ଆଖିରେ ଦେଇଦେଲେ ।

 

ମାଧବ ବାବୁ ଏମ୍‌.ଏ.ର ପ୍ରଥମ ସୋପାନରେ ଚଢ଼ିଥିଲେ । କିଶୋର ବାବୁଙ୍କ ବକ୍ତୃତା ପରେ ସେ ଚଢ଼ାଗଳାରେ ଆାରମ୍ଭ କଲେ, ‘‘ନା, ଏହା–ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ଥାଇପାରେ, ସମାଜ ମଧ୍ୟରେ ନାନା ଆବର୍ଜନା, ଅନୀତି ଥାଇପାରେ । ଏହା ବୋଲି ସମାଜକୁ ଲଙ୍ଘି ସମାଜ ବାହାରେ ରହିବା ଉଚିତ, ନା ତାକୁ ସଂଗଠନ କରି ସୁସ୍ଥ ସବଳ ସମାଜର ଏକ ସ୍ତମ୍ଭ ରୂପେ ନିଜକୁ ପ୍ରସ୍ତୁତ କରିବା ଉଚିତ ? ଖାଲି କଲେଜରୁ ଫେରି ଚେୟାରରେ ବସି ନଭେଲ୍‍ ପଢ଼ିପାରୁଥିବା ଯୁବତୀକୁ ଯେଉଁମାନେ ଅର୍ଦ୍ଧାଙ୍ଗିନୀ ରୂପେ ଖୋଜି ବସନ୍ତି, ସେମାନଙ୍କଠାରେ ମଧ୍ୟ ଭୁଲ୍‍ ଥାଇପାରେ । ବର୍ତ୍ତମାନର ବିବାହରେ ପ୍ରେମ ବାଧା ପାଉଛି ବୋଲି ତାକୁ ସୀମାହୀନ ଭାବରେ ଛାଡ଼ି ଦେବା ମଧ୍ୟ ମଙ୍ଗଳଜନକ ନୁହେଁ । ସେଥିରେ ମଧ୍ୟ ଅପାତ୍ରରେ ପଡ଼ିବାର କମ୍‌ ଆଶଙ୍କା ନାହିଁ । ଦେଶ, ସମାଜ ଏବଂ ଜାତିର ସ୍ୱାର୍ଥ ଦୃଷ୍ଟିରେ ନିଜକୁ ଏକ ସୀମାରେ ରଖିବାକୁ ହେବ । ସମାଜ ସେହି ସୀମାର ଏକ ରୂପାନ୍ତର । ଶାସ୍ତ୍ର ବନ୍ଧନରେ ସମାଜ ତଥା ବ୍ୟକ୍ତିଗତ ଜୀବନକୁ ଏକପ୍ରକାର ବାନ୍ଧି ରଖା ଯାଇଛି । ପ୍ରାଚୀନ ସମାଜର ସେହି ଗଳିତ ରୂପକୁ ବଦଳାଇ ନବକଳେବର ସୃଷ୍ଟି କରିବାକୁ ହେଲେ ହଠାତ୍‍ ସମାଜରୁ ଅଲଗା ହୋଇଯିବା ମୋ ମତରେ ଉଚିତ ନୁହେଁ । ସେଥିପାଇଁ ଆଉ ଏକ ନୂତନ ସମାଜ ଗଢ଼ିବାକୁ ହେବ । ବନ୍ଧନହୀନ ଗଙ୍ଗାନଦୀର ମଧ୍ୟ ସୀମା ଅଛି । କୂଳପ୍ଳାବିନୀ ମହାନଦୀର ମଧ୍ୟ କୂଳ ଅଛି । ଅସୀମ ଅନନ୍ତ ନୀଳ ଆକାଶକୁ ମଧ୍ୟ ମନୁଷ୍ୟ କୌଣସି ନା କୌଣସି ଦିଗ ମଧ୍ୟରେ ପୂରାଇ ରଖିବାକୁ ଇଚ୍ଛା କରୁଛି । ଏ ସକଳସ୍ଥାନରେ ମନୁଷ୍ୟ କେତେ ମାତ୍ର ? ଆମେ ଶିକ୍ଷିତ ବୋଲାଇ ଶିକ୍ଷିତାଙ୍କୁ ଅର୍ଦ୍ଧାଙ୍ଗିନୀରୂପେ ଲୋଡ଼ିବାରେ ଦେଶ ବା ଜାତିର ପ୍ରଭୂତ ମଙ୍ଗଳ ହେବ, ଏଥିରେ କିଛି ସନ୍ଦେହ ନାହିଁ; ମାତ୍ର ଶିକ୍ଷାବିବର୍ଜିତା ବାଳିକାକୁ ଶିକ୍ଷା ଦେଇ–ଜୀବନ୍ୟାସ ଦେଇ ଯୁଗୋପଯୁକ୍ତା କରି ଗଢ଼ିବାରେ ଯେ କି ମହତ୍‌ କାର୍ଯ୍ୟ ହେବ, ଏଥି ସଙ୍ଗେ ସଙ୍ଗେ ମଧ୍ୟ ସେ କଥାର ବିଚାର କରିବାକୁ ହେବ ।

 

ନାରୀଶକ୍ତିର ମହିମୋଜ୍ଜ୍ୱଳ ଗୌରବକୁ ଖାଲି ପ୍ରେମ ଚକ୍ଷୁରେ ଦେଖିଲେ ଚଳିବ ନାହିଁ । ଏହି ଦେଶର ଶକ୍ତିମାନ୍‌ ପୁରୋଧାଗଣ ନାରୀକୁ ଯୁଗଯୁଗାନ୍ତରର ପ୍ରେମମୟୀ ପତ୍ନୀ ରୂପେ ଯେପରି ପୂଜା କରିଛନ୍ତି, ସେହିପରି ସାକ୍ଷାତ କରୁଣାରୂପୀଣୀ ମାତୃରୂପେ, ମମତାମୟୀ ଦୁହିତୃରୂପେ ଏବଂ ସ୍ନେହମୟୀ ଭଗିନୀରୂପେ ଚିତ୍ରିତ କରି ଜଗତ୍‌ ସମକ୍ଷରେ ସ୍ୱର୍ଣ୍ଣାକ୍ଷରରେ କାଳଗର୍ଭରେ ଲେଖିଯାଇଛନ୍ତି ।

 

‘ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ

ରମନ୍ତେ ତତ୍ର ଦେବତା ।’

 

ନିତାନ୍ତ ପରିତାପର ବିଷୟ ଯେ, ନାରୀଶକ୍ତିକୁ ବାହାରକୁ ଯଥାର୍ଥ ଫୁଟାଇବାପାଇଁ ତଥାକଥିତ ଶିକ୍ଷାସଭ୍ୟତାଭିମାନୀ ଯୁବକଗଣ ଚେଷ୍ଟା ନ କରି ପ୍ରାଚ୍ୟପାଶ୍ଚାତ୍ୟ ଭାବର ବିକଟ ସଂଘର୍ଷରେ ନିଜକୁ, ଜାତିକୁ ଦେଶକୁ ନିଷ୍ପେଷିତ କରି ଏକ ଅଦ୍ଭୁତ ଜୀବ ହୋଇ ତିଆରି ହେଉଛନ୍ତି । ନବ ଜୀବନର ଆଶାର ଆଲୋକ ଯେଉଁମାନଙ୍କ ହୃଦୟରେ ଅଛି, ସେମାନେ ସମାଜର ବର୍ତ୍ତମାନ କୁହେଳିକାର ପ୍ରଳୟ ଅନ୍ଧକାର ଭେଦ କରିବାକୁ ଯିବା ସର୍ବଦୌ ଉଚିତ । ତା’ ନ ହେଲେ ସେମାନେ ଦେଶଦ୍ରୋହୀ, ଜାତିଦ୍ରୋହୀ ଏବଂ ଆତ୍ମଦ୍ରୋହୀ !’’

 

ଶୀତ ଦିନେ ପିଲାମାନେ ନିଆଁ ପୋଇଁଲାବେଳେ କିଛି ସମୟ ନିଆଁକୁ ଚାହିଁ ଆଖି ଖୁବ୍‌ ଜୋରରେ ବୁଜି, ସେ ଅନ୍ଧାର ରାଜ୍ୟରେ ଚକ୍ରାକାରରେ ନାନା ରଙ୍ଗ ବେରଙ୍ଗର ଚିତ୍ର ଦେଖି ଯେପରି ଆନନ୍ଦରେ ମାତି ଉଠନ୍ତି, ଏ ତର୍କ ଶୁଣି ମୋର ବିହ୍ୱଳ ପ୍ରାଣରୁ ସେହିପରି ପଲ୍ଲୀବାସିନୀ କନକର ନିରାଭରଣ ମୋହିନୀ ମୂର୍ତ୍ତି ଶତସହସ୍ର ବିଚିତ୍ର ବର୍ଣ୍ଣରେ ପ୍ରେମୋଜ୍ଜ୍ୱଳ ଦେଖାଗଲା । ସେଠି କିଛି ସମୟ ଜାଣିପାରିଲି ନାହିଁ–ମୁଁ କଲେଜରେ ଅଛି, ନା ସତ୍ୟବାଦୀରୁ ଫେରି ଗାଁରେ ଅଛି କିମ୍ୱା କନକକୁ ଦେଖିବା ପାଇଁ ପାନଦୋକାନ ପାଖରେ ଉତ୍କଣ୍ଠିତ ପ୍ରାଣରେ ପା’ଚାରି କରୁଛି ।

 

ପର ମୁହୂର୍ତ୍ତରେ ମୋର କଲେଜ ପ୍ରକୃତି ମୋତେ ଧକ୍‌କାମାରି ଚେତାଇ କହିଲା–‘‘ତୋର ଆସନ କନକ ଆସନଠାରୁ ଢେର୍‌ ଉଚ୍ଚରେ । ସେଠାରେ ତୋର ପ୍ରେମ ଦେବା ଅପାତ୍ରରେ ଅମୃତ ଦାନ କରିବା ପରି ହେବ ।’’

 

ସଙ୍ଗେ ସଙ୍ଗେ ମୋ ଆଖି ଆଗରେ ଆଉ ଏକ ମୋହିନୀ ମୂର୍ତ୍ତିର ଆବିର୍ଭାବ ହେଲା । ସେ କଳ୍ପନାମୟୀ ମୂର୍ତ୍ତିର ହାତରେ ବହି, ହାରମୋନିୟମ୍‌; ଗୋଡ଼ରେ ଜୋତା, ଆଖିରେ ସୁବର୍ଣ୍ଣ ଚଷମା, ଅଧର କୋଣରେ ହାସ୍ୟ ଏବଂ କଟାକ୍ଷରେ ଛୁରି । ସେ କନକ ପରି କୁନ୍ତଳିନୀ ନୁହେଁ–କୁଞ୍ଚିତକୁନ୍ତଳା । ସେ ‘ଦୟିତ-ବିଲୋକିତ-ଲଜ୍ଜିତ-ହସିତା’ ନୁହେଁ–ମୁଖର-ହସିତା ।

 

ସେ ‘କଜ୍ଜ୍ୱଳ-ମଳିନ-ବିଲୋଚନ-ଚୁମ୍ୱନ-ବିରଚିତନୀଳିମ-ରୂପିଣୀ, ନୁହେଁ–

 

‘କୁଚ-କଲଶୋପରି ତରଳିତ-ହାରା

ଚଞ୍ଚଳ-କୁଣ୍ଡଳ-ଲଳିତ-କପୋଳା ।’

 

ହଠାତ୍‌ ମୁଁ କନକ ନାମରେ ନାକ ଟେକି ତାହା ଆଡ଼କୁ ହାତ ବଢ଼ାଇବାକୁ ଚେଷ୍ଟାକଲି । ହାତ କିଶୋର ବାବୁଙ୍କ ପିଠିରେ ବାଜିଲା । ଚମକି ଚାହିଁଲି–ମୋର ସେ ସ୍ୱପ୍ନ । ମୋର ହାତ ବାଜିବାରୁ ‘ହଉ, ଉଠ ଯିବା’ କହି ସେ ଉଠିପଡ଼ିଲେ । ତା’ ନ ହୋଇଥିଲେ ଆଉ କେହି କେହି ବକ୍ତୃତା କରିଥାନ୍ତେ ।

 

ସମୁଦ୍ର ମନ୍ଥନ ପରି ମୋର ଅକୂଳ ଅନନ୍ତ ହୃଦୟ-ସାଗର ସେ ତର୍କ ବିତର୍କରେ ମନ୍ଥି ହୋଇଗଲା । ସେଥିରୁ ଅମୃତ ବାହାରିବ କି ବିଷ ବାହାରିବ ଜାଣିନପାରି ଏକପ୍ରକାର ଠିକ୍‌ କରିନେଲି ଯେ, ଅଶିକ୍ଷିତାଙ୍କୁ ଧରି ସେମାନଙ୍କଦ୍ୱାରା ଅଶିକ୍ଷିତାଙ୍କୁ ମନୁଷ୍ୟ କରିବା ସବୁଠାରୁ ସୁବିଧା-

 

ଫେରି, କନକ ବିଷୟରେ ମୋର ଶେଷ ଚିଠି ଲେଖିବା ପାଇଁ କାଗଜ କଲମ ଧରି ବସିଗଲି । ସାଙ୍ଗେ ସାଙ୍ଗେ ମୋ ମନ ଆଗରେ କନକର ଲୀଳା-ଲହରିତ ଲଳିତ ରୂପଟି କେଜାଣି କାହିଁକି ଦେଖାଗଲା । ଜଣାପଡ଼ିଲା, ସେ ଯେପରି ତା’ର ଶଙ୍ଖା-ପରିହିତ, ଚିନ୍ତାଶୀର୍ଣ୍ଣ କର ଦୁଇଟି ମୋ ଆଡ଼କୁ ବିସ୍ତାର କରି ସେହି ପୁରାତନ ଚିଠି ମେଲାଇ ଦେଖାଇଦେଉଛି, ‘‘ମୁଁ ତୁମକୁ ଭୁଲିପାରିବି ନାହିଁ, ଭୁଲିପାରିବି ନାହିଁ !’’ ମୋର କଲମମୂନ ଗତିହୀନ ହୋଇପଡ଼ିଲା । କନକ ମୋତେ ଆଲିଙ୍ଗନ କଲା । ତା’ର ଲୋତକାପ୍ଳୁତ ବଦନ ମୋର ବକ୍ଷଦେଶରେ ବାଜି ସିକ୍ତ କଲା । ପର ମୁହୂର୍ତ୍ତରେ ଦେଖିଲି, ଏସବୁ ମିଥ୍ୟା; ଏସବୁ ଛଳନା । ପୁଣି ଦମ୍ଭ ଧରି ଲେଖି ବସିଲି । ପୁଣି କନକର ରୂପଟି ସିନେମାର ଚିତ୍ର ପରି କ୍ଷଣେ କ୍ଷଣେ ନବ ନବ ବେଶରେ ମୋ ଆଖି ଆଗରେ ନାଚିଲା । ଖୁବ୍‌ ସାହସରେ ମୋର କଳ୍ପଲୋକର ନଭେଲ୍‍ପଢ଼ା ପ୍ରଣୟନୀର ଚୁଆ-ହରିଦ୍ରା-ବିବର୍ଜିତ, ଲାଭେଣ୍ଡର-ଚନ୍ଦନ-ଚର୍ଚ୍ଚିତ କଳେବରକୁ କଳ୍ପନା ନେତ୍ରରେ ଆଗରେ ଥୋଇ ଚିଠି ଲେଖାରେ ଯେତିକି ଅଗ୍ରସର ହେବାକୁ ଲାଗିଲି, କନକର ଛବି ତା’ର ପାଦ-କିଙ୍କିଣୀର କିଣି କିଣି ଧ୍ୱନି, ତାମ୍ୱୁଳ-ରଞ୍ଜିତ ଓଷ୍ଠାଧରର ମଧୁର ହାସ୍ୟ କ୍ରମେ କ୍ରମେ କି ସୂତ୍ରରେ ଆସି ମୋର ଭାବନା ରାଜ୍ୟ ଅଧିକାର କରି ବସିଲା ! ରାତି ଦଶ ବାଜିଲା, ସାଢ଼େ ଦଶ ବାଜିଲା, ଏଗାର ବାଜିଲା, ମୋର ମୋହ ଭାଜିଲା ନାହିଁ । ରାତିର ଝିଲ୍ଲିରବ ମୋତେ ଦୂରାଗତ ପଲ୍ଲିବାଳାର ଅଭିସାର ସଙ୍ଗୀତ ପରି ଜଣାପଡ଼ିଲା । ପର ମୁହୂର୍ତ୍ତରେ ମୋର ମନୋଗତ ଭାବରେ ମୁଁ ବିଚଳିତ ହୋଇପଡ଼ିଲି । ବଡ଼ ସନ୍ତର୍ପଣରେ ତର ତର ହୋଇ ଖଣ୍ଡେ ଚିଠି ଭାଇଙ୍କ ପାଖକୁ ଲେଖିଦେଲି–‘‘ମୋର ସେ ପ୍ରସଙ୍ଗରେ ଆଦୌ ସମ୍ମତି ନାହିଁ । ତୁମ କଥା ରକ୍ଷା କରିପାରୁ ନାହିଁ । ଏହି ସମ୍ପର୍କରେ ମୋ ପାଖକୁ ଆଉ କିଛି ଲେଖିବ ନାହିଁ–ଇତ୍ୟାଦି–

 

ସେ ରାତିରେ ମୋତେ ନିଦ ହେଲା ନାହିଁ । ସଂସାରର କି ମୋହନ-ମାଦକତା-ପୂର୍ଣ୍ଣ ଜ୍ୱଳନ୍ତ ଉନ୍ମାଦନାରେ ମୋତେ ଘାଣ୍ଟି ହେବାକୁ ପଡ଼ିଲା । ଏହା ଜୀବନର ସତ୍ୟପ୍ରତି ଆବାହନ କି ଯୁଦ୍ଧ ଘୋଷଣା କିଛି ସ୍ଥିର କରିପାରିଲି ନାହିଁ । ଜୀବନଟାକୁ ମୂଳରୁ ସେ ପର୍ଯ୍ୟନ୍ତ ବରାବର ପଢ଼ିବାରେ ଲାଗିଲି । ଦେଖିଲି, ସବୁ ନିର୍ଭୁଲ, ହିସାବପତ୍ର ଠିକ୍‌ ରହିଛି ।

 

କେତେଥର ଶେଯରୁ ଉଠି ବସିଲି । କେତେଥର ପିଣ୍ଡାରେ ବୁଲିଲି । ଦାମ୍ପତ୍ୟ ଜୀବନର ନିଗୂଢ଼ ତତ୍ତ୍ୱ ଆଲୋଚନାରେ ମନ ଦେଲି । ତେବେକେ ହେଲେ ମନ ଶାନ୍ତ ହେଲା ନାହିଁ । ଝରକାବାଟେ ବାହାରକୁ ଚାହିଁଲି । ସେ ନିବିଡ଼ ଅନ୍ଧକାର ମଧ୍ୟରେ କ୍ଷୀଣଚ୍ଛାୟା ଗଛଗୁଡ଼ାକ ସଗର୍ବରେ ମୁଣ୍ଡ ଟେକି ଠିଆହୋଇ ମୋତେ ଅବା ଇଙ୍ଗିତ ଦେଉଥିଲେ–‘ତୁ ସତ୍ୟଭଙ୍ଗ କଲୁ, ଆମରିପରି ଅଟଳ ରହିପାରିଲୁ ନାହିଁ–ଏଡ଼େ ଦୁର୍ବଳ ତୋର ଚିତ୍ତ !’’

 

ମୋ ଭାବନାରେ ମୁଁ ଚମକି ପଡ଼ିଲି । କ୍ଷଣକାଳ ହୃଦୟ ଭିତରେ ରକ୍ତ ଯେପରି ଥଣ୍ଡା ହୋଇ ଆସିଲା । ପିଞ୍ଜରାର ଲୁହାବାଡ଼ ପରି ଠିଆହୋଇ ନିର୍ବାକ୍‌ ଭାବରେ କେବଳ ଚାହିଁରହିଲି ।

 

ଭଉଣୀ,

 

ଦିନକୁ ଦିନ ମୋ ଅବସ୍ଥା ବଡ଼ ଅସମ୍ଭାଳ ହେଲା । କେତେ କ’ଣ ଭାବନା ବୁକୁ ଭିତରକୁ ଘାଣ୍ଟିଚକଟି ପକାଇଲା । ବେଳେବେଳେ ମୁଣ୍ଡକୁ ପୋତି ବସେ, ହସିବାକୁ ଚେଷ୍ଟାକରି କାନ୍ଦିପକାଏ-। ଏ କାନ୍ଦ ବଡ଼ ବିଚିତ୍ର କାନ୍ଦ । ପିଲାଦିନୁ କେତେ କାନ୍ଦିଛି; କିନ୍ତୁ ଏ କାନ୍ଦର କଥା କ’ଣ କହିବି-! କାନ୍ଦିଲା ବେଳେ କିଏ ଆସି ପହଞ୍ଚିଗଲେ ଲାଜରେ ମାଟିସଙ୍ଗେ ମିଶିଯିବାକୁ ଇଚ୍ଛା ହୁଏ; ପୃଥିବୀଟା ମୋ ଗୋଡ଼ତଳେ ଘିରି ଘିରି ହୋଇ ବୁଲେ । ବିଚାରେ, ମଣିଷ ଜୀବନଟା ଯେବେ ବୁଲା ପକ୍ଷୀଙ୍କ ଜୀବନ ପରି ହୋଇଥାନ୍ତା, ତେବେ ଏତେ ଭାବନା କାହିଁକି ଆସନ୍ତା ? ପକ୍ଷୀ ହୋଇ ଏ ଗଛରୁ ସେ ଗଛ, ଏ ଦେଶରୁ ସେ ଦେଶ ବୁଲି ହେଉଥାନ୍ତା କାନ୍ଦିବାକୁ ବେଳ ନଥାନ୍ତା ।

 

ଦିନେ ଏକ ସାହସ ବାନ୍ଧିଲି । ସେ ସାହସ କଥା ଏପର୍ଯ୍ୟନ୍ତ ମୋ ହୃଦୟ ଛଡ଼ା ଆଉ କେହି ଜାଣି ନ ଥିଲେ । ଆଜି ଏତେ ଦିନ ପରେ ସେ କଥା ତୋ ପାଖକୁ ଲେଖି ବସୁଛି । ବାରଲୋକଙ୍କ ମୁହଁରୁ ବାର କଥା ଶୁଣି ଦିନେ ରାତିରେ କାଗଜ କଲମ ଧରି ବସିଲି.....ସେ ରାତି ମୋର କିମିତି କଟିଛି କ’ଣ ଲେଖିବି ? ଆଖିର ପଲକ ପଡ଼ିଲା ନାହିଁ, କି ହାତରେ କିଛି ଲେଖି ହେଲା ନାହିଁ । କାନ୍ଦି କାନ୍ଦି ଲୁହରେ କାଗଜ ଖଣ୍ଡକ ସହିତ ଲୁଗା ମଧ୍ୟ ଓଦା ହୋଇଗଲା ।

 

.....ତୁନି ହୋଇ ବସିରହିଲି; ମନଭିତରେ ଯାହା ଲେଖିବାର ଲେଖିଲି । ଭାବିଲି, ହରିଚରଣ ଯେବେ ନାହିଁ କରି ଚିଠି ଲେଖିବାକୁ ବିଚାରିଛନ୍ତି, ତେବେ ମୁଁ ଆଗରୁ ତାଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖିଦେଇ ତାଙ୍କ ମୋହ ଭାଙ୍ଗିଦେବି–ନିଷ୍ଠୁର ପୁରୁଷ ଜାତିକୁ ମୋ ମନକଥା ଜଣାଇଦେବି । ସେତେବେଳର ମୋ ସାହସ ସକଳ ଧର୍ମ୍ମଶାସ୍ତ୍ର, ସକଳ ସମାଜନୀତି ବନ୍ଧନ ଭାଙ୍ଗିଦେବାକୁ ବସିଥିଲା.....କିନ୍ତୁ ଲେଖିବାକୁ ବସି ଲେଖିପାରିଲି ନାହିଁ ।

 

ଭାବିଥିଲି, ଲେଖିଦେବି ତୁମେ ଦୂରରେ ରହ, ମୁଁ ଦୂରରେ ରହୁଛି, ତୁମେ ବିଭାହୁଅ, ମାତ୍ର ମୋତେ ନୁହେଁ; ତୁମେ ଚିଠି ଲେଖ, କିନ୍ତୁ ମୋ ବିଷୟରେ ନୁହେଁ, ତୁମେ ଭୁଲିବାକୁ ଚେଷ୍ଟା କର, ତୁମେ ହସ, ଖେଳ ବା କାନ୍ଦ; କିନ୍ତୁ ଏ ଅନାଥିନୀ କନକ ଯିମିତି ସେ ସବୁ କଥା କିଛି ନଜାଣେ; ଦୟାକରି ଏଇତକ ବନ୍ଦୋବସ୍ତ କର ‘ମୁଁ ନିଶ୍ଚିନ୍ତରେ ରହିବି, ସୁଖରେ ରହିବି, ଏ ସାହସ ବୁକୁରେ ବାନ୍ଧି ଏ ପତ୍ର ଲେଖୁଛି; କିନ୍ତୁ ତୁମେ ପ୍ରତିଜ୍ଞା ଭାଙ୍ଗି ଶାନ୍ତିରେ ରହିପାରିବ ଯେବେ ରହ । ଭୁଲରେ ହେଲେ ମୋ ନାଁ ଆଉ କାହାକୁ କହିବ ନାହିଁ, ସ୍ୱପ୍ନରେ ହେଲେ ମୋ ପାଖକୁ ଆଉ ଚିଠି ଦେବାକୁ ଭାବିବ ନାହିଁ । ମୁଁ କନକ ନୁହେଁ, ମୁଁ ଏଣିକି ବଧିରା ମାଟି । ଏ ମାଟି ଉପରେ ପାଦ ଦେଇ ଚାଲିଯାଅ, ଭୂଇଁ ବୋଲି ବିଚାରି ଦଳିଦିଅ–ମୁଁ ଭିତରେ ବିଭା ହୋଇ ସାରିଛି, ଆଉ ବାହାର ବିଭାକୁ ଇଚ୍ଛା କରେ ନାହିଁ.....

 

ସବୁ କଥା କି ଲେଖିହୁଏ ନା କହିହୁଏ ? ରାତି ସେହିପରି ମୋର କଟିଗଲା; ଆଖିର କଜଳମିଶା ଲୁହଧାରରେ ମନମୁନରେ ବୁକୁଭିତରେ ସେ ଚିଠି କେବଳ ଲେଖି ରଖିଲି, କାହାକୁ ପଢ଼ିବାକୁ ଦେଲି ନାହିଁ ।

 

ଏଣିକି ମୋର ଏକ ରୋଗ ହେଲା । ଦିନରେ ସେ ରୋଗର ଲକ୍ଷଣ କିଛି ଜଣାଗଲା ନାହିଁ, ରାତିରେ ସେ ରୋଗ ଦାଉରେ ଶେଯରେ ମୁଁ ଶୋଇ ପାରିଲି ନାହିଁ । ଆଗରୁ ଲେଖିଛି, ଥରେ ଆଷାଢ଼ ମାସ ରାତିରେ ବାଡ଼ିଦୁଆରେ ବସିଥିଲି, ଚାହୁଁ ଚାହୁଁ ଆଖି ପଲକ ପକାଇ କେତେ କ’ଣ ସ୍ୱପ୍ନ ଦେଖିଗଲି । ଏବେ ସେହିପରି ଦଶା ମୋର ହେଲା । ସବୁ ଆଡ଼ର କଥା ଭାବି ଏ ପଲ୍ଲିବାସିନୀର ଘରକୋଣର ମନ ଅନନ୍ତ ଆକାଶରେ କୁଆଡ଼େ ଲୁଚିଯିବାକୁ ଇଚ୍ଛା କଲା !

 

ଭଉଣୀ, ଥରେ ନୁହେଁ, କେତେ ରାତି, କେତେଥର କେତେ ସ୍ୱପ୍ନ ଦେଖିଛି, କେତେ ରାତି ଚିଠି ଲେଖିବାକୁ ବସିଛି, କେତେଥର ବଉଳମାଳରେ ମଣ୍ଡିହୋଇ ରାମାୟଣର ଦଣ୍ଡକ ବଣରେ ବୁଲିଛି, ଗୋପପୁରର ଗୋପୀମେଳରେ କାନ୍ଦିଛି, ବୃନ୍ଦାବନରେ ଖୋଜିଛି...ମୁଁ ସେ ଯୁଗର ରାଧା ହୋଇଛି, ଏ ଯୁଗର ଏ ଅନାଥିନୀ ମଧ୍ୟ ହୋଇଛି ।

 

ସ୍ୱପ୍ନ ଦେଖିବାମାତ୍ରେ ମୋ ନିଜ ଭାଜିଯାଏ । ଶେଯରେ ବସେ । ଦୁଆରମୁହଁରେ ବସି ବାହାରକୁ ଚାହେଁ । କେବେ ଆକାଶରେ ଚନ୍ଦ୍ର ଚାହିଁଥାଏ, କେବେ ବା ତାରାଗୁଡ଼ାକ ଛଳ ଛଳ ହୋଇ ଚାହିଁଥାନ୍ତି । ଏତିକିବେଳେ କୁଆଡ଼େ ଗୋଟେ ପକ୍ଷୀ ତା’ ବସା ଭିତରେ ଶବ୍ଦ କରି ଉଠିଲେ ମୁଁ ଚମକିପଡ଼ି ମୋ ବସା ଭିତରକୁ ପଶିଯାଏ । ଖାଲି ବସାରେ ମୁଁ ଶୋଇପାରେ ନାହିଁ କି ବସିପାରେ ନାହିଁ; ପାଟିକରି କାହାକୁ ମଧ୍ୟ ଡାକିପାରେ ନାହିଁ ।

 

ମନେ ରଖିବୁ ଭଉଣୀ, ଗୋଟିଏ କଥା–ସବୁବେଳେ ସବୁ କଥା ରହୁ ନାହିଁ । ଫୁଲଟିଏ ଫୁଟିଲେ ପାଖୁଡ଼ାଗୁଡ଼ିକ ଝଡ଼ି ପଡ଼ୁଛି, ଚନ୍ଦ୍ର ହସିଲା ବେଳେ ମଧ୍ୟ ମେଘ ଆସି ଘୋଡ଼େଇ ଦେଉଛି, ଗୋଡ଼ର ଅଳତା କେତେ ଦିନେ ଫିକା ପଡ଼ି ଯାଉଛି...ଏହିପରି ସବୁ କଥା । ହସୁଥିଲି, କାନ୍ଦିଲି । କାନ୍ଦିଲେ ଯେ ନ ହସିବି, ଏକଥା କିଏ କହିବ ?

 

ପ୍ରିୟ ରମେଶ,

 

ତୁମେ ହୁଏତ ମୋତେ ପାଗଳ ବୋଲି ଭାବି ସାରିବଣି । ମୋର ଚିଠିକୁ ପାଗଳର ପ୍ରଳାପ ବୋଲି ମନେ କରିବଣି । ସତକଥା, ଏସବୁ ପ୍ରେମ-ପାଗଳ ହରିଚରଣର ପ୍ରଳାପ ଛଡ଼ା ଆଉ କ’ଣ ହୋଇପାରେ ?

 

ମୁଁ ଭାବିଲି, ଏ ପୃଥିବୀଟା ଗୋଟେ ବଡ଼ ପାଗଳଖାନା । ସରକାରୀ ପାଗଳଖାନାରେ କାନ୍ଥ ଅଛି, ପହରାବାଲା ଅଛନ୍ତି; କିନ୍ତୁ ଏ ପୃଥିବୀ ପାଗଳଖାନାର ଚାରିଆଡ଼ ମେଲା । ଏ ବିଚିତ୍ର ବିରାଟ ପାଗଳଖାନାରେ ଗୋଟିକୁ ଗୋଟିଏ ବଳି ପାଗଳ । ପାଗଳ ନୁହେଁ କିଏ ? କିଏ ଧନ ପାଇଁ, କିଏ ମାନ ପାଇଁ, କିଏ ଧର୍ମ୍ମ ପାଇଁ, କିଏ ବା ପ୍ରେମ ପାଇଁ ପାଗଳ । କୃଷ୍ଣ ଥିଲେ ପାଗଳ, ଅର୍ଜ୍ଜୁନ ଥିଲେ ପାଗଳ, କିଏ ପ୍ରେମ ନେବାପାଇଁ ପାଗଳ ହେଲେ କିଏ ମଧ୍ୟ ପ୍ରେମ ଦେବାପାଇଁ ପାଗଳ ହେଉଛି । ନରନାରୀ ସମସ୍ତେ ପୃଥିବୀ-ପାଗଳଖାନାର ଗୋଟିଏ ଗୋଟିଏ ଜୀବ । ଏ କଲେଜ ହତାର ଶହ ଶହ ପାଗଳଙ୍କ ଭିତରେ ମୁଁ ମଧ୍ୟ ଏକ ପାଗଳ । କିଏ ଚାକିରିପାଇଁ ବ୍ୟାକୁଳ କିଏ ଜ୍ଞାନପାଇଁ ଅଧୀର, କିଏ ଗୌରବ ପାଇଁ ବ୍ୟସ୍ତ–ଆଉ ମୁଁ.... ।

 

କିନ୍ତୁ ଏହିଠାରେ ମୋର ପଥ ଠିକ୍‌ ରହିଲା ନାହିଁ । ନର ହେଉ ବା ନାରୀ ହେଉ, ହୃଦୟ ଭିତରେ ପ୍ରଣୟ-ପିପାସାର ଆବିଳ ଝରଣା ବହିଲେ ତାହା କି ଉପଭୋଗ୍ୟ ହୋଇପାରେ ? ମୋ ପ୍ରାଣରେ ବିରହ ନାମରେ ଯେ ଅନୁଭୂତି ଆସୁଥିଲା, ତାହା ପୁଣ୍ୟ ଅନୁରାଗରେ ଢଳ ଢଳ ହୋଇପାରୁନଥିଲା । ରୂପତୃଷ୍ଣାରେ ମୁଁ ମରୁଥିଲି । ଅନ୍ତଃଚକ୍ଷୁ ନ ଫିଟାଇ ବହିଶ୍ଚକ୍ଷୁରେ ପ୍ରଣୟିନୀର ଛବି ଆଙ୍କୁଥିଲି । ମୁଁ ଧରଣୀବକ୍ଷର ଉନ୍ମୁକ୍ତ ପ୍ରାଙ୍ଗଣରେ ଅନନ୍ତ ଆକାଶର ଉଦାର ଆଲୋକ ଧରି ନାରୀକୁ ଚିହ୍ନିବାକୁ ନଯାଇ ଭୁଲ୍‍କରି ବସିଲି । ପ୍ରେମର ବିକାଶରେ ହୃଦୟର ପରିପୂର୍ଣ୍ଣତା–ଏ ଏ ତତ୍ତ୍ୱ କବି ଗାଇଛନ୍ତି । ତେଣୁ ପ୍ରେମର ପଥ ଜଗତରେ ସବୁଠାରୁ ମଧୁମୟ ଯେପରି, କଠୋର ମଧ୍ୟ ସେହିପରି । ପ୍ରେମପାଗଳକୁ ଏ କଥା ମାଲୁମ ଥିବା ଉଚିତ ଥିଲା ।

 

ଏସବୁ ଅତୀତ ଦିବସର କଥା । ରମେଶ, ସେ ରାତିରେ ମୁଁ ଚାହିଁ ଚାହିଁ ଶେଯରେ ପଡ଼ି ରହିଲି । ନିଦ ନାହିଁ, ଅଥଚ ଆଖିପତା ଦୁଇଟା ମଡ଼େଇ ହୋଇପଡ଼ିଲା । କେତେକାଳ ସେପରି ରହିଲି ଜାଣେ ନାହିଁ । ପରେ ଆଖି ଫିଟାଇ ଦେଖେ ତ, କଲେଜ-ପାଗଳ ଖାନାରେ ଚହଳ ପଡ଼ିଛି । ସମସ୍ତେ ଯେଝା କାର୍ଯ୍ୟରେ ବ୍ୟସ୍ତ । କିଏ ବହି ପଡ଼ୁଛି, କିଏ ଉପାସନା କରୁଛି, କିଏ ବା ଚାରି ପାଞ୍ଚ ଜଣ ସାଙ୍ଗ ଧରି ରାତିସ୍ୱପ୍ନର ଆଲୋଚନା ଚଳାଇଛି ।

 

କିଏ ସାରା ଅହୋରାତ୍ରରୁ ରାତିରେ କେବଳ ଚାରି ପାଞ୍ଚ ଘଣ୍ଟା ସ୍ୱପ୍ନ ଦେଖିଲା; ମାତ୍ର ମୁଁ ଦିନରାତି ଘଣ୍ଟା ଘଣ୍ଟା କାଳ ସାରା ଜୀବନଟା ସ୍ୱପ୍ନ ଦେଖିବାରେ ଲାଗିଛି । କିଏ କେତେପ୍ରକାର ନୂଆ ନୂଆ ସ୍ୱପ୍ନ ଦେଖୁଛନ୍ତି, ମାତ୍ର ମୁଁ ଦେଖୁଛି କେବଳ ଗୋଟିଏ ସ୍ୱପ୍ନ !

 

ରାତିରେ ଯେ ଚିଠିଟା ଲେଖିଥିଲି, ତାକୁ ପୁଣି ଆଉଥରେ ପଢ଼ିବାକୁ ଇଚ୍ଛା ବଳିଲା । ଡାକରେ ଦେବା ପୂର୍ବରୁ, ଭୁଲ୍‍ କରିଛି କି ଠିକ୍‌ କରିଛି, କେତେଥର ଭାବିଲି । ନିଜକୁ ନିଜେ ପଚାରି, ବୁଝି, ନିଜ ହାତରେ ଚିଠିଟା ନେଇ ଡାକରେ ପକାଇ ଆସିଲି ।

 

ଭାବିଲି, ଏଣିକି ଏକପ୍ରକାର ନିଶ୍ଚିନ୍ତ । ଆଉ ତ ଚିଠି ଫେରିଆସିବ ନାହିଁ, କି ମଫସଲ କନକର ଛାୟା ଏ କଲେଜଗତ-ହୃଦୟ ହରିଚରଣର ଦ୍ୱାର ମାଡ଼ିବ ନାହିଁ–ଆଉ ଭାବନା କାହିଁକି ? ଯାହା ହୋଇଛି, ଭୁଲ୍‍ ହେଉ ବା ଠିକ୍‌ ହେଉ, ଠିକ୍‌ ହୋଇଛି ବୋଲି ଧରିନେଲି ଏବଂ ଏ ନିଷ୍ପତ୍ତି ସଙ୍ଗେ ସଙ୍ଗେ କନକକୁ ଏକାବେଳକେ ମୋ ମନ-ପଟରୁ ପୋଛି ପକାଇବାକୁ ଚେଷ୍ଟାକଲି ।

 

ରମେଶ, ଏହିଠାରେ ଆସି ବିଷମ ସମସ୍ୟା ପହଞ୍ଚିଲା । ପାନଖିଲ କିଣିଲା ବେଳେ କେବେ କେବେ ପୂର୍ବ ପାନଖିଲ କଥା ମନେପଡ଼ିଲା, କାହା ପାଖକୁ ଚିଠି ଲେଖିଲେ ସେହି ପୂର୍ବର ପ୍ରେମ ଚିଠିଟା ଦର୍ପଣ ପରି ଆଗରେ ଆସି ଥୁଆ ହୋଇଗଲା...ଓହୋ, ଦ୍ୱାପର ଯୁଗର କୃଷ୍ଣ ଯେ ଯମୁନାର ପାଣି ଦେଖି, ତମାଳର ପତ୍ର ଦେଖି ଏବଂ ବ୍ରଜର ଧୂଳି ଦେଖି ଏହିପରି ପାଗଳ ହୋଇପଡ଼ିଥିଲେ । ତାଙ୍କର ସୁବିଧା ଥିଲା–ରାଧାଙ୍କୁ ପାଇବେ ବୋଲି ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥିଲା; କିନ୍ତୁ ମୋ ଜୀବନର ପଚିଶି ବର୍ଷ ଗଡ଼ିଗଲା; ମୋର ଯେ ହୃଦୟ-ରାଧା କିଏ, ଏପର୍ଯ୍ୟନ୍ତ କିଛି ଜଣାଗଲା ନାହିଁ–ଏହି ହେଲା ମୋର ବିଷମ ବିପଦ !!

 

ଭଉଣୀ,

 

ଦିନକର କଥା ପଥରରେ ଗାର ପଡ଼ିଲାପରି ମୋ ହୃଦୟରେ ରହିଛି । ଚିଠି ଆସିଲା, ହରିଚରଣ ମୋତେ ବିଭା ହେବେ ନାହିଁ । ଗତ କେତେଦିନର ବାପା ଭାଇଙ୍କ ମନର ଅବସ୍ଥା ଦେଖି ମୁଁ ଏହିପରି କିଛି ଆଶଙ୍କା କରୁଥିଲି । ଏସବୁ କଥାରେ ମୋର ଯେତେବେଳେ ଆଶଙ୍କା ଥିଲା, ସେତେବେଳେ ଭାବୁଥିଲି, କଥା ଯେବେ ସତ ହେବ, ତେବେ ଆଉ ଏ ଜୀବନ ଧରି କି ଲାଭ ? ହୃଦୟ ଯେବେ ଦେବତାଙ୍କ ଆସନ ପାଇଁ ଉପଯୁକ୍ତ ନ ହେଲା, ତେବେ ହୃଦୟଟାକୁ ଖଣ୍ଡ ଖଣ୍ଡ କରି ନଷ୍ଟ କରିଦେବାରେ କିଛି କ୍ଷତି ନାହିଁ । କିନ୍ତୁ ଭଉଣୀ, ପାରିଲି ନାହିଁ । ସତକୁ ସତ ଯେଉଁ ଦିନ ଏ ସମ୍ବାଦ ଶୁଣିଲି, ମନଟା ପଥରପରି ଟାଣ ହୋଇଗଲା । ଆଉ, ସେ ପଥର ଉପରେ ହରିଚରଣଙ୍କ ଚିଠି ଖଣ୍ଡକର କେତୋଟି ପଦ ଲେଖି ହୋଇଗଲା–

 

‘‘ଯେତେ ଦୂରେ ପତ୍ର ପଡ଼ିଥିଲେରେ ନବୀନା

ଚିହ୍ନିକି ନୁହଇ ଆନେ ବୃକ୍ଷ ନାମ ବିନା !’’

 

ଗଛରୁ ଝଡ଼ି ପଡ଼ି ଉଡ଼ିଯାଇଥିବା ପତ୍ରପରି ମୁଁ ହେଲି । ଖଣ୍ଡିଆଭୂତ ମୋତେ ଉଡ଼େଇନେଲା । ସେଠୁ ଦିନାକେତେ ମୁଁ କେଉଁ ଗଛର ପତ୍ର, ଜାଣିପାରିଲି ନାହିଁ ।

 

ଏ ସମ୍ୱାଦ ଶୁଣିଲାବେଳକୁ ବସି ଖୋଷା ବାନ୍ଧୁଥିଲି । ଆଗରେ ଦର୍ପଣ ଥୁଆ ହୋଇଥିଲା-। ସଜ ବଉଳଫୁଲ ମାଳା, ଦକ୍ଷିଣୀ ସିନ୍ଦୂର-ଫରୁଆ ଥାଳିଟିକରେ ଥୋଇଥିଲି । ମୋର ସଫା ମନେଅଛି, ସମ୍ୱାଦଟା ମୋତେ ବଜ୍ର ପଡ଼ିଲା ପରି ଲାଗିଲା–କିନ୍ତୁ ସେ ବଜ୍ରରେ ମୁଁ ସଂସାର ଛାଡ଼ିପାରିଲି ନାହିଁ ଲୋ ଭଉଣୀ ! ଆଖିରୁ ଟୋପେ ଲୁହ ବୋହିଲା ନାହିଁ । କେବଳ ହାତଯୋଡ଼ାକ ଖୋଷାରୁ ଖସି ଆସିଲା–ଖୋଷାବନ୍ଧା ସେତିକି ହେଲା; ଫୁଲ ସେହିଠାରେ ଶୁଖିଲା; ସିନ୍ଦୂର ସେହିଠାରେ ଫିକା ପଡ଼ିଲା କନକ ସେହିଦିନଠାରୁ ଜିଇକରି ମଲାପରି ରହିଲା ।

 

ଯେତେବେଳେ ଅଗ୍ନାଅଗ୍ନି ବନସ୍ତ ଭିତରେ କାନିରୁ ଖଣ୍ଡିଏ କାଟିନେଇ ନଳ ମହାରାଜା ଦମୟନ୍ତୀଙ୍କୁ ଛାଡ଼ି କୁଆଡ଼େ ଚାଲିଗଲେ ସେ କଥା ମୋର ମନେପଡ଼ିଲା । ପୁଣି ଯେତେବେଳେ ଦମୟନ୍ତୀଙ୍କର ସ୍ୱୟଂବର ହେଲା, ସେ କଥା ମଧ୍ୟ ଆଖି ଆଗରେ ନାଚିଲା । ଭାବିଲି–ସଂସାରର ଦୁଃଖମୟ ବଣଭିତରେ ମୋ କାନିରୁ ଖଣ୍ଡେ ନୁହେଁ, ମୋ ଜୀବନରୁ ଖଣ୍ଡେ ନେଇ କିଏ କୁଆଡ଼େ ଚାଲିଯାଇଛି ! ସତେ କି ମୋର ଆଉ ସ୍ୱୟଂବର ହେବ ! ଏ ଖଣ୍ଡିଆ ଜୀବନ ପୂର୍ଣ୍ଣ ହେବ ! ଏ ଭଙ୍ଗାଜୀବନ ଗଢ଼ା ହେବ !

 

କିଛି ଗୋଟେ ଜିନିଷ ପାଇବା ଆଶା କରିଥିଲେ ମନ ଅଧୀର ହୁଏ । ସେପରି ଆଶା ନ ରହିଲେ ମନ ଅଧୀର ହେବାର କିଛି କାରଣ ରହେ ନାହିଁ । ମୋ ମନ ସେଠି କେତେଦିନ ଆଦୌ ଅଧୀର ହେଲା ନାହିଁ । ବିଚାରିଲି, ଏ ଜନ୍ମରେ ତାଙ୍କର ମୋର ନିର୍ବନ୍ଧ ହେଲା; ଆର ଜନ୍ମରେ–ତାଙ୍କର ବି.ଏ. ସରିଲେ ମୋତେ ବିଭାହେବେ । ସମୟର ଦୂରତା ଯେତିକି ବଢ଼ାଇ ଦେଲି ମନଟା ସେତିକି ବାଞ୍ଛାଶୂନ୍ୟ ହୋଇପଡ଼ିଲା ।

 

ଏସବୁ କିଛି ଦିନ ହେଲା ସତ; ମାତ୍ର ମନ ରହିଲା ତାଙ୍କ ପାଦତଳେ । ଦିନରେ ଚାରି ପାଞ୍ଚ ଥର ସେ ଚିଠିଟାକୁ ଖୋଲି ପଢ଼େ; କେତେଥର ଚୁମ୍ୱ ଦିଏ, ଭାବି ଭାବି ମୁଣ୍ଡତଳେ ମାଣ୍ଡିପାଖେ ରଖି ଶୋଇପଡ଼େ । ଭାଉଜ ମୋର ସବୁ କଥା ଜାଣିପାରନ୍ତି କେତେଥର କେତେ କଥା ଆସି ବୁଝାନ୍ତି ।

 

ଭଉଣୀ ମନ ଭିତରେ ଯାହା ପାଇଁ ଏତେ ଜାଗର ଜାଳୁଥିଲି, ଯାହା ଛବିଟି ଗଣ୍ଠିଧନ କରି ରଖିଥିଲି, ତାକୁ କି ସହଜରେ ଭୁଲି ହେବ ? ସେ ତ ଭୁଲିବାର ଜିନିଷ ନୁହେଁ ।

 

ଏହାପରେ ଦିନେ ମନହେଲା, ପୁରୁଷ ବେଶ ପିନ୍ଧି ଦାଣ୍ଡକୁ ବାହାରି ପଡ଼ିବି । ଜୀବନର ଯାହାସବୁ ଭ୍ରାନ୍ତି ଘଟି ଆସିଛି, ତାକୁ ପଛକୁ ପକାଇ କେହି ନ ଜାଣିବା, ନ ଶୁଣିବା ଦେଶରେ ଯାଇ ଗୋଠଛଡ଼ା, ଜାତିଛଡ଼ା ଚଢ଼େଇଟି ପରି ବସା ବାନ୍ଧି ରହିବି–କିନ୍ତୁ ଏ ଷୋଡ଼ଶୀ ହୃଦୟରେ ସେପରି ବଳ କିଛି ପାଇଲି ନାହିଁ । ଦୁଃଖ ହେଲେ ମଣିଷ କି ଏହା ଭାବିପାରେ ନାହିଁ ?

 

ଦିନେ ମୋ ମନକୁ ଖୁସି କରାଇବାକୁ ଯାଇ ଭାଉଜ ହସି ହସି କହିଲେ–‘‘ରାଇଜରେ ତ କେତେ କେତେ ନିର୍ବନ୍ଧ ଭାଜୁଛି, ଆମ ନିର୍ବନ୍ଧ ଭାଜିଗଲେ ବଡ଼ କଥା କ’ଣ ହେଲା ଯେ ଏମିତି ହେଉଛ । ଆଉ କ’ଣ–’’

 

ଏତିକି ମାତ୍ର କହି ସେ ଛେପ ଢୋକି ରହିଗଲେ । ତାଙ୍କ କଥାଟା ମୁଁ ବୁଝିପାରି କହିଲି, ‘‘ଏକାଠି ରହି ଘରଦ୍ୱାର କଲେ କ’ଣ ବିଭା ହୁଏ କି ଲୋ ଭାଉଜ ? ବିଭା ହୁଏ ମନରେ । ମନରେ ନ ହେଲେ ଆଉ କେଉଁଥିରେ ତା’ ହୁଏ ନାହିଁ । ପୁରାଣ କ’ଣ ତୁ ଶୁଣି ନାହୁଁ ? ଚୈତନ୍ୟ ମହାପ୍ରଭୁ ପରା ନିଜକୁ ରାଧା ବୋଲି ଭାବି ଶ୍ରୀକୃଷ୍ଣଙ୍କୁ ମନେମନେ ବିଭା ହୋଇଥାନ୍ତି; ତାଙ୍କ ଭାବରେ ଭାସି ଜଗତକୁ ହସାଉଥାନ୍ତି, ନଚାଉଥାନ୍ତି । ଜଣେ ଜଣକୁ ତଡ଼ିଲେ ମଧ୍ୟ ସେ ଜଣକ ତାକୁ ଭଲ ପାଇବାରେ କ’ଣ ଆପତ୍ତି ଅଛି ? ବେଦୀରେ ବସି ହାତ ଧଇଲେ କ’ଣ ବିଭା, ମନରେ ବସାଇ ପୂଜା କଲେ କ’ଣ ବିଭା ନୁହେଁ ? ଶକୁନ୍ତଳା କ’ଣ ବେଦୀରେ ବସି ବିଭା ହୋଇଥିଲେ ?’’ ଭାଉଜ କଥାକୁ ଫେରାଇ ନେଲାପରି ଆଉକଥା ପକାଇ ଦେଲେ ।

 

ନିର୍ଜନ ଖରା ସମୟ । ବାଡ଼ିପଟ ପାଳଧୁଆ ଗଛ ଗହଳିରେ ବସି କପୋତୀ ଗାଇଲା, ଉଁହୁଁହୁଁ–ହୁଁଉଁ–ହୁଉଁ । ମୋତେ ଶୁଭିଲା–ଭୁଲି ନାହିଁ–ଭୁଲି ନାହିଁ ।

 

ପ୍ରିୟ ରମେଶ,

 

ନିର୍ବନ୍ଧ ପ୍ରଥା ଆମ ସମାଜକୁ ଏପରି ବାନ୍ଧିଛି ଯେ ତା’ର ବ୍ୟତିକ୍ରମରେ ସମାଜର ବାହାରେ ଭିତରେ ତୁମୂଳ ଝଡ଼ ସୃଷ୍ଟି ହୁଏ । ମୁଁ ବିବାହ ପ୍ରସଙ୍ଗ ଭାଙ୍ଗିବା ପାଇଁ ଯେଉଁ ଚିଠି ଲେଖିଥିଲି, ତା’ର ପରିଣାମରେ ଏପରି କିଛି ଝଡ଼ର ଆଶଙ୍କା କରିଥିଲି । ଦେଖିଲି ଆଶଙ୍କା ଠିକ୍‌ ବିପରୀତ ହେଲା । ମୁଁ ଥିଲି ଘଟଣା ସ୍ଥଳର ଶହ ଶହ କୋଶ ଦୂରରେ । ମୋ ବିଷୟରେ ଘରେ ଏବଂ–ଠାରେ ଯେତେ ଯେତେ କଥା ହେଲା ମୁଁ ତାହା ଜାଣିବାର କିଛି ଉପାୟ ନ ଥିଲା । ବେଳେବେଳେ ଅବକାଶ ସମୟରେ ଘରକୁ ଯାଇ ଏସବୁ କଥାର ଆଲୋଚନା ପାଇଁ ମୁଖଲଜ୍ଜା ଭୋଗିବାକୁ ପଡ଼େ । ତେଣୁ ମୁଁ କଲେଜ ବୋର୍ଡିଂରେ ଦୃଢ଼ରୂପେ ଅଣ୍ଟାଭିଡ଼ି ବସିଲି । ଭାବିଲି, ସମାଜର ଯେତେ ଝଡ଼ ତୋଫାନ ଆସୁ ପଛକେ, ଶାସ୍ତ୍ରର ଆଇନବନ୍ଧନ ଉତ୍‌ଫଣ ନାଗ ପରି ମୋତେ ଦଂଶନ କରିବାକୁ ଉଦ୍ୟତ ହେଉ ପଛକେ, ତିଳେହେଲେ ସେ ସବୁକୁ ଖାତିରି କରିବି ନାହଁ-। ମୁଁ ମୋର Psychology ବା ମନସ୍ତତ୍ତ୍ୱ ବ୍ୟାଖ୍ୟାନରେ ନାଗପାଶ ବନ୍ଧନକୁ ଖଣ୍ଡ ଖଣ୍ଡ କରିପକାଇବି । ଦରକାର ପଡ଼ିଲେ ଆଜିକାଲିର ପାଶ୍ଚାତ୍ୟ ଆମଦାନୀ Loveର ମଜ୍ଜାଗତ ରୂପ ସଙ୍ଗେ ଭଞ୍ଜଯୁଗର ବାସରଗୃହର ପୁରୁଣା କାଳିଆ ‘‘ମନଘେନାଘେନି’’କୁ ତୁଳନା କରି, ଏକ ଚମତ୍କାର ରଚନା ଲେଖି ଓଡ଼ିଶବାସୀଙ୍କୁ ଚମକାଇ ଦେବି । ଏ କଥାଟା କେବଳ ଭାବିଲି ନାହିଁ; ସାହିତ୍ୟରେ ଏପରି ଅଭିନବ ରଚନାର ସ୍ଥାନ ଅଛି କି ନାହିଁ ବୋଲି ଜଣେ ସମ୍ପାଦକଙ୍କ ପାଖକୁ ଦଉଡ଼ିଗଲି । ତୁମେ ବୋଧହୁଏ ଜାଣ, ରମେଶ, ଆମ ଦେଶର ଦଳେ ଲୋକ ଦିନେ ଭଞ୍ଜ କବିତାର ‘‘ଘେନାଘେନି’’ ଭାବକୁ ଶନିଦୃଷ୍ଟିରେ ଦେଖୁଥିଲେ । ଏବେ ସେ ଯୁଗ ଯାଇଛି । ଏବେ ‘‘ଯୌବନେ ବୈରାଗୀ ପୁଣି ବାର୍ଦ୍ଧକ୍ୟେ ରସିକ’’ ହେଲା ପରି, ସେହିମାନେ ପଲ୍ଲିର ବଟ ବକୁଳ ତଳେ ପଲ୍ଲିବାଳାର ଅଭିସାରକୁ କବିତା ଆକାରରେ ଆଦରରେ ଅଭିବାଦନ କରୁଛନ୍ତି । ଏହିଠାରେ ଏବେ ପାଶ୍ଚାତ୍ୟ Loveର ନିପଟ ଭାବ ଓଡ଼ିଆର ‘‘ଘେନାଘେନି’’କୁ ଛଡ଼ାଛଡ଼ି କରିବାକୁ ଲାଗିଛନ୍ତି ! ମୋ’ପରି ଯୁବକ ତ ସେଥିରେ ଆତ୍ମହରା ହେବାର କଥା ! ମୋର ସେଟା ହେଲା ଆଦର୍ଶ । Love ହେଲା ମୋ ଜୀବନର ଖାଦ୍ୟ–ଖାଦ୍ୟର ଭିଟାମିନ୍‌ !

 

ବହୁତ ଆନ୍ଦୋଳନ ପରେ ଯେଉଁ ଫଳ ଫଳିବାର ଆଶା କରିଥିଲି, ହଠାତ୍‌ ତାହା ଚିଠିର ଉତ୍ତରରେ ଏବଂ ବିଚିତ୍ର ଚିତ୍ରରେ ଆସି ପହଞ୍ଚିଗଲା । ଦିନେ ପିଅନ ଏକ ଲଫାପା ଦେଇଗଲା । ସେଟାକୁ ଧରି ଚମକି ପଡ଼ିଲି–ଉପରେ ମୋହରରେ ଆମ ଗାଁ ପୋଷ୍ଟଅଫିସର ନାମ ଅଛି । ଖୋଲିବାକୁ ସାହସ ହେଲା ନାହିଁ, ନ ଖୋଲିବାକୁ ଇଚ୍ଛା ବଳିଲା ନାହିଁ । ତା’ ଭିତରେ କିଏ ଅଛି,–କନକ ଅଛି କି ଆଉ କିଏ ଅଛି, ଜାଣିବାକୁ ମୁହୁର୍ମୁହୁଃ ମନ ନାଚିଲା । ବଡ଼ ସନ୍ଦେହରେ ଚିଠିଟାକୁ ଖୋଲିଲି । ତା’ ଭିତରେ ଖଣ୍ଡିଏ ଚିଠି ଓ ଖଣ୍ଡିଏ ଚିତ୍ର ଥିଲା । ମୋତେ ହଠାତ୍‌ ସବୁ ଜାଲୁଜାଲୁଆ ଦିଶିଲା । ଚିତ୍ରଟି ଜଣେ ଷୋଡ଼ଶୀର ଢଳ ଢଳ ଲାବଣ୍ୟମୟ ଛାୟା ।–ତା’ ତଳେ ଲେଖାଥିଲା ‘ଚଞ୍ଚଳା’ । ଚିଠିରେ ଭାଇ ଲେଖିଥିଲେ, ‘‘ସେ ପ୍ରସଙ୍ଗ ବନ୍ଦ ହେଲା । ଆଉ ବେଶି ଭାବିତ ହେବାକୁ ପଡ଼ିଲା ନାହିଁ । ସେ ଗାଁରେ ଆଉ ଠାଏ ଠିକ୍‌ ହୋଇଛି, ପାତ୍ରୀଟିର ନାଁ ଚଞ୍ଚଳା । କଟକରେ ପାଠ ପଢ଼ିଛି । ତା’ର ଖଣ୍ଡିଏ ଫଟୋ ଏଥି ସଙ୍ଗେ ପଠାଇ ଦିଆଗଲା । ବିଭା ଆର ମାସରେ ।’’

 

ଚିଠିଟାକୁ ଥରେ ପଢ଼ିଲି, ଆଉଥରେ ପଢ଼ିଲି, ଆଖିକୁ ମନ୍ଥି ପୁଣି ଥରେ ପଢ଼ିଲି । ସେହି ଏକା କଥା ଲେଖା ଯାଇଥିଲା । ଚଞ୍ଚଳା ସ୍ଥାନରେ ବା ପାଖରେ ‘କନକ’ ଶବ୍ଦ ଲେଖା ଯାଇ ନ ଥିଲା-। ମୁଁ ତାହାଦ୍ୱାରା ଯେ ଆଶ୍ୱସ୍ତ ହେଲି ତାହା ନୁହେଁ, ବରଂ ଶତଗୁଣେ ବିଚଳିତ ହୋଇପଡ଼ିଲି-। ମୋର ଅକୂଳ ଅନନ୍ତ ଦିକ୍‌ଶୂନ୍ୟ ଭାବନାରାଜ୍ୟର ପଛପଟେ ବିଶୀର୍ଣ୍ଣା କନକର ଉତ୍ତପ୍ତ ନିଃଶ୍ୱାସ ଝଞ୍ଜା ବହିବାକୁ ଲାଗିଲା ଏବଂ ଆଗରେ ନବାଗତା ଚଞ୍ଚଳାର ନବଯୌବନ-ଦୀପ୍ତ ଅଙ୍ଗଲତା ଫୁଟି ଉଠିଲା । ଆଖି ବୁଜି ଚଉକିରେ ବସିପଡ଼ିଲି । ଆଲୁଅ ମୋତେ ଭଲ ଲାଗିଲା ନାହିଁ, ଅନ୍ଧାରରେ ଶାନ୍ତି ଆସିଲା ନାହିଁ । ଏକ ଚିତ୍ର ମୋତେ ପଛକୁ ଭିଡ଼ିଲା, ଅନ୍ୟଟି ଆଗକୁ ଟାଣିଲା ! କନକର ଭାବନା ମୋତେ ଚେତାଇଲା, ‘‘ସାବଧାନ, ପଥଭ୍ରାନ୍ତ ଯୁବକ ! ସତ୍ୟ ଭୁଲୁଛ । ଅର୍ଥ ପିପାସାରେ, ବାହ୍ୟିକ ସୌନ୍ଦର୍ଯ୍ୟ ପିପାସାରେ ଏପରି ହେଉଛ । ମନେରଖ, ଏ ତୁମର ଉପଯୁକ୍ତ ହେଲା ନାହିଁ-।’’

 

ଏପର୍ଯ୍ୟନ୍ତ ଯେଉଁ ‘‘ଆଉ ଏକ ମୋହିନୀ ମୂର୍ତ୍ତି’’ର କଳ୍ପନା କରୁଥିଲି, ସେ ହଠାତ୍‌ ଚଞ୍ଚଳା ରୂପରେ ଦେଖାଗଲା । ଆହା ! ମୋ ଗଳାକୁ ବାହୁବନ୍ଧରେ ବାନ୍ଧି କନକ ପାଖରୁ ଫେରାଇ ନେଇ କହିଲା, ‘‘ଆସ, ପ୍ରେମ ଦେବି ଏବଂ ଯାହା ଲୋଡ଼ିବ, ତାହା ଦେବି । ଅର୍ଥ ? ପାଇ ପାରିବ । ମୋତେ ଗ୍ରହଣ କର, ମୋତେ ଗ୍ରହଣ କର । ତୁମର ପଥ ଠିକ୍‌ ଅଛି–ଆଗେ ଭୁଲ୍‌ ଥିଲା ।’’

 

ଭଉଣୀ,

 

ହରିଚରଣ ନାହିଁ କରିବା ଫଳରେ ମୋର ଯେ କେବଳ ନିର୍ବନ୍ଧ ଭାଜିଲା, ତାହା ନୁହେଁ; ଜଣାପଡ଼ିଲା, ସତେ ଅବା ମୋ ଜୀବନଟା ଅଧାରୁ ଦିଗଡ଼ ହେଇ ଛିଡ଼ି ପଡ଼ିଲା, ଏକୁଟିଆ ବସି ମନକୁ ମନ ଯେତେବେଳେ ପଛକୁ ବୁଲି ଚାହେଁ, ସେହି ମନରାଇଜରେ ଦେଖେ, ଅତୀତ ବର୍ଷର ସବୁ ଖେଳ କଉତୁକ ମୋର ଭାଜିରୁଜି ଗୁଣ୍ଡା ହୋଇଯାଇଛି । ବର୍ଷ ବର୍ଷ ଧରି ଯେଉଁ ବାଟେ ବାଟେ ମୁଁ ଯିବା ଆସିବା କରିଥିଲି, ତାହା ଅପନ୍ତରା ହୋଇ ପଡ଼ିଛି । ସେହି ଅପନ୍ତରା ବାଟରେ ଅତୀତର କ୍ଷୀଣସ୍ମୃତି ପରି ମୋର କେତୋଟି ପାଦଚିହ୍ନ ମାତ୍ର ଦେଖାଯାଉଛି । ଏଣେ ଆଗକୁ ଚାହିଁଦେଲେ ଖାଲି ଶୂନ୍ୟ...ମହାଶୁନ୍ୟ, ସେଥିକି ଆଖି ପାଏ ନାହିଁ, ମନ ଯାଏ ନାହିଁ, ଏ ଦେହରେ ମଧ୍ୟ ରକ୍ତ ଆଉ ରହେ ନାହିଁ ।

 

ନିର୍ବନ୍ଧ ଭାଜିଲା–ରାଇଜରେ ଚହଳ ପଡ଼ିଲା, ଜ୍ଞାତିକୁଟୁମ୍ବଙ୍କ ମଧ୍ୟରେ ଭାଳେଣି ପଡ଼ିଲା । ଏହାପରେ ମୋର ମନକୁ ବଦଳାଇବା ପାଇଁ ଯେତେ କଥା ହେଲା, ଲେଖୁଛି ।

 

ହରିଚରଣଙ୍କ ବିରୁଦ୍ଧରେ ମୋ ଆଗରେ କିଏ କେତେ କଥା ଆସି କହିଲେ । ବୁଝିଲି, ମୋ ମନକୁ ଖୁସି କରାଇବା ପାଇଁ, ହରିଚରଣଙ୍କୁ ଆଉ ନ ଭାବିବା ପାଇଁ ଏସବୁ ଜାଲ ଛନ୍ଦା ହୋଇଛି ।

 

ଯେଉଁ ଭାଉଜ ମୋତେ ହରିଚରଣଙ୍କ ନାଁରେ କେତେ କେତେ ମନଭୁଲାଣିଆ କଥା କହି ଦିନରାତି ହସାଉଥିଲେ, ସେ ଏଣିକି ତାଙ୍କ ନାଁ ପଡ଼ିଲେ ନାକ ମୁହଁ ମୋଡ଼ିଲେ । କହିଲ, ‘‘ନାରୀ ଜନମ ପାଇ ପୁଣି ଇମିତି ପୁରୁଷର ହାତ ଧରିବ ? ଅନ୍ତୁଡ଼ିଶାଳରେ ପଛେ ତୋଟିଚିପା ହୋଇ ମରିଥିବ, ଇମିତି ବରର ହାତ ଧରିବ ନାହିଁ ।’’

 

ତାଙ୍କର କଥା କଥାକେ ହରିଚରଣଙ୍କ ବିରୁଦ୍ଧରେ ଏହିପରି ବିଷ ବାହାରିଲା । ପ୍ରଥମେ କେତେଦିନ ମୁଁ ଏ କଥାକୁ ଭଲ କରି ମନକୁ ନେଲି ନାହିଁ । ତା’ପରେ ମନକୁମନ ବୁଝେଇଲି । ଏସବୁ ନିନ୍ଦା ଅପମାନକୁ ମାନିବି କି ନାହିଁ, ଏଥିପାଇଁ ହୃଦୟ ଭିତରେ ଭାରି ଘଣ୍ଟାଚକଟା ଆରମ୍ଭ ହେଲା । ଯେତେ ବିଚାରିଲେ ମଧ୍ୟ ତାଙ୍କ ପ୍ରତି ମୋର ଅଭିମାନ ସିନା ଆସିଲା, ରାଗ ଆସିଲା ନାହିଁ-। ଯେତେ ତାଙ୍କର ଦୁର୍ଗୁଣ ଶୁଣିଲେ, ପ୍ରଭୁ ତାଙ୍କୁ ସୁଗୁଣ ଦିଅନ୍ତୁ ବୋଲି ମନେମନେ ଜଣାଣ କଲି ସିନା, ତାଙ୍କ ନାରେଁ ନାକକାନ ଛିଞ୍ଛାଡ଼ି ଛି’ ବୋଲି ପଦେ ହେଲେ କହିପାରିଲି ନାହିଁ ।

 

ବିଚାରି ବିଚାରି ଯେତେବେଳେ ଭାରି କାଉଳି ବାଉଳି ଲାଗେ, ସେହି ଚିଠି ଖଣ୍ଡକ କଥା ବସି ଭାବେ । ତାହା ଭାବିଲେ ମନଟା କୁଆଡ଼େ ବଦଳିଯାଏ । ଭାଉଜଙ୍କ ମୁହଁରୁ ବା ଆଉ କାହାଠାରୁ ହରିଚରଣଙ୍କ ବିରୁଦ୍ଧରେ ଯେତେ କଥା ଶୁଣିଥାଏ, ସେ ଚିଠିକଥା ମନେପକାଇଲେ ସବୁ କୁଆଡ଼େ ପାଣିଫୋଟକା ପରି ଉଭେଇଯାଏ । ମନଟାକୁ ତାଙ୍କରି ପାଦତଳେ ପୂଜା ବାଢ଼ି ଦେଇ ଟିକିଏ ନିଶ୍ଚିନ୍ତ ରହେ ।

 

ଏହି ହେଲା ମୋର ସେହି ସମୟର ଅବସ୍ଥା ।

 

ପ୍ରିୟ ରମେଶ,

 

ଘରୁ ଚିଠି ଆସିବାର ଦୁଇ ଚାରି ଦିନ ପରେ କନକଘର ଗାଁରୁ ଖଣ୍ଡିଏ ଚିଠି ପାଇଲି । କନକ ସହିତ ମୋର ସକଳ ରଫା ଦଫା ଶେଷ କରିପାରିଛି ବୋଲି ବେଳେବେଳେ ନିଜକୁ ଧନ୍ୟ ମନେକରୁଥିଲି । ଏପରି ସମୟରେ ଏ ଚିଠିଖଣ୍ଡକ ମୋ ମନ-ଜଗତରେ ଏକ ଭୂମିକମ୍ପ ଅଣାଇଦେଲା । ମୋର କଳ୍ପନାର ସେହି ପୁରୁଣା ଘର ସହିତ ନୂଆ ଘରଟା ବି କମ୍ପି ଉଠିଲା । ସେହି ଅନୁଭବରୁ ଜାଣିପାରିଛି, କ୍ଷଣ କ୍ଷଣକର ସାମାନ୍ୟ ସାମାନ୍ୟ କଥାରେ ଜୀବନରେ ଯେ ଧକା ବାଜେ, ତାହା ଦାମ୍ଭିକ ମାନବର ସକଳ ଦମ୍ଭକୁ ମୁହୂର୍ତ୍ତକେ ଚୂରିଦିଏ ।

 

ମୋର ସମ୍ପୂର୍ଣ୍ଣ ଅପରିଚିତ ବ୍ୟକ୍ତି ସେହି ଚିଠିଖଣ୍ଡକ ଦେଇଥିଲେ, ଅଥଚ ଚିରିପରିଚିତ ପରି ସେଥିରେ ଏହି ମର୍ମ୍ମରେ ଲେଖିଥିଲେ–‘ସଂସାରରେ ବନ୍ଧୁତା ଏକ ମଧୁମୟ ବନ୍ଧନ । ମୁଁ ଯେ ଏ ଚିଠି ଲେଖୁଛି, ତୁମର ନିର୍ବନ୍ଧ ସଙ୍ଗେ ସଙ୍ଗେ ତୁମ ଆପଣାର ହୋଇ ସାରିଛି; ମଧୁମୟ ବନ୍ଧୁତାବନ୍ଧନରେ ବାନ୍ଧି ହୋଇଛି । ଶ୍ରୀମତୀ ଚଞ୍ଚଳାକୁ ପାଇ ତୁମର ପ୍ରଣୟ ଜୀବନ ମଧୁମୟ ହେଉ, ଭଗବାନଙ୍କଠାରେ ଏହି ମୋର ପ୍ରାର୍ଥନା’.....ଇତ୍ୟାଦି ।

 

ରମେଶ, ସତ କହୁଛି, ଅର୍ଥ ଉପରେ ମୋର ବଡ଼ ବିଶ୍ୱାସ ଥିଲା । ମୁଁ ଭାବୁଥିଲି, ଜଗତର ମାନଗୌରବ-ପ୍ରାସାଦ କେବଳ ଅର୍ଥ ଉପରେହିଁ ତୋଳା ହୁଏ । ଅର୍ଥ ଥିଲେ ପ୍ରେମର ଅଭାବ ନାହିଁ । ସବୁ ଜିନିଷକୁ କିଣିଲା ପରି ପ୍ରେମକୁ ମଧ୍ୟ ଅର୍ଥଦ୍ୱାରା କିଣାଯାଇପାରେ । କି ମୋହ ମୋତେ ଘୋଟିଗଲା ! ଅନାବିଳ ପ୍ରେମକୁ ମୁଁ ଅର୍ଥ ଦୃଷ୍ଟିରେ ଦେଖିଲି । ମନ ଯେ କେବଳ ମନଦ୍ୱାରା କିଣାହୁଏ, ଏହା ମୁଁ ବୁଝିପାରିଲି ନାହିଁ । ଥରେ ମୋର ଜଣେ ବନ୍ଧୁ ବୁଝାଇଥିଲେ–ସଂସାରରେ ପ୍ରେମ, ସ୍ନେହ, ଦୟା ପ୍ରଭୃତି ଭଗବାନଙ୍କ ସୃଷ୍ଟି; ଆଉ ଲୋଭ, ଦ୍ୱେଷ, ରାଗ ପ୍ରଭୃତି ସଇତାନର ସୃଷ୍ଟି । ସେତେବେଳେ ମୁଁ ଲୋଭପଥରେ ପ୍ରେମର ଭିକାରି ହୋଇ ବୁଲୁଥିଲି । ଚାଲିଲା ବେଳେ ଦୁଇପାଖକୁ ଚାହୁଁଥିଲି–କିଏ ମୋତେ ପ୍ରେମ ଦେବ ଏବଂ ସଙ୍ଗେ ସଙ୍ଗେ ଅର୍ଥ ମଧ୍ୟ ଦେବ । ହାୟରେ କପାଳ, ମୋ ଶିକ୍ଷା ମୋତେ ସେତେବେଳେ ଏହା ଛଡ଼ା ଅନ୍ୟ ପଥରେ ନେଇ ପାରିଲା ନାହିଁ । .....ସଇତାନ ମୋର ହୃଦୟରାଜ୍ୟ ମାଡ଼ି ବସିଥିଲା । ଥରେ ମୁଁ ଜଣେ ବନ୍ଧୁଙ୍କ ପାଖେ ପ୍ରସ୍ତାବ କରି ବସିଥିଲି–‘‘ଯଦି କନକକୁ ନିର୍ବନ୍ଧ ଖାତିରିରେ ବିଭାହୋଇ ଅନ୍ୟକୁ ପ୍ରେମପାଇଁ ବିଭାହୁଏ, ତେବେ ଦୋଷ କ’ଣ ?’’ ଏହି ପ୍ରେମ ମୂଳରେ ମୋର ଅର୍ଥ ପିପାସା ପୂରି ରହିଥିଲା ।

 

ପ୍ରଥମେ ଅର୍ଥଲୋଭରେ କନକକୁ ମୁଁ ପ୍ରେମଚକ୍ଷୁରେ ଦେଖୁଥିଲି; କିନ୍ତୁ ତା’ ବଂଶର ଦଶାବିପର୍ଯ୍ୟୟ ମୋର ତା’ପ୍ରତି ଆସକ୍ତି ମୂଳରେ କୁଠାରାଘାତ କଲା । ସେହି ଅର୍ଥପିପାସା ମୋତେ ଠିକ୍‌ ପଥରୁ ଭୁଲ୍‌ ପଥକୁ ବା ଭୁଲ୍ ପଥରୁ ଠିକ୍‌ ପଥକୁ–ତୁମେ ଯାହା ଭାବୁଛ–ଟାଣିନେଲା ।

 

ଓହୋ ! ମନୁଷ୍ୟ ଏଡ଼େ ସାମାନ୍ୟ ଶରୀର ଖଣ୍ଡେ ଧରି ସେଭିତରେ ମନଟାକୁ ନେଇ ଯେତେ ଗର୍ବ କରେ, ସେଥିରେ ସେତେ ଗର୍ବ କରିବାର କାରଣ ମୁଁ କିଛି ଦେଖୁ ନାହିଁ । ଏହି ମୋର ମନ ଦିନେ କନକ ଚିନ୍ତାରେ ନଭଶ୍ଚୁମ୍ବୀ ହିମାଳୟରେ ଚଢ଼ି ପ୍ରେମଗୌରବରେ ଜଗତକୁ ଉପହାସ କରୁଥିଲା, ସେହି ମନ ଏବେ ସେହି କନକକୁ ଅତଳ ରସାତଳରେ ପକାଇଦେବାକୁ ତିଳେହେଲେ କୁଣ୍ଠିତ ହେଉ ନାହିଁ । ମନୁଷ୍ୟ ମନର କଥା ଅନ୍ତରର ଅନ୍ତରତମ ଦେବତା ବୁଝିପାରନ୍ତି କି ନାହିଁ, ଏବେ ମଧ୍ୟ ମୋର ସନ୍ଦେହ ଅଛି; ଏ ସନ୍ଦେହ ମୋର ତୁଟିବ ନାହିଁ ଜାଣେ ।

 

ବିବାଭ ଆଉ ଅଳ୍ପ ଦିନ ଅଛି ବୋଲି ଘରୁ ପୁଣି ଚିଠି ଆସିଲା । ମୁଁ ଉତ୍ସୁକ ଭାବରେ ସେହି ଦିବସର ସେହି ବିଶିଷ୍ଟ ମୁହୂର୍ତ୍ତକୁ ଅପେକ୍ଷା କରି ରହିଲି ।

 

ଭଉଣୀ,

 

ଦୁଃଖ, କଷ୍ଟ, ଅପମାନରେ ମରିବାକୁ ଇଚ୍ଛା କରିବା ବଡ଼ ଭୁଲ୍‌ । ବାପା କହୁଥାନ୍ତି–ୟାକୁ ଯେ ଜୟକରି ପାରିବ ତା’ଠାରୁ ସୁଖୀ ଆଉ କେହି ନାହିଁ । ସେ ସୁଖ ଯେ କେମିତି, ଜାଣିବାପାଇଁ ମୋର ଇଚ୍ଛା ବଳିଲା । ଏଣିକି ପ୍ରାଣ ହରାଇଦେବା ଭାବ ମନକୁ ଆଦୌ ଆସିଲା ନାହିଁ । କିପରି ତାଙ୍କୁ ଦେଖି ପାରିବି, ଏହା ମୋର ଭାବନା ହେଲା । ସେହି ଦିନଯାଏ ଅପେକ୍ଷା କରି ରହିବି ବୋଲି ପ୍ରତିଜ୍ଞା କଲି । ମୋ ଜୀବନ–ଦୀପ ଦୁଃଖ ପବନରେ ଲିଭିବା ଆଗରୁ ତାଙ୍କ ଉପରେ ଥରେ ହେଲେ ଆଖି ପକାଇ ପାରିବି ବୋଲି କେଜାଣି କାହିଁକି ବିଶ୍ୱାସ ବାନ୍ଧିଥାଏ ।

 

ଶୁଣିଲି, ସେ ବିଭା ହେବେ ଆମର ଗାଁର ଆଉ ଏକ ସାଇରେ । କଥା ବଡ଼ ଗୋପନରେ ମୋ କାନକୁ ଆସିଲା । ପ୍ରଥମେ କିଛି ବୁଝି ପାରିଲି ନାହିଁ । ଗାଁର ଦାସଙ୍କ ନିଶାମଣି ମୋର ପିଲାଦିନର ସାଙ୍ଗ । ସ୍କୁଲରେ ତା’ ନାଁ ଥିଲା ନିଶାମଣି; ମାତ୍ର ଆମେ ସାଇରେ ତାକୁ ଡାକୁଥିଲୁ ଚଞ୍ଚଳା ବୋଲି । ଟିକେ ବଡ଼ ହେଲା ଦିନୁ ସେ ଆଉ ଆମ ଘରକୁ ଆଗପରି ଦାଣ୍ଡବାଟେ ଆସୁ ନ ଥିଲା । ଅନେକ ଦିନଯାଏ ସ୍କୁଲରେ ଦେଖା ହେଉଥିଲା । ସେ କଟକ ପଢ଼ିଯିବା ଦିନୁ ତା’ର ମୋର ଆଉ ବେଶି ଦେଖା ସାକ୍ଷାତ ହୁଏ ନାହିଁ । ଚିଠିପତ୍ରରେ ଯାହା ମନକଥା କୁହାକୁହି ହେଉ । ତାଙ୍କ ଘରେ ବିଭାଘର ଯୋଗାଡ଼ ଦେଖି ମୋ ମନ କେଜାଣି କାହିଁକି ହାହାକାର କରି ଉଠିଲା । ଭାବିଲି ସଂସାରରେ କ’ଣ ଆଉ କାହାରି ହରିଚରଣ ନାହାନ୍ତି, ବିଧାତା କେବଳ ମୋରି ପାଇଁ ଜଣେ ଗଢ଼ିଥିଲା ?

 

ଏ ଅପରାଧିନୀ କି ଦୋଷରୁ ସେ ପାଦତଳେ ଆଶ୍ରୟରୁ ବଞ୍ଚିତ । ହେଲା, ସେ କଥା ଆଉ ଖୋଜି ବସିଲି ନାହିଁ । ମନରେ କେବଳ ଏହି ଚିନ୍ତା ଯେ, ବହୁଦିନର ସେହି ସ୍ୱପ୍ନଦେବତାଙ୍କୁ କେବେ ଆଖି ଆଗରେ ଦେଖିପାରିବି ପରା ! ହରିଚରଣଙ୍କ ଶେଷ ଚିଠି କଥା ଶୁଣିଲାପରେ, ମନରେ ଦୁଃଖ ଲାଗିଲେ, ଘରେ ଭଲ ନ ଲାଗିଲେ ବେଳେ ବେଳେ ମୁଁ ନିଶାମଣି ଘରକୁ ବୁଲିଯାଏ-। ଏଣିକି ସେଠାକୁ ଯିବାକୁ କେମିତି କେମିତି ଲାଗିଲା । ସାଙ୍ଗ ନିଶାମଣିର ହସ ମତେ ଆଉ ଭଲ ଲାଗିଲା ନାହିଁ । ଦିନକର କଥା ମୋର ସଫା ମନେଅଛି । ବିଭାଘର ଆଠଦିନ ଥାଏ, ନିର୍ଧୁମ ଖରାବେଳେ ମୁଁ ବାଡ଼ିପଟେ ବୁଲି ତାଙ୍କ ଘରକୁ ପଶିଗଲା ବେଳକୁ ମତେ ଲାଗିଲା ସତେ ଯେପରି ମୋ ବାଟ କିଏ ଆଗୁଳି ଦେଲା । ପାନ ଦୋକାନଠାରେ ଯାହାଙ୍କ ଉପରେ ଆଖି ପିଛୁଳାଏ ପଡ଼ିଥିଲା, ତାଙ୍କ ଛବିଟା ଆଖି ଆଗରେ ନାଚିଗଲା । ସେତେବେଳର ଅବସ୍ଥା ଆଉ କ’ଣ ଲେଖିବି ଭଉଣୀ, ମୋ ଗୋଡ଼ରୁ ଜୀଅ ଛାଡ଼ିଗଲା । ଏହିଠାରେ ମୁଁ ପ୍ରଥମେ ବୁଝିଲି ପୁରୁଷ ଲୋକପ୍ରତି ନାରୀର କି ସମ୍ବନ୍ଧ ଅଛି । ବାଧା ପାଇଲେ ମଧ୍ୟ ତାହା ଚିରକାଳ ପାଇଁ ଲିଭିଯାଏ ନାହିଁ–ସୁବିଧାସୁଯୋଗ ଦେଖି ବାହାରିପଡ଼େ । ନିଶାମଣିର ବିଭା କଥା ଭାବି ଭାବି ମୁଣ୍ଡ ପୋତି ପୋତି ଯାଉଥିଲି, କେଜାଣି କାହିଁକି ସେ ଭିତରେ ମୋ କଥାକୁ ନେଇ ବାଢ଼ି ବସିଲି । ମୁଁ ଯେତିକି ଟାଣରେ ସେ ମୋହକୁ ଏଡ଼ିଥିଲି, ତହୁଁ ବଳି ଶହେ ଗୁଣ ଟାଣରେ ତାହା ମୋ ହୃଦୟକୁ ଆକ୍ରମଣ କରି ବସିଲା । ତାଙ୍କ ଦୁଆରଟା ପାରି ନ ହେଉଣୁ ଝିମି ଝିମି ଗୋଡ଼ରେ ସେହିଠାରେ ବସି ପଡ଼ିଲି । ସେତିକି ମୁଁ ଜାଣେ, ତା’ପରେ ଯେତେବେଳେ ବାଡ଼ି ପିଣ୍ଡାରେ ନିଶାମଣିର ବାପା ମୋ ମୁଣ୍ଡଟିକୁ ତାଙ୍କ ଜଙ୍ଘରେ ଥୋଇ ଆଉଁସି ଆଉଁସି ଡାକିଲେ ‘କନ’, ମୋର ବେହୋସ୍ ଭାଜିଗଲା । ଆଖି ମେଳାଇ ଦେଖିଲି, ସବୁ ଭୁଲ୍‍ । ସେ ଛବି ଛଳନା । ସେହି ଦିନଠାରୁ ମୁଁ ତାଙ୍କ ଘରକୁ ଆଦୌ ଗଲି ନାହିଁ । ସେମାନେ କେତେମନ୍ତେ ଡାକନ୍ତି । ମୋ ମୁହଁ ଆଗୁଟାରେ ସମସ୍ତେ ହସି ହସି କଥା କହିଯାନ୍ତି, କେହି ହେଲେ ଟିକିଏ ଆହା କରି ଦିଅନ୍ତି ନାହିଁ । ସେମାନଙ୍କ ହସ ଦେଖି ରାଗରେ ଏ ହୃଦୟ ଜଳିଉଠେ । ଭାବେ ମନୁଷ୍ୟ କି ଏଡ଼େ ଆପଣାସାର୍ଥିକ ? ମୋ ଦୁଃଖରେ ଏମାନଙ୍କର ଟିକିଏ ହେଲେ ଲୁହ ଗଡ଼ୁନାହିଁ ! ହୃଦୟଟା ଫିଟାଇ ଦେବାର ସୁବିଧା ଥିଲେ, ବିଚାରୁଥାଏ ଫିଟାଇ ଦେଇ ଦେଖାନ୍ତି, ସେ ଭିତରେ କିପରି ହୁ ହୁ ହୋଇ ନିଆଁ ଜଳି ଉଠିଛି । ସେହି ନିଆଁରେ ସେମାନଙ୍କ ହସ ଖେଳ ପୋଡ଼ି ପାଉଁଶ କରି ଦିଅନ୍ତି !

 

ଦିନକୁ ଦିନ ସେହି ଛବିଟି ସବୁଆଡ଼େ ଦେଖିଲି । ମୁଁ ଯୁଆଡ଼େ କାନେଇଲି, ସେଆଡ଼େ ଶୁଣାଗଲା, ସେ ଛବି ଯେପରି କହୁଛି–‘‘ତୋର ଏଠାରେ ପ୍ରବେଶ କରିବାର ଅଧିକାର ନାହିଁ ।’’ ମୁଁ ପାଗଳିନୀ ପରି ହୋଇଗଲି । ବେଳେ ବେଳେ ତାଙ୍କର ହାତଲେଖା ଚିଠିଟାକୁ ମୁକ ଭାବରେ ଚାହିଁ ବସେ । ତୁଛାଟାକୁ ମନକୁ ମନ କହୁଥାଏ–‘‘ଭୁଲି ପାରିବି ନାହିଁ, ଭୁଲି ପାରିବି ନାହିଁ ।’’ ଛିଃ, ଏସବୁ କଥା ଏବେ ମନେପକାଇଲେ ମୁଣ୍ଡ ଲାଜରେ ଲଇଁଯାଉଛି । ସେବେ ମୁଁ କିପରି ଯେ ଏତେ ଏତେ କଥା ଭାବି ପାରୁଥିଲି, ବୁଝିପାରୁ ନାହିଁ । ମନୁଷ୍ୟର କ’ଣ ନିଜକୁ ଭୁଲିବାର ଏକ ସମୟ ଅଛି ? ହରିଚରଣ ନିଜକୁ ଭୁଲି, ନିଜ କଥାକୁ ଭୁଲି ଅନ୍ୟ ସ୍ୱର୍ଣ୍ଣମୃଗ ପଛରେ ଗୋଡ଼ାଇଲେ । ମୁଁ ମଧ୍ୟ ମୋ ମନମୃଗକୁ ହରାଇ ସଂସାର ମରୁରେ ଏଣେ ତେଣେ ଧାଇଁଛି । ମୁଁ ଜାଣୁ ନ ଥିଲି, ଧାଇଁଲା ବେଳେ ଗୁରୁଜନଙ୍କୁ ଭେଟିବ କି ଅପନ୍ତରା ପଥରେ ଝୁଣ୍ଟିପଡ଼ି ଆତ୍ମାକୁ କଷ୍ଟ ଦେବି । ମୋର ଜୀର୍ଣ୍ଣ ଅଙ୍ଗକୁ ବହନ କରି ଚାଲିବା ସେତେବେଳେ ମୋ ପକ୍ଷରେ ବଡ଼ କଷ୍ଟକର ଥିଲା ।

 

ପ୍ରିୟ ରମେଶ,

 

କନକକୁ ଛାଡ଼ି ଚଞ୍ଚଳାକୁ ଗୋଡ଼ାଇଲି । ଏକ କଳ୍ପଲୋକ ଲଙ୍ଘି ଆଉ ଏକ କଳ୍ପଲୋକରେ ଯାଇ ପ୍ରବେଶ କଲି । ଅତୀତର ନନ୍ଦନବନ ମରୁଭୂମି ପାଲଟିଲା, ପୁଣି ଭବିଷ୍ୟତର ଘନ ଅନ୍ଧକାର ଭିତରେ ଶରତର ଚନ୍ଦ୍ର ହସି ଉଠିଲା । ଗୋଟାଏ ଜୀବନକାଳ ମଧ୍ୟରେ କେତେକେତେ ରହସ୍ୟ ମୁଁ ଦେଖିଗଲି, ରମେଶ !

 

ବି.ଏ. ଜୀବନର ଜ୍ଞାନଚର୍ଚ୍ଚା ଭିତରେ ରୂପଚର୍ଚ୍ଚାର ଆୟୋଜନ ଚାଲିଲା । କନକକୁ ଛାଡ଼ି ମୁଁ ଜୀବନର ଗୁରୁତର ଖାଇବର ଗିରି ସଙ୍କଟ ପାରି ହୋଇଛି ବୋଲି ମନେ କଲି ।

 

ମନର ପରିବର୍ତ୍ତନରେ ସଂସାରଟା ବଦଳିଲା ପରି ଜଣାପଡ଼େ । ମୋର ତାହାହିଁ ହେଲା-। ନିର୍ବନ୍ଧ ଭାଙ୍ଗିବାପାଇଁ ‘ଶେଷ’ ଚିଠି ଦେବା ପରେ ଦିନେ ମୋ ଘରେ ଏକ ସାନ୍ଧ୍ୟ ମିଳନର ଯୋଗାଡ଼ କଲି । ସେ କଥା ବାହାରେ ଆଉ କେହି ଜାଣିଲେ ନାହିଁ । ଯାହାଙ୍କୁ ଖୁବ୍ ଆପଣାର ବୋଲି ଭାବେ, ସେହିମାନଙ୍କୁ କଥାଛଳରେ ନିମନ୍ତ୍ରଣ କରି ଆଣିଲି । ମୋର କ୍ଷୁଦ୍ର କୋଠରୀଟି ସାତ ଆଠୋଟି ଯୁବକ ବନ୍ଧୁଙ୍କୁ ବକ୍ଷରେ ଧରି ପୂରି ଉଠିଲା । ଜଳପାନର ସାମାନ୍ୟ ଆୟୋଜନ କରିଥିଲି-। କନକର ଅନ୍ତଃପୁରକୁ ଛାଡ଼ି ଚଞ୍ଚଳାର ଅନ୍ତଃପୁରକୁ ଯିବାର ମୋର ସେହି ହେଉଛି ପ୍ରଥମ ଦିବସ-

 

ଏହି ଶୁଭ ସମ୍ବାଦଟା ବନ୍ଧୁମାନଙ୍କୁ ଜଣାଇଦେବା ପାଇଁ ଭାରି ଛଟପଟ ହୋଇ ଉଠିଲି । କିନ୍ତୁ ଖୋଲାଖୋଲି କହି ଦେବାକୁ ସାହସ ନ କରି ସେ ବିଷୟରେ ଗୋଟାଏ ଯୁକ୍ତିର ଅବତାରଣା କରିଦେଲି । ଧାରା–ଶ୍ରାବଣରେ ମେଘ ଜମାଟ ବାନ୍ଧିଲା ପରି ନାନା ରକମର ଯୁକ୍ତି ବିଚିତ୍ର ଧରଣର ଆଲୋଚନା ସେହି କୋଠରୀଟି ଭିତରେ ଜମାଟ ବାନ୍ଧି ଆସିଲା । ମଫସଲର ଅଶିକ୍ଷିତା ଯୁବତୀମାନଙ୍କ କଥା ନେଇ ଆଲୋଚନା ଉଠିଥିଲା । କିଏ ସେମାନଙ୍କର ନିରାଡ଼ମ୍ବର ରୂପର ପ୍ରଶଂସା କରି ବସିଲା, କିଏ ବା ସେମାନଙ୍କ ସରଳ ବିଶ୍ୱାସକୁ ଦୋହାଇ ଦେଇ ସମାଜକୁ ଅଭିଶାପ ଦେଲା । କିଏ ପଲ୍ଲିର ପ୍ରଣୟଜୀବନକୁ ଧନ୍ୟ ଧନ୍ୟ କଲା, କିଏ ବା ସହର ଜୀବନ ସହିତ ପଲ୍ଲୀ ଜୀବନକୁ ତୁଳନା କରି ନାକ ଟେକିଲା । ଜଣେ ବିରହ ବିଷୟରେ ଏକ ବକ୍ତୃତା ଦେଇ କହିଲେ–‘‘ଜୀବନର ସକଳ ଅନୁଭୂତି ମଧ୍ୟରେ ବିରହ ହେଉଛି ବଡ଼ ମଧୁମୟ । ପ୍ରେମ ଯେତିକି ଅନାବିଳ ହେବ, ବିରହ ସେତିକି ଅମୃତମୟ ହୋଇ ଉଠିବ । କୌଣସି ପ୍ରିୟଜନର କ୍ଷଣିକ ଅଦେଖାରେ ଯେଉଁ ବ୍ୟାକୁଳତା ଜାତ ହୁଏ, ତାକୁ ଲୋକେ ବିରହ ଆଖ୍ୟା ଦେଇଥାନ୍ତି । ବିରହ କିନ୍ତୁ ଏପରି ଜିନିଷ ନୁହେଁ । ମାସକର, ବର୍ଷକର ବା ଦଶ କୋଡ଼ିଏ ବର୍ଷର ଅଦେଖାରେ ଯେ ବ୍ୟାକୁଳତା ତାହା ମଧ୍ୟ ବିରହ ନୁହେଁ । ବିରହର ପ୍ରକୃତି ଭିନ୍ନ ଧାତୁରେ ତିଆରି । ଯୁଗ ଯୁଗ ଧରି ପ୍ରିୟବନ୍ଧୁର ଦେଖା ସାକ୍ଷାତ ମିଳିବ ନାହିଁ ଜାଣି, ତାହାରି ରୂପର, ଗୁଣର ପୂଜାରୀ ହୋଇ ପ୍ରାଣ ଭିତରେ ଯେ ନିର୍ମଳ ଅଧୀରତା ଜାତ ହୁଏ, ତାହାହିଁ ପ୍ରକୃତ ବିରହ । ବିରହକୁ କେବଳ ରୂପଚକ୍ଷୁରେ ଦେଖିଲେ ତାହା ପଙ୍କିଳ ହୋଇ ଉଠେ । ଏପରି ହେଲେ କଳକଳ ଗିରି ନିର୍ଝରିଣୀ ଭିତରେ ବଦ୍ଧ ପୁଷ୍କରିଣୀର ମଳିନତା ମିଶିଯାଏ । ଯେଉଁଠି ପବିତ୍ର ପ୍ରେମ, ସେଇଠି ପବିତ୍ର ବିରହ । ପଲ୍ଲି ବିଧବାର ଆଜୀବନ କଠୋର ସାଧନା ଭିତରେ ବିରହର ମଧୁର ଛାୟା ଏପର୍ଯ୍ୟନ୍ତ ଲୋପ ପାଇନାହିଁ,’’ ....ଇତ୍ୟାଦି ।

 

ଏହାପରେ ପ୍ରେମର ବ୍ୟାଖ୍ୟା, ପ୍ରେମ ପତ୍ରର ଆବଶ୍ୟକତା, ପ୍ରେମର ପରିମାପ...ଇତ୍ୟାଦି ଇତ୍ୟାଦି କେତେ କଥାର ଆଲୋଚନା ଉଠିଲା । କଥା ସବୁ ଏପରି ଦିଗକୁ ଗତି କଲା ଯେ ମୋ ମନ କଥା ସେଠି ଆଉ ଫିଟାଇ କହିପାରିଲି ନାହିଁ । କନକକୁ ନାସ୍ତି କରି ଚଞ୍ଚଳାକୁ ପାଇଛି, ଏ କଥାଟା କହିବାକୁ କାହିଁକି ସେକ୍ଷଣି ସାହସ ହେଲା ନାହିଁ; ଅଥଚ ଏହି କଥା କହିବା ପାଇଁ ଏଡ଼େ ଆଗ୍ରହରେ ଏତେ ଆୟୋଜନ କରିଥିଲି । ମୁଁ କଳଚାଳିତ ପରି ସବୁକଥା କେବଳ ଶୁଣିଲି । ସଭା ଭାଜିଲା, ସମସ୍ତେ ଥଟ୍ଟାରେ କେତେ କଥା କହି କନକକୁ ପ୍ରଶଂସା କରି କରି ଘରୁ ବିଦାୟ ନେଲେ ।

 

ମୋ ମନରେ ନୃତ୍ୟ ଆରମ୍ଭ ହେଲା, କନକ ନା ଚଞ୍ଚଳା ? ମୋ ବିରହ ଏବେ କାହା ଉଦ୍ଦେଶ୍ୟରେ ଜଗାଇ ରଖିବି; ଏହି ହେଲା ଗୁରୁତର ସମସ୍ୟା ।

 

ଭଉଣୀ,

 

ଭାଉଜ କହିଲେ, ‘‘କନ, ତୁମକୁ ଆଜି ଗୋଟିଏ ନୂଆ କଥା କହିବି । ଦେଖିଲ ତ ହରିଚରଣ କିମିତି ଦଗା ଦେଲେ ! ଭାବି ଭାବି ମୋତେ ରାତିରେ ନିଦ ନାହିଁ । କନ ପରା ଝିଅକୁ ପୁଣି ଏତେ ଦୁଃଖ ଥିଲା ! ଏସବୁ ଦଇବ ଘଟଣା ଲୋ ଝିଅ, ଦଇବ ଘଟଣା । ଯିଏ ଯାହା ପାଇଁ ସିଏ ତାହା ପାଇଁ । ହରିଚରଣ ପ୍ରକୃତରେ ଆମର ନୁହନ୍ତି ବୋଲି ଏତେ ଦିନ ଏମିତି ଗଲା । ତୁମେ ମନେମନେ ଏତେ ପୋଡ଼ାଜଳା ସହିଲ !

 

‘ବିହି ଯାହା ଥିବ ଲିହି, ଆମେ ତମେ କିଏ ଲୋ ମାଆ, ତାକୁ ପୋଛି ଦେଇ ପାରିବା ? ତୁଛାଟାରେ ସିନା କହନ୍ତି, ଏ ମନରେ ଭାବିଲେ ସେ ମନକୁ ଛୁଏଁ ? ମତେ ତାହା କେବେହେଲେ ସତ ଲାଗେ ନାହିଁ । କନ ! ତୁମେ ତ ହରିଚରଣଙ୍କ କଥା କେତେଦିନ କେତେ ଭାବିଲ; ତମ ମନ କଥା କ’ଣ ତାଙ୍କ ମନକୁ ଛୁଇଁଲା ? ହୁ’ କରି ସେ ନାହିଁ କରିଦେଲେ ଏ ମନ କଥା କିଏ ବୁଝିଲା ?

 

‘‘ବଣ ପୋଡ଼ିଲେ ସଭିଏଁ ଜାଣନ୍ତି; ମାତ୍ର ମନ ପୋଡ଼ିଲେ କେହି ହେଲେ ଜାଣନ୍ତି ନାହିଁ ! ତମେ ଭିତରେ ଭିତରେ ଇମିତି ପୋଡ଼ିଜଳି ମଲେ କିଏ ଜାଣିବ ? ଲୋକେ ଖାଲି ବାହାରେ ଶୁଣିବେ, ହସିବାର ଥିଲେ ହସିବେ, ନାକ ଟେକିବାର ଥିଲେ ନାକ ଟେକିବେ ! ପୋଡ଼ା ମନକୁ କିଏ ଆହା ବୋଲି କହିବ ନାହିଁ !

 

‘ମୁଁ ମରୁଥେ ତୋହରି ପାଇଁ

ତୋ ଆଖିରେ ଲୁହ ଟୋପେ ନାଇଁ !’

 

‘‘ମାଆ ମୋର, ଆଉ ମନକୁ ଏତେ ଦଗଧିନୀ କରନା ! ଯେ ନାହିଁ କଲା ସେ ଆମର ନୁହେଁ । ଏ ଖାଲି କପାଳର ଖେଳ ।

 

‘‘ଗୋଟିଏ କଥା, ସେ ପ୍ରସଙ୍ଗ ତ ଭାଜିଲା, ଆଉ ଏକ ପ୍ରସଙ୍ଗ ଆସି ପଡ଼ିଛି । ବାପା ଯାଇଥିଲେ; ମାତ୍ର ତମର ଏ ଅବସ୍ଥା ଦେଖି ତାଙ୍କ ମନ ପିତା ହୋଇ ଯାଇଛି । ହାତ କାଚ ତମର ବଜ୍ର ହେଉ ଗୋ କନ, ଗଲା କଥା ସବୁ ପାଶୋରି ଦିଅ ।’’

 

କଥାଗୁଡ଼ାକ ଶୁଣି ରାଗରେ ମୋ ମନ ଥରିଲା । ଏତେ କୋହ ଉଠିଲା ଯେ ସହଜରେ ସମ୍ଭାଳି ପାରିଲି ନାହିଁ । ଆଖି ଦୁଇଟା ଲୁହରେ ଛଳ ଛଳ ହୋଇଗଲା । ତାଙ୍କୁ ରାଗ, ଅଭିମାନରେ ଝିଙ୍ଗାସିଲା ପରି କହିଲି, ‘‘ଭାଉଜ, ମୋତେ ଆଉ ଇମିତିକା କଥା କେବେ କହିବ ନାହିଁ । ମୁଁ ଥରେ ବିଭା ହୋଇ ଆଉ ଥରେ କିମିତି ବିଭା ହେବି ? ତୁମର ମୁହଁକୁ ଇମିତି କଥା କିମିତି ଆସୁଛି ?’’

 

ଭାଉଜ ତାଟକା ହେଲାପରି କେତେବେଳଯାଏ କେବଳ ମୋ ମୁହଁକୁ ବାଲୁ ବାଲୁ ଚାହିଁ ରହିଲେ । ସେ ମୋ କଥାର ଅର୍ଥ କିଛି ବୁଝିପାରିଲେ ନାହିଁ । ଥଙ୍ଗ ଥଙ୍ଗ ହୋଇ ଛେପ ଢୋକି ପକାଇ ପଚାରିଲେ, ‘‘କି ଗୋ କନ, କ’ଣ କହୁଛ ? ଇମିତି କ’ଣ ଜିଭ ଲେଉଟାଉଛ ? ପାଟକକୁଳ ହେଲେ ତ ଏଥିକି ଉତ୍ତର ନାହିଁ । ଏଡ଼େ ବଡ଼ କଥା କିମିତି ମୁହଁରେ ଧଇଲ ଗୋ ! ବାୟାଣୀ ପରି ହେଲେ ଲୋକେ ତାଳି ସିନା ମାରିବେ..... ।’’

 

‘‘ବାୟାଣୀ ! ନାଇଁ ଗୋ ଭାଉଜ, ମୁଁ ବାୟାଣୀ ନୁହେଁ । ତୁମେ ବାୟାଣୀ ହୋଇଛ–ନ ହେଲେ କି ତୁମେ ଆସି ମୋତେ ଏ କଥା କହନ୍ତ ? ମୁଁ ଯେ ଜୀବନ ଧରି ଶୁଣିଲି, ଏ କଥା ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।’’

 

ଭାଉଜଙ୍କ ମୁହଁରୁ ପାଣି ଶୁଖିଗଲା । ସେ ଉତ୍ତର ଦେଲେ ନାହିଁ କି ମୁହଁକୁ ମୁହଁ ଟେକି ଚାହିଁଲେ ନାହିଁ । ତଳେ ନଖରେ ଗାର କାଟି କାଟି କ’ଣ ଭାବି ବସିଲେ । ଏତିକି ବେଳେ ମୁଁ ସେଠୁ ଉଠିଯାଇ ପାଖ ଘରକୁ ପଶିଗଲି । ତା’ ଆର ଦିନ ଏ କାନ ଯାହା ଶୁଣିଲା, ସେ କଥା ଆଉ କ’ଣ କହିବି ଲୋ ଭଉଣୀ । ମୋ ନାଁ ଶୁଣିବାମାତ୍ରେ ସାଇ ମାଇପେ କାନରେ ହାତ ଦେଲେ । ମୋର ଦୋଷ ହେଲା, ମୁଁ ହରିଚରଣଙ୍କୁ ବିଭା ହୋଇ ସାରିଛି ବୋଲି କହିଲି । ସ୍ତିରୀ ଜନମ ପାଇ କେଡ଼େ ବଡ଼ ପାପ କରି ବସିଲି ବୋଲି ମୋ ନାଁରେ ହାଟ ବସିଲା ।

 

ପ୍ରିୟ ରମେଶ,

 

ବିବାହର ଆୟୋଜନ ବଡ଼ କ୍ଷିପ୍ରଗତିରେ ଚାଲିଛି ବୋଲି ଯେଉଁଦିନ ଗାଁରୁ ଚିଠି ପାଇଲି, ସେଦିନ ଡାକରେ–ରୁ ଆଉ ଖଣ୍ଡିଏ ଚିଠି ଆସିଲା । ସେ ଚିଠିଟା ପଢ଼ି ମୁଁ ନିତାନ୍ତ ବିବ୍ରତ ହୋଇପଡ଼ିଲି । ସେଥିରେ ପ୍ରଥମରୁ ଲେଖା ଥିଲା–‘‘ତୁମେ ବାଟ ଭୁଲିଲ । କନକକୁ ଯାହା ବୋଲି ଭାବୁଥିଲ, ସେ ତାହା ନୁହେଁ । ସେ ଶିକ୍ଷିତା ଏବଂ ଗୃହକର୍ମତତ୍ପରା । ସେ ଲେଖି ଜାଣେ, ପଢ଼ି ଜାଣେ, ଗାଇ ଜାଣେ ଏବଂ କଥା କହି ଜାଣେ । ତୁମର ଏ କାର୍ଯ୍ୟ ଜୀବନର ଏକ ମସ୍ତ ଭୁଲ୍‍ । ତୁମେ ଜାଣି ଜାଣି କନକକୁ ହତ୍ୟାକରିଛ, ତୁମେ ପ୍ରତାରକ ପରି କନକ ପାଖରୁ ଚାଲି ଯାଇଛ !’’

 

ମୋ ହାଲୁକା ହୃଦୟ କ୍ରମେ ଭାରଗ୍ରସ୍ତ ହୋଇ ଆସିଲା । ଯୌବନର ନିଖୁଣ ଛବିରେ ଚିନ୍ତାର ମସୀରେଖା ପଡ଼ିଗଲା । କପାଳକୁ କୁଞ୍ଚିତ କରି ନିର୍ଜନ କୋଠରୀଟାରେ ଖଟ ଉପରେ ଚିତ୍ ହୋଇ ପଡ଼ିଗଲି । ଭାବି ବସିଲି, ‘‘କନକ ନା ଚଞ୍ଚଳା ? ଏହାର ଉତ୍ତର କିଏ ଦେବ ? ଟେବୁଲ ଉପରେ ବହିଗୁଡ଼ାକ ଗୋଟାକ ଉପରେ ଗୋଟେ ଜମା ହୋଇଥିଲେ । ମୋର ଏ ପ୍ରଶ୍ନର ଉତ୍ତର ସେ କହି ମଧ୍ୟ ଦେଇ ପାରିଲେ ନାହିଁ । ଝରକା ବାଟେ ଶୀତଳ ପବନ ବହିଆସି ଏ ପ୍ରଶ୍ନର ମୀମାଂସା କରି ପାରିଲା ନାହିଁ । ଗୋଟେ ବହି ମେଲାଇ ଦେଇ ମୁହଁ ଉପରେ ମଡ଼ାଇ ପଡ଼ିରହିଲି ।

 

ଠିକ୍ ଯେଉଁ ଦିନ ଘରୁ ବିବାହ ଯାତ୍ରାରେ ବାହାରିବା କଥା, ତା’ର ପୂର୍ବଦିନ କଟକରୁ ଗାଁକୁ ଯାତ୍ରାକଲି । ସେତେବେଳେ ହୃଦୟଟା କିଆଁ ସଙ୍କୁଚିତ ହୋଇ ଆସି ଆମ ଗାଁ ମୁଣ୍ଡ ଖତଗଦା ପରି ପରିତ୍ୟକ୍ତ ଭାବନାର ଉଚ୍ଛିଷ୍ଟରାଶିରେ କଦାକାର ବେଶ ଧରିଥିଲା । ସେଟାକୁ ମୋ ଛଡ଼ା ଅବଶ୍ୟ ଆଉ କେହି ଅନୁଭବ କରିପାରୁ ନ ଥିଲେ । ବିଚାରିଲି, ଏ ଜୀବନର ଏକ ମସ୍ତ ଭୁଲ୍ ।

 

ଯେତେ ଚେଷ୍ଟା କଲି ଅନ୍ୟର ଚିନ୍ତାରେ ମନ ଦେବି ବୋଲି, ସେହି ଏକ ପ୍ରଶ୍ନ ବିଜୁଳି ପରି କ୍ଷଣକୁ କ୍ଷଣ ଆସି ମନରେ ଉଦିତ ହେଲା–‘ମୁଁ କି ହତ୍ୟାକାରୀ ?’ ଏ ତ ବଡ଼ ବିଷମ କଥା । ଇଂରେଜ କବି ସେକ୍‌ସ୍‌ପିୟରଙ୍କ ମକ୍‌ବେଥ୍‌ କାହାଣୀ ପଢ଼ିଥିଲି, ଆଉ କେତେ କେତେ ଅପରାଧୀ ହୃଦୟର ଚିତ୍ର ନଭେଲ୍‍ ଆକାରରେ ଦେଖିଥିଲି ମାତ୍ର ପ୍ରତ୍ୟକ୍ଷରେ ତ ସେ ସବୁକୁ ମୋ ନିଜ ହୃଦୟ ବଳିଗଲା ! ମୁଁ କନକକୁ ହତ୍ୟା କରି ନାହିଁ, ଅଥଚ ହତ୍ୟା କଲା ପରି ଲାଗିଲା । ମୋର ମନେ ହେଲା, ଜଗତ ଆଗରେ ମୁଁ ଯେପରି ଗୋଟାଏ କିଂଭୂତକିମାକାର ଜୀବ–ମୋତେ ଦେଖି ଜଗତ ଥଟ୍ଟା କରୁଛି, ମୁଁ ହତ୍ୟାକାରୀ ବୋଲି ଜଗତ ଜାଣି ନେଇଛି ।

 

ଅନ୍ୟ କଥା ମନରେ ଲୁଚାଯାଇ ପାରେ; ମାତ୍ର ମନକଥା ଲୁଚାଇବି କେଉଁଠି ? ବାହାରର କଥାକୁ କାନରେ ନ ଶୁଣି ରହିପାରେ; ମାତ୍ର କାନ ଭିତରୁ ସେ ଶବ୍ଦ ତାତ୍ସଲ୍ୟ, ଉପହାସ, ଦାରୁଣ ମର୍ମ ବେଦନା ଫୁଟାଇ ବାହାରୁଛି ତାକୁ ନ ଶୁଣି ରକ୍ଷା କାହି ? ଦେଖିଲି ଏସବୁ ଆଗରେ ମୋର କଲେଜର ଧଳାକାନ୍ଥ କଳା ପଡ଼ିଗଲା; ବିଜୁଳି ଆଲୁଅ ଶ୍ରାବଣୀ ଅନ୍ଧକାରରେ ପରିଣତ ହେଲା; ଜଡ଼ବିଜ୍ଞାନ, ମନୋବିଜ୍ଞାନର ପତ୍ର ସୁଦ୍ଧା ଲେଉଟିଲା ନାହିଁ । ମୁଁ ବ୍ୟତିବ୍ୟସ୍ତ ହୋଇ ଖାଲି ଅନ୍ଧକାରରେ ଅନ୍ଧକାରରେ ହାତ ଅଣ୍ଡାଳିଲି । କହିଲି, ‘କିଏ କନକ, କିଏ ଚଞ୍ଚଳା !’ ଏ କି ବିଭୀଷିକା-! ଶିକ୍ଷାଭିମାନୀ ହରିଚରଣର ଏ କି ହଟହଟା ! ୟାକୁ ପାଇବା ପାଇଁ କ’ଣ ଶିକ୍ଷା ପାଇଥିଲି-? ମୋର ଶିକ୍ଷିତ ଜୀବନକୁ କେନ୍ଦ୍ର କରି ଜନଶୂନ୍ୟ ଜ୍ୟୈଷ୍ଠମଧ୍ୟାହ୍ନର ତରୁଗହଳରେ ଝିଙ୍କାରୀର ଝାଇଁ ଝାଇଁ ଶବ୍ଦ ପରି ମୋତେ ଶୁଣାଗଲା–ମସ୍ତ ଭୁଲ୍–ଭୁଲ୍–ଭୁଲ୍–ଭୁଲ୍‍ ! ବନ୍ଧୁଙ୍କର ସେ ଚିଠିଟା ଆଖି ଆଗରେ ବିଜୁଳି ପରି କ୍ଷଣକୁକ୍ଷଣ ନାଚିଲା । ଯେଉଁ ବିବାହ ମୁହୂର୍ତ୍ତକୁ ବର୍ଷ ବର୍ଷକାଳ ଅପେକ୍ଷା କରି ରହିଥିଲି, ସେ ମୁହୂର୍ତ୍ତ ଯେତିକି ପାଖେଇ ଆସିଲା ମନର ଉଦ୍‌ବିଗ୍ନତା ସେତିକି ବଢ଼ିବାକୁ ଲାଗିଲା-

 

ଘରେ ପହଞ୍ଚିବାର ଚାରିଘଣ୍ଟା ପରେ ଶୁଭଯାତ୍ରାରେ ବାହାରିବାକୁ ପଡ଼ିଲା । ରାତିରେ–ସହରରେ ଯାଇ ପହଞ୍ଚିବାକୁ ହେଲା । କେଜାଣି କାହିଁକି ହୃଦୟ ସଙ୍କୁଚିତ ହୋଇ ଆସିଲା । ହଠାତ୍ ଅତର୍କିତରେ ମନେମନେ ପ୍ରଶ୍ନ ଉଦିତ ହେଲା, ‘‘କାହିଁ କନକ ?’’ –ସତେ ଅବା ଯେପରି ମୁଁ ପୁଣି କେତେ ବର୍ଷପରେ କନକକୁ ଦେଖିବାକୁ ଆସିଛି ।

 

ସେହି ସହର, ସେହି ବାଟ । କେତେ ବର୍ଷ ତଳେ ସେହି ବାଟରେ ଧୂଳି ଧୂସରିତ ପାଦରେ ଜୀବନର ନବ ପାରିଜାତ ଲୋଡ଼ି ବୁଲୁଥିଲି । ଆଜି ସେହି ଛବି ଆଖିରେ ଅଞ୍ଜନ ଘେନିଲାପରି ଉଜ୍ଜ୍ୱଳ ଭାବରେ ହସି ଉଠିଲା । ବିବାହ ରୋଷଣି ଚାଲିଥାଏ, ବାଦ୍ୟ ବାଜୁଥାଏ, ସେତେବେଳେ ମଧ୍ୟ ବାଟପାଖେ ପାନଦୋକାନ ଦେଖି ଆନମନ ହୋଇ ପଡ଼ୁଥାଏ । କାହାର ହାସ୍ୟରୋଳ ଶୁଣିଲେ ଚମକି ଚାହିଁଦିଏ, ଭାବେ–କନକକୁ ପ୍ରତାରଣା କରିଛି ବୋଲି ସେ ହସି ଥଟ୍ଟା କରୁଛି କି ?

 

ବିବାହବେଦୀର ଦୃଶ୍ୟ ! ଓହୋ, ସେ କି ଭୀଷଣ ! ତାହା କାହା ପକ୍ଷରେ ମଧୁମୟ ଯୌବନର ସରସ ସମୁଜ୍ଜ୍ୱଳ ଆସ୍ତରଣ ହୋଇପାରେ; ମାତ୍ର ମୋ ପକ୍ଷରେ ନୁହେଁ । ସେଠି କେହି ପ୍ରଣୟ ଜଗତର ମଙ୍ଗଳ–ମହୁରୀ ଶୁଣିପାରେ; କିନ୍ତୁ କି ବିପରୀତ କଥା–ମୋତେ ସେଠି କିଛି ଶୁଣାଗଲା ନାହିଁ–ଖାଲି କାନ ଦୁଇଟା ଭାଁ ଭାଁ ହୋଇ ଉଠିଲା । ଭାବିଲି, ଏ ଅଭିନୟ କନକ ଯେବେ ଦେଖୁଥିବ, ସେ ମୋତେ କ’ଣ ବୋଲି ବିଚାରିବ !

 

ମନେକଲି, ସେହିଠାରେ ମାଟି ସଙ୍ଗେ ମିଶିଯିବା ମୋ ପକ୍ଷରେ ଉଚିତ । ଯେତେବେଳେ ମୋର ଯୌବନରସ–ରଞ୍ଜିତ ରକ୍ତ ଢଳଢଳ ହାତ ଉପରେ ଆଉ ଗୋଟିଏ କୋମଳ ହାତର ସ୍ପର୍ଶ ଜଣାଗଲା, ସେତେବେଳେ ମୋ ଆଖି ଆଗରେ ବେଦୀଠାରୁ ଅଳ୍ପ ଦୂରରେ ଏକ ହତଭାଗିନୀ ପରିତ୍ୟକ୍ତାର ଚିତ୍ର ନାଚି ଉଠିଲା । କି କରୁଣ ଦୃଶ୍ୟ ସେ ! ହତଭାଗିନୀର କବରୀ ଫିଟି ପଡ଼ିଛି, ଫୁଲ ଶୁଖିଯାଇଛି, ଓଠ ନିଷ୍ପ୍ରଭ ହୋଇ ଆସିଛି । ଶିଥିଳ ଭାବରେ ଲୁଗାଖଣ୍ଡି ଦେହରେ ଜଡ଼ାଇ ସେହି ‘‘ସ୍ଖଳିତ କୁସୁମ ଦରବିଗଳିତ କେଶା’’ ଦୁଇଟି ଉଜ୍ଜ୍ୱଳ ଆୟତ ଚକ୍ଷୁ କୋଣରୁ ଝର ଝର ଲୁହ ସଙ୍ଗେ ପ୍ରେମ ପ୍ରତିଜ୍ଞାର ଦିବ୍ୟ ରସ ନିର୍ଗତ କରି ପ୍ରକମ୍ପିତ ଓଷ୍ଠପ୍ରାନ୍ତ ତଳେ ଧୀରେ ଧୀରେ କହୁଛି–‘‘ଭୁଲିପାରିବି ନାହିଁ, ଭୁଲିପାରିବି ନାହିଁ !’’

 

ମୋ ହୃଦୟ ଭିତରେ କିଏ ଧକ୍‌କା ଦେଲା । କିଏ କହିଲା, ଏ ତ ତୋରି କଥା–ଯୁଗେ ଯୁଗେ ତ ପ୍ରଣୟୀ ପ୍ରଣୟିନୀ ପାଇଁ ଏହି କଥା କହି ଆସିଛି । ଆଜି ପୁଣି ଏ କ’ଣ ? ଏ ବେଦୀରେ କାହିଁକି ? ତେବେ କ’ଣ କଥା ଭୁଲିଗଲ ? ମୋ ବିବେକ ମୋତେ ଦଂଶନ କଲା ।

 

ଦିଗ୍‌ବିଦିଗ କମ୍ପିତ କରି ପୁଣି ବାଦ୍ୟ ବାଜି ଉଠିଲା । ମୋର ଜୀବନ–ଯନ୍ତ୍ରକମ୍ପିତ କରି ହୃଦୟମନ୍ଦିର ଥରି ଉଠିଲା । ମୁହୂର୍ତ୍ତକେ ମୋ ଆଖି ଆଗରୁ ସେ ମୂର୍ତ୍ତି ଲୁଚିଗଲା ସତ; ମାତ୍ର ବାହାରୁ ଯାଇ ପୂର୍ଣ୍ଣରୂପେ ହୃଦୟ ଅଧିକାର କରି ବସିଲା ।

 

ସେତେବେଳେ ମୋ କଳ୍ପନାମୟୀ ଚଞ୍ଚଳା ? ଚଞ୍ଚଳାର ହାରମୋନିୟମ, ଜୋତା, ମୋଜା, ଚଷମା ହୃଦୟର କେଉଁ କୋଣରେ ପୁରୋହିତର ବେଦମନ୍ତ୍ର ଉଚ୍ଚାରଣ ସଙ୍ଗେ ସଙ୍ଗେ ଅପରାଧୀ ପରି ଆଶ୍ରୟ ଖୋଜି ବୁଲିଲା !

 

X X X X

 

କ୍ଷୁଦ୍ର ପ୍ରକୋଷ୍ଠ–ଦୀପଟିଏ ମିଞ୍ଜି ମିଞ୍ଜି ଜଳୁଛି । ସେଟି ଧର୍ମର ସାକ୍ଷୀ । ସେ ସାକ୍ଷୀ କ୍ରେତା ଯୁଗରେ ରାମଚନ୍ଦ୍ର ସୀତାଙ୍କ ସଙ୍ଗେ କରିଥିଲେ ବୋଲି ପୁରାଣ କହେ । କ୍ଷୁଦ୍ର ଲେଲିହାନ ଜିହ୍ୱାଟି ହଲାଇ ସେ ଦୀପଟି ଯେତେବେଳେ ମୋରି ଆଡ଼କୁ ଶିଖା ନଚାଇଦିଏ, ଭାବେ, ସତେ ଅବା ସେ ମୋତେ ଚିହ୍ନାଇ ଦେଇ କହୁଛି, ‘‘ଏହି ସେହି ପ୍ରେମିକ ହରିଚରଣ–ଦୁର୍ବଳ ହରିଚରଣ !’’ ଏ କଥା ଖାଲି ଭାବେ ନାହିଁ, ଆଖିରେ ସଫା ଦେଖେ–ଘରର ଚାରିପଟୁ କାହାର ହାତ ଯେପରି ମୋତେ ନିର୍ଦ୍ଦେଶ କରି ଦେଖାଇ ଦେଉଛି ।

 

ଏପରି ସବୁ କାହିଁକି ହେଲା, ରମେଶ ? ଏ ମାୟା ନୁହେଁ ତ ଆଉ କ’ଣ ? ବିଭା ଅବା ସେହିଠାରେ ନ ହୋଇଥିଲେ ମୁଁ କନକକୁ ସେପରି କଳ୍ପନା କରି ପାରି ନ ଥାନ୍ତି ! ସେହି ବାଟ, ସେହି ପରିଚିତ ଗଳି, ସେହି ନିତ୍ୟ ସ୍ମରଣୀୟ ସହରରେ ସେହି କଳ୍ପନାକୁ ବାସ୍ତବରେ ପରିଣତ କରିବାକୁ ଯାଇ ମୁଁ ଗୁରୁତର ଭ୍ରମରେ ପଡ଼ିଲି । ମାୟାବିନୀ ପରି କନକ ମୋ ଆଗେ ଆଗେ, ପଛେ ପଛେ ତଳେ ଉପରେ ଦେଖାଗଲା । ସତେ କି ମୁଁ ହତ୍ୟାକାରୀ ! ସତେ କି ମୁଁ ପ୍ରତାରକ !

 

ଜଗତ୍ ସଂସାର ନୀରବ, ଜୀବନ୍ତ ଜଗତ୍ ଜଡ଼ ପଦାର୍ଥ ପରି ଚେତନା ଶୂନ୍ୟ । ନିର୍ଜ୍ଜନ ନିଶୀଥିନୀ । ସେତିକିବେଳେ ମୋ ପ୍ରାଣ ସେହି କ୍ଷୁଦ୍ର କୋଠରୀ ଭିତରେ ଆଗରେ ଚଞ୍ଚଳା ଓ ପଛରେ କନକ ଚିତ୍ର ଦେଖି ଛଟପଟ ହେଉଥିଲା–ଚିରକାଳ ପାଇଁ ପୃଥିବୀପୃଷ୍ଠରୁ ଲୁଚି ଯିବାକୁ ବାରମ୍ବାର କାମନା କରୁଥିଲା । ଆଉ ଚଞ୍ଚଳା ନା ଫଞ୍ଚଳା ? ସେହି ପରିତ୍ୟକ୍ତା କନକର କଳ୍ପିତ ଛବି ଛଡ଼ା ମୋ ଆଖି ଆଗରେ କ୍ରମେ ଆଉ କିଛି ନାହିଁ । ଏହିପରି ସମୟରେ ଧୀରେ ଧୀରେ ଦ୍ୱାରଟି ଫିଟାଇ ଗୋଟିଏ କ୍ଷୀଣଛାୟା ମୋ ଆଡ଼କୁ ଆସିଲା । ମୋର ବୁକୁର ରକ୍ତ ଶୁଖି ଆସିଲା ପରି ଲାଗିଲା । ଭାବିଲି ‘ଚଞ୍ଚଳା ନା କନକ ?’ ଚଞ୍ଚଳା ନାଁ ଭାବି ମୋର ହୃତ୍‌ପିଣ୍ଡ ଥରିଲା, କନକ ନାଁ ଧରି ଭୟକାତର ହୋଇପଡ଼ିଲି । ଗୋଟିଏ କଡ଼ରେ ଖଟ ଉପରେ ଭାରା ଦେଇ ପଡ଼ିଥିଲି, ସେ ଆସି ଖଟ ପ୍ରାନ୍ତରେ ଠିଆ ହେଲା ।

 

ଏତେବେଳେ ଚଞ୍ଚଳାକୁ କୋଳକୁ ଟାଣି ନେବାକୁ ହାତ ଉଠୁ ନାହିଁ ! ଭାବିଲି, ଏ କ’ଣ ଭାଗ୍ୟର ମୋ ପ୍ରତି ଛଳନା, ନା ମୁଁ କନକ ପ୍ରତି ଯେ ଅନ୍ୟାୟ କରିଛି ତା’ର ପ୍ରତିକ୍ରିୟା ! ହାତ ବଢ଼ାଇବାକୁ ଚେଷ୍ଟାକଲି, ହାତକୁ କିଏ ଯେପରି ଅଧା ପଥରୁ ଭିଡ଼ି ରଖି ସନ୍ଦେହରେ ପକାଇଲା, ‘କନକ ନା ଚଞ୍ଚଳା ? ମୁହୂର୍ତ୍ତେ ନିସ୍ତବ୍‌ଧ ରହିଲି । ସତ୍ୟବାଦୀଠାରୁ କଲେଜ ହତା ପର୍ଯ୍ୟନ୍ତ ଜୀବନର ସବୁ କଥା ମନ-ମୁକୁରରେ ଦେଖିଗଲି, ଖୁବ୍ ଦମ୍ଭ ବାନ୍ଧି ସେ ମୂର୍ତ୍ତିକୁ ବୁକୁ ପାଖକୁ ଟାଣି ଆଣିଲି ।

 

ଭଉଣୀ,

 

ସେଠି କେତେଦିନ ମୋ କଥା କିଛି ଠିକ୍ ରହିଲା ନାହିଁ । ଗୋଟେ କିଛି କାର୍ଯ୍ୟ କରିବାକୁ ଆରମ୍ଭ କରି ଆଉ ଏ କାର୍ଯ୍ୟ କରି ବସେ । କିଏ କ’ଣ ପଚାରିଲେ ମୁହଁରୁ ଠିକ୍ ସମରେ ଉତ୍ତର ବାହାରେ ନାହିଁ । କେବେ କେବେ ଚମକିଲା ପରି ହୋଇ ଗୋଟିଏ କଥାରେ ଆଉ ଗୋଟେ ଉତ୍ତର ଦିଏ ।

 

ଏବେ ସବୁ କଥା ଗୋଟି ଗୋଟି ହୋଇ ମନେପଡ଼ିଛି । ସେତେବେଳେ କେହି ମୋତେ ବିଭା କଥା କହି ବସିଲେ, ଛେଳିକୁ ପାଣିକୁ ଓଟାରିଲା ପରି ହୁଏ । ହୃଦୟ ଭିତର ସେତେବେଳେ ଖଣ୍ଡ ଖଣ୍ଡ ହୋଇ ହାଣି ହୋଇ ଯାଉଥାଏ, ଆଖିର ଲୁହଧାରା ଜମାଟ ବାନ୍ଧି ରହିଥାଏ ।

 

କେତେଦିନ କଟିଗଲା; ମୁଁ କିନ୍ତୁ ସେ ଦିନକୁ ଦିନ ବୋଲି ଜାଣିଲି ନାହିଁ, କି ରାତିକି ରାତି ବୋଲି ବୁଝି ପାରିଲି ନାହିଁ । ଘରେ ମୁହଁ ମାଡ଼ି ପଡ଼ି ଭାବୁଥାଏ, ସଂସାରର ରୀତି ନୀତି । ଲୋକେ କହନ୍ତି–ସଂସାର ହସେ, ମୁଁ କହେ–ମନ ନ ହସିଲେ କେହି ହସନ୍ତି ନାହିଁ । ମନ ନ ହସିଲେ ଫୁଟିଲା ଫୁଲ ମଧ୍ୟ କାନ୍ଦିଲା ପରି ଦିଶେ, କୁଆ, କୋଇଲି, ବଣି, ପାରାଙ୍କ ରାବ ମଧ୍ୟ କାନ୍ଦିଲା ପରି ଶୁଭେ । ଆଉ, ମନ ଯେବେ ଅଛି ଖୁସି, ତେବେ ଶୁଖିଲା ଭୂଇଁ ଉପରେ ଲୋକ ପହଁରିଯାଏ, ଏ ଟାଙ୍ଗୀ ବରୁଣେଇ ପାହାଡ଼ ଦେହରୁ ମଧ୍ୟ କଳ କଳ ନାଦରେ ଝର ବହିଲାପରି ଜଣାପଡ଼େ । ସଂସାରର ଏହି ନୀତି ଲୋ ଭଉଣୀ ! ମନ ହେଉଛି ଅସଲ ସଂସାର, ସଂସାର ଆଉ କିଛି ନୁହେଁ । ମନ–ସଂସାର ଆଉ ବାହାର ସଂସାର ଭିତରେ ବଡ଼ ହେଉଛି ମନ–ସଂସାର । ମନ ଥିଲା ବୋଲି ଶକୁନ୍ତଳାଙ୍କ ଲୁଗାକାନିଟା ତୁଛାକୁ କଣ୍ଟାବୁଦାରେ ଲାଗି ଯାଉଥିଲା । ମନ ଥିଲା ବୋଲି ଆଖିରେ ଅନ୍ଧପୁଟୁଳି ବାନ୍ଧି ମଧ୍ୟ ଗାନ୍ଧାରୀଙ୍କୁ ସଂସାର ପ୍ରେମମୟ ଦିଶୁଥିଲା–ଅନ୍ଧୁଣୀ ହୋଇ ସୁଦ୍ଧା ସେ ସବୁ ଦେଖିପାରୁଥିଲେ । ସେହି ହେତୁରୁ କହୁଛି, ମନ ଜଡ଼ ପରି ରହିଲେ ସଂସାରଟା ଆଦୌ ଭଲ ଲାଗେ ନାହିଁ ।

 

ବାଦ୍ୟ ବାଜଣା କୋଳାହଳ ମଧ୍ୟରେ ଗାଁ ଥରି ଉଠିଲା । ସେଥି ସଙ୍ଗେ ମୋତେ ଜଣାପଡ଼ିଲା, ସମଗ୍ର ସଂସାର ଯେପରି ଥରି ଉଠୁଛି । ଭାବିଲି, ଥରେ ତ ଏ ଜୀବନଟାକୁ ସାମାନ୍ୟ ଥରାଇଥିବାର ଫଳଭୋଗ ସରି ନାହିଁ; ପୁଣି ଏ ଯେ ଆଖି ଆଗରେ ସମଗ୍ର ସଂସାର ଥରିଲାଣି, ସେଥିରେ ଆଉ ରକ୍ଷା କାହିଁ ?

 

କେତେ କିଏ ଆସି ହରିଚରଣଙ୍କ ବିଭାକଥା ମୋ ଆଗରେ କହି ବସିଲେ । ପୂର୍ବ କଥା ସବୁ ଗୋଟି ଗୋଟି ହୋଇ ମୋ ମନରେ ପୁଣି ଜାଗି ଉଠିଲା । ପୂର୍ବ ଗୀତ ମୁଁ ପୁଣି ମନେମନେ ଗାଇ ବସିଲି । ପିଲା ଦିନର ସଂସାରକୁ ମୁଁ ପୁଣି ଫେରିଗଲି । ସେହି ମୋର କିଶୋରୀ ଜୀବନରେ ଯେତେ କଥା ମନେମନେ ବିଚାରୁଥିଲି ସେ ସବୁକୁ ପୁଣି ଭାବି ନୀରବରେ ବସି ରହିଲି । ସନ୍ଧ୍ୟା ଆସିଲା । ପଶ୍ଚିମ ଆକାଶର ନାଲିଆ କପାଳରେ ଶୁତ୍ର ତାରାଟି ଉଇଁ ହସିଲା । ମୋ ହୃଦୟ ଆକାଶରେ ଆଉ ତାରା ହସିଲେ ନାହିଁ ।

 

ମୁଁ ଅନ୍ଧାର ରାଜ୍ୟରେ ବୁଡ଼ି ରହିଲି । ସେ ରାତିକ ଆଜିକି କେତେ ବର୍ଷ ତଳର ରାତି ।

 

ପ୍ରିୟ ରମେଶ,

 

ମୁଁ କନକକୁ ପରିତ୍ୟାଗ କରି ଚଞ୍ଚଳାକୁ ବିଭାହେଲି । ଏହାପରେ ମୋ ଜୀବନର ପ୍ରେମ–ବସନ୍ତ କ୍ରମେ ମାନ୍ଦା ପଡ଼ି ଆସିଲା ।

 

ଜୀବନରେ ଯୌବନ ଯେପରି ଥରେ ଆସେ, ପ୍ରେମ ମଧ୍ୟ ଥରେ ଦେଖାଦିଏ । ଜୀବନ–ମନ୍ଦିରରେ ପ୍ରେମର ଆଲୋକ ଯୌବନ ଦେବତାର ପୂଜାପାଇଁ । ଦେବତାଙ୍କ ଆବିର୍ଭାବ ମୁହୂର୍ତ୍ତରେ ପୂଜାର ଆଲୋକ ଦରକାର । ସେ ପୂଜା ସରିଲେ ଆଲୋକ ଲିଭିଯାଏ । ପୁଣି ସେ ଆଲୋକକୁ ମର୍ତ୍ତ୍ୟର ଉପାଦାନରେ ଆଉ ଜାଳି ହୁଏ ନାହିଁ । ତେଣୁ ଏତିକି କହୁଛି ରମେଶ, ମୁଁ ପୂର୍ବପରି ଆଉ ପ୍ରେମର ଆଲୋକ ଦେଖିବାକୁ ପାଇଲି ନାହିଁ । ପୂଜା ପୂର୍ବରୁ ସେ ଆଲୋକ ମ୍ଳାନ ପଡ଼ିଯାଇଛି ।

 

ପ୍ରେମର ସେ ଆଲୋକମୟ ମୁହୂର୍ତ୍ତ ବଡ଼ ଗୌରବମୟ । ଏହି ପ୍ରେମପାଇଁ ମନୁଷ୍ୟ ସଂସାରର ଦୁର୍ଭେଦ୍ୟ, ଦୁର୍ବାର ସ୍ଥାନକୁ ଯିବା ଲାଗି ତିଳେ ହେଲେ ଅସମ୍ଭବ ମନେ କରେ ନାହିଁ । ଏଥିପାଇଁ ପ୍ରେମପଥର ଯାତ୍ରୀ ନିବିଡ଼ ଅରଣ୍ୟ ଭିତରେ ଯେପରି କୁଲିପାରେ, ମରୀଚିକାମୟ ମରୁଭୂମି ଉପରେ ସେହିପରି ଖେଳିପାରେ । ସେ ବାତାବର୍ତ୍ତରେ ନାଚିପାରେ, ଶୂନ୍ୟରେ ଦୋଳିପାରେ, ମୃତ୍ୟୁର କରାଳ ଗହ୍ୱର ଭିତରେ ମୁଣ୍ଡ ପୂରାଇ ପାରେ–ସେ ଲାବଣ୍ୟବତୀର ସୁରସିକ ନାୟକ ହୋଇପାରେ, ଗଳାରେ ଭିକ୍ଷାଝୁଲି ଧରି ସଂସାରରେ ବୁଲିପାରେ । ଉଜ୍ଜ୍ୱଳ ଚନ୍ଦ୍ରାଲୋକ, ଲୋହିତ ଉଷାଲୋକ କିମ୍ବା ପ୍ରଖର ମଧ୍ୟାହ୍ନ ଆଲୋକ ତା’ ପକ୍ଷରେ ସମାନ । ସଂସାରର ପିଚ୍ଛିଳ ପଥରେ ସେ ନିର୍ଭୟରେ ପାଦ ପକାଇପାରେ, ନାବିକବିହୀନ ନୌକା ଉପରେ ବସି ହସି କାତ ମାରିପାରେ...ତୁମେ କେବେ ଏପରି ପ୍ରେମପଥର ଯାତ୍ରୀ ହୋଇଛ, ରମେଶ !

 

ମୁଁ ହୋଇଛି; ମୁଁ ଏହିପରି ଭାବରେ ପ୍ରେମର ଭିନ୍ନ ଭିନ୍ନ ସ୍ୱରୂପ ଦେଖି ପାରିଛି । ରମେଶ, ତୁମେ ସେ ଯୁଗର ଶାସ୍ତ୍ର ପଢ଼ିଛ, ଏ ଯୁଗର ନଭେଲ୍ ମଧ୍ୟ ପଢ଼ିଛ; କିନ୍ତୁ ମୋ ପରି ଯୁବକର ଜୀବନକାବ୍ୟ କେବେ କେବେ ପଢ଼ିଛ କି ? ଯଦି ପଢ଼ିଥାଅ, ତେବେ ଜାଣି ପାରିବ, ଏ କେଡ଼େ ନିରାଟ, କେଡ଼େ ସତ୍ୟ ! ସେ କଳ୍ପନାର କଥା, ଏ ବାସ୍ତବ କଥା । ପ୍ରାରମ୍ଭ ଯୌବନର ପ୍ରାରମ୍ଭ ପ୍ରେମ ହୃଦୟର କି ଅନ୍ତରତମ ପ୍ରଦେଶରୁ ବାହାରେ, ସେ କଥା ମନେ ମନେ ଭାବ ।

 

ମୁଁ ଆଜି ଏସବୁ କଥା ଭାବି ଦେଲା ବେଳେ ମୋ ପ୍ରାରମ୍ଭ ଯୌବନର ଲୀଳାଭୂଇଁ ସତ୍ୟବାଦୀର ବଉଳବଣକୁ ଫେରିଯାଉଛି । ସେଠାର ‘ଡି’ ବ୍ଳକ’ର ସିଦ୍ଧ–ବକୁଳ ପଥର କାନ୍ଥକୁ ଆଉଜି ହତାଶ ଭାବରେ ବସିପଡ଼ୁଛି । ଦେଖୁଛି, ଜୀବନର ସେ ପାଖେ କନକ, ଜୀବନର ଏ ପାଖେ ଚଞ୍ଚଳା–ସେ ପାଖେ ପ୍ରେମର ଇନ୍ଦ୍ରଧନୁ, ଏ ପାଖେ ପ୍ରେମର ଇନ୍ଦ୍ରଜାଲ ! ପ୍ରେମକୁ ଚିହ୍ନିବାକୁ ମୋତେ ଦଶ ବର୍ଷ ଲାଗିଲା, ତଥାପି ଠିକ୍ ପଥ ପାଇଛି କି ଭୁଲ୍, ପଥ ପାଇଛି ସେ କଥା ଆଲୋଚନାରେ ଦିନ ଯାଉଛି । ଏବେ ଚଞ୍ଚଳାକୁ ବାହୁବନ୍ଧରେ ଧଇଲା ବେଳେ ହୃଦୟ ଭିତରେ ଆଉ ଏକ ବନ୍ଧ ସୃଷ୍ଟି ହେଉଛି, ଚଞ୍ଚଳାକୁ ହସି ହସି କଥା କହିଲା ବେଳେ ଆଉ କାହାର ପରିତ୍ୟକ୍ତ ବ୍ୟଥିତ ପ୍ରାଣର ହାସ ମୋତେ ବିଚଳିତ କରିଦେଉଛି । ପରିତ୍ୟକ୍ତ ବ୍ୟଥିତ ପ୍ରାଣର ହାସ ମୋତେ ବିଚଳିତ କରିଦେଉଛି । ମୁଁ କି ଭୁଲ୍ କରିଛି !

 

ଲେଖିଛ, ‘‘ଏ ତୁମର ରହସ୍ୟମୟ ଚିଠିସବୁ ପଢ଼ି ହସ ଲାଗୁଛି ।’’ ବାସ୍ତବିକ୍ ହସ ଲାଗିଲା କଥା । ମୁଁ ନାୟକ ରୂପେ ରହି ଜୀବନ ଯୌବନର ରହସ୍ୟମୟ ଉପନ୍ୟାସ ଭିତରେ ଯେତେ ଯେତେ କାଣ୍ଡ ଘଟାଇଗଲି, ତାହା ଏବେ ମଧ୍ୟ ମୋ ପକ୍ଷରେ ହାସ୍ୟ ରହସ୍ୟର ବିଷୟ ହୋଇ ରହିଛି । ତୁମ ପକ୍ଷରେ ହେବା ତ ସହଜ କଥା ।

 

ଆଉ ଶାନ୍ତି ନାହିଁ ରମେଶ, ଶାନ୍ତି ନାହିଁ । ପ୍ରେମକୁ ଖୋଜି ଖୋଜି ମଲି, ଶାନ୍ତି ପାଇଲି ନାହିଁ । ଏବେ ପ୍ରେମିକ ହେବାକୁ ଅଣ୍ଟା ଭିଡ଼ି ବସି ମଧ୍ୟ ଶାନ୍ତି ପାଉ ନାହିଁ । ଜଗତ ମୋତେ ଥଟ୍ଟା କରନ୍ତା, ଜନସମାଜ ମୋତେ ଉପହାସ କରନ୍ତା, ସେଥିକି ମୋର ଚିନ୍ତା ନ ଥିଲା । ମୋ ହୃଦୟ ଯେ ମୋତେ ଥଟ୍ଟାକଲା, ମୋ ଭାବନା ଯେ ମୋତେ ଉପହାସ କଲା, ଏଥିରୁ ଆଉ ଶାନ୍ତି କାହିଁ, ଏଥିରୁ ଆଉ ମୁକ୍ତି କାହିଁ ?

 

ବିଭା ହୋଇଛି ଏବଂ ସଙ୍ଗେ ସଙ୍ଗେ ଆଉ ଜଣକର ବିବାହ ବେଦୀରେ ଶ୍ମଶାନ ଚିତା ଜାଳି ଦେଇଛି–ମୁଁ ହସି ହସାଇ ଆଉ ବେଦୀରେ ଶ୍ମଶାନ ଚିତା ଜାଳି ଦେଇଛି–ମୁଁ ହସି ହସାଇ ଆଉ କଣକର ଆରକ୍ତ ଅଧରଦେଶକୁ ଜଡ଼ି କରି ଦେଇଛି–ମୁଁ ଗୀତ ଗାଇବସି ଅନ୍ୟର କଣ୍ଠ ରୋଧକରି ପକାଇଛି ! ବୁଝିପାରୁଛ ରମେଶ, ସେ କିଏ ? ସେ କନକ ! କନକର ତପ୍ତ ନିଃଶ୍ୱାସରେ ମୁଁ ମୋ’ପାଇଁ ମଳୟ ଘୃଷ୍ଟି କରିବାକୁ ବସିଲି...ଅସମ୍ଭବ....ଅସମ୍ଭବ ।

 

ଏ ଦେଶର ଶାସ୍ତ୍ରକାର ଲେଖିଗଲେ, ବିବାହିତ ଅବିବାହିତାକୁ କେଭେଁ ପ୍ରେମଚକ୍ଷୁରେ ଦେଖିବେ ନାହିଁ । ମୋ ପରି ଅବସ୍ଥାରେ ପଡ଼ିଥିଲେ ସେ ବୋଧହୁଲ ଏଡ଼େ ଏଡ଼େ ନିଷ୍ଠୁର କଥାକୁ ଶାସ୍ତ୍ରରେ ଥାନ ଦେଇ ପାରି ନ ଥାନ୍ତେ । ମୁଁ ସେ ନିୟମ ଲଙ୍ଘନ କରି ଖାଲି ଯେ ଭାବିଲି, ତାହା ନୁହେଁ, ଅବିବାହିତା ପାଖକୁ ଚିଠି ମଧ୍ୟ ଦେଲି । ଓହୋ, ମୋ ଜୀବନଟାର ତଳେ, ଉପରେ ଚାରିପଟେ ଯେ କଠିନ ସମସ୍ୟା କାଠଯୋଡ଼ିର ପଥରବନ୍ଧ ପରି ଘେରି ରହିଛି ! ପଥର ବନ୍ଧ ହେଲେ ଭାଜିଯାନ୍ତା–ଏ ଜୀବନ-ନଈର ନାଁ ଲୋପ ହୋଇଯାନ୍ତା !

 

କନକକୁ ଧରି ଯେ ବସନ୍ତ–ନିବାସ ତୋଳିବି ବୋଲି କଳ୍ପନା କରିଥିଲି ଏପର୍ଯ୍ୟନ୍ତ ତାହା କରି ପାରି ନାହିଁ, କରି ପାରିବି ନାହିଁ, କରି ପାରିବି ନାହିଁ, ଦେଖୁଛି । ସେ ଉପଭୋଗ ପାଇଁ ଆଉ ବେଳ କାହିଁ ?

 

ହଠାତ୍ ଦିନେ–ରୁ ଚିଠି ପାଇଲି, କନକ ଅବିବାହିତା ରହିବ, କନକ ସନ୍ନ୍ୟାସିନୀ ହେବ.... ଇତ୍ୟାଦି । କାହିଁକି ? କାହାପାଇଁ ? ବୁଝିବାକୁ କି ଆଉ ବାକି ଅଛି ?

 

ସେ ଚିଠି ଫଳରେ ଏ ପ୍ରେମପାଗଳ ହରିଚରଣ ଏବେ ନିପଟ ପାଗଳ ହୋଇ ସଂସାରର ରହସ୍ୟକୁ ବୋକା ପରି କେବଳ ଚାହିଁ ରହିଛି । ଏକ ଅସହାୟା ନାରୀର ହତାଶ ପ୍ରାଣ ଅଭିଶାପକୁ ପ୍ରତି ମୁହୂର୍ତ୍ତରେ ଅପେକ୍ଷା କରି ବସିଛି । ସଂସାରର ଏକ ଧାରରେ ବସି ମୁଁ ଦେଖୁଛି–ଏ ଚରାଚରବାସୀ ଜୀବଜନ୍ତୁଙ୍କର ଏ କି ଲୀଳା ! ମୋ ପରି କି ସମସ୍ତେ ଜଣକ ପଛରେ ବୁଲି ବୁଲି, ବାଟ ଭୁଲି କ୍ଳାନ୍ତହୋଇ ପଡ଼ିଛନ୍ତି ! କାହିଁ କେହି ହେଲେ କେବେ ସ୍ଥିର ହୋଇ ବସୁ ନାହିଁ । ବୋଧହୁଏ, ମୋରି ପରି ପାଗଳ ହୋଇ ଏ ଦେଶର ଜଣେ ଭାବୁକ ଏହି ଭାବରେ ଲେଖିଛନ୍ତି–ଲକ୍ଷ ଲକ୍ଷ କୋଟି କୋଟି ନରନାରୀଙ୍କର ଏହି ଅବସ୍ଥା । ପ୍ରଭାତରୁ ଉଠି ସାରା ଦୀର୍ଘ ଦିନ କେତେ କ’ଣ ଆଶା ନେଇ ଲୋକେ ଚାଲିଛନ୍ତି ଏବଂ ସନ୍ଧ୍ୟା ହେଲେ ଅବସନ୍ନ ହୃଦୟରେ ଘରକୁ ଫେରୁଛନ୍ତି ! ସେତେବେଳେ ସକଳ ଆଶା ଉତ୍ତେଜନା ଅସ୍ତଗାମୀ ସୂର୍ଯ୍ୟର କିରଣ ପରି ମଳିନ ପଡ଼ି ଆସୁଛି....ପୁଣି ଆଶା ଧରି ପ୍ରଭାତରୁ ଉଠୁଛନ୍ତି । ଏ କି ଖେଳ ! …..ଜନ୍ମ ଦିନରେ ଏ ଆନନ୍ଦ ଉତ୍ସବ, ମୃତ୍ୟୁ ଦିବସରେ ପୁଣି ହାହାକାର ! ଦିବସରେ ବିଶ୍ୱମୟ ଆଲୋକ ଲୀଳା, ରାଚିରେ ନିବିଡ଼ ଅନ୍ଧକାର ! ଏ ପଥରେ କିଏ କେତେ ଭାବରେ ଚାଲିଛି । କିଏ ଚିର–ଜୀବନର–ଯାତ୍ରୀ ଆଶାର ସାମାନ୍ୟ କ୍ଷୀଣ ଆଲୋକ ଧରି ଜୀବନ ମାତ୍ର ବହିଛି, କିଏ ଭଗ୍ନ ଆଶାରେ ଧରଣୀତଳେ ଲୋଟି ପଡ଼ିଛି, କିଏ ଆଜି ହୃଦୟ ଆବେଗରେ ଅନ୍ୟକୁ କୋଳ ମଧ୍ୟକୁ ଟାଣି ଆଣି କାଲି ପୁଣି ନିଷ୍ଠୁର ଘୃଣାରେ ପାଦରେ ଦଳି ଚାଲି ଯାଉଛି ! ଆଜିର ଛଳ ଛଳ ଯୌବନମଦିରା ପାନ କରିବାକୁ କେତେ ପ୍ରେମର ହାଟ ବସୁଛି; କାଲି ପୁଣି ଏ କି ନାଟ, ଶୂନ୍ୟହସ୍ତରେ ସେହି ଯୌବନ–ଦୁଆରରେ ହତାଶର କି ଦୀର୍ଘ ଶ୍ୱାସ ! ଯୌବନ–ଦୁଆରରେ ହତାଶର କି ଦୀର୍ଘ ଶ୍ୱାସ ! ଯୌବନ–ରସ ନିଃଶେଷ ହେଲେ ସେ କି ଅବସାଦ ! ଆଜିର ପୂଜାମନ୍ଦିରରେ କାଲି ପୁଣି ଶ୍ମଶାନର ଚିତାନଳ....ସଂସାରର ଏ ସକଳ ଲୀଳା ଭିତରେ ମୋ ସ୍ଥାନ ମୁଁ ବାଛି ନେଲିଣି, ଯୌବନ–ମଶାଣିର ଏକ କୋଣରେ ଦିନେ ମୁଁ ମୋର ବସା ବାନ୍ଧିବି; ସେ କଥା ପରେ ଜଣାଇବି ।

 

ଚଞ୍ଚଳାକୁ ସିନା ବିଭା ହେଲି; କିନ୍ତୁ କନକର ଦୁଃଖ ଯନ୍ତ୍ରଣା ପାଇଁ ଦାୟୀ କିଏ ? କନକର ଆରତି–ମନ୍ଦିରରେ ଅହରହ ଶ୍ମଶାନ ଚିତା ଜଳିଲା କାହା ଲାଗି ? କନକର ଯୌବନ–ଫୁଲକୁ ମୂଲ କରି କିଏ ପୁଣି ତାକୁ ପାଦରେ ଦଳିଲା ? କନକକୁ ଆଜି ଆଦରରେ ଡାକି କାଲି ପୁଣି ନିଷ୍ଠୁର ଭାବରେ କିଏ ତାଡ଼ନା ଦେଲା ? କନକକୁ ଚନ୍ଦ୍ର ରାତିରେ ହସାଇ କିଏ ପୁଣି ଅନ୍ଧାର ରାତିରେ କନ୍ଦାଇଲ ? ...ଏସବୁ ମୋର ହୃଦୟର ପ୍ରଶ୍ନ–ଏଥିପାଇଁ ମୋ ହୃଦୟ ଭିତରୁ ଅକୁଣ୍ଠିତ ଭାବରେ ଉତ୍ତର ଆସୁଛି...ମୁଁ.... ମୁଁ...ମୁଁ !

 

ଏହିପରି ସମସ୍ୟାରେ ପଡ଼ି ମୋ ପରିତ୍ୟକ୍ତା କନକ ପ୍ରାଣରେ ଆଶ୍ୱାସନା ଦେଇ ପାରିବି କି ନାହିଁ ବିଚାରିଲି । ଖଣ୍ଡିଏ ଚିଠି ଲେଖିଲି । ଲେଖିଲାବେଳେ ଆକାଶ ପାତାଳ ଭାବିବାକୁ ପଡ଼ିଲା-। କନକ ପାଖକୁ ଚିଠି ଲେଖିବାର ଏ ବେଳ ନୁହେଁ, କନକ ବିଷୟରେ ଭାବିବାର ଏ ସମୟ ନୁହେଁ-। ଚଞ୍ଚଳାକୁ କୋଳରେ ଧରି କନକକୁ ପାଖକୁ ଡାକିବା କନକ ପ୍ରତି ଅପମାନ ଓ ମୋ ପ୍ରତି ପରିତାପର କଥା । ତଥାପି ଲେଖିଲି–ଏ ପରିଚିତକୁ ମନରୁ ପୋଛି ଦେଇଥିବ, ଜାଣୁଛି-। ଯେତେ ଦୁଃଖ, ଯେତେ ଦୁର୍ଦ୍ଦଶା, ଯେତେ ଅଶାନ୍ତି ଭିତରେ ବୁଡ଼ିଛି, ସେ ସକଳର ମୂଳ ଏହି ହରିଚରଣ-। ଏହି ନିଷ୍ଠୁର ପୁରୁଷ ତୁମରି ପରି ଅବଳା ପ୍ରାଣରେ ଚିତାନଳ ଜାଳିଛି । ତୁମର ହୃଦୟରେ ଆଶାର ଆଲୋକ ଥିଲା ବେଳେ ତୁମେ ମୋର ହୋଇଥିଲ, ଆଜି ଆଶାର ଚିତାନଳ ଜଳିଲା ବେଳେ ମଧ୍ୟ ମୋର ହୋଇଛ ବୋଲି ଭାବୁଛି । କାରଣ ଏ ଚିତାନଳ ମୋହରି ହାତରେ ଜଳା । ମୁଁ ତୁମକୁ ଦରମରା କରି ସଂସାରର ଅପନ୍ତରା ବାଟରେ ପକାଇ ଦେଇ ଆସିଛି । ଉଠ ! ଦୀର୍ଘ ସଂସାର–ପଥ ପଡ଼ିଛି । ଚାଲ ମୋତେ ଆଉ ଫେରି ଚାହଁନାହିଁ । ଦିନେ ଏ ହୃଦୟକୋଣରୁ ତୁମକୁ ମୁଁ ଚେଷ୍ଟାକରି ମଧ୍ୟ ପୋଛି ପାରି ନଥିଲି, ଆଜି ମଧ୍ୟ ପୋଛି ପାରୁ ନାହିଁ । ଜୀବନଟାକୁ ଆଉ ପଥର ପରି ନ କରି ବାଟ ଚାଲିଯାଅ...ବିଭା ହୁଅ !

 

.....କେତେ କ’ଣ ଲେଖିଲି, ସେତେବେଳେ ଦୁଃଖ ଆବେଗରେ କଲମ ଚଳାଇଥିଲି ।

 

ରମେଶ, କନକ ଯେ ସାହସର ଏକ ଅଗ୍ନିପିଣ୍ଡୁଳା ମୁଁ ଏତେ ଦିନେ ବୁଝିଲି ଏବଂ ସଙ୍ଗେ ସଙ୍ଗେ ମୋ ଦୁର୍ବଳତା ବୁଝିପାରି ଚଞ୍ଚଳାର ପଣତକାନିରେ ମୁହଁ ଲୁଚେଇବାକୁ ଇଚ୍ଛା କଲି । ମୁଁ ଉତ୍ତର ଆଶା କରି ନ ଥିଲି; କିନ୍ତୁ ସେ ଉତ୍ତରରେ ଲେଖିଲା–

 

‘‘ଏ ବଡ଼ ଅନ୍ୟାୟ । ତୁମେ ବିଭା ହୋଇଛ, ଭଲ କଥା । ମୁଁ ବିଭା ହେବି କି ନାହିଁ, ସେଥିରେ ତୁମର ଯାଏ ଆସେ କ’ଣ ? ପୁରୁଷ ହୋଇ ଏପରି କଥା ଲେଖି ଏତେବେଳେ ମୋତେ ଜଣାଇବା ତୁମର ଉଚିତ ନୁହେଁ । ଯେ ଭାବରେ ମୋତେ ଦଳି ଦେଇଛ, ସେହି ଭାବରେ ଦେଖ । ଅନ୍ୟ ଭାବରେ ଦେଖିଲେ ମୋ ଦୁଃଖ ଯେ ବଢ଼ିବ । ମୁଁ ଆଉ ଆଶା, ଆଶ୍ୱାସନା, ସ୍ନେହ ପାଇବାକୁ ଇଚ୍ଛା କରୁ ନାହିଁ । ଯେଉଁ ପାଦ ମୋତେ ଦଳି ଦେଇଛି, କେବଳ ସେହି ପାଦକଥା ବିଚାରୁଛି । ସେ କିପରି ପାଦ...ତା’ ଚିହ୍ନ ମୋର ସର୍ବାଙ୍ଗରେ ଅଛି । କିନ୍ତୁ ମୋର କୌଣସି ଚିହ୍ନ ତ ତୁମ ହୃଦୟରେ ନ ଥିବା କଥା । ମୋ ବିଷୟରେ ଏପରି ଭାବିବା ଉଚିତ ନୁହେଁ....’’

 

ଏ ତ ଚିଠିର ଉତ୍ତର ନୁହେଁ, ଏ ଅନୁତପ୍ତ ପ୍ରାଣକୁ ନିଷ୍ଠୁର ବଜ୍ରବାଣ ଚିଠିଟା ପଢ଼ିସାରି କେବଳ ଅନ୍ତରାତ୍ମାକୁ ଜଣା କଲି–ଦୀର୍ଘଶ୍ୱାସ ଛାଡ଼ି ଭଗବାନଙ୍କୁ ଡାକିଲି ।

 

ସଂସାର ! ସମାଜ ! ବିବାହ ! ...ଏଣିକି ମୋ ପକ୍ଷରେ ଏସବୁ କୁହେଳିକାମୟ ! ବିଚାରିଥିଲି, ସଂସାରରେ ରହିବାକୁ ହେଲେ ବିବାହ ଛଡ଼ା ଆଉ ଭଲ ବନ୍ଦୋବସ୍ତ ହୋଇ ନ ପାରେ; କିନ୍ତୁ ସେ ବିବାହଟାର ସ୍ୱରୂପ କିପରି ? ଯେଉଁମାନେ ମନେ କରନ୍ତି ଯେ, ବିବାହଟା ଏକ ବ୍ୟବସାୟ ଛଡ଼ା କିଛି ନୁହେଁ, ସେମାନେ କେବଳ ତୁଚ୍ଛା ଜଡ଼ ସ୍ୱାର୍ଥ ଉପରେ ଗୃହ ସଂସାର ଗଢ଼ିବାକୁ ଇଚ୍ଛା କରନ୍ତି, ପଥର ଚିପୁଡ଼ି ପାଣି ପାଇବାକୁ କାମନା କରନ୍ତି । ସେ ବିବାହରେ ଭାବପ୍ରବଣତା ଆଦୌ ନାହିଁ । ସେଥିର ପ୍ରେମ ସାହାରା ମିରୁଭୂମିର ଶୁଖିଲା ପବନଠାରୁ ଆହୁରି ଶୁଖିଲା । ସେପରି ବିବାହର ଧ୍ୱଂସ ନିଶ୍ଚୟ । ଦୁଇଟା ପ୍ରାଣର ପୂରା ମେଳ ନ ହେଲେ କି ବିବାହ ହୁଏ ? ପୂର୍ଣ୍ଣମୀ ଓ ଅମାବାସ୍ୟା ମଧ୍ୟରେ ଯେ ପ୍ରଭେଦ, ହୃଦୟର ବିବାହ ଏବଂ ଟଙ୍କା ଦିଆନିଆ ବିବାହ ମଧ୍ୟରେ ଠିକ୍ ସେହି ପ୍ରଭେଦ ।

 

ମୋର ବିବାହ ଗଡ଼ି ଗଡ଼ି ଏହିପରି ଆକାର ଧରିଛି । ଏକ ପ୍ରାଣ ଅନ୍ୟକୁ ଲୋଡ଼ୁଛି; କିନ୍ତୁ ସେଥିରେ କି ଭୁଲ୍ ରହିଲା, ଦୁଇଟା ପ୍ରାଣ ପରସ୍ପର ଖାପ ଖାଇଲା ନାହିଁ । ଏ ସଭ୍ୟଯୁଗର ଜଣେ ନାରୀ କହିଛନ୍ତି–ସୌନ୍ଦର୍ଯ୍ୟଭୋଗ, ଆଶା, ମମତା, ଚିନ୍ତା ପ୍ରଭୃତି ଛଡ଼ା ଜୀବନ ଯେପରି ଅସାର ଓ ନୀରସ ହୋଇପଡ଼େ, ସ୍ୱାମୀ ସ୍ତ୍ରୀ ଭିତରେ ଗାଢ଼ ପ୍ରେମ ନହେଲେ ବିବାହ ସେହିପରି ଅସାର ଓ ନୀରସ ହୋଇଯାଏ । କେବଳ ଯୌନ ପ୍ରେମ ଥିଲେ ଯେ ବିବାହ ପରିପୂର୍ଣ୍ଣ ହୁଏ, ଏ କଥା ଭୁଲ୍ । ପ୍ରେମର ତାରତମ୍ୟ ଅଛି । ଯେଉଁଠାରେ ପ୍ରେମ କେବଳ ଯୌନ ବ୍ୟାପାରରେ ଲିପ୍ତ, ସେଠାରେ କୁଫଳ ନିଶ୍ଚୟ ଫଳିବ, ଏଥିରେ ସନ୍ଦେହ ନାହିଁ ।

 

ମୋ ପ୍ରେମ ଏହିପରି, ମୁଁ ବର୍ତ୍ତମାନ ଏହି ଅବସ୍ଥାରେ ପଡ଼ି ଛଟପଟ ହେଉଛି, ରମେଶ ! ମୁଁ ଆଉ ଯଶ, ଧନ, ମାନ, ଜ୍ଞାନ କିଛି ଲୋଡ଼ୁ ନାହିଁ–ଲୋଡ଼ୁଛି କେବଳ ଶାନ୍ତି । ଆଉ ଶାନ୍ତି କାହିଁ ? ଥରେ ସେହି ଆଦ୍ୟ ଯୌବନ ସଂସାରକୁ ଫେରି ଯାଆନ୍ତି କି ! ସେହି ସରସ ଜୀବନର ସମାଧି ସେହିଠାରେ ହୋଇଥାନ୍ତା କି ! କାହିଁ, ସଂସାରର ଅଜଣା ଅନ୍ଧାର ଭିତରେ ଆଉ କୁଆଡ଼େ ଅଣ୍ଡାଳିବି-? ଯେ ଜଣା ଯାଉ ନାହିଁ, ଯେ ବୁଝା ଯାଉ ନାହିଁ, ତା’ ପଛରେ ଆଉ କେତେ କାଳ କେତେ ବାଟ ଗୋଡ଼ାଇବି ? ଗୋଡ଼ାଇଲି କନକକୁ, ଗୋଡ଼ାଇ ଭେଟିଲି ଚଞ୍ଚଳାକୁ । ତେବେକେ ବାଟ ସରିଲା ନାହିଁ । କନକ ପାଖରେ ଠିଆହୋଇ ଅନ୍ୟ ଆଡ଼େ ଆଖି ଫେରାଇଥିଲି । ସେତେବେଳେ ସବୁ ଆଡ଼ ମଧୁମୟ ଦିଶୁଥିଲା । ଏବେ କନକକୁ ଛାଡ଼ି ଚଞ୍ଚଳାକୁ ଧରି ଚାରି ଆଡ଼କୁ ଚାହୁଁଛି; ସବୁ ସବୁ ଭିତରେ ସେହି ପରିତ୍ୟକ୍ତାର ଛବି ଦିଶୁଛି । ସେତେବେଳେ ପ୍ରେମର ଖୋଲା ପଡ଼ିଆରେ ବୁଲୁଥିଲି,ଏବେ ଭୟରେ ଭୟରେ ଶଙ୍କିତ ଭାବରେ ଚାଲିଛି । ହୃଦୟ ମୂଲ ସଙ୍ଗେ ଟଙ୍କାର ମୂଲ ! ଛି, ଛି, ଟଙ୍କା ଗଣୁ ଗଣୁ ଯୌବନ-ପାତ୍ର ଯେ ଶୁଷ୍କ ହୋଇ ଯାଉଛି । .....ମୋ ପ୍ରେମ–ଜଗତଟା ତେବେ କ’ଣ ଛଳନାର ପଥ ଧରି ଚାଲିଛି !

 

କାଲି ଥିଲା, ଆଜି ଯାଉଛି, ଏହି କି ପ୍ରେମ ? ପ୍ରେମ କ’ଣ ଏଡ଼େ କ୍ଷଣସ୍ଥାୟୀ ? ପ୍ରେମ କ’ଣ ଏଡ଼େ ଆବିଳ ? ନା, ନା, ଏ କୋଳାହଳମୟ ବିପୁଳ ବିଶ୍ୱରେ ସେ ନିତ୍ୟପବିତ୍ର । ଆବିଳ ସୃଷ୍ଟିରେ ସେ ବଢ଼େ ନାହିଁ । ଏ ଶରୀର ଖଣ୍ଡିକ ପାଉଁଶ ମୁଠାଏ ହେଲେ ମଧ୍ୟ ସେ ଧ୍ୱଂସ ହୁଏ ନାହିଁ-। ସେ ଚିରଆଲୋକମୟ । ତା’ର ରାତି ନାହିଁ, ଦିନ ନାହିଁ, ସବୁବେଳେ ସେ ରସମୟ-। ସେ ଅଶ୍ରୁ ରୂପେ ଝରିପଡ଼େ, ସେ ହାସ୍ୟ ରୂପା ଖେଳେଇ ହୋଇଯାଏ, ସେ ଫୁଲସୌରଭ ରୂପେ ଉଡ଼ି ବୁଲେ-

 

ବୁଝିଛି, ବୁଝିଛି, ସେ ବିଶ୍ୱର ମଧୁ । ବିନ୍ଦୁ ବିନ୍ଦୁ ହୋଇ ସେ ପ୍ରତି ଜୀବନ–କୁଞ୍ଜରେ ଝରେ-। ତାକୁ ଅବହେଳା କରାଯାଇ ପାରେ ନାହିଁ । ସେହି ବିନ୍ଦୁକ ସଂଗ୍ରହ ପାଇଁ ଅର୍ଥର ଆବଶ୍ୟକତା ନାହିଁ, ମର୍ତ୍ତ୍ୟର ବାହୁ ବିକ୍ରମର ଲୋଡ଼ା ନାହିଁ । ଯୁଗ ଯୁଗ, ଶତାବ୍ଦୀ ଶତାବ୍ଦୀ ଧରି ନରନାରୀର ପ୍ରାଣ ତାହାରି ସନ୍ଧାନରେ ଧାବିତ । ସୃଷ୍ଟି ଆଦ୍ୟରୁ ଅଛି, ସୃଷ୍ଟି ଶେଷ ପର୍ଯ୍ୟନ୍ତ ରହିବ । ସେହି ପଥରେ ଛଳନା ଖେଳିଲେ ଦୁଃଖ, ଅନୁତାପ, ବ୍ୟଥା !

 

ଆଜି ମୋର ଏହି ସମ୍ପଦ ହିଁ ସମ୍ବଳ । ମୋରି ପରି ଯେ ସୁଖଶାନ୍ତି ଲୋଡ଼ୁଥିଲା, ତାକୁ ପୋଡ଼ି ଜାଳି ଆଉ କି ସୁଖ ଜୀବନରେ ପାଇବି ?

 

କିନ୍ତୁ ସେ ତ ମଲା ନାହିଁ, ମଲି ମୁଁ । ତପୋମଗ୍ନା ପାର୍ବତୀ ପରି ସେ ଯୌବନର ଦୁର୍ଗମ ହିମାଚଳରେ ବସି ତପସ୍ୟା କଲା–ଆଉ, ମୁଁ ହତାଶ ପ୍ରେମିକ ଯାତ୍ରୀ....ପ୍ରଭୁ ହେ ! କନକକୁ ଫେରି ଚାହିଁ ଚଞ୍ଚଳାକୁ ଏବେ ତା’ର ପୂରା ମୂଲ୍ୟ ଦେଇ ପାରୁ ନାହିଁ....ପକ୍ଷାଘାତ ରୋଗୀ ପରି କେବଳ ଭିତରେ ଭିତରେ ଛଟପଟ ହେଉଛି । ନାରୀପ୍ରାଣକୁ ନିଷ୍ଠୁର ପଦାଘାତ କରି ନାରୀପ୍ରାଣକୁ ଜୟ କରିବି କିପରି ?

 

ରମେଶ, ଏହି ମୋର ପ୍ରେମର ଇତିହାସ–ଏହି ମୋର ଦଶ ବର୍ଷର ସୁଖଦୁଃଖ ହାସ୍ୟରହସ୍ୟମୟ ଇତିହାସ । ଏହାପରେ ଜୀବନର ଗତି କେଉଁ ଆଡକୁ ଯିବ, ଜଣାଇବି ।

 

ଭଉଣୀ,

 

ଏ ସଂସାରରେ ଅକାଳରେ କେତେ କ’ଣ ମଉଳି ଯାଉଛି, ତା’ର କ’ଣ ସୀମା ଅଛି ? ଝଡ଼ ବର୍ଷାରେ କେତେ ଦରଫୁଟା କଡ଼ି ଝଡ଼ି ପଡ଼ୁଛି, ଝାଞ୍ଜି ପବନରେ କେତେ ଫୁଟିଲା ଫୁଲ ଶୁଖିଯାଉଛି, ଖରା ଟିକିଏ ନ ପାଇ କେତେ ପଦ୍ମ ଆଦୌ ଫୁଟୁ ନାହିଁ । ଏସବୁ ହେଉଛି; ମାତ୍ର ଗୋଟିଏ କଥା କ’ଣ ହେବ ନାହିଁ ? ଏ ମନ ପଟରୁ କ’ଣ ସେ ସ୍ମୃତି ଟିକକ ମଉଳିବ ନାହିଁ ? ଜୀବନର ବୁକୁଚାପତ୍ର ବାନ୍ଧି ଗଲାବେଳ ପର୍ଯ୍ୟନ୍ତ କ’ଣ ଏ ବୁକୁ ଭିତରେ ସେ ଛଟପଟ ହେଉଥିବ ? ଏ ଦଶା କି ମୋର ଚିର ଦିନ ଥିବ ?

 

ଜୀବନର ଅଧା ବାଟରେ ହରିଚରଣ ମୋତେ ବସାଇ ଦେଇ ଚାଲିଗଲେ । ଏକୁଟିଆ ଗଲେ ନାହିଁ, ଆଉ ସାଙ୍ଗ–ଯାତ୍ରୀ ଧରି ଗଲେ, ମୁଁ ଖୁବ ଦମ୍ଭରଯେ ତାହା ଦେଖିଲି । ସେତେବେଳେ ହୃଦୟ ମନ୍ଦିରଟା ଯେବେ ଭୁବନେଶ୍ୱରର ଅଜଣା ଭଙ୍ଗା ମନ୍ଦିର ପରି ଭୁଷୁଡ଼ି ପଡ଼ିଥାନ୍ତା, ଆଉ ଏତେ ଚିଠି ଲେଖା ଲେଖି ବା କିଆଁ ହୁଅନ୍ତା ? ଏବେ ଦେଖୁଛି ଜୀବନର ବାଟ ତ ଆହୁରି କେତେ ବାକି ଅଛି । ଜାଣୁଛି, ସେହି ବାଟ ଏହି ମୋର ଆଖିଲୁହରେ କେତେଥର ଖସଡ଼ା ହୋଇ ଉଠିବ, ସେହି ବାଟରେ ଚନ୍ଦ୍ରଭାଗାର କେତେ ଅପନ୍ତରା ବାଲିରାସ୍ତା ପଡ଼ିବ, କେତେ ସାତକୋଶିଆ ଗଣ୍ଡ ପଡ଼ିବ....ଜୀବନ ସନ୍ଧ୍ୟା କ୍ରମେ ଘୋଟିଆସିବ । ମୁଁ ନାରୀ.... !

 

କେତେ ଯୁଗ ହେଲାଣି, କିଏ କହିବ, ଏହି ଦେଶର ଋଷି ମଣିଷମାନେ ପରା ବିଡ଼ା କରି ପୁରାଣ ଲେଖିଗଲେ; ଆଉ ସେହି ସବୁ ପୁରାଣରେ ଗାଇଲେ–ସଂସାରରେ ନାରୀ ଜାତି ସବୁଠାରୁ ଦୁର୍ବଳ । ବାଛି ବାଛି ତାଙ୍କୁ ନାଁ ଦେଲେ ‘ଅବଳା’ । ନାରୀ ଜାତିର ଗୋଡ଼ ବେଶି ଖସେ, ନାରୀ ଜାତି ବେଗେ ସତ୍ୟ ଲଙ୍ଘନ କରେ । ନାରୀଜାତି ପୁରୁଷକୁ ଫାନ୍ଦରେ ପକାଇ ନିଏ ବୋଲି ଶାସ୍ତ୍ର କହିଲା, ପୁରାଣ କହିଲା । କିନ୍ତୁ ଏସବୁ ଦିନ ଦି’ପହର ଛଳନା, ଛଳନା ଛଡ଼ା ଏହା କିଛି ନୁହେଁ । ନାରୀ ପରି ହୃଦପଟରେ ସ୍ମୃତିଦେବତାକୁ ପୂଜା କରେ କିଏ ? ନାରୀ ପରି ପରପାଇଁ, ପ୍ରିୟପାଇଁ କାନ୍ଦି କାନ୍ଦି ମରିପାରେ କିଏ ? ନାରୀ ପରି ହୃଦୟଟାକୁ ମୁକୁଳାଇ ପର ସାଙ୍ଗେ ମିଶାଇ ଦେଇପାରେ କିଏ ? ନାରୀ ପରି ବଜ୍ର ଧକ୍‌କା ସହିପାରେ କିଏ ? ନାରୀ ପରି ହସିପାରେ କିଏ ? ହସି ହସି ମରିପାରେ କିଏ ? କିନ୍ତୁ ଏସବୁର ହିସାବପତ୍ର ତ ପୁରାଣ ଶାସ୍ତ୍ରରେ ପୂରାପୂରି ରହିଲା ନାହିଁ ?

 

ଆମ ଦେଶରେ ଯାହାଙ୍କୁ ଭଗବାନ ବୋଲି କହୁଛନ୍ତି ସେହି ଶଙ୍କରାଚାର୍ଯ୍ୟ ପରା ଲେଖି ଯାଇଛନ୍ତି–‘‘ନାରୀ ହେଉଛି ନରକ ବାଟର ଦ୍ୱାର !’’ କିରସ୍ତାନ ଶାସ୍ତ୍ରରେ ପରା ଲେଖାଅଛି–‘‘ନାରୀଜାତି ସବୁ ଅହିତର ମୂଳ !’’ କିଏ କହୁଛି ଆମର ଆତ୍ମା ନାହିଁ, କିଏ କହୁଛି ଆମେ ପୁରୁଷକୁ ଜନ୍ମ ଦେଇ ପାପମୟ ସଂସାରରେ ଆଣି ଛାଡ଼ିଦେଉଛେ । କିନ୍ତୁ ଆମର ହୃଦୟ–ବେଦନା କଥା ତ କେହି କହିଲେ ନାହିଁ । ଯେଉଁ ଲେଖନୀ ମୂନରୁ ଶାସ୍ତ୍ର ପରି ଅମୃତ ଝରିଲା ବୋଲି ସଂସାର ତୋଷି ହୋଇଯାଉଛି, ସେହି ଲେଖନୀ ମୂନରୁ ତ ନାରୀ ପାଇଁ ବିନ୍ଦୁଏ ଅମୃତ ଝରିଲା ନାହିଁ-! ଖାଲି ଝରିଲା ବିଷ ! ବିଷ !! ବିଷ !!! ଛିଃ, ଛିଃ, ତେବେ ସ୍ୱାର୍ଥପର କିଏ ? ତେବେ ନିଷ୍ଠୁର କିଏ-? ଠକ କିଏ ? ନାରୀ ? ନା–ନା ।

 

ମନକଥା ଲୁଚାଇ ପାରୁ ନାହିଁ ବୋଲି ୟା ଲେଖି ଯାଉଛି, ଲୋ ଭଉଣୀ ! ହରିଚରଣ ମୋତେ ଫିଙ୍ଗି ଦେବାପରେ ମୁଁ ସଂସାରଟାକୁ ଭିନ୍ନ ପ୍ରକାରେ ଦେଖିଲି । ପୁରୁଷର ପ୍ରେମ, ନାରୀର ହୃଦୟକୁ ଏବେ ତୁଳି ବସୁଛି । ଆଖିର ଲୁହକୁ ଶୁଖାଇବାର ଚେଷ୍ଟା କରୁଛି, ଏ ରକ୍ତମାଂସ ଦେହଟାକୁ ବିପଦ ଝଡ଼ ବର୍ଷା ଭିତରେ ନ ଟଳାଇ ସିଧା ରଖିବାକୁ ସଜହୋଇ ରହୁଛି ।

 

ହରିଚରଣ ବିଭା ହୋଇ ଯିବାପରେ ମୋ ଉପରେ ସମାଜର ଧମକ ଚମକ ଚାଲିଲା । ମତେ ଟାଣି ଓଟାରି ଆଉ ଜଣଙ୍କ ସଙ୍ଗେ ବିଭା କରାଇବାର ବରାବର ଉଦ୍ୟମ ହେଲା । ମୋତେ କିଏ କହିଲା ଅଲକ୍ଷଣୀ, କିଏ କହିଲା ପୋଡ଼ାମୁହୀଁ । ଏତେ ନିନ୍ଦା ଅପମାନ ଭାର ସହି ମଧ୍ୟ ମୁଁ ତିଳେ ହେଲେ ଲଇଁଲି ନାହିଁ । କେବଳ ଗୋଟିଏ କଥାକୁ ମୂଳଗଣ୍ଠି କରି ବସିଛି, ‘‘ମୁଁ ଆଉ ବିଭା ହେବି ନାହିଁ ।’’

 

ଏ କଥା ରାଜ୍ୟରେ ରାଷ୍ଟ୍ର ହୋଇଗଲା । ଆମ କୂଳରେ ଆଗରୁ ଏପରି କିଏ କରିଥିଲା କି ନାହିଁ ଜାଣେ ନାହିଁ । ସମସ୍ତଙ୍କ ଆଖି ମୋରି ଉପରେ ପଡ଼ିଲା, ଏବେ ମଧ୍ୟ ପଡ଼ିଛି । ଏହି ପଣ କଲା ଦିନୁ ମୁଁ ପୂରାପୂରି ବ୍ରତ ପାଳି ଆସୁଛି । ସେହି ଦିନୁ ଆଉ ଏ ବୁକୁ ଉପରେ ବଉଳମାଳା ନାହିଁ କି କପାଳରେ ଚିତା ସିନ୍ଦୂର ନାହିଁ । ଅଧରକୋଣରେ କୁଙ୍କୁମର ରାଗ ନାହିଁ, ପାଦ ତଳରେ ଅଳତାର ରଙ୍ଗ ନାହିଁ । ଲୁଗା ମୋର ସାଦା ସିଧା, କେଶ ମୋର ମୁକୁଳା–କିନ୍ତୁ ଯୌବନର ଏ ହୃଦୟଟା ଏକ ଦେବମନ୍ଦିର ହୋଇ ପଡ଼ିଛି !

 

ମନ ଥୟ କରି ଏସବୁ କଥା ଟିକିଏ ବିଚାରିବୁ ଲୋ ଭଉଣୀ ! ଆଗରୁ ଲେଖିଛି, ସେହି ସ୍ମୃତିଟାକୁ ମନପଟରୁ ପୋଛି ପାରିଲି ନାହିଁ । ସେହି ସ୍ମୃତି ଘେନି ଜୀବନର ଖେଳା ରଚିଥିଲି, ରଚିଛି, ସେହି କଥା ବିଚାରି ସମାଜ ଭିତରେ ମୁଣ୍ଡ ଟେକି ରହିଛି, ସେହି କଥା ଭାବି ଆଖିର ଲୁହ ଶେଷ କରିଛି ....ସେ କଥା ଆଉ କିଛି ନୁହେଁ, ସେହି ମୋର ପ୍ରଥମ ଯୌବନର ଅର୍ଘ୍ୟଥାଳୀ । ଏବେ ଭାବୁଛି ବୋଲି ଦୋଷ ଦେବୁ କି ?

 

ପଚାରିପାରୁ, ଅର୍ଘ୍ୟଥାଳୀ ତ, ଧରିଛୁ ଶୂନ୍ୟ ମନ୍ଦିରରେ ଦେବତା କାହିଁ ? ସତ ଲୋ ସତ, ମୁଁ ଶୂନ୍ୟ ମନ୍ଦିରରେ ପୂଜା ଆରମ୍ଭ କରିଛି । ଦେବତା ବର ଦେବା ଆଗରୁ ଚାଲିଗଲେ ଭକ୍ତିର ଭକ୍ତି କ’ଣ ମାଟି ହୋଇଯାଏ ? ଦେବତା ଆସିବେ ବୋଲି ସେ ଦୀପ ଜାଳି ରଖେ । ମୁଁ କିନ୍ତୁ ଦେବତା ଆସିବେ ବୋଲି ମଧ୍ୟ ଦୀପ ଶିଖା ଟେକି ରଖି ନାହିଁ । ଥରେ ଯେଉଁ ମନ୍ଦିରରେ ଦେବତାଙ୍କ ପୂଜା କରିଥିଲି ସେହି ମନ୍ଦିରରେ ଦିନେ ଦେବତା ଥିଲେ ବୋଲି ସଂସାରକୁ ଜଣାଇବା ପାଇଁ ଏତେ ମୋର ଆୟୋଜନ ! ଏ କଥା ସଂସାର ଜାଣୁ, ଶାସ୍ତ୍ର ଜାଣୁ, ନିଷ୍ଠୁର ପୁରୁଷ ଜାତି ଜାଣୁ, ଆଉ ଭଗବାନ ବୋଲି ଯେଉଁ ଦଳକ ବେଳେ ବେଳେ ସଂସାରକୁ ଆସି ନାରୀକୁ ନରକର ଦ୍ୱାର ବୋଲି କହି ଯାଇଛନ୍ତି, ସେମାନେ ମଧ୍ୟ ଜାଣନ୍ତୁ !

 

ଦିନେ ଏକ ଚିଠି ପାଇଲି । ନିଜେ ହରିଚରଣ ସେହି ଚିଠି ଖଣ୍ଡକ ଲେଖିଥିଲେ । ମୋତେ ଆଶ୍ୱାସନା ଦେବାପାଇଁ କେତେ କେତେ କଥା ସେଥିରେ ଲେଖାଥିଲା । ସେ ଉପଦେଶ ଦେଇଥିଲେ ବିଭା ହୁଅ, ସୁଖରେ ରହ....ଇତ୍ୟାଦି ।

 

ଜବାବ ଦେଲି । ସେ ଜବାବ ତାଙ୍କ ମନକୁ କିପରି ଘେନିଥିବ କେଜାଣି । ମନକଥା ତିଳେହେଲେ ଲୁଚାଇ ପାରିଲି ନାହିଁ । ଲେଖିଥିଲି ପାଦତଳର ଘାସ ପାଦତଳେ ଚିରକାଳ ଘଷିହୋଇ ସରିଯାଉଛି ବୋଲି ଜାଣିଲେ ମଧ୍ୟ ଥରକୁ ଥର ପାଦକୁ ମୁଣ୍ଡ ଦେଖାଇ ଉଠୁଥାଏ । ମୁଁ ମୋତେ ସେ ପାଦତଳର ଘାସ ମନେକରି ପ୍ରଥମେ ଯୌବନ ପୂଜା ବାଢ଼ିଥିଲି ଏବଂ ପାଦତଳେ ମୁଣ୍ଡ ପାତିଥିଲି । ଏବେ ସେହିଠାରେ ସେହିପରି ଅଛି... ତୁମେ ଭାସିଯାଇଛ, ତୁମେ ଅନ୍ୟ ରାସ୍ତା ଆଦରିଛ । ମୁଁ ଆଉ ଏ ସବୁଥିରେ କିଛି ପ୍ରଭେଦ ଦେଖୁ ନାହିଁ । ତୁମେ ଆସ, ଯାଅ, ହସ, କାନ୍ଦ, ସବୁ ଏବେ ମୋ ପକ୍ଷରେ ସମାନ । ମାନ ଅପମାନ, ରାଗ ପ୍ରତିଶୋଧ ମୁଁ କିଛି ବୁଝୁ ନାହିଁ । ମୋର ଚାରା କ’ଣ ? ମୁଁ ଯେବେ ମୋ ଭାଗ୍ୟ ଉପରେ ଥାନ୍ତି, ତେବେ ବିନା ଆପତ୍ତିରେ ଏସବୁ କଥା ସହିଥାନ୍ତି କିଆଁ ? ଏ ଦେଶରେ ନାରୀର ତୁଣ୍ଡ ନାହିଁ କି ନାରୀର ଦାବୀ ନାହିଁ । ଏ ଦେଶର ନାରୀ ମହାଜନର ଝରକାହୀନ ଧାନକୋଠି ପରି ସମାଜର କୋଠିଘରେ ନରଗଢ଼ା ଶାସ୍ତ୍ର ଆଇନରେ ବନ୍ଧା-। ଆଉ ନର ? ସେ ଚିରମୁକ୍ତ, ତା’ର ଦାବୀ ତୁଣ୍ଡବାଦ୍ୟ ।

 

ଶାସ୍ତ୍ର କହିଲା, ଆମେ ପୁଣି ଟିକକ କଥାରେ କାନ୍ଦି କାନ୍ଦି ମରୁ, ପାଣି ଫୋଟକାଟାକୁ ଚିରକାଳର ଜିନିଷ ବୋଲି ଧରିନେଉ । ଏ ମିଛ, ଏ ମିଛ ! ନାରୀ ମରେ ନାହିଁ, ସୃଷ୍ଟି ଆଦ୍ୟରୁ ନାରୀ ମରି ନାହିଁ, ସୃଷ୍ଟିର ଶେଷ ପର୍ଯ୍ୟନ୍ତ ମଧ୍ୟ ମରିବ ନାହିଁ । ହୃଦୟର ରସ ଦେଇ ସେ ସଂସାରକୁ ସରସ କରେ । ନାରୀର ରୂପ ଦେଖି ନର ଗୀତ ଲେଖେ, ତଥାପି ବେଳ ପଡ଼ିଲେ ନାରୀକୁ ଦଳି ଦେବାପାଇଁ ନର ତିଳେହେଲେ ପଛାଏ ନାହିଁ.... ! କୃତଘ୍ନ କିଏ ? ନାରୀ ପାଇଁ ସୁନାର ସୀତା ଗଢ଼ାଯାଇ ଯାଗ ଯଜ୍ଞ ପୂର୍ଣ୍ଣ ହୁଏ, ଆଉ ନାରୀକୁ ନରକର ଦ୍ୱାର ବୋଲି ଲେଖି ଭଗବାନ–ନାମଧାରୀ ଶାସ୍ତ୍ରକାର ତା’ର ଟିପକଣ୍ଡୁ ନିବାରଣ କରେ ! ସୃଷ୍ଟି ଆଦ୍ୟରୁ ନାରୀ ନରପାଇଁ ଯେତେ କାନ୍ଦି ତା’ର ରଙ୍ଗାଧର ଦେଶରେ ଲୁହର ଗଙ୍ଗାଧାର ବୁହାଇଛି, ତାକୁ କେହି ଚିହ୍ନିଲେ ନାହିଁ, କହିଲେ–ଲୁହ ! ମୋ ଲୁହକୁ କିଏ ଚିହ୍ନିଲା ! ତୁମେ ଯାହା କରିଛ ତୁମର ଜାତି ଅନୁରୂପ କରିଛ । ମୁଁ ସେହିପରି ନାରୀ ହୋଇ ରହିଛି !

 

.......ଓହୋ, ହୃଦୟର ବେଦନା କଥା ଆଉ କେତେ ଲେଖିବି, ଭଉଣୀ ! ତାଙ୍କୁ ବଡ଼ କଠୋର ବାକ୍ୟବାଣ ମାଇଲି, କିନ୍ତୁ ତାଙ୍କ ହୃଦୟରେ ବ୍ୟଥା ଜନ୍ମାଇବା ପାଇଁ ନୁହେଁ । ମୋ କଥାଗୁଡ଼ାକ ତୁଚ୍ଛାକୁ ଟାଣ ଟାଣ ହୋଇ ଯାଇଥିଲା । ମୋର କିଛି ନାହିଁ, ମୋତେ ପାଗଳିନୀ କହିଲେ ଚଳେ । ମୋ ଜୀବନର ମୂଲ୍ୟ ମୁଁ ଏବେ ବୁଝି ପାରିଛି । ହୃଦୟ–ବେଦୀରେ ମୁଁ ବିଭା ହୋଇ ମନ–ମୁକୁରରେ ଛବି ଦେଖିସାରିଛି । ସେ ସୁଖରେ ରହନ୍ତୁ ସେ ଶାନ୍ତିରେ ରୁହନ୍ତୁ, ସେ ତାଙ୍କର ପଥ ଠିକ୍ ବୁଝନ୍ତୁ, ପ୍ରଭଙ୍କଠାରେ ଏହି ପ୍ରାର୍ଥନା । ସଂସାରରେ ଯୌବନର ଏହି ଝଡ଼ିବର୍ଷା ଭିତରେ ମୁଁ ଚାଲିଛି–ମୁଁ ନାରୀ.... ମୁଁ ବିରହିଣୀ !

Image